Unknown

 

 

 

 

 

 

 

 

 

 

 

ବିଷ୍ଣୁ ମାୟା

ଅଧ୍ୟାପକ ମହାପାତ୍ର ନୀଳମଣି ସାହୁ

 

ବିଷୟ-ସୂଚୀ

 

୧.

ବିଷ୍ଣୁ ମାୟା

୨.

ବୀଣା ଓ ମୁଁ

୩.

ପୁଅ ହେବ

୪.

ପ୍ରେମ ଓ ବିଲାତି ଆଳୁ

୫.

ଚପଳା ରାୟର ଇତିକଥା

୬.

ଭୂତକୋଠି

୭.

ଛାୟା ଓ ମାୟା

୮.

କମଳୀର ପ୍ରେମ

񤦬񤦬񤦬

 

ଲେଖକର ଦୁଇପଦ

 

ବିଭିନ୍ନ ସମୟରେ ଲିଖିତ ଅଥଚ ଏକପ୍ରକାର ରସାନୁଭୂତିରୁ ଉଦ୍ଭୂତ, ଏବଂ ଏକ ସୂତ୍ରରେ ଗୁନ୍ଥିତ କେତୋଟି ପ୍ରେମରସାତ୍ମକ ଗଳ୍ପ ଏକତ୍ର କରି ପୁସ୍ତକାକାରରେ ପ୍ରକାଶିତ କରିବା ଲାଗି କେତେ ଶିଷ୍ଟ ପାଠକପାଠିକା ଆଗ୍ରହ ପ୍ରକାଶ କରିଥିଲେ । ସେ ଦୃଷ୍ଟିରୁ ଏ ସଂଗ୍ରହ ବହୁ ପୂର୍ବରୁ ପ୍ରକାଶ ପାଇବା କଥା; ମାତ୍ର ବହୁଦିନ ପରେ ହେଲେ ମଧ୍ୟ ‘‘ଗ୍ରନ୍ଥମନ୍ଦିର” ପ୍ରକାଶନ ସଂସ୍ଥା ଏହାକୁ ଆଜି ପ୍ରକାଶ କରି ମୋର ପ୍ରିୟ ପାଠକପାଠିକାମାନଙ୍କର ଆଗ୍ରହ ଚରିତାର୍ଥ କରିଛନ୍ତି । ସେଥିଲାଗି ଶ୍ରୀ ଅଭିରାମ ମହାପାତ୍ରଙ୍କୁ ଅଗ୍ରେ ଧନ୍ୟବାଦ ଅର୍ପଣ କରିସାରି ନିଜ କଥା କହୁଛି ।

 

ନ କହିଥିଲେ ବୋଧହୁଏ ଚଳନ୍ତା ଯେ–‘‘ବିଷ୍ଣୁ ମାୟା” ଗୋଟିଏ ଶୃଙ୍ଗାରରସାତ୍ମକ କାହାଣୀ ସଂଗ୍ରହ । ଶୃଙ୍ଗାର ରସ, ଆଦିରସ । ସେଥିଲାଗି ଶେଷ ପର୍ଯ୍ୟନ୍ତ ଏହି ରସର ଶେଷ ହେବ ନାହିଁ । ଶୃଙ୍ଗାର ରସକୁ ନେଇ ଗଳ୍ପ, କବିତା ଯାହା ଲେଖା ହେଉନା କାହିଁକି–ଯେପରି ଭାବେ ଲେଖା ହେଉନା କାହିଁକି–ଏ ରସର ଆସ୍ଵାଦନ ଲାଗି ସମାଜରେ ପାଠକପାଠିକାଙ୍କର ଅଭାବ ରହିନାହିଁ ରହିବ ନାହିଁ । ବରଂ ଏହି ରସ-ଲୋଲୁପ ପାଠକ ପାଠିକାଙ୍କର ସଂଖ୍ୟା ସର୍ବାଧିକ । ତେଣୁ ପ୍ରେମ ରସ ପରିବେଷଣ କରି ପାଠକପାଠିକାଙ୍କୁ ସନ୍ତୁଷ୍ଟ କରିବା, ଅତି ସହଜ କଥା । ଅତି ନୈଷ୍ଠିକ; କିନ୍ତୁ ଅତି ମୁଷ୍ଟିମେୟ କେତେକ ନିରାମିଷାଶୀଙ୍କୁ ଛାଡ଼ିଦେଲେ–ମାଛ ମାଂସ ତ ଦୂରର କଥା–ଶୁଖୁଆ ପୋଡ଼ାର ବହୁ ବିସ୍ତାରିତ ଦୁର୍ଗନ୍ଧାଘ୍ରାଣ ହିଁ ବହୁ ଆମିଷ ବିଳାସୀଙ୍କ ଭୋଜନରେ ତୃପ୍ତିର ହେତୁ ହୋଇଥାଏ ।

 

ମାତ୍ର ପାଠକପାଠିକାଙ୍କର ଏହି ଆମିଷ-ବିଳାସୀ ରୁଚିର ସୁଯୋଗ ନେଇ ମୁଁ ଏ ଗଳ୍ପଗୁଡ଼ିକ ଯେ ଲେଖି ନାହିଁ ଏବଂ ଏକତ୍ର କରି ପ୍ରକାଶ କରି ନାହିଁ–ଏହି ସ୍ପଷ୍ଟୋକ୍ତିକୁ ଯେକୌଣସି ସାହିତ୍ୟର ରସ-ବୁଦ୍ଧି-ସମ୍ପନ୍ନ ପାଠକପାଠିକା ନିଶ୍ଚୟ ବିଶ୍ୱାସ କରିବେ ବୋଲି ମୁଁ ବିଶ୍ୱାସ କରୁଛି । ରସନିର୍ମାତା ଭାବରେ ସଂସାରର ଯାବତୀୟ ରସ ଓ ଭାବ ସଙ୍ଗେ ଶିଳ୍ପୀହୃଦୟର ପରିଚୟ ଯେମିତି ସହଜ, ସତ୍ୟ ଓ ନିବିଡ଼ (ଅଥଚ ନିର୍ଲିପ୍ତ) ଆଦିରସ କ୍ଷେତ୍ରରେ ବି ଠିକ୍‍ ସେହିଭଳି । ଏହି ସହଜ ଭାବାବେଗ, ନିବିଡ଼ ରସାନୁଭୂତି ଓ ଗଭୀର ସତ୍ୟାନୁସନ୍ଧିତ୍ସାର ପରିପାକ ପ୍ରକ୍ରିୟାରେ ଆଦିରସ ମଧ୍ୟ ତା’ର ସତ୍ୟ, ଶିବ ଓ ସୁନ୍ଦରର ପରିଣତ ସ୍ୱାଦର ଘ୍ରାଣ, ଶିଳ୍ପୀ ପ୍ରାଣରେ ରଖିଦେଇ ଯାଇଛି । ସେହି ଅମୃତୋପମ ସ୍ୱାଦ ପରିବେଷଣ କରିବାର ଅଦମ୍ୟ ଶିଳ୍ପୀସୁଲଭ ଆଗ୍ରହ ଓ ପ୍ରଲୋଭନ ଯୋଗୁ ହିଁ ମୁଁ ଏହି ଗଳ୍ପଗୁଡ଼ିକ ଆଜି ପାଠକମାନଙ୍କ ହାତକୁ ବଢ଼ାଇ ଦେଉଛି ।

 

ଜାଗତିକ କ୍ଷେତ୍ରରେ ଓ ଜାଗତିକ ଭାବରେ ସାବିତ୍ରୀ, ତିଳୋତ୍ତମା, ବୀଣା, ହାରାମଣି, କମଳା, ଇନ୍ଦୁରେଖା, ପ୍ରତିଭାସୁନ୍ଦରୀ ଓ ଚପଳା ରାୟ ଆଦି ନାରୀଚରିତ୍ରଗୁଡ଼ିକ ସଙ୍ଗେ ମୋର ନିଜର କିଛି ବୟକ୍ତିକ ସମ୍ପର୍କ ନାହିଁ । ମାତ୍ର ମୋର ଶିଳ୍ପୀମନ ବା ଶିଳ୍ପୀହୃଦୟ ସଙ୍ଗେ ଏମାନଙ୍କର ସମ୍ବନ୍ଧ ଅତି ନିବିଡ଼ ଓ ଅତି ଗଭୀର । ବରଂ ଜାଗତିକ ଭାବରେ ଏହି ସବୁ ଚରିତ୍ର ମୋ ଉପରେ ନିରାଶ ହୋଇଯାଇଛନ୍ତି । ମାତ୍ର ସେମାନଙ୍କର ଏହି ଜାଗତିକ ନୈରାଶ୍ୟ ହିଁ ମୋର ଶିଳ୍ପୀମାନସରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି । ମୋ ହୃଦୟର ସମସ୍ତ ସମ୍ମାନ ଓ ସମସ୍ତ ସମବେଦନା ମୁଁ ବିନୟର ସହିତ ସେମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଛି ।

 

ସେମାନେ କେହି ଆଜି ମୋ ନିକଟରେ କ୍ଷୁଦ୍ର ନୁହନ୍ତି, ଘୃଣ୍ୟା ନୁହନ୍ତି । ସେମାନେ ସମାଜର ଅନ୍ୟାନ୍ୟ ନାରୀମାନଙ୍କ ଭଳି ମହନୀୟା । ସେମାନେ ଖୋଜୁଥିଲେ ଅମୃତର ସ୍ୱର୍ଗୀୟ ତୃପ୍ତି ଆଉ ଅନନ୍ତ ପ୍ରଶାନ୍ତି । ମାତ୍ର ପାଇଲେ ମଦ୍ୟର କ୍ଷଣିକ ଉତ୍ତେଜନା, ତପ୍ତ ଜ୍ୱାଳାର ଯନ୍ତ୍ରଣାମୟ ଅନନ୍ତ ହାହାକାରର ବ୍ୟର୍ଥତା । ପ୍ରମତ୍ତ ପ୍ରେମର ଛଳନା ଚପଳ ନୃତ୍ୟବିଳାସ ମୋହିନୀ ଇଙ୍ଗିତରେ ସେମାନେ ବିଡ଼ମ୍ବିତା ହୋଇଗଲେ ।

 

ମୋ ନିକଟରେ ଅମୃତଭାଣ୍ଡ ଥିଲେ ମୁଁ ସେମାନଙ୍କୁ ଅମୃତର ସ୍ୱାଦ ଓ ତୃପ୍ତି ଦେଇପାରିଥାନ୍ତି । ବିଷଭାଣ୍ଡ ଥିଲେ ବି ସେମାନଙ୍କୁ ସେତକ ଦେଇ ସେମାନଙ୍କର ସମସ୍ତ ଜାଗତିକ ବ୍ୟର୍ଥତା ଓ ଜ୍ୱାଳାରୁ ମୁଁ ସେମାନଙ୍କୁ ଚିରଦିନ ଲାଗି ମୁକ୍ତି ଦେଇପାରିଥାନ୍ତି । ତୃଷାର୍ତ୍ତ ସେମାନେ । ବିକଳରେ ଛଳନାର ଆସବ ପାନକରି ସେମାନେ ବ୍ୟର୍ଥତାର ହାହାକାରରୁ ମୁକ୍ତି ଲୋଡ଼ୁଥିଲେ ।

 

ସମୁଦ୍ର ମନ୍ଥନ ପରେ ମୁଁ ଯାଇ ପହୁଁଚିଛି । ସେତେବେଳକୁ ପରିବେଷଣ ମଧ୍ୟ ଶେଷ ହୋଇଯାଇଛି । ମୋ ନିଜ ଲାଗି ମଧ୍ୟ ସୁଧା ନାହିଁ କି ଆସବ ନାହିଁ । ବିଷ ମଧ୍ୟ ସରି ଯାଇଛି । ତେଣୁ ଏହି ସମୁଦ୍ର ମନ୍ଥନରେ ମୁଁ ନିଜେ ମଧ୍ୟ କିଛି ଲାଭ ଉଠାଇ ନାହିଁ । ମୁଁ କେବଳ ସେହି ଭୋଜୀସଭାର ଶେଷରେ ଦର୍ଶକ ମାତ୍ର । ସେହି ମହାକୋଳାହଳପୂର୍ଣ୍ଣ ଭୋଜୀସଭାରେ, ‘‘ମୁଁ କ’ଣ ସବୁ ଶୁଣିଛି ? କେତେ ନିର୍ମମତାର ଅଟ୍ଟହାସ !! କେତେ ବ୍ୟର୍ଥତାର ହାହାକାର !! କେତେ ଯନ୍ତ୍ରଣାର ଚିତ୍କାର !! ଆଉ କେତେ ପରିତୃପ୍ତିର ଶାନ୍ତିପୂର୍ଣ୍ଣ ହେଉ-ଡ଼ି !’’

 

ମୁଁ ବିଚରା ଶିଳ୍ପୀ । ଏତେ ଟିକେ କ୍ଷୁଦ୍ର ହୃଦୟ ହିଁ ମୋର ସମ୍ବଳ । ସେମାନଙ୍କୁ ଅକାତରରେ ମୁଁ ଦେଇ ଦେଇଛି ଏତିକି ମୋର ସମ୍ବଳ । ଏ ହୃଦୟରେ ଅମୃତର ଚିରନ୍ତନ ଶୀତଳ ପ୍ରଶାନ୍ତି ନାହିଁ କିମ୍ବା ଆସବର କ୍ଷଣିକ ଉତ୍ତେଜନାତପ୍ତ ପ୍ରମତ୍ତ ବୁଭୁକ୍ଷାର ଯନ୍ତ୍ରଣା ନାହିଁ କିମ୍ବା ନାହିଁ ସେହି ବିଷର ନୀଳକଣ୍ଠୀ ଶୈବ ପ୍ରତିକ୍ରିୟା । ଏ ହୃଦୟରେ କେବଳ ନୀରବ ସଙ୍କୋଚ ସଂଗୋପନରେ ନିରବଚ୍ଛିନ୍ନ ଭାବରେ ଲପ୍‍ ଧପ୍‍ ଲପ୍‍ ଧପ୍‍ ହୋଇ ବହି ଚାଲିଛି ଅନନ୍ତ କାରୁଣ୍ୟର ସ୍ରୋତ । ଯନ୍ତ୍ରଣାର ହାହାକାରରେ ସେମାନେ ଧାଇଁ ଆସିଛନ୍ତି ମୋ ହୃଦୟର ଏହି କାରୁଣ୍ୟ-ସ୍ରୋତ ଭିତରକୁ । ବିଚାରୀ ସେମାନେ–ସାବିତ୍ରୀ, ତିଳୋତ୍ତମା, ବୀଣା, ହାରାମଣି ଆଉ ଚପଳାରାୟର ଦଳ-। ସେମାନେ ଏହି କ୍ଷୀଣ ସ୍ରୋତଟି ଭିତରେ ବୁଡ଼ି ଶାନ୍ତି ଖୋଜିଛନ୍ତି–ପାଇଛନ୍ତି କି ନାହିଁ ସେମାନେ ଜାଣନ୍ତି । ମାତ୍ର ସେହି ଅବସରରେ ମୁଁ ସେମାନଙ୍କୁ ଯେତିକି ଦେଇଛ–ଏହି ଗଳ୍ପଗୁଡ଼ିକରେ ସେତିକି କେବଳ ଜଣାଇଛି ।

 

ପୁରୁଷ-ଚରିତ୍ରଗୁଡ଼ିକ ଉପରେ ମୋର କିଛି କହିବାର ନାହିଁ । ସେମାନେ ନିଜ କଥା ନିଜେ କହିବେ । ଅବଶ୍ୟ ନାରୀଚରିତ୍ରଗୁଡ଼ିକ ବି ନିଜ କଥା ନିଜେ କହିଛନ୍ତି । ମାତ୍ର ନାରୀଙ୍କ କଥା ସ୍ୱତନ୍ତ୍ର । ସେମାନେ ଯେତେ ସ୍ପଷ୍ଟ କହିଲେ ବି ଆମ କାନକୁ ସେତିକି ଅସ୍ପଷ୍ଟ ଶୁଭେ । ସେମାନେ ଯେତେ ସ୍ପଷ୍ଟ ଦେଖା ଯିବାକୁ ଚେଷ୍ଟା କଲେ ବି ଆମ ଆଖିକୁ ସେତିକି ଅସ୍ପଷ୍ଟ ଦିଶେ । ଏହି ଅସ୍ପଷ୍ଟତା ହିଁ ସେମାନଙ୍କ ସୌନ୍ଦର୍ଯ୍ୟ । ସେଥିଲାଗି ମଧ୍ୟସ୍ଥତାର ଏତେ ପ୍ରଗଳ୍‍ଭତା ଆବଶ୍ୟକ ହେଲା-

 

ହଁ, ଏଠାରେ ଆଉ ଗୋଟିଏ କଥା ମଧ୍ୟ ମୋତେ କହିବାକୁ ପଡ଼ୁଛି । ଏହି ପୁସ୍ତକର କେତେକ ଗଳ୍ପ ଉପରେ ନୈତିକ ଶ୍ଳୀଳତା ଓ ଅଶ୍ଳୀଳତାର ପ୍ରଶ୍ନ ଉଠିପାରେ । ଉଠିଛି ମଧ୍ୟ ଆଗରୁ-। ଏ ଯୁଗରେ ସବୁ ବିଷୟ ଉପରେ ମତାମତ ବ୍ୟକ୍ତ କରିବାର ଅଧିକାର ସମସ୍ତଙ୍କର ନିଶ୍ଚୟ ଅଛି-। ମାତ୍ର ସବୁ ବିଷୟରେ ମତାମତ ବ୍ୟକ୍ତ କରିବାର ନୀତିଗତ ଯୋଗ୍ୟତା ଓ ନ୍ୟାୟସିଦ୍ଧ କ୍ଷମତା ସମସ୍ତଙ୍କର ଅଛି କି ନାହିଁ–ସେ ବିଷୟରେ ମତାମତ ବ୍ୟକ୍ତ କରିବା ଲାଗି ମଧ୍ୟ ସେହିପରି ନୀତିଗତ ଯୋଗ୍ୟତା ଓ ନ୍ୟାୟସିଦ୍ଧ କ୍ଷମତା ଆଗ ଅଛି କି ନାହିଁ–ତା’ର ପ୍ରଶ୍ନ ଉଠିବ । ତେଣୁ ଏପରି କ୍ଷେତ୍ରରେ ପ୍ରକୃତ ଶିଳ୍ପୀ ନୀରବ ରହିବା ଉଚିତ । ଶିଳ୍ପୀ ହିସାବରେ ମୁଁ ନୀରବ ରହୁଛି ।

 

ମାତ୍ର ଦୁର୍ଭାଗ୍ୟ–ମୁଁ କେବଳ ଶିଳ୍ପୀ ନୁହେଁ । ମୁଁ ଏକାଧାରରେ ଜଣେ ଶିକ୍ଷକ, ଜଣେ ପିତା, ପୁତ୍ର, ଭ୍ରାତା, ପତି ଇତ୍ୟାଦି । ତେଣୁ ଏଇ ସବୁ ହିସାବରେ ଓ ଏଇ ସବୁର ସୁଯୋଗରେ ମୁଁ କିଞ୍ଚିତ କହିବା ଉଚିତ ମନେକରୁଛି ।

 

ଶୃଙ୍ଗାର ରସକୁ ନେଇ ଯେଉଁମାନେ କାରବାର କରନ୍ତି–ତାଙ୍କ ଲଲାଟରେ ସବୁ ଯୁଗରେ ଏ ବିପଦ ଲେଖା ହୋଇ ଆସିଛି । ବ୍ୟାସ ବାଲ୍ମୀକିଙ୍କଠାରୁ ଆରମ୍ଭ କରି କାଳିଦାସଙ୍କ ପର୍ଯ୍ୟନ୍ତ–ଏବଂ ଶାରଳାଦାସଙ୍କଠାରୁ ଆରମ୍ଭ କରି ମାନସିଂହଙ୍କ ପର୍ଯ୍ୟନ୍ତ–ସବୁ କବି ଓ ମହାକବିମାନଙ୍କୁ ଆଖିବୁଜି ଅଶ୍ଳୀଳ କହିଦେବା ଭଳି ସମାଲୋଚକ ଆଗେଇଥିଲେ–ଏବେ ଅଛନ୍ତି ଓ ପରେ ମଧ୍ୟ ରହିବେ । ଅବଶ୍ୟ ଏମାନଙ୍କ ମଧ୍ୟରୁ କେତେକ କବି ମହାକବିଙ୍କୁ ଧର୍ମ ପ୍ରତିଷ୍ଠା ଲାଗି ଓ କେତେକ କବିଙ୍କୁ ଅଳଙ୍କାର ପ୍ରତିଷ୍ଠା ଲାଗି ଅଶ୍ଳୀଳତା ଅପବାଦରୁ ରକ୍ଷାକରିବା ପାଇଁ ଯୁକ୍ତି କରିବାକୁ ବହୁ ରସଜ୍ଞ ଓ ଅର୍ଥଜ୍ଞ ସମାଲୋଚକ ମଧ୍ୟ ଅଛନ୍ତି–ଏହା ସତ୍ୟ । କେବଳ ଧର୍ମ ବା ଅଳଙ୍କାର ପ୍ରତିଷ୍ଠା ଲାଗି ନୁହେଁ–ଆଧୁନିକ ସମାଜର ଆଦର୍ଶ ଭଳି ଆଧୁନିକ ସାହିତ୍ୟର ଆଦର୍ଶ ମଧ୍ୟ ହୋଇଛି–ସତ୍ୟ ଓ ନୀତି ପ୍ରତିଷ୍ଠା କରିବା । ସତ୍ୟ ପ୍ରତିଷ୍ଠା ଲାଗି କିମ୍ବା ନୀତି ପ୍ରତିଷ୍ଠା ଲାଗି (ସେ ସତ୍ୟ ସର୍ବଦା ଆପେକ୍ଷିକ ଓ ସେ ନୀତି ସର୍ବଦା ବ୍ୟକ୍ତିଗତ) ଆଧୁନିକ ସାହିତ୍ୟରୁ ଏହି ଆପାତ ଅଶ୍ଳୀଳତାକୁ ସହ୍ୟ କରିବାକୁ ହେବ । ପୁରାଣରେ ବହୁ ଋଷିଙ୍କର ରେତସ୍ଖଳନକୁ ଆମେ ଯେମିତି ଧର୍ମକୁ ଆଗରେ ରଖି ସହ୍ୟ କରିଯାଉଁ–କାବ୍ୟରେ ବହୁ ନାରୀଙ୍କର ନୀବି ମୋକ୍ଷଣ ଓ ବସ୍ତ୍ର ହରଣକୁ ଆମେ ଯେମିତି ଅଳଙ୍କାରର ଖାତିରିରେ ଓ ଏକ ଗୂଢ଼ ଆଧ୍ୟାତ୍ମିକ ବ୍ୟଖ୍ୟାନର ଖାତିରିରେ ଦେଖି ମଧ୍ୟ ଆଖି ବୁଜୁ ନାହିଁ–ସେହିପରି ଆଧୁନିକ ସାହିତ୍ୟ ପଢ଼ିବା ବେଳେ ବି ଆଧୁନିକ ଲେଖକର ମନୋଭାବ, ଉଦ୍ଦେଶ୍ୟ ଓ ନୀତିବୋଧ ସଙ୍ଗେ ସତ୍ୟ ଅନୁସନ୍ଧିତ୍ସାକୁ ମଧ୍ୟ ବିଚାର କରି ଶ୍ଳୀଳତା ଓ ଅଶ୍ଳୀଳତା ଉପରେ ଟିପ୍ପଣୀ ଦେବାକୁ ହେବ ।

 

ଏହା ବ୍ୟତୀତ ଶ୍ଳୀଳତା ବା ଅଶ୍ଳୀଳତାର ପ୍ରଶ୍ନ ଉଠାଇବା ପୂର୍ବରୁ ପ୍ରତ୍ୟେକ ଶିଳ୍ପକର୍ମର ସାମଗ୍ରିକ ପ୍ରଭାବ ଉପରେ ଦୃଷ୍ଟି ଦେବା ଉଚିତ । ସାମଗ୍ରିକ ଭାବରେ ନ ଦେଖିଲେ ଓ ସମଗ୍ର ପ୍ରଭାବ ଲାଗି ଅପେକ୍ଷା ନ କଲେ ବିଶାଳ ଜୈନମୂର୍ତ୍ତି ମହାବୀରଙ୍କର ମହାନ୍‍ ପୁରୁଷୋଚିତ ନଗ୍ନ ଦେହରୁ ନିର୍ମୁକ୍ତ ଆତ୍ମାର ସୌନ୍ଦର୍ଯ୍ୟ ନ ଦିଶି ସେହି ବିଶାଳ ମହାନ୍‍ ନଗ୍ନ ଦେହ ଭିତରୁ କେବଳ ସେହି ବିଶେଷ ଅଶ୍ଳୀଳ ଅଂଶଟି ହିଁ ଆମ ଆଖିରେ ପଡ଼ିବ ଓ ମନରେ ବି ଲାଖି ରହିବ ତା’ର ଅଶ୍ଳୀଳ ପ୍ରତିକ୍ରିୟା । ବ୍ରହ୍ମନିଷ୍ଠ ସଂସାରବିରାଗୀ ଭକ୍ତକବି ମଧୁସୂଦନଙ୍କର ‘‘ଜୀବନ ଚିନ୍ତା” ଶୀର୍ଷକ ବୈରାଗ୍ୟ ରସୋତ୍ତୀର୍ଣ୍ଣ କବିତାରୁ ‘‘ଯୁବତୀର ରକ୍ତାଧାର, ରମ୍ୟଜ୍ୟୋତି ନୟନର, ସ୍ଵର୍ଣ୍ଣମେଘସମ ବକ୍ଷ, ଚାରୁ ପଦ୍ମାନନ’’–କେବଳ ଏତିକି ପାଠ କରି ଓ ଆଉ ଆଗକୁ ନ ପଢ଼ି କେହି ଯଦି ମୁଣ୍ଡରେ ହାତ ଦେଇ ବସେ–ଆଉ କହେ, ‘‘ଆହୋ ! ମଧୁସୂଦନୀୟ ଜୀବନ-ଚିନ୍ତାର କି ଶୋଚନୀୟ ଅଶ୍ଳୀଳ ଅଧଃପତନ !” ତେବେ ଆମ୍ଭମାନଙ୍କର ମଧ୍ୟ କହିବାରେ ଲଜ୍ଜା ନାହିଁ ଯେ ‘‘ହା ହାତୋଽସ୍ମି ! ଅସ୍ମଦ୍ଦେଶୀୟ ଈଦୃଶ ସମାଲୋଚକମାନଙ୍କର ଶ୍ଳୀଳ ଚିତ୍ତ ହଠାତ୍‍ ଯୁବତୀର ସ୍ୱର୍ଣ୍ଣମେଘସମ ବକ୍ଷ ଉପରେ ଧକ୍କା ଖାଇ ଭୂପତିତ ହେଲା” କିନ୍ତୁ; ଏହା ପରେ ଯେ ‘‘ଇନ୍ଦ୍ରଧନୁ ଶୋଭାସମ ପଳାନ୍ତି ବହନ” ପଦଟି କେବଳ ସ୍ଵର୍ଣ୍ଣମେଘସମ ବକ୍ଷକୁ ସ୍ୱର୍ଣ୍ଣ ମେଘମୁକ୍ତ କରି ନାହିଁ–ବୈରାଗ୍ୟ ରସପିପାସୁ ପାଠକର ଆଚ୍ଛନ୍ନ ଚିତ୍ତକୁ ମଧ୍ୟ ମୋହମୁକ୍ତ କରିଦେଇ ତାକୁ ମୁକ୍ତିର ପଥ ଦର୍ଶାଇ ଦେଇଛି–ଏତିକି ମର୍ମାର୍ଥ ବୁଝିବା ଲାଗି କେବଳ ଶୁଚିବାୟୁଗ୍ରସ୍ତ ଶ୍ଳୀଳତାବୋଧ ହିଁ ଏକମାତ୍ର ଯୋଗ୍ୟତା ନୁହେଁ । ଅଭିଜ୍ଞ, ଚିନ୍ତାଶୀଳ, ପ୍ରବୁଦ୍ଧ ଓ ଧୈର୍ଯ୍ୟଶୀଳ ରସଗ୍ରାହୀ ଚିତ୍ତ ହିଁ ଏ କ୍ଷେତ୍ରରେ ପ୍ରକୃଷ୍ଟ ବିଚାରକ । ତେଣୁ ପ୍ରତିଟି ଗଳ୍ପର ସାମଗ୍ରିକ ପ୍ରଭାବ ଉପରେ ହିଁ ଏହି ଶ୍ଳୀଳତା ଓ ଅଶ୍ଳୀଳତାର ପ୍ରଶ୍ନ ଉଠିଲେ ମୋର ଆପତ୍ତି ନାହିଁ । ଏ ସମ୍ବନ୍ଧେ ମୋର କୈଫିୟତ୍‍ ଏତିକି ।

 

ଶେଷରେ ବାଗଦେବୀଙ୍କର ଶପଥ ନେଇ ଗର୍ବର ସହିତ ଘୋଷଣା କରୁଛି ଯେ, ଅଶ୍ଳୀଳ ବିକାରଗ୍ରସ୍ତ ନୁହେଁ । ପାଠକ ପାଠିକାପାଇଁ ମୋର ଚିତ୍ତ ଅଶ୍ଳୀଳତା-ପ୍ରଲୁବ୍ଧ ଚିତ୍ତବୃତ୍ତିର ସୁଯୋଗ ନେଇ ଏ ପୁସ୍ତକରୁ ଅର୍ଥ ଉପାର୍ଜନ କରିବାର ଅଶ୍ଳୀଳ ଲାଳସା ମୋର ନାହିଁ ।

 

ମୋର ସମସ୍ତ ଗଳ୍ପରେ ଯେଉଁ ଯେଉଁ ଅଂଶରେ ଆପାତ ଅଶ୍ଳୀଳତାର ସ୍ପର୍ଶ ଲାଗିଛି ବୋଲି ଶୁଚି ବାୟୁଗ୍ରସ୍ତ ପାଠକ ପାଠିକାଙ୍କ ମନରେ ଧାରଣା ହେବ–ମୋର ଦୃଢ଼ ବିଶ୍ୱାସ–ସେସବୁ ଶେଷରେ ପାଠକର ଚିତ୍ତକୁ ଏକ ପରମ ପବିତ୍ର ଶ୍ଳୀଳ ରସମୟ ଉପଲବ୍ଧିର ପରିବେଶ ଭିତରକୁ ଟାଣିନେବା ଲାଗି ଉଦ୍ଦିଷ୍ଟ । ମଧୁମକ୍ଷିକା ପରି ମୁଁ ସମସ୍ତ ସ୍ଥାନ ଓ ଅସ୍ଥାନରେ ବସିଛି । ମାତ୍ର ଆହରଣ କରିଛି କେବଳ ମଧୁ । ଯେଉଁ ସବୁ ସ୍ଥାନରେ ନାରକୀୟ ଦୈହିକ ଲାଳସାର ସ୍ପର୍ଶ ଲାଗିଛି–ତାହା ଛାର ଏଇ ଦେହ ଲାଗି ନୁହେଁ–ଦେହାତୀତର ଉପଲବ୍ଧି ଲାଗି ।

 

କେବଳ ସ୍ୱର୍ଗକୁ ନୁହେଁ–ରସୋପଲବ୍ଧିର ସ୍ୱର୍ଗଲୋକକୁ ସ୍ଵଦେହରେ ଯିବା ଲାଗି ସମସ୍ତେ ଯୋଗ୍ୟ ନୁହନ୍ତି । କେତେକ ଅଧବାଟରେ ପଡ଼ିବେ ହିଁ ପଡ଼ିବେ । ଆଉ ଯେଉଁମାନେ ଯୁଧିଷ୍ଠିର–ସେମାନେ ବିଚାରା ଏଇ ପୃଥିବୀର ଲୋକ–ସେମାନଙ୍କର କାମନା ସ୍ୱର୍ଗ ଲାଗି–ଜୀବନ ଯାକର ସାଧନା ବି ଏଇ ସ୍ୱର୍ଗ ଲାଗି–ତ୍ୟାଗ ମଧ୍ୟ ଏଇ ସ୍ୱର୍ଗ ଲାଗି–ତଥାପି ସେମାନଙ୍କୁ ଏଇ ପୃଥିବୀରେ ମିଥ୍ୟା କହିବାକୁ ହେବ–ହେଉ ପଛେ ନରେ ବା ଗୁଞ୍ଜରେ ବା ଯୁଦ୍ଧ କରିବାକୁ ହେବ–ଯୁଦ୍ଧ ଜିଣିବାକୁ ହେବ ପୁତ୍ର, ମିତ୍ର, ପିତା, ବନ୍ଧୁଙ୍କ ରକ୍ତରେ ସନ୍ତରଣ କରି–ସିଂହାସନରେ ବସିବାକୁ ହେବ ଏବଂ ପୁନଶ୍ଚ ସବୁ ଛାଡ଼ିଛୁଡ଼ି ଦେଇ–ସ୍ୱର୍ଗ ଲାଗି ମହାପ୍ରସ୍ଥାନର ପଥରେ ଆଗେଇ ଯିବାକୁ ହେବ । ତା’ ପୁଣି ସିଧା ମଞ୍ଚରୁ ସ୍ୱର୍ଗକୁ ନୁହେଁ । ବିଚାରାଙ୍କୁ ନରକର ପଥ ଦେଇ କେବଳ ସ୍ୱର୍ଗକୁ ଯିବାକୁ ହେବ । ରସସ୍ୱର୍ଗକୁ ଯିବା ଲାଗି ମଧ୍ୟ ଏହି ବାଟ–ଏଇ ନିୟମ ।

 

ବିଚରା ଏହି ଶିଳ୍ପୀଟି ମଧ୍ୟ ପାର୍ଥିବ ଜୀବ । କିନ୍ତୁ ସେ ମଧ୍ୟ ସ୍ୱର୍ଗକାମୀ–ସ୍ୱର୍ଗପଥର ଯାତ୍ରୀ ଏବଂ ସେହି ନିୟମରେ ମଧ୍ୟ ନରକର ପଥ ଦେଇ ତାକୁ ରସ-ସ୍ୱର୍ଗକୁ ଯିବାକୁ ପଡ଼ିଅଛି । ପୃଥିବୀର କୁତ୍ସିତ କାମନାବେଦୀ ଉପରେ ମଧ୍ୟ ଅନୁଷ୍ଠିତ ହୁଏ, ପ୍ରେମର ମହାଯଜ୍ଞ । ଶିଳ୍ପୀର ଲକ୍ଷ୍ୟ କେବଳ ରସ-ସ୍ୱର୍ଗପ୍ରାପ୍ତି ।

 

ଏ ସମ୍ପର୍କରେ ଆଉ ବିସ୍ତୃତି ନିଷ୍ପ୍ରୟୋଜନ । ଏତିକିର ରକ୍ଷାକବଚ ଦେଇ ମୁଁ ସେମାନଙ୍କୁ ଛାଡ଼ିଦେଲି । ଯାଅ–ସାବିତ୍ରୀ, ବୀଣା, ତିଳୋତ୍ତମା, ହାରାମଣି, ଇନ୍ଦୁରେଖା ଆଉ ଚପଳା ରାୟ ! ନିନ୍ଦୁକମାନଙ୍କର ନିନ୍ଦାବାଣ ଆଉ ତୁମମାନଙ୍କୁ କାଟିବ ନାହିଁ । ତୁମ୍ଭେମାନେ କେହି ସତୀ ହୋଇ ରହିପାରିନାହଁ ।

 

କିନ୍ତୁ ସତୀତ୍ଵ ଲାଗି ତୁମମାନଙ୍କର କ’ଣ କମ୍‍ ବୁଭୁକ୍ଷା ? ତୁମମାନଙ୍କର ଜୟ ହେଉ-। ତୁମେମାନେ ମୋର ରସଗ୍ରାହୀ ବୁଦ୍ଧିମାନ୍‍ ପାଠକ ପାଠିକାମାନଙ୍କର ହୃଦୟ ଜୟ କର । ଖଳ ଓ ବାଳିଶ ନୀତିଜ୍ଞମ୍ମନ୍ୟ ନିନ୍ଦୁକମାନେ ତୁମ ବାହ୍ୟ ରୂପର ଅଶ୍ଳୀଳ ନରକ ଭିତରେ ଆଖିବୁଜି ସଢ଼ନ୍ତୁ-। ବିଦଗ୍ଧ ଓ ସତ୍ୟସନ୍ଧ ପାଠକ ପାଠିକାମାନେ ତୁମ୍ଭମାନଙ୍କ ସୃଷ୍ଟ ରସସ୍ଵର୍ଗରେ ବସି ରସାମୃତ ପାନ କରି ଦିବ୍ୟାନନ୍ଦ ଲାଭ କରନ୍ତୁ । ହାୟ ! ତୁମ୍ଭେମାନେ କେବେ ଅମୃତ ଚାଖି ନାହଁ । କିନ୍ତୁ ଧନ୍ୟ ତୁମେମାନେ !! ଆଜି ବହୁ ଲୋକଙ୍କୁ ତୁମେମାନେ ଅମୃତ ହିଁ ପରିବେଷଣ କରିବ ।

 

X X X X

 

ପରିଶେଷରେ କେହି ଯଦି ପ୍ରଶ୍ନ କରନ୍ତି–‘‘ଲେଖକ ! ଏ ବହି ତୁମେ ତୁମ ପୁଅଝିଅଙ୍କ ହାତକୁ ଦେବ ତ ?’’

 

ମୁଁ ଶିକ୍ଷକୋଚିତ ଓ ପିତୃଜନୋଚିତ ଗାମ୍ଭୀର୍ଯ୍ୟ ରକ୍ଷା କରି ଉତ୍ତର ଦେବି,–‘‘ନିଶ୍ଚୟ ଦେବି-

 

କିନ୍ତୁ ସେମାନେ ଏକୋଇଶି ବର୍ଷ ଅତିକ୍ରମ କଲା ପରେ ।” (କିନ୍ତୁ ଏକଥା ବି ନିଶ୍ଚିତ ଯେ–ସେତେବେଳକୁ ମୋ ଭାଷା ‘‘ବିଷ୍ଣୁ ମାୟା” ଅପେକ୍ଷା ବହୁ ଉଚ୍ଚକୋଟୀର ଲେଖାରେ ସମୃଦ୍ଧ ହୋଇଯାଇଥିବ । ତେଣୁ ସେମାନଙ୍କ ପକ୍ଷରେ ଏ ବହି ପଢ଼ି ସମୟ ନଷ୍ଟ କରିବା ଉଚିତ ହେବ ନାହିଁ ।)

 

X X X X

 

ବର୍ତ୍ତମାନ ଧନ୍ୟବାଦ ଅର୍ପଣ କରିବାର ସମୟ ଆସିଗଲା । ଆଗରୁ ତାଙ୍କର ପ୍ରାପ୍ୟ ଦେଇସାରିଛି । ଶେଷରେ ଏ ବହିଟିର ପ୍ରଚ୍ଛଦପଟ ଚିତ୍ର ଅଙ୍କନରେ ସୂଚନା ଦେଇଥିଲେ–ଅଧ୍ୟାପକ ବନ୍ଧୁ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ରଥ ଏବଂ ବହୁ ସମୟ ବ୍ୟୟ କରି ସେହି ସୂଚନାକୁ ରେଖା ଓ ରଙ୍ଗରେ ବ୍ୟାଖ୍ୟା କରିଥିଲେ–କବିବନ୍ଧୁ ଶ୍ରୀଯୁକ୍ତ ବେଣୁଧର ରାଉତ । ସେ ଦୁହିଁଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ।

 

ମୋର ଜ୍ଞାତି ଓ କୁଟୁମ୍ବ ଭିତରୁ ଶ୍ରୀମାନ୍‍ ଚନ୍ଦ୍ରମଣି, ଶ୍ରୀମାନ୍‍ ସୁରଥ, ଶ୍ରୀମାନ୍‍ ଘନଶ୍ୟାମ, ଶ୍ରୀମାନ୍‍ ଗନ୍ଧର୍ବ ଓ ଶ୍ରୀମାନ୍‍ ଗୋପୀନାଥ (ଷଡ଼ଙ୍ଗୀ) ଏହି ପୁସ୍ତକର ପାଣ୍ଡୁଲିପି ପ୍ରକାଶ ଲାଗି ନକଲ କରିଥିବାରୁ ଏ ପୁସ୍ତକ ସଙ୍ଗେ ସେମାନଙ୍କର ନାମ ସଂଯୋଗ କରି ମୁଁ ଆନନ୍ଦ ଲାଭ କରୁଛି । ଇତି ।

 

ଅତଃ କିମ୍

 

ଶ୍ରୀପଞ୍ଚମୀ

ମହାପାତ୍ର ନୀଳମଣି ସାହୁ

ତା ୯ । ୨ । ୬୨

ବାରିପଦା

񤦬񤦬񤦬

 

ବିଷ୍ଣୁମାୟା

 

ଛୁଞ୍ଚିରେ ଫୋଡ଼ି ଫୋଡ଼ି ପାଦରୁ କେନାଏଁ ଖଣ୍ଡିଆ ହୋଇଗଲାଣି ସାବିତ୍ରୀର । କିନ୍ତୁ ପାଦରୁ କଣ୍ଟାଟା ବାହାରୁନାଇଁ । କେତେ ଗହୀରକୁ ପଶି ଯାଇଛି କଣ୍ଟାଟା–ଯେତିକି ତାକୁ କାଢ଼ିବାକୁ ବସୁଛି କଣ୍ଟାଟା ସେତିକି ସେତିକି ଭିତରକୁ ପଶି ଯାଉଛି । ବିରକ୍ତ ହୋଇଉଠିଲା ସାବିତ୍ରୀ ।

 

‘‘ମଲା–ଏ ନିଆଁଲଗା ଜୀବନଟା–ଏତିକି ହନ୍ତସନ୍ତ ଫେରେ ଏ କପାଳରେ ଅଛି !! ଏଡ଼ିକି ଟିକେ କଣ୍ଟା–ତା’ର ଫେର୍‍ ଗଉଁ ଦେଖ । ଚାଲିଲେ ପାଦରେ ବିନ୍ଧୁଛି–ଆଉ ପାଦରୁ ଗଲାଣି ଫାଡ଼େ–ଏଣେ ଯେତିକି କାଢ଼ୁଛି–ସେତିକି ଗହୀରକୁ ପଶି ପଶି ଯାଉଚି ।’’

 

ଫୋପାଡ଼ି ଦେଲା ରାଗରେ ଛୁଞ୍ଚିଟା ସାବିତ୍ରୀ । ‘‘କଣ୍ଟା କ’ଣ ସହଜରେ ବାହାରେ ଭାଉଜ ? ଦେହରେ ଥରେ କଣ୍ଟା ପଶିଲେ–ଆଉ ତାକୁ ଖୋଳି ତାଡ଼ି ବାହାର କରିବା ମୁସ୍କିଲ । ଦେହକୁ କାଟିବ କଣ୍ଟା ବାହାରିବ ନାଇଁ ।’’

 

ସ୍ୱାମୀର ରୁମାଲରେ ଫୁଲ ପକାଉ ପକାଉ ହସିହସି କଥା ପଦକ ହାଣିଲା ତିଳୋତ୍ତମା ।

 

‘‘କଣ୍ଟା ଫେର୍‍ ଦେହରେ ପଶେ କାଇଁକି ?’’

 

ଶୁଖିଲା ମୁହଁରେ ସାବିତ୍ରୀର ନକଲି ହସ ଉକୁଟିଲା ! ‘‘ପଶିବ ନାଇଁ ? ଅପଥରେ ଚାଲିଲେ କଣ୍ଟା ପଶିବତ !! ଆମ ଗୋଡ଼ରେ ଆଉ କଣ୍ଟା ପଶୁନାଇଁ ?’’

 

‘‘ବାଟରେ ତ ଫେର୍‍ ବେଳେବେଳେ କଣ୍ଟା ପଡ଼ିଥାଏ ?’’

ସାବିତ୍ରୀର ଆଖି ଛଳ ଛଳ ।

ବାଟରେ କଣ୍ଟା ପଡ଼ିଥିଲେ ଆମେସବୁ କଣ୍ଟାକୁ ବାଟରୁ ଆଡ଼େଇ ଦେଇ ଚାଲୁ । ଆଖି ବୁଜିତ ଆଉ କେହି ବାଟ ଚାଲେନା ଭାଉଜ ! ଆଖି ଥିଲେ କ’ଣ ଆଉ କଣ୍ଟା ଦିଶିବନି ଆଖିକି ? ଏତିକି କହି ତିଳୋତ୍ତମା ସାବିତ୍ରୀକୁ ଟିକେ ବାଙ୍କ ଚାହାଁଣିରେ ଚାହିଁ ଆର ଦୁଆରକୁ ଚାଲିଗଲା ! ବାଜିଛି–ଠିକ୍‍ ବାଜିଛି–ତା’ର ପାଦର କଣ୍ଟାଠାରୁ ତିଳୋତ୍ତମାର କଥାର କଣ୍ଟା ଯେ ବେଶୀ ମୁନିଆଁ–ଆଉ ତାକୁ ବେଶୀ କଷ୍ଟ ହେଇଛି–ଏତିକି ବୁଝିପାରି–ଏତିକିରେ ବୋଧ ହୋଇ ତିଳୋତ୍ତମା ଚାଲିଗଲା ।

ସେ ଚାଲିଗଲା ପରେ ସାବିତ୍ରୀ ଗଭୀର ନିଃଶ୍ୱାସ ଛାଡ଼ିଲା । ତଳକୁ ମୁହଁ ପୋତି–ନଖରେ ଭୂଇଁ ଚିରୁ ଚିରୁ ସେ ଖାଲି କାନ୍ଦି ଲାଗିଲା । ସତେ–କ’ଣ ସେ କରିଛି ଜୀବନରେ–ଯେଉଁଥି ପାଇଁ ତାକୁ ପଳେ ପଳେ ମରିବାକୁ ପଡ଼ୁଛି ପ୍ରତିଦିନ । ନିଜ ପାପ ନିଜକୁ ଖାଉଛି–ସାଇପଡ଼ିଶାଏ–ପିଲା, ଟୋକା, ବୁଢ଼ା, ସମସ୍ତେ ଆଜି ସାବିତ୍ରୀକୁ ଯାଉଣୁ ଆସୁଣୁ ପଦେ ପଦେ ହାଣନ୍ତି । ମୁଣ୍ଡଟେକି ବାଟ ଚାଲିପାରେନି ସାବିତ୍ରୀ–କଅଣ ସେ ଏମିତି ସତରେ କରିପକେଇଛି !!!

କଅଣ କରିଛି !!! ହଁ–କଅଣ ଆଉ ନ କରିଛି ସେ । ଆଉ କରିବାକୁ ବାକିଅଛି କଅଣ-? ଏ ଘରର ସେ ବୋହୂ ହୋଇ ଆସିଥିଲା–ସୀମନ୍ତରେ ସିନ୍ଦୂର–କପାଳରେ କୁଙ୍କୁମ–ମଣିବନ୍ଧରେ ଶଙ୍ଖା–ମୁଣ୍ଡରେ ଓଢ଼ଣା–କୂଳବଧୂ–କୂଳବଧୂ ଏଇ ସାବିତ୍ରୀ । ଆସିବାର ପାଞ୍ଚଟି ବରଷ ପୂରି ନାଇଁ-। ସ୍ୱାମୀକୁ ସେ ଖୁବ୍‍ ଭଲପାଉଥିଲା । ସେ ବି ତାକୁ କମ୍‍ ଆଦର କରୁନଥିଲେ । ଥରେ ସ୍ୱାମୀ ଖୁବ୍‍ କଠିନ ବେରାମ ପଡ଼ିଲେ । ବହୁ ସେବା ଶୁଶ୍ରୂଷା କଲା ସାବିତ୍ରୀ । ସେ ଘାଟିରୁ ଈଶ୍ୱର ଉଧାରିଲେ-। ରାତି ରାତି ଅନିଦ୍ରା ହୋଇ ସେ ସ୍ୱାମୀର ପାଦତଳେ ବସିରହିଛି–ନ ଖାଇ ନ ପିଇ । ସେଇ ରୋଗ ଶଯ୍ୟାରେ ସ୍ୱାମୀ ଦିନେ ତା’ର ହାତ ଦୁଇଟିକୁ ନିଜ ହାତରେ ଚାପିଧରି ମୁହଁ ପାଖକୁ ନେଇ କହିଲେ ‘‘ସାବିତ୍ରୀ ! ରାଣୀ ମୋର–ତୁମେ ମୋର ପ୍ରକୃତରେ ସାବିତ୍ରୀ । ଏ ହତଭାଗ୍ୟ ସତ୍ୟବାନ ଆଜି ତୁମରି ଯୋଗୁ ଯମ ହାତରୁ ମୁକୁଳିଛି ।’’ ଆଖିରୁ ଲୁହ ବୁହାଇ ସାବିତ୍ରୀ କହୁଥିଲା–‘‘ଏମିତି କଥା କହନାହିଁ–ଜଗନ୍ନାଥେ ବଡ଼ଲୋକ ।’’

ତା’ପରେ ଘର ଚଳିଲାନି– ! ସ୍ୱାମୀ ଗଲେ ବିଦେଶ । ପ୍ରଥମେ ପ୍ରଥମେ ପ୍ରତି ଶନିବାର ରବିବାର ଆସୁଥିଲେ । ମାତ୍ର କ୍ରମେ ସେତକ ବନ୍ଦହେଲା । ମାସ ମାସ ବିତିଗଲା । ତାଙ୍କର ଦେଖା ନାହିଁ । ଚିଠି ବି ଖଣ୍ଡେ ନାଇଁ । ରାତି ନ ପାହୁଣୁ ସାବିତ୍ରୀର ନିଦ ଭାଙ୍ଗିଯାଏ । ଦିନେ ଦିନେ ନିଦ ବି ହୁଏନି । ସେ କଅଣ ଆଉ ଆସିବେ ନାହିଁ ? ଝରକା ବାଟେ ଚାହିଁରହେ ସାବିତ୍ରୀ । ନଡ଼ିଆ ବଗିଚା ସନ୍ଧିରେ ବଙ୍କାଜହ୍ନ ଅସ୍ତଯାଏ । ସେଇ ମଲା ଜହ୍ନର ବିବର୍ଣ୍ଣ ଅସ୍ତ ଦୃଶ୍ୟକୁ ଚାହିଁ ଚାହିଁ ଏକୁଟିଆ ସାବିତ୍ରୀ ବିଛଣାରେ ଛଟପଟ ହୁଏ–ଫୁଲି ଫୁଲି କଇଁ କଇଁ ହୋଇ କାନ୍ଦେ । ସେ କଅଣ ଆଉ ଆସିବେ ନାହିଁ ?

ସେ କଅଣ ମୋତେ ଆଉ ସୁଖ ପାଉ ନାହାନ୍ତି ?

‘‘ଭାଇ ଆଉ ଆସିବେ ନାହିଁ ଭାଉଜ–ତାଙ୍କ କଥା ଛାଡ଼ । ଭୁଲିଯାଅ ତାଙ୍କ କଥା ମନରୁ-। ସେ ଯେମିତି ତମକୁ ମନରୁ ପାଶୋରି ଦେଇଛନ୍ତି, ତୁମେ ବି ସେମିତି ତାଙ୍କୁ ପାଶୋରି ପକାଅ-।’’

 

କଥାରେ କାରୁଣ୍ୟ ଓ ସମବେଦନାର ସ୍ୱର ଆଣି ଆର ସାଇ ବିଷ୍ଣୁ ଆସନ୍ତି । ଲେଖାରେ ଦିଅର ହେବେ । କଟକ କଲେଜରେ ବି.ଏ. ପଢ଼ନ୍ତି । ବାହାହୋଇ ନାହାନ୍ତି । ରୋଜଗାର ନ କଲେ ବାହା ହେବେ ନାହିଁ । ଘର ନ ତୋଳି ଘରଣୀ ଆଣି ଲାଭ କଅଣ ? ଦେଖିବାକୁ ସୁନ୍ଦର–ସ୍ୱାସ୍ଥ୍ୟବାନ୍‍–ସୁପୁରୁଷ । କେତେ ପ୍ରେମ କବିତା ମୁହେଁ ମୁହେଁ ଗାଇ ଯାନ୍ତି । କେତେ ଉପନ୍ୟାସ–କେତେ ଗଳ୍ପ । କଥାର ଭଙ୍ଗୀ ସୁନ୍ଦର । ଚାଲିର ଢଙ୍ଗ ସୁନ୍ଦର । ସାବିତ୍ରୀ ପାନ ଭାଙ୍ଗିଦିଏ । କ୍ରମେ ଘଣ୍ଟାଏରୁ ଦି’ଘଣ୍ଟା ଚାରିଘଣ୍ଟା–ଛ ଘଣ୍ଟା–ଶେଷକୁ ଦିନଯାକ । ଗଣ୍ଡିଏ କେବଳ ଖାଇଦେଇ ଭାଉଜ ପାଖେ ହାଜର । ଗପସପ–ଥଟ୍ଟା ତାମସା–ହସ କୌତୁକ । ସାବିତ୍ରୀ ଭଳିଗଲା । କଞ୍ଚାହାଣ୍ଡି–କଞ୍ଚାମନ–ଗାର ପଡ଼ିବାକୁ କେତେ କ୍ଷଣ ? ପହିଲୁ ପହିଲୁ କାନିଘୋଷରା–କାନ ଘୋଷରା–ହତଧରା–ମନଧରା । ଶେଷକୁ ରହିଲା ବାକି ଖାଲି ଦେହ ।

 

ଦିନେ ରାତି ଅଧରେ– ! ଆଷାଢ଼ ମାସର ମେଘୁଆ ରାତି । ବାହାରେ ଘଡ଼ଘଡ଼ି ବିଜୁଳି–ଢୁ ଢୁ ଆଷାଢ଼ ଅସରା । ତୁହାକୁ ତୁହା ମେଘ ମାଡ଼ି ଆସୁଚି । ବିଷ୍ଣୁ ଆସିଲେ । ଅନ୍ଧାରରେ ପାଦ ଚିପି ଚିପି, ଚୋରପରି ସେ ଆସିଲେ । ସାବିତ୍ରୀକୁ ନିଦ ହୋଇନି । କବାଟରେ ଶବ୍ଦ ।

 

‘‘କିଏ ?’’

 

‘‘କବାଟ ଖୋଲ ଚିହ୍ନିବ । ମୁଁ ବିଷ୍ଣୁ ।’’

 

‘‘ତୁମେ ? ଏତେ ରାତିରେ ? କାହିଁକି ?’’

 

ଧଡ଼ାସ୍‍କିନା କବାଟ ଖୋଲିଲା ସାବିତ୍ରୀ ।

 

‘‘ଜାଣିପାରୁନ ? କାଇଁକି ? ଦିନରେ ଯାହା ନ ମିଳିଛି–ରାତିରେ ତାକୁଇତ ମଣିଷ ସ୍ୱପ୍ନ ଦେଖେ ।’’

 

“କିନ୍ତୁ ଏ କଅଣ ତୁମର କେବଳ ସ୍ୱପ୍ନ ବିଷ୍ଣୁ ?’’

 

‘‘ହଁ ସ୍ୱପ୍ନ । କିନ୍ତୁ ସ୍ୱପ୍ନ ବି ତ ଥରେ ଥରେ ସତ୍ୟ ହୁଏ !’’

 

‘‘ନା–ନା–ତୁମର ଏ ଦୁଃସ୍ୱପ୍ନ । ତୁମେ ଫେରିଯାଅ ବିଷ୍ଣୁ ! ତୁମ ପାଦ ଧରୁଚି–’’

 

ସାବିତ୍ରୀ ବିଷ୍ଣୁର ପାଦତଳେ ମୁଣ୍ଡିଆ ମାଇଲ କାନ୍ଦିକାନ୍ଦି । “ମୁଁ କିନ୍ତୁ ତୁମର ଓଠ ଧରୁଚି ଭାଉଜ–ମୋତେ ନିରାଶ କରନାହିଁ, ମୁଁ ମରିଯିବି ।’’ “ତା’ ପୂର୍ବରୁ ମୁଁ ମରିଯାଏ ବିଷ୍ଣୁ–ମୁଁ ବିବାହିତା; ମୋର ସ୍ୱାମୀ ଅଛନ୍ତି–ଓଃ ବିଷ୍ଣୁ ମୋତେ–’’

 

‘‘ଓ...ଓ...ସତୀତ୍ଵ କଥା କହୁଚ ଭାଉଜ ? ତୁମେ ଯେତେ ସତୀହୋଇ ମଲେ ବି, କେହି ତୁମର ଜୀବନୀ ଲେଖି ଯିବେନି କି କେହି ତୁମର ନାମ ଧରି ସକାଳୁ ପାପମୁକ୍ତ ହେବେ ନାଇଁ । ପୁରାଣର ସତୀ ତାଲିକାରେ ସୀତା ସାବିତ୍ରୀ ନାହାନ୍ତି–ଅଛନ୍ତି ଅହଲ୍ୟା, ତାରା, ଦ୍ରୌପଦୀ, କୁନ୍ତୀ, ଆଉ ମନ୍ଦୋଦରୀର ଦଳ ।

 

ବିଷ୍ଣୁ ସାବିତ୍ରୀର ହାତ ଧରିଲା–

 

‘‘ବିଷ୍ଣୁ–ବିଷ୍ଣୁ–ମୋର ସୁନା ଭାଇଟି–ମୋର ରତ୍ନଟି ! ତୁମେ ଏ ବାତୁଳ ବୁଦ୍ଧି ଛାଡ଼–ଛି–ବିଷ୍ଣୁ–ଛି ।’’ ସାବିତ୍ରୀର କଥା ନସରୁ ବିଷ୍ଣୁ ଓଠର ତତଲା ବାମ୍ଫ ସାବିତ୍ରୀର ଦେହ ଆଉ ମନକୁ ସଙ୍ଗେ ସଙ୍ଗେ ତରଳ କରିପକାଇଲା । ସେ ନିଜର ସାମର୍ଥ୍ୟ ହରାଇ ବସିଲା ।

 

X X X X

 

କିନ୍ତୁ ସେତିକିରେ ସାବିତ୍ରୀ ବହୁ ମୂଲ୍ୟବାନ ଧନ ହଜାଇଦେଇଛି । ଯାହା ଯାଇଛି ଆଉ ସେ ଫେରିବ ନାହିଁ । ମାଛ ପୋଖରୀରେ ଥରେ ଓଧ ପଶିଲେ ତେଣିକି ମାଛ ପୋଖରୀ ଛାଏଁ ଛାଏଁ ଗୋଳି ହୋଇ ଉଠେ । ସାବିତ୍ରୀର ତାହାହିଁ ହୋଇଚି । ନାରୀ ଥରେ ତଳକୁ ପାଦ ଖସାଇଲେ କ୍ରମେ ତଳକୁଇ ଖସେ । ସାବିତ୍ରୀର ଦେହ ଓ ମନର ସୁଯୋଗ ନେଲା ବିଷ୍ଣୁ–ଅନେକ ଥର ସାବିତ୍ରୀର ବାଟରୁ ଗୋଡ଼ ଖସିଛି । ଏଥର ସେ ଖାଲି ପଡ଼ିବ ।

 

ବିଷ୍ଣୁ ଚାଲି ଯାଆନ୍ତି କଟକ । ତାଙ୍କର ଛୁଟି ସରିଯାଏ । ତା’ପରେ ଡାକଘରକୁ ଉତ୍କଣ୍ଠାରେ ଚାହିଁରହେ ସାବିତ୍ରୀ । ସ୍ୱାମୀ ଚିଠି ଦିଅନ୍ତି ନାଇଁ, କିନ୍ତୁ ବିଷ୍ଣୁ ଦିଅନ୍ତି । ଫି ସପ୍ତାହରେ ଚିଠି ଆସେ । ନେଳି–ନାଲି–ଗୋଲାପୀ ଚିତ୍ର ବିଚିତ୍ର କେତେ ପ୍ରକାର ଲଫାପା । ସାବିତ୍ରୀ ସବୁ ପଢ଼େ, ମନଦେଇ ପଢ଼େ–ବିରକ୍ତଲାଗେ । କାହିଁକି ମୋ ପଛରେ ଏତେ ଲାଗିଛନ୍ତି ବିଷ୍ଣୁ ? ଏତିକିରେ କ’ଣ ତୃଷା ମେଣ୍ଟି ନାଇଁ ? ପାଇଲେ ଲୋକେ ଏହିପରି ହୁଅନ୍ତି । ଖାଇଲା ଘର ପୁଅ ବେଶୀ ରଙ୍କ !

 

ବିଷ୍ଣୁ ପାଖରୁ ଉତ୍ତର ଆସେ–‘‘ଏ ତୃଷା ମେଣ୍ଟିବାର ନୁହେଁ ଭାଉଜ । ସାମାନ୍ୟ ତୃଷା ସିନା ଗିଲାସେ ପାଣିରେ ମେଣ୍ଟେ; କିନ୍ତୁ ଯେ ସାତ ସମୁଦ୍ରକୁ ଚଳୁ କଲାବାଲା–ତା’ର ସେ ଅଗସ୍ତି–ତୃଷା କ’ଣ ଏତିକିରେ ମେଣ୍ଟିବ ?” ମନେମନେ ହସେ ସାବିତ୍ରୀ ।

 

କଲେଜ ପଢ଼ୁଆ ମୁଣ୍ଡ–ଏଡ଼େ ଟିକେ ଟୋକା–ବୟସ ଅଠର ଊଣେଇଶି ହବ–ପୁଚୁ ପୁଚୁ ଗାଲ, ପାଖରେ ଥିଲେ କେତେ ଅଳି କରିବ । ପଣତ ଘୋଡ଼ାଇଦେଲେ ବିଲେଇ ପିଲାଟି ପରି ନିଦରେ, କୃତଜ୍ଞତାରେ ଆଖିବୁଜି ଘୁଡ଼ୁଘୁଡ଼ୁ ହେବ । ଆଉ କଥା ? କିଏ ପାରିବ ତାକୁ କଥାରେ । ଗଛରୁ ତୋଳିଆଣି କଥା କହିବ–ବିରକ୍ତ ଲାଗେ–ଭଲ ବି ତ ଲାଗେ !!

 

ବିଷ୍ଣୁ ଲାଗି ମାୟାହୁଏ ସାବିତ୍ରୀର । ବିଭୋର ଆଗରେ ତା’ର ମମତାର ପରଳ ମାଡ଼ିଆସେ । ସେ ଘୁମାଇ ପଡ଼େ । ସ୍ୱପ୍ନ ଦେଖେ, ବିଷ୍ଣୁକୁ କୋଳରେ ଜାକି ସେ ଶୋଇ ପଡ଼ିଛି । ଆଉ ଆରପାଖେ ସ୍ୱାମୀ କେତେବେଳୁ ଆସି ତଳେ ମସିଣା ପାରି ଶୋଇପଡ଼ିଚନ୍ତି । ଆହା ବିଚରା !! ଝଡ଼ି ଗଲାଣି ଦେହ; ଶୁଖି ଯାଇଛି ମୁହଁ–ଛାତିର ପଞ୍ଜରା ଦିଶୁଚି–ପାଟିରୁ ଗରଳ ବୋହି ତକିଆ ଓଦା ।

 

ନିଦରେ ବିଳିବିଳେଇ ଉଠେ ସାବିତ୍ରୀ । ଏଡ଼େ ପାଟିରେ ଚିତ୍କାର ଛାଡ଼େ । କିନ୍ତୁ କେହି ଶୁଣିପାରନ୍ତି ନି ସେ ଚିତ୍କାର । ଉଠି ଦେଖେ–କୋଳରେ ବିଲେଇ ଛୁଆଟା ଘୁଡ଼ୁ ଘୁଡ଼ୁ ହେଉଚି ।

 

ସପନଟା ସତ ନୁହେଁ । ଆଶ୍ୱସ୍ତ ହୁଏ ସାବିତ୍ରୀ । କିନ୍ତୁ ମନଟା ଛଟପଟ ହୁଏ–ଛାତିଟା ଧଡ଼ପଡ଼ ହୁଏ ।

 

ବିଲେଇ ଛୁଆ ପୁଣି ଡାକେ ‘‘ମେଉଁ, ମେଉଁ ।’’

 

ଗୋଡ଼ରେ ଠେଲି ଫୋପାଡ଼ି ଦିଏ ସାବିତ୍ରୀ ।

 

‘‘ନିଆଁଲଗା–ପୋଡ଼ାମୁହାଁ ବିଲେଇ !!’’

 

ପାପର ଜିଭ ନାଇଁ–କିନ୍ତୁ ସେ କଥା କହେ । ସାବିତ୍ରୀର ପାପ ବି କଥା କହିଲା । ବିଷ୍ଣୁ ବାହା ହେଲେ । ବାଣ–ରୋଷଣି ବାଜା ବଜନ୍ତରୀ–ଦାନ ଯୌତୁକ–କ୍ଷୀରି ପିଠା । ଫାଟି ପଡ଼ିଲା ଗାଁ ଦାଣ୍ଡ–ଗାଁ ଆକାଶ–। ନୂଆ ବୋହୂଟିଏ ହୋଇ ସେଦିନ ଆସିଲା ତିଳୋତ୍ତମା । ଗାଁରେ ସଭିଙ୍କ ତୁଣ୍ଡରେ ଗୋଟିଏ କଥା–ବିଷ୍ଣୁଙ୍କ ଭାରିଯା ରୂପରେ ଯେମିତି–ଗୁଣରେ ବି ସେମିତି ।

 

ସାବିତ୍ରୀ ସବୁ ଶୁଣେ, ଯାହା ହେଉ ଭଲ ହେଲା ।

 

ପୁରୁଷ ପୁଅର ଡେଣା ଘୋଳିହେଲେ, ସେ ଆଉ ଉଡ଼ିପାରେ ନାହିଁ–ବସା ଖୋଜେ । କିନ୍ତୁ ସାବିତ୍ରୀକୁ ଯେଉଁ ଅପଥରେ ସେ ଛାଡ଼ି ଦେଇଗଲା–ସେ ଅପଥରୁ ଆଉ ସେ ମୁକୁଳିପାରିଲା ନାଇଁ । ଯେଉଁ ମୋହର ସେ ସାବିତ୍ରୀ ଦେହରେ ଛାପି ଦେଇଗଲା–ସେ କାଳି ଆଉ ତା’ ଦେହରୁ ଲିଭିଲା ନାଇଁ । ଲିଭନ୍ତା ବି ନାଇଁ ।

 

X X X X

 

ବିଷ୍ଣୁ ଗଲେ–କୃଷ୍ଣ ଆସିଲେ । କୃଷ୍ଣ ଗଲେ–ରାମ ଆସିଲେ–ସମସ୍ତେ ଯେଝାର ଛାପ ଛାପି ଦେଇଗଲେ ସାବିତ୍ରୀର ଦେହ ଆଉ ମନରେ । ସେଇ ଅପର୍ଯ୍ୟାପ୍ତ ମୁଦ୍ରା–କାଳିମାକୁ ଦେଖି ଦେଖି କେତେ ରାମ, କେତେ ହରି, କେତେ କାହ୍ନୁ, କେତେ ମଧୁ ଯେ ତା’ର କାଳିମଖା ଦେହ ଆଉ ମନରେ ଛାପ ଦେଇଗଲେ ତା’ର ସୀମା ନାଇଁ ।

 

ଫଳରେ ସାବିତ୍ରୀର ସର୍ବାଙ୍ଗ କେବଳ କଳାରେଇ ପୂର୍ଣ୍ଣ ହୋଇଗଲା ।

 

ସାବିତ୍ରୀ ହେଲା ଅସତୀ–ବିଟପୀ–ବୃକ୍ଷର ଶାଖା ଅଛି–ସେ ବିଟପୀ । ସାବିତ୍ରୀର ବି ଶାଖାଅଛି । ତେଣୁ ସେ ମଧ୍ୟ ବିଟପୀ ।

 

ବୃକ୍ଷ ବିଟପୀ–କାରଣ ସେ ଆଶ୍ରୟ ଦିଏ । ଯେତେ ଶାଖା ସେ ବିସ୍ତାର କରେ–ଆଶ୍ରୟସ୍ଥଳୀ ତା’ର ସେତିକି ଆୟତନରେ ବଢ଼ିଚାଲେ । ଲୋକେ ଘନଶାଖା ବୃକ୍ଷ ମୂଳରେ ଆଶ୍ରୟ ନିଅନ୍ତି । ପୁଣି ବିଟପୀ ବୋଲି ତାକୁ ହାଣନ୍ତି–ଜାଳନ୍ତି । ସାବିତ୍ରୀର ବି ଅବିକଳ ସେଇଆ ହୋଇଛି । ସେ ଶାଖା ମେଲେଇଛି । ଆଶ୍ରା ଦେଇଛି କେତେ ନିରାଶ୍ରୟଙ୍କୁ, ସେ ପଣତ ତଳେ ଘୋଡ଼ାଇ ରଖିଛି-। କେତେ କାଙ୍ଗାଳିଙ୍କୁ ସେ ଦେହରୁ ପଳପଳ ମାଂସ ପରଷି ଆକଣ୍ଠ ଭୋଜନରେ ତୃପ୍ତ କରିଚି-। ଆଉ, ସେ ହଣା ଖାଆନ୍ତା ନାହିଁ ?

 

ଆଜି ଏବେ ସେଇ ବିଷ୍ଣୁ ଭାରିଯା ତିଳୋତ୍ତମା ତାକୁ କଥାରେ ହାଣୁଛି । ତା’, ସେ ହାଣିବ ତ !! ସାବିତ୍ରୀ ବି ବେଳେ ବେଳେ କାନ୍ଦେ ! ସ୍ୱାମୀ ଆଉ ପଚାରୁ ନାହାନ୍ତି । ଘରକୁ ଆସୁ ବି ନାହାନ୍ତି । ଆଶା ଛାଡ଼ି ଦେଲେଣି । ସାବିତ୍ରୀର ଅବଶ୍ୟ ଖାଇବାକୁ ଅଭାବ ନାଇଁ । କିନ୍ତୁ ମଣିଷ କଅଣ କେବଳ ଖାଇକରି ବଞ୍ଚେ ?

 

ସତେ କଅଣ ହେଲା ?

 

ଲୋକେ ତାକୁ ପାଖ ପୂରାନ୍ତି ନାହିଁ । କାହାରି ସାଙ୍ଗେ ସେ ମିଶିପାରେ ନାହିଁ । ସେତେବେଳେ ଦେହରେ ଥିଲା ଭରା ଯୌବନ । ମନରେ ଥିଲା ବୟସର ଉତ୍ତାପ । ସେତକ ସେ ସାରି ଦେଇଛି । ଅପବ୍ୟୟ–ଅପବ୍ୟୟ । ସାବିତ୍ରୀ ତା’ର ନାରୀତ୍ୱର ଅପବ୍ୟୟ କରିଛି । ବାହୁନି ଉଠେ ସାବିତ୍ରୀ ।

 

ସେ ଅସତୀ ।

 

ଯାହା ସେ ହଜାଇ ଦେଇଛି–ଆଉ ସେ ତାକୁ ଫେରିପାରିବ ନାହିଁ ?

 

ବିଷ୍ଣୁ ଗୋଟିଏ ପିଲାର ବାପ ହେଲା । ତିଳୋତ୍ତମା ବଡ଼ଘରର ଝିଅ–ବଡ଼ଘରର ବୋହୂ–ସତୀ ପତିବ୍ରତା ମୁକୁଟମଣି–ସୀମନ୍ତରେ ସିନ୍ଦୂର ରେଖା ଚିକ୍‍ଚିକ୍‍ କରୁଛି–କପାଳରେ ସିନ୍ଦୂର ବିନ୍ଦୁ ତା’ର ଦୃଢ଼ ଓ ଉଜ୍ଜ୍ୱଳ ସତୀତ୍ଵର ପରିଚୟ ଦେଇଛି । ଛାତି ଫୁଲେଇ ସେ ବାଟ ଚାଲେ–ସେ ଠିକ୍‍ ପଥରେ ଚାଲିଛି–ଠିକଣା ଗଛର ଫଳ ଖାଇଛି–ତା’ର ଦେହ ଓ ମନ ଉଭୟ ସୁସ୍ଥ ସବଳ ଆଉ ନିରାପଦ ।

 

ମାତ୍ର ସାବିତ୍ରୀ ? ନିଷିଦ୍ଧ ଗଛର ଫଳ ଖାଇ ସେ ଅଜ୍ଞାନ ହୋଇଛି । ତିଳୋତ୍ତମା ପ୍ରତି ଈର୍ଷା ହୁଏ ତା’ର–ଗାଁର ସବୁ ବୋହୂଙ୍କୁ ବି ସେ ଈର୍ଷା କରେ ।

 

ତିଳୋତ୍ତମା ଜାଣେ–ସାବିତ୍ରୀ ଭାଉଜଟି ଆଖିରେ କଣା–କିନ୍ତୁ ନାମ ପାଇଚି ପଦ୍ମଲୋଚନା । ନିର୍ଦ୍ଧନ ପ୍ରତି ଧନୀର ଯେଉଁ ବ୍ୟବହାର–ବିଦ୍ୟାହୀନ ପ୍ରତି ବିଦ୍ୱାନର ଯେଉଁ ବ୍ୟବହାର–ମୋଟ ଉପରେ ଥିଲାବାଲାର ନ ଥିଲାବାଲା ପ୍ରତି ଯେଉଁ ତାତ୍ସଲ୍ୟ–ଯେଉଁ ଅନୁକମ୍ପା–ତାହାହିଁ ଦେଖାଏ ସତୀ ତିଳୋତ୍ତମା ଅସତୀ ସାବିତ୍ରୀକୁ । ସାବିତ୍ରୀର ମନ ବିକଳ ହୁଏ ।

 

ସୁନା ହଜିଲେ ପୁଣିଥରେ ମିଳିପାରେ–ମାତ୍ର ସତୀତ୍ଵ ଥରେ ହଜିଲେ ଆଉଥରେ ମିଳିପାରେନା । ସାବିତ୍ରୀ ଭାବେ–ସତକଥା । କାଞ୍ଚନ ଅପେକ୍ଷା କାମିନୀର ଦାମ୍‍ ଖୁବ୍ ବେଶୀ । ଆଉ ନାରୀ ତା’ର ସୁନା ଗହଣା ଅପେକ୍ଷା ତା’ର ସୁନା ଚରିତ୍ରଟିକୁ ବେଶୀ ଜଗି ରଖିବା ଉଚିତ ।

 

କିନ୍ତୁ ଆଉକି ଥାଏ ? ଏଇ ସଦ୍‍ଜ୍ଞାନ କି ଆଉ ନିଜକୁ ଫଳ ଦେଉଚି ? ଦେଲେ ଆଗରୁ ଦେଇଥାନ୍ତା; ସାବିତ୍ରୀ ବିକଳ ହୁଏ ।

 

ତିଳୋତ୍ତମା ଯେଉଁ ଦିନ ଜାଣିପାରିଲା ବିବାହ ପୂର୍ବରୁ ନିଜର ସ୍ୱାମୀ ଏଇ ସାବିତ୍ରୀର ପାପ ପଙ୍କରେ ବୁଡ଼ି ରହିଥିଲେ–ସେଇଦିନ ତା’ ମନରେ ସାବିତ୍ରୀ ପ୍ରତି ଘୃଣା ଓ ବିଦ୍ୱେଷ ଜମି ଆସିଲା । ସେ ନିଜେ କିନ୍ତୁ ନିଜର ଜ୍ୱଳନ୍ତ ଚରିତ୍ରରେ ଦୀପ୍ତ–ନିଜର ପରିପୂର୍ଣ୍ଣ ସତୀତ୍ଵରେ ମତ୍ତ । ସେ ତେଣୁ ସାବିତ୍ରୀକୁ କଥାର ବାଣରେ ଆଘାତ କରେ–ତା’ ଉପରେ ଅତ୍ୟାଚାର କରେ । ଆଉ ଯାହାର ସେ ଧନ ନାହିଁ–ବା ଯେ ସେ ଧନକୁ ଜାଣୁ ଜାଣୁ ହାତରୁ ଖସେଇ ଦେଇଚି, ସେ ତ ଏସବୁ ସହିବାକୁ ବାଧ୍ୟ ।

 

ମାତ୍ର ସାବିତ୍ରୀ ଆଉ ଏତେ ସହିପାରିବ ନାଇଁ । ଛାତି ତ ଆଉ ପଥରରେ ଗଢ଼ା ନୁହେଁ । ସର୍ବଂସହା ବସୁଧା ତ ଦିନେ ଫେର୍‍ ସହିନପାରି କମ୍ପି ଉଠେ–ରାଗରେ ବାନ୍ତିକରେ ତରଳ ଲାଭା ।

 

X X X X

 

ସେଦିନ ସନ୍ଧ୍ୟା ପହର ।

 

ତିଳୋତ୍ତମା ତା’ର ପିଲାଟିକୁ ଖୋଇ ଦେଉଚି । ଛୋଟ ଛୁଆଟି ଜମା ଖାଉନି–ପାଟିରେ ଦେଲେ ଥୁ ଥୁ କରି ବାନ୍ତି କରୁଚି– ।

 

‘‘ବଜାତ୍‍ ଟୋକା–ମୋ ସାଙ୍ଗେ ଖେଳୁଚୁ ? ମୋ ସମୟ ବଳିପଡ଼ୁଚି ତୋ ସଙ୍ଗେ ଖେଳିବାକୁ ।’’

 

ତିଳୋତ୍ତମା ପିଲାର ଗାଲରେ ଠାଏକିନା ଗୋଟାଏ ଚାପୁଡ଼ା ଲଗେଇ ଦେଲା । ଭେଁକିନା ରଡ଼ି ଛାଡ଼ିଛି ପିଲାଟା । ପାଖରେ ବସିଛନ୍ତି ବିଷ୍ଣୁ–ଆଖିରେ ସନ୍ତୋଷର ଦୀପ୍ତି–ମୁହଁରେ ଏକା ସୁଖୀ ଗୃହସ୍ଥର ଭାବ । ପିଲାର କାଣ୍ଡରେ ବିରକ୍ତ ହେଲା ବିଷ୍ଣୁ ।

 

‘‘ଏ କଅଣ–ଏ କଅଣ ! ନ ଖାଉଛିତ ନାଇଁ–ମାରୁଚ ଗୋଟାଏ କଅଣ ? ଏମିତି ଏତେ ଟିକେ ପିଲାକୁ ମା’ ପଣିଆ ଦେଖେଇ ହଉଚ ନା କ’ଣ ?’’ “ଯାଃ–ତମେତ ନଇଲେ ଅଇଲ ବାପା ପଣିଆ ଦେଖେଇ ହେବାକୁ ?–ମୋର ଆଉ କାମ ନାଇଁ–ମୁଁ ତାକୁ ବସି ଖେଳେଇ କରି ଖୋଉଥିବି–ଆଉ ନଇଲେ କଅଣ ! ମୋ ଦେହ ଚିଡ଼ୋଉଛନ୍ତି– ।’’

 

ହସ ଓ କ୍ରୋଧର ସମ୍ମିଶ୍ରଣରେ ତିଳୋତ୍ତମାର ମୁଖମଣ୍ଡଳ ଏକ ଅପୂର୍ବ ରୂପ ଧରିଛି ।

 

ଉଠି ଆସିଲେ ବିଷ୍ଣୁ–ପିଲାପାଖେ ବସି କଅଁଳେଇ କହିଲେ, ‘‘ଦେଲୁ ଖାଇଦେଲୁ–ଦେ ମୋ ବାପାଟା ପରା–ମୋ ସୁନଟା ପରା–ଆଁ–ଆଁ–ଆରେ ହାଉଁରେ–ହାଁ ଆ ।” ହସି ହସି ଚୁଟ୍‍କିନା ଗିଳିଦେଲା ପିଲାଟା ।

 

‘‘ଦେଖିଲ–କେମିତି ଖାଇଲା ? ମୁଁ ଜାଣେ ପରା–ତୁମେ ପିଲାକୁ ମାରି–ତା’ ଉପରେ ଚିଡ଼ି ଚିଡ଼ି–ତାକୁ ଏଇ ଦିନୁଁ ଖରାପ କରିଦେବ । ଖାଲି ଜନ୍ମ କରିଦେଲେ ମାଆ ହୁଅନ୍ତି ନାହିଁ–ବୁଝିଲ-?’’

 

ହସିଉଠିଲା ତିଳୋତ୍ତମା ।

 

‘‘ଆରେ ସତେତ–ଏ ଟୋକା ଅବିକଳ ତା’ ବାପଭଳି ହେବ । ଯେତିକି କଅଁଳଉ ଥିବ–ଯେତିକି ଖୁସାମତ କରୁଥିବ–ସେତିକି–’’

 

‘‘ସେତିକି ଇଏ କରୁଥିବ । ନାଇଁ ?” ତିଳୋତ୍ତମାର ଚିବୁକକୁ ଟିପିଦେଲା ବିଷ୍ଣୁ । ତିଳୋତ୍ତମା କୃତ୍ରିମରାଗକିରି କହିଲା–

 

ସାବିତ୍ରୀର ଆଖିରେ ସବୁ ପଡ଼ିଛି ଏ ଦୃଶ୍ୟ । ବାଟଘର କବାଟ ଆଢ଼ୁଆଳରୁ ଉଙ୍କିମାରି ସବୁ ସେ ଦେଖିଛି–ସବୁ ସେ ଶୁଣିଛି କାନପାରି । ଏ ଭାଗ୍ୟ କି ସହଜରେ କାହାକୁ ମିଳେ ? କେଡ଼େ ସୁଖୀ ଏ ପରିବାର ! କେଡ଼େ ମଧୁର ଏ ପରିବାରର କଳରବ !! ସାବିତ୍ରୀ ମନେମନେ ଗୁଣିହେଲା । ସେ ଆଉ ତିଳୋତ୍ତମା–କେତେ ପ୍ରଭେଦ ! ତିଳୋତ୍ତମା ଜଣକୁ ଦେଇଛି ଦେହ–ଜଣକୁ ଦେଇଛି ମନ–ଜଣକ ଉପରେ ନିର୍ଭର ରଖିଛି–ଜଣକୁଇ ବିଶ୍ୱାସ କରିଛି । ଆଉ ଫଳରେ ସେଇ ଜଣକ ହିଁ ତା’ ହାତରେ ଅମୃତ ଢାଳି ଦେଇଛି । କିନ୍ତୁ ସାବିତ୍ରୀ !!

 

‘‘ଉଃ’’

 

ହାରି ଯାଇଛି ସେ ଜୀବନର ଏଇ ପଶାଖେଳରେ । ବାରଜାତି–ତେର ଗୋଲା ସମସ୍ତଙ୍କୁ ସେ ହାଣ୍ଡିରୁ ହାତ ପୂରାଇ ଭାତ ଖାଇବାର ସୁଯୋଗ ଦେଇଛି । ସମସ୍ତେ ଖାଇ ଚାଲି ଯାଇଛନ୍ତି । କେହି କିଛି ଦେଇନାହାନ୍ତି । ସେମାନେ ଦିଅନ୍ତି ନାହିଁ–ଖାଲି ନିଅନ୍ତି–ନିଷ୍ଠୁରଭାବେ ଆଦାୟ କରିନିଅନ୍ତି । ଆଖିରେ ଅଞ୍ଜନ ଲଗାଇ ସେମାନେ ସବୁ ଲୁଟିକରି ନିଅନ୍ତି ।

 

ଉଚ୍ଛନ୍ନ ହୁଅନ୍ତୁ ସେମାନେ–

 

ଚୁଲିକି ଯାଆନ୍ତୁ ସେମାନେ–

 

ସାବିତ୍ରୀ ଦାନ୍ତ ରଗଡ଼େ–ଓଠ କାମୁଡ଼େ ।

 

ହେଇ ପିଲାଟିକୁ ଧରି ତିଳୋତ୍ତମା ଆଉ ବିଷ୍ଣୁ–କେତେ ଗେଲ କରୁଛନ୍ତି । ତିଳୋତ୍ତମା ଜାଣେ–ସେ ଏଇ ବାପର ପୁଅ ।

 

ଆଉ ବିଷ୍ଣୁ ବି ଜାଣେ ସେ ଏଇ ମାଆର ପୁଅ ।

 

ଆଖିର ଲୁହ ବୋହିଲା ସାବିତ୍ରୀର ।

 

ସତୀତ୍ଵ !!

 

ଆଃ–ଆଉ କ’ଣ ସେ ଆସିବ ନାହିଁ ?

 

ଆଉ କ’ଣ ତାକୁ ସେ ଫେରିପାଇବ ନାହିଁ ।

 

ସାଇର ସବୁଠାରୁ ବୁଢ଼ା ଶ୍ରୀଧର ଷଢ଼ଙ୍ଗୀ ଦଣ୍ଡଦୁଆରେ ବସି ସଞ୍ଜବୁଡ଼େ ଖଞ୍ଜଣି ଧରି ଭଜନ ବୋଲିବାର ସାବିତ୍ରୀ ଶୁଣିଛି–

 

‘‘ମନ କହୁଛିରେ–ମନ କହୁଛିରେ–ପାଇଲା ଧନ ନହଜା ।’’

 

କିନ୍ତୁ ସାବିତ୍ରୀ ସବୁ ହଜାଇ ସାରିଛି ।

 

ବିଷ୍ଣୁଙ୍କର ସେଇ ଅନ୍ଧାରିଆ ବାଟଘରେ ସାବିତ୍ରୀ ଛିଡ଼ାହୋଇ ସତେ ବା ନିଜର ଅଲକ୍ଷରେ କ’ଣ ଖୋଜୁଛି !! ଜଡ଼ପରି କାନ୍ଥକୁ ଆଉଜି ସେ ସେଇ ଅନ୍ଧାର ଭିତରେ ମିଶିଯାଇଛି । ଆଉ ତା’ ଦେହ ମଧ୍ୟରୁ ତା’ର ମନ ବାହାରିଯାଇ ଅନ୍ଧାରରେ ଖାଲି ବାଟ ଅଣ୍ଡାଳୁଛି । କିନ୍ତୁ ବାଟ କାହିଁ ? ବାଟ କାହିଁ ? କାହିଁ ବାଟ ?

 

ହଠାତ୍‍ କାହିଁକି ବିଷ୍ଣୁ ପଶି ଆସିଲେ ସେଇ ବାଟଘର ଭିତରକୁ । ଦପ୍‍କିନା ଜଳିଉଠିଲା ହାତରେ ତାଙ୍କର ଟର୍ଚ୍ଚ ଲାଇଟ୍‍ ।

 

ଏଁ–ଏ କିଏ ? ସାବିତ୍ରୀ ଭାଉଜ ? ଏତେବେଳେ ? ଅସମ୍ଭବ କଥା । କେବେ ତ ଆସନ୍ତି ନାଇଁ ! ସାବିତ୍ରୀ ସେହିପରି ଚାହିଁରହିଛି । ପିଣ୍ଡରେ ସତେବା ଜମା ପ୍ରାଣ ନାହିଁ !

 

ବିଷ୍ଣୁ ନିଜେ କାହିଁକି ହଠାତ୍‍ ଚମକି ପଡ଼ିଲେ । ମନ ଭିତରେ ଅତୀତର କାଳିମା ରାହୁପରି ତାଙ୍କୁ ମାଡ଼ି ବସିଲା । ସାବିତ୍ରୀ ଭାଉଜର ସେଇ ଲୋଭନୀୟ ଅଥଚ ଶୁଭ ଅକ୍ଷତ ଯୌବନ । ସେଥିରେ କାଳିମା ଲେପିଲା କିଏ ? କିଏ ତାକୁ ଆଜି ବାଟରୁ ଆଣି ଅବାଟରେ ଠିଆ କରେଇଛି ? ବିଷ୍ଣୁ ନିଜର କୁତ୍ସିତ ଅତୀତ ଉପରେ ଚିଡ଼ି ଉଠିଲେ ମନେମନେ । ଅତୀତର ସେଇ ଚଳଚଞ୍ଚଳ ବାକ୍ୟମୁଖର ଅପରିଣାମଦର୍ଶୀ ଲୋଭୀ ଯୌବନଟା ଉପରେ ଗଭୀର ଘୃଣା ହେଲା ବିଷ୍ଣୁଙ୍କର ।

 

ସାବିତ୍ରୀର ମୁହଁ ଶେତା ପଡ଼ିଯାଇଛି । ସେ କିଛି ଦେଖି ପାରୁନି । କିଛି ଜାଣିପାରୁନି । କିଛି ବୁଝି ପାରୁନି । ସେ କେବଳ ଦେଖୁଛି–ବିଷ୍ଣୁ ଠିଆ ହୋଇଛନ୍ତି ଆଗରେ– । ଅତୀତର ଇତିହାସ ସାବିତ୍ରୀ ମନରେ ପୁଣି ଜୀବନ୍ତ ହୋଇଉଠିଲା ।

 

‘‘ଆଗରେ ବିଷ୍ଣୁ–ମୋହିନୀ ରୂପରେ ସେ ଗୋଟିଏ କରରେ ସୁଧାଭାଣ୍ଡ–ଆଉ ଅନ୍ୟ କରେ ସୁରାଭାଣ୍ଡ ଧରି ନାଚି ନାଚି ନିଜର ଭଙ୍ଗୀ ଆଉ ମାଧୁର୍ଯ୍ୟରେ ସମସ୍ତଙ୍କର ବୁଦ୍ଧି ଆଉ ବିବେକକୁ ହରଣ କରି ପରିବେଷଣ କରି ଲାଗିଛନ୍ତି । ଆଉ ତିଳୋତ୍ତମା ସଙ୍ଗେ ସେ ନିଜେ ମନ୍ତ୍ରମୁଗ୍ଧ ହୋଇ ତାଙ୍କ ହାତରୁ ମହାବିଶ୍ୱାସରେ ମଧୁ ପିଇଛନ୍ତି ଆକଣ୍ଠ । କିନ୍ତୁ ସାବିତ୍ରୀ ପରେ ଜାଣିଛି–ସୁଧା ବୋଲି ଯାହାକୁ ସେ ବିଶ୍ୱାସରେ ଆକଣ୍ଠ ପିଇଥିଲା ମିଠା ବୋଲି ଯାହାକୁ ସେ ନାକରେ ବି ପିଇଛି–ସେ ‘‘ସୁଧା” ନୁହଁ–‘‘ସୁରା” । ‘‘ସୁଧା” ପଡ଼ିଛି ତିଳୋତ୍ତମା ହାତରେ । ସେ ଦେବୀ–ଏ ରାକ୍ଷସୀ !! ଓଃ–

 

ସାବିତ୍ରୀ ଚମକି ଉଠିଲା–କାନ୍ଦି ଉଠିଲା ।

 

‘‘ବିଷ୍ଣୁ–ବିଷ୍ଣୁ ତୁମେ ମୋର କ’ଣ କରିଛ ? କ’ଣ କରିଛ ? ମୋତେ କଅଣ ଗୁଡ଼ାଏ ବିଶ୍ୱାସରେ ପିଆଇ ଦେଇଥିଲ ? ତୁମେ ଏଡ଼େ ମାୟାବୀ ? ତୁମେ ଏଡ଼େ କୁଟୀଳ ? ତୁମେ ଏଡ଼େ ନିଷ୍ଠୁର ?” ସାବିତ୍ରୀର କଣ୍ଠ କୋହରେ ଭାଙ୍ଗିପଡ଼ିଲା । ପାଖକୁ ଲାଗି ଆସିଲେ ବିଷ୍ଣୁ । ଆଖିରେ ଛଳ ଛଳ ଲୁହ ।

 

‘‘ଭାଉଜ ! ମୋତେ କ୍ଷମାକର । ମୋତେ କ୍ଷମାକର । ଅତୀତର ପାପଲାଗି ତମକୁ ଆଉ ମୁହଁ ଦେଖାଇପାରେ ନାହିଁ ଲଜ୍ଜାରେ । ମୋତେ କ୍ଷମାକର ଭାଉଜ !!’’

 

ବିଷ୍ଣୁ ସାବିତ୍ରୀର ଗୋଡ଼ ଧରିଲେ । ପାଟି ଶୁଣି ଆରଘରୁ ଲଣ୍ଠନଧରି ତିଳୋତ୍ତମା ବି ବାଟଘର ଭିତରକୁ ପଶି ଆସିଲେ ।

 

ଅନ୍ଧାରିଆ ବାଟଘରେ ନିଜର ସ୍ୱାମୀ ସଙ୍ଗେ କାହାର ଏ ଆକୁଳ କଣ୍ଠ ସ୍ୱର ?

 

ତିଳୋତ୍ତମାର ମୁଣ୍ଡ ବୁଲାଇ ଦେଲା । ସେ ସ୍ୱପ୍ନ ଦେଖୁନାହିଁ ତ ? କୁଳଟା ସାବିତ୍ରୀ ଭାଉଜର ପାଦଧରି ନିଜର ସ୍ୱାମୀ– ?? ଉଃ ତିଳୋତ୍ତମାର ଛାତି ବିଦାରି ହୋଇଗଲା । ଡାହାଣୀ ପୁଣି ଆସି ମୋର ସର୍ବନାଶ କରିବାକୁ ବସିଛି । ପୁଣିଥରେ ମୋର ସୁନାଘରକୁ ଚୂନା କରିବାକୁ ଆସିଛି । ଏଇ ସତ୍ୟାନାଶୀ ! ତିଳୋତ୍ତମା ଶିରାରେ ଶିରାରେ ଉଷ୍ଣ ରକ୍ତର ବେଗବାନ୍‍ ସ୍ରୋତ । ତା’ର ମୁଣ୍ଡରେ ସବୁ ସ୍ନାୟୁଗୁଡ଼ାକ ତାତି ଉଠିଲେ । ବାଘୁଣୀ ପରି ସେ ସାବିତ୍ରୀର ଦେହ ଉପରକୁ କୁଦା ମରନ୍ତା–ଆଉ ତା’ର ଛାତିକୁ ନଖରେ ଚିରି ସେ ତା’ର ରକ୍ତ ପିଇଯାନ୍ତା ଢକ୍‍ ଢକ୍‍–ଢକ୍‍ ଢକ୍‍ । ତିଳୋତ୍ତମାର ଆଖିରୁ ନିଆଁ ଝରୁଛି । କଣ୍ଠରୁ ନିଆଁ ଝରାଇ ସେ କହିଲା–

 

‘‘ଦେଖ ଭାଉଜ; ପରହାଣ୍ଡିରୁ ଜୀବନଯାକ କଂସା କଂସା ଭାତ ଖାଇ ତେବେ ବି ତୁମର ନିଆଁଲଗା ପୋଡ଼ାପେଟ ପୂରିନାଇଁ ? ଫେର୍‍ ଆସିଛ ?’’

 

ତା’ର କଥାର ଉତ୍ତାପରେ ସାବିତ୍ରୀ ହୁଏତ ଜଳିଯାଇଥାନ୍ତା–ମାତ୍ର–ଆଜି ସେ ନିଜେ ନିଆଁ ।

 

‘‘ପରହାଣ୍ଡିରୁ ମୁଁ ଭାତ ଖାଇ ନାହିଁ ତିଳ ! ନିଜ ହାଣ୍ଡିରୁ କଂସା କଂସା ଭାତ ପରଙ୍କୁ ପରଷି ମୁଁ ଆଜି ଶେଷରେ ପର ଦୁଆରେ ଛିଡ଼ା ହୋଇଛି ।’’

 

‘‘ନିଜ ହାଣ୍ଡିରୁ ଭାତ ପରଷିଚ ନା ବିଷ ପରଷିଚ ? ଲାଜ ଲାଗୁନି ? ଫେର୍ ପର ଦୁଆରେ ଠିଆ ହୋଇଚ ବୋଲି କହୁଚ ?’’

 

‘‘ମୁଁ ତ କାହାକୁ ବିଷ ଦେଇ ନାହିଁ–ବିଷ ଦେଇଛନ୍ତି ଏଇ ବିଷ୍ଣୁ । ଏଇ ମାୟାବୀ ବିଷ୍ଣୁ ତୁମ ପାଟିରେ ଅମୃତ ଓ ମୋ ପାଟିରେ ବିଷ ଢାଳି ଦେଇଛନ୍ତି । ସେଥିପାଇଁ ଦାୟୀ ଏଇ–ଏଇ–ଏଇ– ।’’

 

ସାବିତ୍ରୀର ଆଖିରୁ ବିଷାକ୍ତ ନିଆଁ ବାହାରିଲା–ତା’ର କଣ୍ଠରେ ଏକ ଭୟଙ୍କର ବିଷାକ୍ତ ସ୍ୱର ଧ୍ୱନିତ ହୋଇଉଠିଲା ।

 

‘‘ମୁଁ ବିଷ ଗିଳିସାରି କେବଳ ତୁମର ଅମୃତ ମଣୋହି ଦେଖିବାକୁ ଆସିଛି ତିଳ–ତୁମକୁ ଭାଗ ମାଗୁନି ।’’

 

‘‘କାହିଁକି ଏବେ ବି ତ ବଳ ଅଛି–ବୟସ ଅଛି–ଯାଉନ ଚାଲି ବିଚ ବଜାର ଉପରେ ପସରା ମେଲେଇ ବସିବ । ବହୁ ଗରାଖ ଜୁଟିବେ ମ–ଯାଅ–ଆହା ହା–ସାବିତ୍ରୀ ! ନାଁ ପୁଣି କେମିତି– !! କେଡ଼େ ସତୀ ସାବିତ୍ରୀ ମ ସତେ !’’

 

ସାବିତ୍ରୀ ନୀରବରେ କେବଳ ଦୀର୍ଘ ନିଃଶ୍ୱାସଟିଏ ଛାଡ଼ିଲା । ତାକୁ ବରଂ ତିଳୋତ୍ତମାର ବାକ୍ୟବାଣ ଭୀଷ୍ମଙ୍କୁ ଶରଶଯ୍ୟା ସୁହାଇଲା ପରି ସୁହାଉଛି । ଦେହକୁ କାଟୁଛି ସତ୍ୟ–ମାତ୍ର ଏହାହିଁ ତା’ର ଉପଯୁକ୍ତ ପ୍ରାପ୍ୟ । ତିଳୋତ୍ତମା ହୁଏତ ମିଛ କହୁନାଇଁ । ତିଳୋତ୍ତମାର ଦେହ ତା’ ଦେହଠାରୁ ଅବଶ୍ୟ ଅଧିକ ପବିତ୍ର–ଅଧିକ ଶୁଚିମନ୍ତ । ମାତ୍ର ତିଳୋତ୍ତମାର ମନଠାରୁ ତା’ର ମନ ତ ଏତେ ସଂକୀର୍ଣ୍ଣ ନୁହଁ । ତିଳୋତ୍ତମାର ଆତ୍ମାଠାରୁ ତା’ର ଆତ୍ମା କି ସଂକୁଚିତ ?

 

ତିଳୋତ୍ତମାକୁ ଆଉ କିଛି ସେ କହିନଥାନ୍ତା–ତେବେ ସେ କହିଲା–‘‘ତିଳ ! ମୁଁ ସତୀ ନୁହେଁ ସତ୍ୟ–ଆଉ ବି ଜନ୍ମରେ ସେ ହଜିଲା ଧନକୁ ମୁଁ ଫେରିପାଇବିନି ଜାଣେ । ମାତ୍ର ତିଳ ! ସତୀତ୍ଵ ଲାଗି କ’ଣ ତୁମମାନଙ୍କଠାରୁ ମୋର ଲୋଭ କମ୍‍ ? ତୁମେମାନେ କ’ଣ ମୋଠାରୁ ବେଶୀ ‘‘ସତୀତ୍ଵ’’କୁ ଲୋଭ କରିଛ ?’’

 

ଏତିକି କହି ସାବିତ୍ରୀ ସେଠୁ ଚାଲି ଆସିଲା । ନିର୍ଜୀବ କାଠ ପିତୁଳାଟିଏ ପରି ବିଷ୍ଣୁ ଠିଆହୋଇ ରହିଛନ୍ତି । ପିଲାକୁ କାଖରେ ଧରି ତିଳ କହିଲା–

 

‘‘ଘରକୁ ଚାଲ । ଫେରେ ସେଠି କାଠଟା ପରି ଠିଆହୋଇ ରହିଲ କାହିଁକି ?’’

 

ବିଷ୍ଣୁ ବାଧ୍ୟ ମେଣ୍ଢାଛୁଆଟିଏ ପରି ତା’ ପଛେ ପଛେ ଘର ଭିତରକୁ ପଶିଲେ– । ତାଙ୍କ ମନରେ ଗୋଟିଏ ପ୍ରଶ୍ନ–ଅସୁରମାନେ କ’ଣ ସୁରା ଚାହୁଁଥିଲେ ? ସେମାନେ ବି ତ ଥିଲେ ଅମୃତ ଲୋଭୀ । କିନ୍ତୁ ସେମାନଙ୍କୁ ଅମୃତ ବଦଳରେ ସୁରା ଦେଲା କିଏ ?

 

ମୁଣ୍ଡ ଭିତରେ ଚାବୁକ୍‍ ମାରିଲାଭଳି କିଏ ଯେପରି ଚିତ୍କାର କରି କହୁଛି–‘‘ବିଷ୍ଣୁ ମାୟା–ବିଷ୍ଣୁ ମାୟା ।’’

 

କିନ୍ତୁ ସେ କୋଉ ‘‘ବିଷ୍ଣୁ ?’’

񤦬񤦬񤦬

 

ବୀଣା ଓ ମୁଁ

 

ତିନି ବର୍ଷ ପୂର୍ବେ–

 

ସେଇ ଶୀତଳ ଓ କଅଁଳ ଜହ୍ନ ତଳେ ମୋର ବେକରେ ତା’ର କଅଁଳିଆ ବାହୁଲତା ଜଡ଼ାଇ ବୀଣା ପଚାରିଲା ‘‘ଆଚ୍ଛା କୁହତ, ବାହାହୋଇ ସାରିଲେ ମୋତେ ଆଉ ମନେରଖିବ ନା ?” ବୀଣାର ମୁହଁରେ ପାତଳ ହସର ତଳେତଳେ ସନ୍ଦେହ ଓ ଉତ୍ସୁକତାର ପ୍ରଶ୍ନବାଚକ ଚିହ୍ନ ଏବଂ ତା’ ସଙ୍ଗେ ସଙ୍ଗେ ସ୍ୱଭାବସୁଲଭ ମଧୁର ଫାଜିଲାମିର ଇସାରା । ମୁଁ ହସିଲି–ଜାଣେ ମୋର ହସିବାର ନୁହେଁ । ବୀଣାକୁ ନାନାକାରଣରୁ ବାହାହେବାକୁ ରାଜି ନ ହୋଇ ଅନ୍ୟଠାରେ ବାହା ହେବାକୁ ବସିବାରୁ ବୀଣା ଯେ ମୋତେ ପରୋକ୍ଷରେ ଆଘାତ କରିବାକୁ ବସିଛି ଏକଥା ମୁଁ ବେଶ୍‍ ବୁଝିପାରିଲି । ଅଭିନୟକୁଶଳା ବୀଣାର ନିତିଦିନିଆ ବାହାରଦେଖା ଶିଶୁସୁଲଭ ସରଳ ଚାପଲ୍ୟ ଓ କଥାର ବିସ୍ଫୋରଣ ତଳେତଳେ ଯେ ମୋ’ପ୍ରତି ପ୍ରଚ୍ଛନ୍ନ ବ୍ୟଙ୍ଗ ବାଣ ରହିଛି ଏକଥା ଭାବି ମୋତେ ହସ ଲାଗିଲା । ମୁଁ ମଧ୍ୟ ଭଞ୍ଜ ଯୁଗରୁ ଗଡ଼ି ଆସୁଥିବା ଧୀର, ଲଳିତ ନାୟକର ସେହି ଚିରାଚରିତ ‘ଚାଟୁ’ର ଆଶ୍ରୟନେଇ ମୁହଁଭାଗରେ ଜଣେ ଶ୍ରେଷ୍ଠ ଅଭିନେତାର ନିଖୁଣ ଭଙ୍ଗୀ ଉକୁଟାଇ ତାକୁ ସ୍ୱସ୍ତିର ପ୍ରବୋଧ ଦେଇ କହିଲି–‘‘ହଁ ଭୁଲିଯିବି ବୀଣା । ଯଦି ତୁମର ପରବର୍ତ୍ତିନୀଙ୍କଠାରେ ମୁଁ ବୀଣାକୁ କେବଳ ଦେଖିବାକୁ ପାଇବି ।” ବୀଣା ହସିଲା ।

 

ବୀଣାର ନିଜ ଉପରେ ଅଗାଧ ଦମ୍ଭ । ସେ ଭାବେ ତା’ ପରି ଅଭିନୟପଟୁ ବୋଧହୁଏ ଦୁନିଆରେ ଅନ୍ପ ବା ଆଦୌ ନାହାନ୍ତି; ତା’ ପରି ଛଳନା କରିବା ଅନ୍ୟମାନଙ୍କର ସାଧ୍ୟାତିତ । ତେଣୁ ସେ ଅବାଧରେ ଅସୀମ ସ୍ପର୍ଦ୍ଧାରେ ମୋ’ପରି ଯୁବକଙ୍କ ନିକଟରେ ଛଳନା କରିପାରେ । ସେ ଭାବେ ସବୁ ପୁରୁଷଙ୍କୁ ମାପିବାର ମାପକାଠି ତା’ ନିକଟରେ ରହିଛି । ସେଇ ମାପକାଠିର ଭଗ୍ନାଂଶ ସବୁକୁ ଅନ୍ୟମାନେ ବୁଝିପାରନ୍ତି ନାହିଁ ବୋଲି ବୀଣା ମନେମନେ ଗୌରବ ମଧ୍ୟ ପାଏ । ମାତ୍ର ଏହି ସ୍ପର୍ଦ୍ଧା ଓ ଦମ୍ଭହିଁ ବୀଣାକୁ ମୋ ନିକଟରେ ତୋଳି ଧଇଲା ଗୋଟିଏ ହାଲୁକା କାଗଜ ଫୁଲ ପରି । ମୋର ମନେହେଲା ଏହି ଆତ୍ମାଭିମାନିନୀ ନାରୀଟିର ଦେହ ଓ ମନ ମୋ ନିକଟରେ ଅତି ନଗ୍ନ ଓ ଲଘୁ । ବୀଣା ନିଜର ସଂଯମ ଦେଖାଇବାକୁ ଯାଇ ମୋ ନିକଟରେ ତା’ର ଉଚ୍ଛୃଙ୍ଖଳତା ଦେଖାଇ ବସେ । ନିଜକୁ ସଂକୁଚିତ କରିବାକୁ ଯାଇ ନିଜର ଅଲକ୍ଷ୍ୟରେ ସେ ରବର ଫିତାପରି ଅତିମାତ୍ରାରେ ସ୍ଫୀତ ହୋଇପଡ଼େ । ତଥାପି ନିର୍ବୋଧ ବୀଣା (ଦାୟାହୁଏ ତା’ପ୍ରତି ଅବଶ୍ୟ) ଉଦ୍ଧତ ପକ୍ଷଲଗ୍ନ ପିପିଲିକାପରି ଫୁରୁଫୁରୁ ହୋଇ ଉପରକୁ ଉଡ଼ିଚାଲେ–ଉପରକୁ–ଉପରକୁ–ଆହୁରି ଉପରକୁ–ଢେର ଉପରକୁ । ଫୁଲେଇ ବେଙ୍ଗୁଲିପରି ବୀଣା ସତେ ବା ଖାଲି ତୁଚ୍ଛାଟାରେ ଫୁଲୁଚି ମନେମନେ । କିନ୍ତୁ ବିଚାରୀ ନିଜ ଶରୀର ବା ମନର ପରିସର କଳିପାରେ ନାହିଁ । ସେ ମନେକରୁଥିଲା ମୁଁ ତା’ର କ୍ରୀଡ଼ନକ । ତା’ର ଖୁସିରେ, ତା’ର ଇଚ୍ଛାରେ, ସେ ମୋତେ ଧରି ଖେଳିବ । ସେ ଜମା ବୁଝିପାରେନା ଯେ, ତା’ର ଏହି ଗୌଣ ମନୋବୃତ୍ତିର ବହିଃପ୍ରକାଶ ମଧ୍ୟରୁ ତା’ର ଅଧିକାଂଶ ଦୁର୍ବଳତା ଓ ଚାଲାଖି ମୁଁ ଧରି ନେଇ ପାରୁଥିଲି ।

 

ବୀଣା ପୁଣି ପଚାରିଲା–‘‘ଆଚ୍ଛା, ଯଦି ମୋର ପରବର୍ତ୍ତିନୀଙ୍କଠାରେ ତୁମେ ବୀଣାଠାରୁ ଅଧିକ କିଛି ପାଇବ ?”

 

‘‘ବୀଣା ତୁମର ପରବର୍ତ୍ତିନୀଟି ତା’ହେଲେ ନିଶ୍ଚୟ ସାବିତ୍ରୀ ହୋଇ ଉଠିବେ । କିନ୍ତୁ ତୁମେ ତ ଜାଣ, ସତ୍ୟବାନ ହେବାର ସ୍ୱପ୍ନକୁ ମୁଁ କେତେ ଘୃଣା କରେ !! ତା’ଛଡ଼ା ମୁଁ ଏତେ ଲଘୁ ଯେ, ଏତେ ବଡ଼ ଗୌରବର ବୋଝ ବହନ କରିବାକୁ ସମ୍ଭବତଃ ଅକ୍ଷମ ହେବି ! ତା’ଠାରେ ତୁମ୍ଭଠାରୁ ଅଧିକ ଦେଖିଲେ ମୋର ବିପଦ । ତେଣୁ ବାଧ୍ୟହୋଇ ମୁଁ ତା’ଠାରୁ ଦୂରରେ ରହିବି ।” ଏତିକି କହିସାରି ମୁଁ ବୀଣା ଆଡ଼କୁ ଚାହିଁରହିଲି ।

 

“ତା’ହେଲେ କ’ଣ ମେନକାକୁ ବାହା ହେବା ଏକଦମ୍‍ ଠିକ୍‍ ! କିନ୍ତୁ ମୁଁ କହିଦେଉଛି, ମେନକାକୁ ବାହାହୋଇ ସୁଖୀ ହୋଇପାରିବନି ! ମେନକା ଯେମିତି ଝିଅ ମୁଁ ବେଶ୍‍ ଜାଣେ !”

 

ମେନକା ଥିଲା ବୀଣାର ବାଲ୍ୟବନ୍ଧୁ ଆଉ ସହପାଠିନୀ । ତେଣୁ ମେନକା ବିଷୟରେ ବୀଣାର ମନ୍ତବ୍ୟକୁ ନିର୍ଭୁଲ କୁହାଯାନ୍ତା । କିନ୍ତୁ ମୁଁ ବୀଣାକୁ, ଜାଣେ ମେନକାକୁ ବି ଜାଣେ । ବୀଣାର ଅଭ୍ୟାସ, ସେ ସୃଷ୍ଟିର ପ୍ରତ୍ୟେକ ଝିଅକୁ ବ୍ୟଙ୍ଗ କରିବ । ଆଉ ଏହି ମିଥ୍ୟା ଅହମିକା ବୀଣାକୁ ଏତେ ଉଦ୍ଧତ କରିଛି । ବୀଣା ନିଜେ ଶ୍ରୀଯୁକ୍ତା । କିନ୍ତୁ ଅତିମାତ୍ରାରେ ପରଶ୍ରୀକାତରା । ବୀଣାପରି ହାଲୁକା, ଫୁଙ୍ଗୁଳା, ପ୍ରଗଳ୍‍ଭା ଦାୟିତ୍ୱକାତରା ନାରୀଠାରୁ ମେନକା ସମ୍ବନ୍ଧେ ସମାଲୋଚନା ଶୁଣି ଢଳିଗଲା ଭଳି ମନ ମୋର ନ ଥିଲା । କିନ୍ତୁ କାହିଁକି ବା ଆଉ ଶେଷକୁ ମୁଁ ବୀଣା ମନରେ ଆଘାତ ଦିଅନ୍ତି । ତେଣୁ ଅତି ସହଜଭାବେ ବୀଣାକୁ କହିଲି–‘‘ନାଇଁ ବୀଣା ! ତୁମକୁ ସୁଖୀ କରିବାପାଇଁ ତୁମର ଆଦେଶ ପାଳନ କରିବାକୁ ମୁଁ ପ୍ରସ୍ତୁତ ଅଛି । ମେନକା ମୋର ସ୍ତ୍ରୀ ହୋଇନପାରେ–ସେ ମୋର ଶତ୍ରୁ ହେଉ ।’’

 

ବୀଣା ଅତିମାତ୍ରାରେ ଫୁଲିଯାଇ ମୁହଁକୁ ଛିଞ୍ଚାଡ଼ି କହିଲା–‘‘ମୋତେ ସୁଖୀ କରିବାକୁ ମୁଁ ତୁମକୁ ଦୟା ଦେଖାଇବାକୁ କହୁନି । ତାକୁ ବିବାହ ନକଲେ ତୁମେ ନିଜେ କେବଳ ସୁଖୀ ହେବ–ସେଇଥିପାଇଁ କହୁଛି । ତା’ ନ ହେଲେ ତୁମେ ଯାହାକୁ ଇଚ୍ଛା ତାହାକୁ ବାହାହେଲେ ମୋର କିଛି କ୍ଷତି ହୋଇଯିବନି । ମୁଁ କୌଣସି କଥାରେ ଦୁଃଖ କରିବି ନାହିଁ । ବୀଣାର ଦୁଇଟି ହାତ ପାପୁଲିକି ମୋର ହାତ ମୁଠାରେ ରଖି ମୃଦୁ ମର୍ଦ୍ଦନ କରି କହିଲି–‘‘ବୀଣା, ତୁମର ସୁଖ ବ୍ୟତୀତ ମୁଁ ଆଉ ଅଧିକ ସୁଖ ମୋ ପାଇଁ କ’ଣ ଆଶା କରିପାରେ ? ତୁମର ସନ୍ତୋଷରେ ଯେ ମୋର ସୁଖ !”

 

ନିର୍ବୋଧ ବୀଣା ମୋର ଏ ଚାଟୁ ବାକ୍ୟରେ ଖୁବ୍‍ ଫୁଲି ଉଠିଲା । ସେ ମୋତେ ଆକର୍ଷି ଧରୁ ଧରୁ ମୁଁ ତା’ର ମଦ୍ୟଭରା ମୁଖ ଉପରକୁ ମୋର ଅଧର ବଢ଼ାଇ ଦେଇଥିଲି । ଅଭିନୟ ହେଲେ ବି ସେଥିରେ ମାଦକତା ଥିଲା । ଆଉ ସେଇ ତୃପ୍ତି ଯୋଗୁଁ ବୋଧହୁଏ ଆମେ କେହି କାହାରିକୁ ଛାଡ଼ିପାରୁନଥିଲୁ । ବୀଣାର ଦୁଇ ଗାଲକୁ ମୋର ଦୁଇଟି ପାପୁଲିରେ ଜାବୁଡ଼ି ଧରି ମୁଁ ପୂର୍ବପରି କହିଲି–‘‘ବୀଣା । ଲକ୍ଷେ ମେନକା ହେଲେ ବି ମୋତେ ଏପରି କିଏ ବାନ୍ଧି ରଖିପାରିବ ନାହିଁ–ଯାହା ତୁମେ କେବଳ ପାରୁଛ ।”

 

ବୀଣା ତୃପ୍ତିରେ ପଚାରିଲା–‘‘ସତେ ?”

 

X X X X

 

ସେହି ଦିନଠାରୁ ତିନି ବର୍ଷ ପରେ–

 

ସେହିଭଳି କଅଁଳିଆ ଜହ୍ନତଳେ ମୋର ଛୋଟ ଝିଅଟିକୁ ଧରି ମୁଁ ଜହ୍ନ ଦେଖାଉଛି । ମେନକା ତେଣେ ପଢ଼ାଘର ଭିତରେ ପଶି ତା’ର ପଢ଼ିବାପାଇଁ ବହି ଖେଳେଉଥିଲା ! ଝିଅକୁ ଜହ୍ନ ଦେଖାଉ ଦେଖାଉ ଦରହଜିଲା ସ୍ମୃତି ସବୁ ଅଜଣା ଭାବରେ ମୋର ମସ୍ତିଷ୍କ ଭିତରେ ଛାଇ ପକେଇ ଯାଉଥିଲେ–ଯେମିତି ଏଇ ଜହ୍ନ ଆଉ ବାଦଲ ମୋର ଏଇ ଦୁଆର ଉପରେ ଛାଇ ପକେଇ ଯାଉଛନ୍ତି । ହଠାତ୍‍ ବୀଣାର ଆବିର୍ଭାବ ! କୋଳରେ ତା’ର ଶିଶୁ । ବୁଝିଲି ବୀଣା ବାହା ହୋଇଯାଇଛି । ଆଉ ତା’ର ସ୍ୱାମୀ ନୂଆ ବଦଳି ହୋଇ ଆସିଛନ୍ତି । ପାଖ ଚଉକି ଉପରେ ବସିବାକୁ ନିର୍ଦ୍ଦେଶ ଦେଇ ହସି ହସି ପଚାରିଲି–‘‘ଦରିଦ୍ର ଦୁଆରେ ଶ୍ରୀପଦ ପଡ଼ିଲା କିପରି ?”

 

“ବିଶ୍ୱାମିତ୍ରଙ୍କ ପରି ଶେଷ କରଟା ଆଦାୟ କରିବାକୁ” ବୀଣା ଖୁବ୍‍ ଚଞ୍ଚଳ ହସି ହସି ଉତ୍ତର ଦେଲା ।

 

ମୁଁ ଦେଖିଲି ବୀଣା ଚିରଦିନ ବାଦନଶୀଳା । ତା’ର କ୍ଳାନ୍ତି ନାଇଁ । କିନ୍ତୁ ମୁଁ ପୁରୁଷ ହେଲେ ବି, ମୋର ଆଉ ବାଦନ କରିବାର ଶକ୍ତିନାହିଁ–ସାମର୍ଥ୍ୟ ନାହିଁ । ତେଣୁ ବୀଣାକୁ ଅଳ୍ପ ଆଘାତ କରି ମୋର ମନକଥା ତାକୁ ସଫା ଜଣାଇ ଦେବାପାଇଁ କହିଲି–

 

“ତା’ହେଲେ ଆଉ ଏଠାରେ କାହିଁକି ବୀଣା ! ଚାଲ ଶ୍ମଶାନକୁ–ସେଇଠାରେ ଶେଷ କରଟା ଆଦାୟ କରିନେବ !”

 

ବୀଣା ନୀରବ ରହିଲା । ତା’ପରେ ଅଳ୍ପ ସୁଖ ଦୁଃଖ ପରେ ବୀଣା ପୁଣି ପୂର୍ବ କଥାର ସୂତ୍ର ଧରି ପଚାରିଲା–‘‘ଆଚ୍ଛା ଏହା ଭିତରେ ମେନକା ସଙ୍ଗେ ତୁମର କିପରି କଟୁଚି ? ନିଶ୍ଚୟ ଭଲ କଟୁଥିବ । ଭଗବାନ କରନ୍ତୁ, ତୁମର ଦାମ୍ପତ୍ୟ ଜୀବନଟି ଏହିଭଳି ମଧୁମୟ ହେଉଥାଉ ଚିରଦିନ ।” ମୋ କୋଳରେ ଛୋଟ ପିଲାଟି କାନ୍ଦି ଉଠିଲା । କାରଣ ଏତେ ସମୟ ଧରି ମୁଁ ତା’ ସଙ୍ଗେ ନୀରବ ଅଛି । ମେନକା ଘର ଭିତରୁ ବାହାରି ଆସିଲା । ବୀଣାକୁ ନମସ୍କାର କରିସାରି ଗୃହିଣୀର ଷୋଳଣା ଅଧିକାରରେ ଓ ବେଶ୍‍ ଗମ୍ଭୀର କଣ୍ଠରେ ସେ ମୋତେ ତାଗିଦ୍‍ କଲା, ‘‘ଗପ କରିବ ତ ଘର ଭିତରେ ବସି ଗପ କର; ବାରମ୍ବାର ନାହିଁ କରୁଚି କାକରରେ ବସିବାକୁ, ଥଣ୍ଡା ଲାଗିବ । ମୁଁ ଯେଉଁ କଥାକୁ ନାହିଁ କରିବି, ତୁମେ ସେହି କଥାକୁ ଜିଦ୍‍ଧରି କରିବସିବ ।” ମୋ କୋଳରୁ ପିଲାଟିକୁ ନେଇ ସେହିଭଳି ଗମ୍ଭୀର ଭଙ୍ଗୀରେ ସେ ଘର ଭିତରକୁ ଗଲା । ବୀଣା ଏତେବେଳ ଧରି ଚାହିଁରହିଥିଲା ଆମ ଦୁଇଜଣଙ୍କ ଆଡ଼େ । ତା’ପରେ ଦୀର୍ଘନିଃଶ୍ୱାସଟିଏ ପକାଇ ଗମ୍ଭୀର ଭାବେ ପଚାରିଲା–

“ଭଲରେ ଅଛ, ନାଇଁ ?”

“ଭଲରେ ଥାଏଁ, ବା ମନ୍ଦରେ ଥାଏଁ ବୀଣା–କିନ୍ତୁ ତୁମକୁ ମୁଁ ମେନକାଠାରେ ଦେଖିପାରିନି । କିମ୍ବା ତୁମଠାରୁ ଅଧିକ ବୋଲି ମୁଁ ତାକୁ ମନେକରେନା ।” ‘‘ତେବେ ?” ବୀଣା ଆଶ୍ଚର୍ଯ୍ୟ ହେଲା ।

“ବୀଣାଠାରୁ ସବୁ ହିସାବରେ କମ୍‍ ବୋଲିହିଁ ମୁଁ ତା’ ସଙ୍ଗେ ଚଳି ପାରୁଛି । ଆଉ ସେଥିପାଇଁ ମୁଁ ବେଶ୍‍ ଆଶ୍ୱସ୍ତ । କାରଣ ବୀଣା ସଙ୍ଗେ ସମାନ ହେବାର ସ୍ପର୍ଦ୍ଧାକୁ ମୁଁ ତା’ର ସହିପାରି ନ ଥାନ୍ତି । କିମ୍ବା ବୀଣାଠାରୁ ଅଧିକ ହୋଇଥିଲେ ମୁଁ ତା’ନିକଟରେ ରହିପାରିନଥାନ୍ତି ନିଶ୍ଚୟ !” ବୀଣାର ପିଲାକୁ କୋଳକୁ ନେଇ ଚୁମା ଦେଉଁ ଦେଉଁ ମୁଁ ଏତକ କହିଲି ।

“ଆଘାତ ଦେବାକୁ କ’ଣ ଅନ୍ୟ ସ୍ଥାନ ବା ସମୟ ନାହିଁ ? ଯେତିକିବେଳେ ଦାଉ ପଡ଼ିଚି, ସେତିକିବେଳେ ମନଇଚ୍ଛା ମାଡ଼ମାରି ଲାଗିଛ ।” ବୀଣାର ପାଟି ଖନି ବାଜିଗଲା; ଆଖି ତା’ର ଲୋତକପୂର୍ଣ୍ଣ ।

ମୁଁ ତା’ର ହାତଟିକୁ ଧରିପକାଇ କହିଲି–‘‘ବୀଣା, ପୁରୁଷ ବି ନାରୀଠାରୁ କମ୍‍ ଛଳନା କରିପାରେନା । ତେବେ ପ୍ରଭେଦ ହେଉଚି–ନାରୀଠାରେ ଶକ୍ତି ଯେତିକି, ତା’ଠାରୁ ସ୍ପର୍ଦ୍ଧା ଶହେ ଗୁଣ ବେଶୀ; କିନ୍ତୁ ପୁରୁଷ ନିଜର ଶକ୍ତିରେ ଅତ୍ୟଧିକ ଶକ୍ତିବାନ ହେଲେ ବି ନାରୀପରି ଏତେ ସ୍ପର୍ଦ୍ଧା ଦେଖାଇ ପାରେନା । ତେଣୁ ନାରୀ ଭାବେ ପୁରୁଷ ବୋକା । ସେ ତାକୁ ବେଶ୍‍ ଠକେଇ ପାରୁଛି । କିନ୍ତୁ ବୀଣା ! ତୁମେ ଯଦି ବୁଝିଥାନ୍ତା ଯେ, ନିଜକୁ ତୁମପାଖେ ଠକେଇ ଦେବାରେ ମୋର ଖିଆଲ ଥିଲା । ଆଉ ମୋର ଆନନ୍ଦ ଦୃଷ୍ଟିରୁ ମୁଁ ନିଜକୁ ତୁମପାଖେ ହଜେଇ ଦେଇଥିଲି–ତେବେ ଅହମିକାଶୂନ୍ୟ ହୋଇ ତୁମ ଆଖିରେ ଆଜି ଆଉ ଲୁହ ଆସିନଥାନ୍ତା । ଭୁଲ୍‍ଟା ସବୁସମୟରେ ତୁମଆଡ଼ୁ ହୁଏ । ତୁମେ ଜୟ ନକରୁଣୁ ବିଜୟ ପତାକା ଉଡ଼ାଇ ଥାଅ; ତେଣୁ ପରାଜୟରେ ତୁମେ ବେଶୀ ନଇଁ ପଡ଼ ।” ବୀଣା କେବଳ ଦୀର୍ଘଶ୍ୱାସ ଛାଡ଼ିଲା । ମୋର କୋଳରୁ ପିଲାକୁ ନେବାପାଇଁ ହାତ ବଢ଼ାଇଲା ସେ । ‘‘ଯାଅ ରାତି ବେଶୀ ହେଲାଣି । ପିଲାକୁ ହୁଏତ ଭୋକ ହେବଣି ।” ବୀଣା ନମସ୍କାର ଜଣାଇ ଚାଲିଗଲା । ଅଳ୍ପବାଟ ତା’ ସଙ୍ଗେ ଯାଇ ତାକୁ ବଳାଇଦେଇ ଶୂନ୍ୟ ମନରେ ଘରକୁ ଫେରି ଆସିଲି । ଆକାଶରେ ବଉଦ ଓ ଚାନ୍ଦର ଲୁଚକାଳି । ଗୋଟି ଗୋଟି ହୋଇ ରାତ୍ରିର ବାଦୁଡ଼ି ମୋର ଅଗଣାର ସ୍ତବ୍ଧ ବାୟୁମଣ୍ଡଳକୁ ପ୍ରକମ୍ପିତ କରି କେଉଁଆଡ଼େ ଉଡ଼ି ଯାଉଥିଲେ ।

ମୁଁ ଘର ଭିତରକୁ ପଶିଲି ।

ବୀଣା–ସେ ବହୁ ଦିନର କଥା ।

ବୀଣା–ସେ ଆଜି ପରାଜିତା– !

ବୀଣା–ସେ ଆଜି ଆସିଥିଲା କାହିଁକି ? ବିଚାରୀ କାହିଁକି ଆସି ଲୁହ ଗଡ଼ାଇ ଦେଇ ଗଲା ମୋ ଦୁଆରେ ?

ରାତି ତମାମ ଆଉ ନିଦ ହେଲାନାଇଁ ମୋତେ !

񤦬񤦬񤦬

 

Unknown

ପୁଅହେବ

 

ପୁଅ ତ ହେଲାନି–କଅଣ କରିବ ସେ ? ସେ କଅଣ ନିଇତି ସକାଳୁ ପୂର୍ଣ୍ଣେଶ୍ୱର ମହାଦେବଙ୍କ ଚଉତରା ଓଳାଇ ନଥିଲା ? ସେ କଅଣ ଆର୍ତ୍ତତ୍ରାଣ ଗାଦିଙ୍କ ପାଖରେ ଅଧ୍ୟା ପଡ଼ିନଥିଲା । ସେ କଅଣ ସବୁ ସଂକ୍ରାନ୍ତିରେ ବ୍ରାହ୍ମଣ ହାତରେ ତମ୍ବା ତଣ୍ଡୁଳ ଟେକିଦେଇ ନଥିଲା ? ଦୁତିଆ ଓଷାରେ ବଗ ଶିଆଳିଙ୍କ ପୂଜା କରିନାଇଁ ନା ମଙ୍ଗଳାଙ୍କ ପାଇଁ ମଙ୍ଗଳବାର ଓଷା କରିନାଇଁ-? ସବୁ ତ କରିଛି କିନ୍ତୁ ଫଳ କାଇଁ ? ସେ ବି ତ ଆଉମାନଙ୍କ ପରି ଗିରସ୍ତ ସୁଆଗୀ ହୋଇଥିଲା । ତା’ଠାରୁ କଅଣ ବେଶୀ କିଏ ସୁଆଗୀ ହେଇଚି, ଏ ନରୀଶ ଗାଁ ମଣ୍ଡଳରେ ? ତା’ପାଇଁ ପ୍ରତି ହାଟପାଳି ତା’ ଗିରସ୍ତ ରସଗୋଲା ଆଣିନାଇଁ–ନା ତା’ ପେଟରାରେ ୫।୭ ପ୍ରକାରର ପାନ ମସଲା ଆଜିଯାଏ ସାଇତାହୋଇ ଫିମ୍ପିମାରି ନାହିଁ ? ତା’ଠାରୁ କ’ଣ ଆଉ କୋଉ ମାଇପେ ବେଶୀ ଚିଜ ପିନ୍ଧୁଛନ୍ତି ? ପାଳି କି ପାଳି ତ ନୂଆ ନୂଆ ଅଳଙ୍କାର ବରାଦ ଦିଆଯାଉଛି । କାଳିନ୍ଦୀ ବଣିଆ ମୁଠାମୁଠା ଟଙ୍କା ନଉଚି ଆଉ କୋଉଥିପାଇଁ ? ଅଣ୍ଟାରେ ଅଣ୍ଟାସୂତା ହାତରେ ବାଜୁବନ୍ଧ, ଡାଇମଣ୍ଡ କଟା ଚୁଡ଼ି, ମୁଣ୍ଡରେ ସୁନା ଅଳକା, ଗୋଡ଼ରେ ପାଉଁଜି–କେହି ଖୁଣି ପାରିବେନି ଅଳଙ୍କାର ପିନ୍ଧିନାହିଁ ବୋଲି ।

 

ଗିରସ୍ତ ତା’ର କ’ଣ ଷୋଳ ସାମର୍ଥିଆ ଭେଣ୍ଡା ନୁହେଁ । ଭେଣ୍ଡା ନୁହଁ ତ ୫୦-୫୦ ଗଛ ପାନବରଜ, ୧୦-୧୦ ମାଣ ଜମି ସଂହାତି ସମାଳି ରଖିଛି କେମିତି ? ରଙ୍ଗଟା ସିନା କଳା, ହେଲେ ପାଣ୍ଡରା ତ ନୁହଁ–ଚିକ୍କଣ । ଶୀତ ଦିନିଆଁ କାଉପକ୍ଷୀଭଳି ଦେହର ରଙ୍ଗ ଖୁବ୍‍ ସୁନ୍ଦର । ବଳିଲା ବଳିଲା ହାତ ଗୋଡ଼ । ଗାଲ ଦି’ଟା ପଶିଯାଇଥିଲେ ମଧ୍ୟ ମୁହଁଟା ଅଘଟଣ ନୁହଁ । ମୁଣ୍ଡରେ ସାଉଁଳା କେଶ । ମଥାରେ ସୁନ୍ଦର କଲି । ଦାନ୍ତଗୁଡ଼ିକ ପାନ ଖାଇ କଳା ପଡ଼ିଯାଇଥିଲେ ବି ପାଟିଟା ଅସୁନ୍ଦର ନୁହଁ । ଅଧା କାନ୍ଥ ପରି ଛାତି, ଖଣ୍ଡା ଧାର ପରି ନାକ । କୋଉ କଥାକୁ ଖୁଣ୍ଟା ଦେବାକୁ ନାହିଁ । ଏଇମିତିକା ବର ଦେଖି ଲଇଖଣ ମହାପାତ୍ର ଝିଅକୁ ବାହାଦେଇଥିଲା । ଗଜା ଭେଣ୍ଡାଟା ଜମିବାଡ଼ି ବେଶ୍‍ ଅଛି । ଘରେ ଦୁହାଁଳ ଗାଈ । ଦୁଇ ପଇସା କିସ୍‍ମତରେ ମକଦମୀ ମାହାଲ ବି କିଣାଯାଇଛି–ଘରେ ଦୁଇ ଦୁଇଟା ପିତ୍ତଳହଣ୍ଡା–ଡେ ଲାଇଟ୍‍ । ଲଇଖଣ ମହାପାତ୍ରର ଘରଣୀ ସବୁଆଡ଼େ ଛାତିଫୁଲାଇ କହିବୁଲିଥିଲା–ତା’ ଜୋଇଁ ପରି ଜୋଇଁ ଏ ଖଣ୍ଡମଣ୍ଡଳରେ କେହି କରିନଥିବେ ! ଏଇନେ ଏବେ ତା’ର ପୁଅ ହେଉନି । ସେ ବାଞ୍ଝ ! ଏଥିପାଇଁ ବାପା ମାଆ କ’ଣ କରିବେ ? ସେ ଜନମ ଦେଇଥିଲେ ବୋଲି ତ ଆଉ କରମ ଦେଇ ନାହାନ୍ତି ! ହାର ଫଅଁକିନା ନିଃଶ୍ୱାସ ଛାଡ଼ିଲା ଶୁଖିଲା ତତଲା ପବନ ।

 

ହଁ ତା’ରି ଗେରସ୍ତ ନାରାୟଣ ଷଡ଼ଙ୍ଗୀ ସବୁ କଥାରେ ଯିଏ ସୁନ୍ଦର । ବାହାହେବା ପରେ ଦୁଇଟି ବରଷ କଟେଇଥିଲା । ମୋଟେ ଦୁଇଟି ବରଷ । ସେମିତି କିଛି ବଡ଼ ଘଟନା ଏହା ଭିତରେ ଘଟି ନଥିଲା । କିନ୍ତୁ ସେଇ ଅଳ୍ପ ଦିନ ମଧ୍ୟରେ ବି ହାର ଜାଣିପାରିଥିଲା–ସବୁଥିରେ ସୁନ୍ଦର–ତା’ରି ବର ନାରାୟଣ ଷଡ଼ଙ୍ଗୀର କୋଉଁ ଜିନିଷ ଅଭାବ ? ହାରକୁ ସେତେବେଳେ ଅଠର ବରଷ ବୟସ-। ମୋଟାମୋଟି ମାଉଁସିଆ ବପୁ । ଦେହରେ ଯଉବନ ସମେଇ ହଉନି । ମନ ଯେତେ ଚାଁହୁଥିଲା–ସେତିକି ପରିମାଣରେ ପାଇପାରିଲାନି । ନାରାୟଣ ଷଡ଼ଙ୍ଗୀର ମୁଣ୍ଡକୁ କି ପିତ୍ତ ଉଠିଲା କେଜାଣି କହିଲା, ‘‘ମୁଁ କଲିକତା ଯିବି ।” ବାପା ମନାକଲେ, ବୋଉ ମୁଣ୍ଡ ପିଟିଲେ; ନାରାୟଣ କଲିକତା ଗଲେ । କଲିକତାରେ ଦୁଇଟି ବରଷ ରହିଲା ପରେ ଯେତେବେଳ ନାରଣ ଘରକୁ ଫେରିଆସେ, ସେତେବେଳେ ଆଉ ସେ ଷୋଳ ସାମର୍ଥିଆ ଭେଣ୍ଡାଗିରି ନାଇଁ । ନାରଣକୁ କି ରୋଗ ଧରିଛି–ଡାକ୍ତର, ବଇଦ, ଗୁଣିଗାରିଡ଼ି କେତେ ଚିକିତ୍ସା ହେଲା । ମାତ୍ର ନାରଣର ସେ ରୋଗ ଭଲ ହେଲାନି । ହାର ଜାଣିପାରିଲା, ନାରଣ ଦିନୁଁଦିନ ପୁରୁଷପଣିଆରୁ ରହିତ ହେଲା । ଏଇଠାରୁ, ଠିକ୍‍ ଏଇଠାରୁ ଆରମ୍ଭ ହେଲା ହାର ମନରେ ଅଶାନ୍ତି ।

 

ଯେତେ ଯିଏ କହିଲେ ନାରାୟଣ ଷଡ଼ଙ୍ଗୀ କାହାରି କଥା ଶୁଣିଲେ ନାହିଁ । ସତ୍‍ ଗୋଷ୍ଠୀରେ ମିଶିଲେ । ଶ୍ରୀରାମପୁରର ନିତେଇ ମିଶ୍ର ବାବାଜି । କୃଷ୍ଣଙ୍କ ପରି ଲମ୍ବ ବାଳ, ଅଳ୍ପ ନିଶ ଦାଢ଼ି, ଗେରୁଆ ଲୁଗା ମାଇପିଙ୍କ ପରି ପିନ୍ଧନ୍ତି । ଗୋରା ତକତକ ଚେହେରା । ହାତରେ ସବୁବେଳେ ବିଞ୍ଚଣା ଧରି ବିଞ୍ଚି ହେଉଥାନ୍ତି । ଜାଣିବା ଲୋକେ କହନ୍ତି ଯେ, ବାବାଜିଙ୍କର ଗୋପିକା ଦୀକ୍ଷା । ନରୀଶ ଶାସନରେ ଯେତେବେଳେ ହଇଜା ଲାଗିଲା, ବାବାଜି ଆସିଲେ ହଇଜା ଛାଡ଼ିବା ବେଳକୁ । ଜାଉଁଳି ବେତ ଧରି ଗାଁ ଦାଣ୍ଡରେ ପରସ୍ତେ ‘ହରିବୋଲ’ କହି ଦୌଡ଼ିଲେ । ହଇଜା ଛାଡ଼ି ଆସୁଥିଲା, ଛାଡ଼ିଗଲା । ବାବାଜି କିଛିଦିନ ଗାଁରେ ରହିଗଲେ । ଗୋଟିଏ ଗୋଷ୍ଠୀ ଗଢ଼ିଲେ । ନାରଣ ମିଶିଲେ ଏଇ ଗୋଷ୍ଠୀରେ ।

 

ହାର ଶୁଣିପାରିଲା ବାବାଜି ତାଙ୍କ ମହିମା ବଳରେ ବାଞ୍ଝ ସ୍ତ୍ରୀଲୋକଙ୍କୁ ପୁତ୍ର ଦାନ କରୁଛନ୍ତି । ଖାଲି ମହିମାରେ–ମନ୍ତ୍ର ବଳରେ କ’ଣ ସତରେ ପୁଅ ହୁଏ ? ହଁ, ହୁଏନି ଆଉ କ’ଣ ? କେତେ ଏହିପରି ପାଇଲେଣି ନା । ଗୁଡ଼ିଆ ଘର ବୋହୂର ଏବେ ଆଜିଯାଏ ପୁଅ ହେଉନଥିଲା–ପୁଣି ତ ସତ୍‍ ଗୋଷ୍ଠୀରେ ମିଶି ବାବାଜିଙ୍କ ସେବା କଲାରୁ ଏଇନେ ଏବେ– । ନିଃଶ୍ୱାସ ମାରିଲା ହାର ।

 

ନା, ହାର ନିଶ୍ଚୟ ସେବା କରିବ ସତ୍‍ ଗୋଷ୍ଠୀର । ସେଦିନ ଜଣେ ଆସି ହାର କାନରେ ବାବାଜିଙ୍କ ବିରୁଦ୍ଧରେ ଫୁସ୍‍ଫୁସ୍‍ କରି କହୁଥିଲା । ସେ କଥା କ’ଣ ସତ ? ଛିଆଛିଆ–ସେମାନେ ସବୁ ପାପୀ ଜନ । ପାପ କଥା ତୁଣ୍ଡରେ ଧରନ୍ତି । ବାବାଜି ମହାତ୍ମାପୁରୁଷ ତାଙ୍କ ନାମରେ ପାପକଥା ତୁଣ୍ଡରେ ଧରିଲେ ଛାତି ଫାଟିଯିବ । କୁଳରେ କେହି ରହିବେନି । ଏମିତି ଅନେକ ଅଘଟଣ ଘଟଣା ହାର ବହୁବାର ଶୁଣିଛି । ନା, ହାର କାହାରି କଥା ଶୁଣିବ ନାଇଁ । ସତ୍‍ ଗୋଷ୍ଠୀରେ ସେବା ସେ କରିବ । ଏ ବାଞ୍ଝ ଦୋଷରୁ ସେ ନ ଉଧୁରିଲେ ତା’ର ଆଉ ପ୍ରାଣ ରହିବନି ।

 

ହାରର ମନେପଡ଼ିଲା–ସେଦିନ ସେ ଯାଇଥିଲା ପ୍ରହରାଜଙ୍କ ଘରକୁ ବୁଲି । ପ୍ରହରାଜ ଘରର ବୋହୂ–ସାତ ପଛରେ ପଛ । ହାରଠାରୁ ବୟସରେ ନଅ ବରଷରୁ କମ୍‍ ହେବନି । କିନ୍ତୁ ତା’ କୋଳରେ ପୁଅ । ବର୍ଷକର ହେଇଚି । ବୋଉ ତା’ର ତାକୁ ଟିକି ନାଲି କୁରୁତାଟିଏ ପିନ୍ଧେଇ ଦେଇଛି–ଅଣ୍ଟାରେ ଛୋଟ ପେଣ୍ଟଟିଏ, ଗୋଡ଼ରେ ହଳେ କୁନିକୁନି ଜୋତା । ମୁଣ୍ଡରେ ଝାଲର ଦିଆ ଟୋପିଟିଏ । ଭାରି କଉତୁକିଆ ପିଲାଟିଏ ଏକା ! ହାର ଗଲାକ୍ଷଣି, ପିଲାଟିକୁ ହାର ହାତକୁ ବଢ଼େଇ ଦେଲା । ପିଲାଟି ବି ଚିହ୍ନ ଅଚିହ୍ନା ବାରିଲା ନାହିଁ । ଫକ୍‍କିନା ହାର କୋଳକୁ ଡେଇଁପଡ଼ିଲା । କେଡ଼େ ସୁନ୍ଦର ଗୁଲୁଗୁଲୁ ହସ । ଗୋଟିଏ ନା ଯୋଡ଼ିଏ ଦାନ୍ତ ଉଠିଛି । ମାଉଁସିଆ ହୋଇ କୋଥଲା ପିଲାଟିଏ । ମଇଦା ପିଣ୍ଡୁଳାଟିଏ–ରବର କୁଣ୍ଡେଇଟିଏ । ହାର ତାକୁ ଛାତିରେ ଚିପି ଧରିଲା । ଆଃ ! କ’ଣ ଲାଗୁଛି ! ଭାବିପାରିଲାନି ହାର ତାକୁ କିପରି ଲାଗୁଛି ବୋଲି । ଛାତି ତା’ର ଶିରିଶିରି ଡାକିଲା-। ଛିଡ଼ି ପଡ଼ିବ କି ଆଉ ? ପିଲାଟି ବି ଅତି ଆରାମରେ ହାର ଛାତି ଉପରେ ମୁଣ୍ଡ ଗୁଞ୍ଜିଲା-। ନା–ଭାଙ୍ଗିପଡ଼ିବ ତା’ ଛାତି । ଆଉ ସେ ସହି ପାରିଲାନି । ମାଆଲୋ ! ପିଲାଟି କି ଓଜନିଆ ଲାଗିଲା ତା’କୁ ସେତେବେଳେ ! ହଲା ହଲିରେ ପିଲାଟା କାଇଁକି କାନ୍ଦି ଉଠିଲା । ତା’ ବୋଉ ପରିହାସ କରି କହିଲା–‘‘ଏଉଟିକି ତୁମର ନଉନ ହାର, ପୁଅ କରି ରଖିବ । ପୁଅଟିଏ ପାଇଁକି ତ ଆଖିକି ତମର ନିଦ ନାଇଁ କି ପେଟକୁ ଭୋକ ନାଇଁ !” ଶୁଖିଲା ହସ ହସି ହାର କହିଲା, ‘‘ହଅ–ପୁଅ ଦବ–ତମ ମୁହଁରୁ ଦିଶୁଚି ଏକା ! ହଇରେ ଯିବୁ ଆମ ଘରକୁ ?” ପିଲାଟିର ନରମ ଓଠ ଦୁଇଟିରେ ହାର ଚୁମା ଖାଇଲା । ଏତକ କହିଲା ସିନା; ହେଲେ ତାକୁ ଭାରି ହିନିମାନି ଲାଗିଲା ଏକଥା ଶୁଣି । ସେ ମାଆ ହୋଇପାରିନି ସତ; କିନ୍ତୁ କଅଣ ହେଲା, ସେ ମାଆ ନ ହେଲେ ? ସେ କଅଣ କାହାକୁ ପିଲା ମାଗିଛି ? କାହାଠୁଁ ଦାନ ଅନୁଗ୍ରହ ଚାହିଁଚି ? ତା’କୁ ଦୟା ଦେଖାଇବାକୁ, ସହାନୁଭୂତି ଦେଖାଇବାକୁ ଏମାନଙ୍କର କିଆଁ ଏତେ ଗରଜ ? ଏପ୍ରକାର ପରିହାସମୟ ସହାନୁଭୂତି ହାରର ଅତି ଅସହ୍ୟ ହୋଇପଡ଼ିଲା । କାନ୍ଦିକାନ୍ଦି ପିଲାଟା ବାନ୍ତି କରିପକାଇଲା–ଧଳାଧଳା ଦୁଧ ଛେନା ପରି ବାନ୍ତି–ଆମ୍ବିଳା ଗନ୍ଧ । ସେଇକ୍ଷଣିକା ଦୁଧ ପିଇଥିଲା କିନା ? ପିଲାର ବାନ୍ତି ! ଆମ୍ବିଳା ଗନ୍ଧ ହାର ନାକରେ ବାଜିଲା । ଆଃ, କି ଲୋଭନୀୟ ସୁନ୍ଦର ମତାଣିଆ ଗନ୍ଧ ତା’ର ! ତା’ର ମନେହେଲା ଏଇ ବାନ୍ତିଗୁଡ଼ିକ ସେ ଦେହରେ ବୋଳିହୋଇ ପଡ଼ନ୍ତା କି ? ଆଉମାନଙ୍କୁ ହୁଏତ ଗନ୍ଧ ଛାଡ଼ୁଥିବ । କିନ୍ତୁ ହାର ଯେପରିକି ଏଇ ବାନ୍ତି ଶୁଙ୍ଘିବ ବୋଲି ଏଠାକୁ ଆସିଛି ! ପିଲା ବାନ୍ତିରେ ପୁଣି ଏଡ଼େ ସୁନ୍ଦର ଗନ୍ଧ ! କାହିଁ, ବୋତଲ ବୋତଲ ଫୁଲୁରି ତେଲ ତ ହାର ମୁଣ୍ଡରେ ଲଗେଇ ସାରିଛି । କାହାର ଗନ୍ଧ ତ ତାକୁ ଏଡ଼େ ପାଗଳ କରିଦେଇନି !! ଓଃ, ହାରର ନିଃଶ୍ୱାସ ପ୍ରଶ୍ୱାସ ବୋଧେ ବନ୍ଦହୋଇଯିବ-

 

ପିଲାଟିକୁ ତା’ ମା’ କୋଳରେ ଦେଇ ମୁହଁ ଶୁଖାଇ ହାର ଘରକୁ ଫେରି ଆସିଥିଲା ।

 

ତା’ପରେ? ହଁ ତା’ପରେ, ହାରର ପିଲା ନାଇଁ, ପୁଅ ହେଇନି, ହବାର ଆଉ ଆଶା ବି ଦିଶୁନି । ‘‘କୋଇଲିଲୋ ଫଳିବାର ନାଇଁ ମୋର ଆଶ ।” ଫଳିବାର ଆଶା ଥିଲେ ବି ଫଲାଇବାର ଆଶା ତୁଟିଛି । ସେ ସୁନ୍ଦରୀ, ସ୍ୱାସ୍ଥ୍ୟବତୀ । ତା’ର ଯୌବନ ଏଯାବତ୍‍ ବି ତା’ର ଦେହର ମୋହ ଛାଡ଼ିପାରିନି । କିନ୍ତୁ କାମଦେବର ପଞ୍ଚବାଣକୁ ତା’ର ଆଉ ଡର ନାହିଁ ସିନା, ଡର ରହିଛି କେବଳ ତା’ର ପୁଅ ନାଇଁ । ସେ ବାଞ୍ଝ । ସମସ୍ତେ କ’ଣ ଏ ଦୁଃଖ ବୁଝିପାରନ୍ତି ? ତା’ର ଗିରସ୍ତ ଭଲା ଏକଥା ଜାଣିପାରୁଛି ? ସେଦିନ କ’ଣ ଟିକେ ଖିଟ୍‍ଖାଟ ଲାଗିବାରୁ ହୁଁକିନା ମୁହଁ ହୁଡ଼ି କହିପକାଇଲେ, ‘‘ବାଞ୍ଝ ତୁ, ତୋର କେଉଁଠି ସଦ୍‍ଗତି ଅଛି ?” ହାର ମନରେ ଚିଆଁ ଦେଇଛି ଏକଥା ପଦକ । ଏହିପରି କେତେଥର ବି କହିଲେଣି, କିନ୍ତୁ ସେଥିପାଇଁ ଦାୟୀ କିଏ ? ତା’କୁ କ’ଣ ବାଞ୍ଝ ହେବାକୁ ଖୁସି ଲାଗୁଛି ? ଯାଉଣୁ ଆସୁଣୁ, ସାହିପଡ଼ିଶାଏ–କ’ଣ ଟିକେ କଳି ଲାଗିଲେ, ‘ଆଣ୍ଠୁକୁଡ଼ୀ’ ବୋଲି ଗାଳି ଦିଅନ୍ତି । ହାରକୁ ବି ବଡ଼ ବିକଳ ଲାଗେ । କାମରେ ମନ ଲଗାଇବାକୁ ହାଣ୍ଡିଶାଳ ଘରୁ, ହାଣ୍ଡି ଆଣି ଧୋଇ ବସେ । ଦୁଆରେ ହାଣ୍ଡି ଧୋଇଲା ବେଳେ ବିଲେଇ ଛୁଆଟା ଆସି ଗୋଡ଼ରେ ଘଷିହୁଏ । ନଳା ମୁହଁ ପାଖରୁ ଛୁଆଲଗା ପୋଷା ନେଉଳ ଛୁଟି ଆସେ । ହାର ମୁହଁକୁ ନାଲି ନାଲି ଆଖି କରି ଅନେଇ ରହେ । ହାର ଅନ୍ୟମନସ୍କ ହୁଏ । ବେଳେବେଳେ କାନ୍ଦ ବି ଲାଗେ । ଏଇ ନେଉଳଟାଠାରୁ ସେ ସିନା ହୀନ !!

 

ଘର ପାଚେରୀକୁ ଲାଗି ଯେଉଁ ବାଉଁଶ କଣି ବାଡ଼, ସେଥିରେ ହୀରା ମାଆ ଆସି ତା’ ପିଲାଙ୍କ ଗୁହମୂତ କନା ଧୋଇ ଶୁଖାଏ ।

 

ହାଣ୍ଡିଧୁଆ ପାଣି ସେଇଠି ପକାଇବାର କଥା । ବାଡ଼ ଦେହରୁ ଫୁରୁକୁଟିଆ ମୁତୁରା ଗନ୍ଧ ଆସେ, ପିଲାଳିଆ ମୂତ । ହାରକୁ ସେ ଗନ୍ଧ କିପରି ଅପୂର୍ବ ଲାଗେ । ହାର ଥରକୁ ଥର ସେ ଗନ୍ଧରେ ପାଗଳ ହୋଇ ଉଠେ । ଗନ୍ଧ ହୁଏ ଅବଶ୍ୟ । କିନ୍ତୁ ସେ ଗନ୍ଧରେ ଯେପରି କିଛି ବିଶେଷତ୍ୱ ଅଛି । ହାର କିଛି ବୁଝିପାରେନା । କିନ୍ତୁ ଭିତରର ମାତୃତ୍ୱ ଅସମ୍ଭାଳ ହୁଏ ଛାତି ଭିତରେ ।

 

X X X X

 

କେବେ କେବେ ଓପରଓଳିଆ, ଶୀତଦିନର ହଳଦିଆ ଖରାରେ ହାରର କାମ ନଥିଲା ବେଳେ ଯଦି ସେ ବସିଥାଏ, ପାଚେରୀ ପାଖ ଦୁଆର ମୁହଁରେ ମୁହଁ ଶୁଖାଇ–ସଞ୍ଜ ବଳିବା ବେଳେ, ନଜର ପଡ଼େ ଲୋକା ମହାପାତ୍ର ଘର ଢିଙ୍କିଚାଳ ଭିତରେ–ବୁଢ଼ୀମାଆମାନେ ଛୁଆଙ୍କୁ ହଳଦୀ ଲଗାଇ ଦେଉ ଥାଆନ୍ତି । ପିଲାଙ୍କ କାନ୍ଦ–ପିଲାଙ୍କ ହସ–ହାର ମନରେ କେମିତି ଗୋଟିଏ ସପନ ଭଳିଆ ଲାଗେ ।

 

ଶାଶୁ, ଶ୍ୱଶୁର ମଲାଦିନୁ ଏବେ ଏବେ କାହିଁକି ଘରଟା ଭାରି ନିଛାଟିଆ ଲାଗୁଛି । ସ୍ୱାମୀ ତ ଘରେ ରହନ୍ତି ନାଇଁ । ଦିନଯାକ ମଠରେ, ରାତିରେ ବି ମଠରେ । ଯଦି କେବେ ବା ଘରେ ରହନ୍ତି–ପୂର୍ବର ସେଇ ରୋଗଟା ହଠାତ୍‍ କେଉଁଠି ଥାଏ, ବାହାରି ପଡ଼େ । ଟିକକ କଥାରେ ଚିଡ଼ି ଉଠନ୍ତି–ଟିକିଏ କଥାରେ ‘ବାଞ୍ଝ, ଆଣ୍ଠୁକୁଡ଼ୀ’ ଗାଳି । ହାରର ଦେହ ଚିଡ଼େ । ଛିଆଲୋ !! ମଣିଷଟା ଘରେ ଗୋଡ଼ ଦେଉଁ ଦେଉଁ ତୋଡ଼ ଦେଖଉଚି !! ତୋଡ଼ ଖାଲି କଥାରେ–ନା କାମରେ ବା !!

 

ଏଣିକି ଏଣିକି ବାବାଜିଙ୍କର ଗୋଷ୍ଠୀ–ବୈଠକ ହାର ଘରର ଦାଣ୍ଡପଟ କୋଠରୀରେ ହେଉଛି । ବାବାଜି ମହାପ୍ରଭୁଙ୍କ ଆଜ୍ଞା–ସ୍ୱୟଂ ସେ କେଉଁଠି ରାଧା, ଏ ଯୁଗରେ ଗୋପୀ ହୋଇ ମଣିଷରୂପ ଧରିଛନ୍ତି ।

 

ଭକ୍ତମାନେ ବି ନିଜକୁ ଗୋପୀ ବୋଲି କୁହନ୍ତି । ଭଜନ ହୁଏ । ଭଜନ ବୋଲନ୍ତି ନିଜେ ବାବାଜି । ଆଉମାନେ ପାଳି ଧରନ୍ତି । ବୋଲୁ ବୋଲୁ ବାବାଜି ପାଗଳ ହୁଅନ୍ତି–ବିଭୋର ହୁଅନ୍ତି–ସଜ୍ଞା ହରାନ୍ତି । ଭକ୍ତମାନେ ବି ଭାବରେ ଗଦ୍‍ଗଦ୍‍ ହୁଅନ୍ତି । ପରସ୍ପର କୋଳାକୋଳି ହୁଅନ୍ତି–‘‘ଆଗୋ ମିତଣୀ–ପ୍ରିୟ ମିତଣୀ ! କୁଞ୍ଜବନେ ବଂଶୀ କେ ବଜାଇଲା ?” ପରସ୍ପର ପରସ୍ପରର ଓଠ ଧରି ଏକଥା ପଚାରନ୍ତି । ଭଜି ଭଜି ଘରଟାକୁ ପକାନ୍ତି–ଉଠାନ୍ତି । ପୁଣି ବୋଲନ୍ତି ‘‘ଆହା କେ ବଜାଇଲା ମୋହନ ବଂଶୀ–ନୀବିବନ୍ଧ ଗଲା ଖସି”–ବୋଲୁ ବୋଲୁ ଅଣ୍ଟାରୁ ବି ଲୁଗା ଖସିପଡ଼େ । ସେହିପରି ଅବସ୍ଥାରେ ୫।୬ ମିନିଟ ରହିବା ପରେ ପୁଣି ସମସ୍ତଙ୍କର ଧ୍ୟାନ ଭାଙ୍ଗେ–ଚେତା ପାନ୍ତି । ତା’ପରେ ବାବାଜି ବ୍ରହ୍ମତତ୍ତ୍ୱ ବୁଝାନ୍ତି, ଆତ୍ମା ପରମାତ୍ମା କଥା ବୁଝାନ୍ତି । ଭାତ ରାନ୍ଧିସାରି ହାର ଦାଣ୍ଡଘର ଦୁଆର ମୁହଁରେ ଅନ୍ଧାରେ ବସି ସବୁ ଶୁଣେ, ସବୁ ଦେଖେ । କିଛି ବୁଝିପାରେନା । କିନ୍ତୁ ତା’ର ମନେହୁଏ, ସତେ ବା ସେଥିରୁ କିଛି କିଛି ବୁଝି ପାରୁଛି । ବାବାଜିଙ୍କ ପାଟିରୁ ଅନର୍ଗଳ କଥା ବାହାରୁଥାଏ । କେତେବେଳେ ଓଡ଼ିଆ, କେତେବେଳେ ବା ଖଣ୍ଡ ଖଣ୍ଡ ବଙ୍ଗଳା । କାଲି ରାତିରେ ସେ ତାଙ୍କ ଶୋଇବା ଘରେ ସ୍ୱୟଂ ଶ୍ରୀକୃଷ୍ଣଙ୍କୁ ଦେଖିଛନ୍ତି ବୋଲି କହନ୍ତି । ନୂପୁର ଧ୍ୱନି ଶୁଣିଛନ୍ତି ବୋଲି କହନ୍ତି । ବାବାଜିଙ୍କ ଭକ୍ତମାନଙ୍କର କାମ ମଧ୍ୟ ଆହୁରି ରହସ୍ୟମୟ । ସମସ୍ତେ ଖୁବ୍‍ ବଡ଼ ବଡ଼ କଥା କହନ୍ତି–ସବୁ କଥା ହାରକୁ ଅଦ୍ଭୁତ ବୋଧହୁଏ । ବାବାଜିଙ୍କ ହସମୁହଁ–ତମ୍ବାପାତିଆ ପରି ଚେହେରା ଦେଖିଲେ ହାରକୁ ଟିକିଏ ସୁଖ ବି ଲାଗେ । ସେ ଭୂଇଁରେ କେତେ ଗାର କାଟନ୍ତି । ‘ଜୀବ’ ‘ପରମ’ କଥା କହନ୍ତି । ହାରକୁ ସବୁ ଜାଲୁଜାଲୁଆ ଲାଗେ । ବାବାଜି ଯେଉଁ ରହସ୍ୟମୟ ବାୟୁମଣ୍ଡଳ ସୃଷ୍ଟି କରିବସନ୍ତି, ହାର ସେଥିରେ ନିଜର ସତ୍ତା ହରାଇ ବସେ । ତାକୁ ଲାଗେ ବାବାଜି ସତେ ବା ସେତିକି ମହାତ୍ମାପୁରୁଷ ହୋଇଥିବେ । ହୁଏତ ହାର ତାଙ୍କ ମହିମା ବୁଝିପାରୁନି ।

 

ଦିନେ ଦିନେ ବାବାଜି ହାର ଘରେ ପ୍ରସାଦ ସେବା କରନ୍ତି । ଗୋଟିଏ ଯୋଡ଼ିଏ ଭକ୍ତ ଖା’ନ୍ତି ସେଦିନ, ତାଙ୍କ ସାଥୀରେ । ହାର ସେଦିନ ଭଲକରି ରୋଷେଇ କରିଥାଏ । ଖାଉଖାଉ ବାବାଜି ରୋଷେଇର ବହୁତ ପ୍ରଶଂସା କରନ୍ତି । ଏଇପରି ଖାଇବା ସେ ତ୍ରେତା ଯୁଗରେ କେଉଁଠି ଚାଖିଛନ୍ତି ବୋଲି କୁହନ୍ତି । ଖାଇବା ବେଳେ କଣେଇ କଣେଇ ହାର ଆଡ଼କୁ ନଜର ହାଣନ୍ତି । ହାରକୁ ଟିକେ ଲାଜ ଲାଗେ । ତଥାପି ସୁଖ ବି ଲାଗେ ସେ ଚାହାଣି ! ଦିନେ ଦିନେ ବି ବାବାଜି ସେଇ ଅଇଣ୍ଠା ହାତରେ ପାଗଳ ହୋଇଯାନ୍ତି । ରାଧା ରାଧା ବୋଲି ପାଟି କରି ଉଠନ୍ତି । ହାରକୁ ସବୁ କୁହୁକପରି ଲାଗେ । ସ୍ୱାମୀଙ୍କ ଆଦେଶରେ ବାବାଜିଙ୍କ ଅଇଣ୍ଠା ଥାଳିରେ ହାର ପ୍ରସାଦ ସେବା କରେ । ଆସ୍ତେ ଆସ୍ତେ ବାବାଜିଙ୍କ ପ୍ରତି ହାରର କିପରି ଗୋଟେ ଶ୍ରଦ୍ଧା ବି ଆସିଯାଉଛି । ଠିକ୍‍ ‘ମୋହ’ ନୁହଁ–କିନ୍ତୁ ସେ ଶ୍ରଦ୍ଧାକୁ ‘ମାୟା’ ବୋଲି କହିଲେ ବିଶେଷ ଭୁଲ୍‍ ହେବନି । କେବେ କେବେ ଏଇ ଦୁର୍ବଳତା ବିଷୟରେ ହାର ମନରେ ପ୍ରଶ୍ନ ଉଠିଲେ, ଆପଣା ମନ, ଆପଣା ମନକୁଇ ଭୁଲାଇ ଦିଏ । ସେ କିଛି ନୁହେଁ–ବରଂ ଭଲଲାଗେ ।

 

ଦିନେ ସ୍ୱାମୀ, ସ୍ତ୍ରୀ ବସି ବିଚାର କଲେ–ଗୁରୁ ସେବା ନକଲେ ହାରର ବନ୍ଧ୍ୟା ଦୋଷ କଟିବ ନାଇଁ । ସ୍ୱାମୀଙ୍କର ଗୋଡ଼ ଘଷି ଦେଉ ଦେଉ ହାର ବି ନିଜର ସମ୍ମତି ଜଣାଇଲା–“ହଅ, ଗୁରୁ ସେବା ତ ପୁଣ୍ୟକାମ–ସେବା କଲେ କ’ଣ କିଛି ମାରା ହୋଇଯାଉଛି ?”

 

ସେଦିନ ହାରର ଗୁରୁନାମ ନେବା ଦିନ । ସେଇ ଦାଣ୍ଡ ବାଟଘର । ରାତି ଖାଇବା ପ୍ରହରଠାରୁ ବଳି ଗଲାଣି । ଭଜନ ସାରି ଭକ୍ତମାନେ ଯେ ଯାହା ଘରକୁ ଗଲେଣି ଚାଲି । ବାବାଜି ଘର ଭିତିରେ ପ୍ରଚୁର ଗଞ୍ଜେଇ ଧୂଆଁ ପିଇ ଅଚେତା ହୋଇ ସମାଧିସ୍ଥ ହୋଇଛନ୍ତି । ହାର ଘର ଭିତରକୁ ଗଲା । ହାତରେ ତୁଳସୀ, ଚନ୍ଦନ, ଚୁଆ, ଭଙ୍ଗାପାନ । ଘରେ ଛୋଟ ଦୀପଟିଏ ଜଳୁଛି । ପୂଜା ସାମଗ୍ରୀ ସେଇଠାରେ ରଖିଦେଇ ହାର କରଯୋଡ଼ ହୋଇ ଭୂଇଁରେ ସାଷ୍ଟାଙ୍ଗ ଦଣ୍ଡବତ କଲା-। କିଛି ସମୟ ପରେ ବାବାଜି ସମାଧିରୁ ଉଠିଲେ । ଅଳ୍ପ ସମୟ ଗମ୍ଭୀର ହୋଇ ବସି–ତା’ପରେ ଘର କବାଟ ଆଉଜାଇ ଆଣିଲେ । ହାର ସେଇପରି ଭୂଇଁରେ ପଡ଼ିଥାଏ । ବାବାଜି ଆଜ୍ଞା କଲେ–‘‘ଉଠ ମା’ ଉଠ, ତୋର ବ୍ରତ ସିଦ୍ଧ ହୋଇଛି । ଅଚିରେ ତୋର ମନସ୍କାମନା ପୂର୍ଣ୍ଣ ହେବ-।” ହାର ଉଠିଲା । ବାବାଜିଙ୍କ କହିବା ଅନୁସାରେ ତାଙ୍କ ଆଡ଼କୁ ମୁହଁ କରି ଚାହିଁ ବସିଲା । ବାବାଜି ଅଳ୍ପ ହସି ଆରମ୍ଭ କଲେ, ‘‘ଶୁଣ ମା’, ତୋର ଦୁଃଖ ସବୁ ଧ୍ୟାନ କରି ଜାଣିପାରିଛି । ସବୁ ଦୂର ହୋଇଯିବ ମା’ କିଛି ଚିନ୍ତା କରନା । ତୋର ସଦ୍‍ଜ୍ଞାନ ଉଦୟ ହୋଇଛି–ତୁ ଆସିଛୁ–ଖୁବ୍‍ ଭଲ କରିଛୁ ମା’ ଭକ୍ତ ତୁ, ପ୍ରକୃତ ଭକ୍ତ ।” ହାର କିଛି କହୁନଥାଏ–କିଛି ବି ବୁଝିପାରୁନଥାଏ । କେବଳ ତଳକୁ ମୁହଁ କରି ବସିଥାଏ । ବାବାଜି ପୁଣି ଆରମ୍ଭ କଲେ–“ଚାହାଁ, ମୋରି ଆଡ଼େ ଚାହାଁ–ଜ୍ଞାନ ଚକ୍ଷୁ ମେଲେଇ ଚାହାଁ–କ’ଣ ଦେଖିପାରୁଛୁ ? ବ୍ରହ୍ମଙ୍କୁ ଦେଖିପାରୁଛୁ ? ଦେଖିପାରୁନୁ ? ହଁ, ନିଶ୍ଚୟ ଦେଖିପାରୁଛୁ ! କହ, ‘ହଁ’–କହ, ‘ହଁ’ ।” କଥାର ଜୋରରେ ହାର ଚମକିପଡ଼ି, କହିଲା–‘‘ହଁ” । ‘‘ବାସ୍‍ ବାସ୍‍–ପ୍ରକୃତ ଭକ୍ତ ତୁ ମା’ । ସେଇ ବ୍ରହ୍ମଙ୍କୁ ସେବା କରିପାରିଲେ ତୋର ମନସ୍କାମନା ପୂର୍ଣ୍ଣ ହେବ । ପାରିବୁ ଏ ବ୍ରହ୍ମର ସେବାକରି ?

 

କହ ‘ହଁ’–କହ ‘ହଁ’ ।” ଏଥରକ ବି ହାର ବୁଝିନପାରି କହିଲା ‘‘ହଁ” । ବାବାଜି ହସିଲେ । ଖୁବ୍‍ ଆରାମରେ ହାରର ମୁଣ୍ଡଠାରୁ ଛାତି ପର୍ଯ୍ୟନ୍ତ ଆଉଁଷିଦେଇ କହିଲେ–‘‘ଠିକ୍‍ ବୁଝିଛୁ ମା’–ଠିକ୍‍ ବୁଝିଛୁ । ତୁ ପ୍ରକୃତରେ ଭକ୍ତ । ଆର ଜନ୍ମରେ ତୁ ବୃନ୍ଦା ଥିଲୁ–ହଁ ବୃନ୍ଦା ଥିଲୁ । ମୋର ଠିକ୍‍ ମନେପଡ଼ୁଛି–ତୁ ବୃନ୍ଦା ଥିଲୁ ।” ହାର କିଛି ବୁଝିପାରୁନି, ତା’ର ତ କାହିଁକି କିଛି ମନେପଡ଼ୁନି ! ଗୁରୁନାମ ପ୍ରକୃତରେ ବଡ଼ ଗହନ କଥା । ସେ ତ କ’ଣ କିଛି ବୁଝିପାରୁନି । ସେ ନିଶ୍ଚୟ ପାପିନୀ । ଓଃ କି ଗୋଳମାଳ ହେଇଯାଇଛି ମନ ଭିତରେ । ଦେହଟା ବି କାହିଁକି ଭାରି ଭାରି ଲାଗୁଛି, ବାବାଜିଙ୍କ ହାତ ସ୍ପର୍ଶରେ । ନିଶା ଗର୍ଜୁଛି । ଚାରିଆଡ଼ ଶୂନଶାନ୍‍ । ଗୋଟିଏ କବାଟ ଦିଆ ଘରେ ହାର ଓ ବାବାଜି । ହାରର ଦେହଟା ଶୀତେଇ ଉଠିଲା ! ଓଃ ହଠାତ୍‍ ବାବାଜି ହାରର ବେକରେ ନିଜର ବାହୁ ଦୁଇଟି ବେଷ୍ଟନ କଲେ । ଛି ଛି କଅଣ ଇଏ ? ହାରକୁ କାହିଁକି ଭଲ ଲାଗିଲାନି । ଆଖି ଯୋଡ଼ାକ ତା’ର ଦାଉ ଦାଉ ହୋଇ ଜଳିଉଠିଲା । ମୁହଁଟା ଲାଲ ପଡ଼ିଗଲା । କିନ୍ତୁ ଦେହଟା ଯେ ଭାରି ଭାରି ଲାଗୁଛି । ଛି ଛି–ବାବାଜିର ହାତ ଦୁଇଟାକୁ ହାର ଜୋରରେ ଛିଞ୍ଚାଡ଼ିଦେଲା । ‘‘ଏ କ’ଣ ମହାପ୍ରୁ ? ଇସ୍‍ କି ପାପ କଥା ଏ ?” ବାବାଜିଙ୍କ ଆଡ଼କୁ କଟମଟ କରି ଚାହିଁଲା ହାର । ବାବାଜିଙ୍କ ଆଖି ଦୁଇଟା ବଡ଼ ମଇଳା ଓ ବଡ଼ ଭୋକିଲା ହୋଇପଡ଼ିଛି । ପାଟିଟା ଗେଣ୍ଡା ଖୋଳ ପରି ମେଲା ହୋଇଯାଇଛି । ଜିଭ ବାହାରି ପଡ଼ିଛି ଅଳ୍ପ । ହାର ଦୁଆର ଫିଟେଇ ଦେବାକୁ ଯାଉଥିଲା । ବାବାଜି ତା’କୁ ଧରିପକେଇଲେ–‘‘ଆଃ ! ଏ କଅଣ ମା’ ? ତୋର ପାପ ମନ ଏପର୍ଯ୍ୟନ୍ତ ବି ଯାଇନି । ଏଇଥିପାଇଁ ଭଗବାନ ତୋ କୋଳରେ ପିଲା ଦେଇନାହାନ୍ତି । ତୁ ପାପୀ, ବ୍ରହ୍ମକୁ ନିନ୍ଦା କଲୁ । ଦେଖ ତୋର ମଙ୍ଗଳ ହେବନି । କହିଦଉଛି–ତୋର ଅମଙ୍ଗଳ ହେବ…

 

…ତୁ ଭକ୍ତି ମାର୍ଗ କ’ଣ ଜାଣିନୁ । ଆଗ ପ୍ରେମ, ତା’ପରେ ଭକ୍ତି । ‘କୃଷ୍ଣେନ୍ଦ୍ରିୟ ପ୍ରତି ଇଚ୍ଛା ତାରେ ବଲି ପ୍ରେମ୍’–ସେଇଥିପାଇଁ କୃଷ୍ଣ ପରା ନିଜ ମାଇଁଙ୍କ ସଙ୍ଗରେ– ।” ଏଇ ପର୍ଯ୍ୟନ୍ତ କହି ବାବାଜି ହାରର ବକ୍ଷ ଦେଶରେ ନିଜର ହସ୍ତ ସ୍ଥାପନ କଲେ ଖୁବ୍‍ ଦୃଢ଼ ଭାବରେ–ସେଇ ଗୋଳମାଳିଆ କଥା । ହାର କିଛି ବୁଝିପାରୁନି । କିନ୍ତୁ ଦେହଟା ଯେ ଭାରି ଭାରି ଲାଗୁଛି । ଆଉ ସେ ଠିଆହୋଇ ପାରିବନି । ଗୋଡ଼ଆଡ଼ୁ ବଳ ଖସିଆସୁଛି । ଏ କ’ଣ ? ଏ କ’ଣ ଗୁରୁସେବା ? ଏଇ କଅଣ ପୁତ୍ର ଲାଭର ଏକମାତ୍ର ପବିତ୍ର ଉପାୟ ? ବାବାଜି କଅଣ କହୁଛନ୍ତି ! ଓଃ ହାରର ମୁଣ୍ଡ ଘୂରୁଛି । ଦେହ ତମାମ ଝାଳ । ପୁଣି ବାବାଜିଙ୍କ ହାତ, ଇସ୍‍ କି କଥା ଏ ? ପ୍ରଭୁ ହେ ! ଏ ତୁମର ବି ପରୀକ୍ଷା । ହାରର ସର୍ବାଙ୍ଗ ଥରିଲା । ସେ କ’ଣ କରୁଛି ବୁଝିପାରୁନି । ଲାଭ, ହାନି–ଭଲ, ମନ୍ଦର କିଛି ଜ୍ଞାନ ନାହିଁ ତା’ର । ଶେଷକୁ ଦମ୍ଭ ଟିକକ ବି ଚାଲିଯାଉଛି ଆସ୍ତେ ଆସ୍ତେ । ବାବାଜି ଦୁଇ ହାତରେ ହାରକୁ ନିଜ ଆଡ଼କୁ ଆଉଜେଇ ନେଲେ । ଏ କ’ଣ ? ହାର ତ କାହିଁକି ନିଜ ଦେହକୁ ଏ ବାବାଜିର ବାହୁବନ୍ଧନ ଭିତରୁ ମୁକୁଳାଇ ପାରୁନି । ନା ନା ଏଥିରୁ ଖସିଗଲେ ତା’ର କିଛି ଲାଭ ହେବନାଇଁ । ତା’ର ପୁଅ ହେବ ଯେ... ଗୁରୁ ସେବା ନ କଲେ ବ୍ରହ୍ମବାବା ରାଗିପାରନ୍ତି । ଓଃ ପ୍ରହରାଜ ଘର ସାନ ପୁଅର ବାନ୍ତିର ଆମ୍ବିଳା ଗନ୍ଧ–ହୀରା ମା’ ପିଲାର ମୂତକନାର ଗନ୍ଧ, ହାର ନାକ ଭିତରେ ଲାଗି ରହିଛି । ଦେହ ପୁଣି ଥରିଲା । ନାଃ ଆଉ ସେ ପାରିବ ନାହିଁ । ଆଣ୍ଠକୁଡ଼ୀ ସେ ହୋଇପାରିବନି । ଯାହା ହେବାର ହେଉ ପଛେ । ତା’ର ସନ୍ତାନ ଦରକାର–ପୁଅ ଦରକାର ।

񤦬񤦬񤦬

 

ପ୍ରେମ ଓ ବିଲାତି ଆଳୁ

 

ଚାରିଆଡ଼େ ରାଷ୍ଟ୍ର ହୋଇଗଲା ଯେ, ଏ ବୟସରେ ବି ଓକିଲ ଧନୁର୍ଦ୍ଧର ମଙ୍ଗରାଜ ତାଙ୍କର କନ୍ୟା ବୟସର ଗୋଟିଏ ଝିଅ ସଙ୍ଗେ ପ୍ରେମ କରୁଛନ୍ତି । ଆମ ସାହିରେ ଆଜିକାଲି କେବଳ ସେଇ ଚର୍ଚ୍ଚା । ପ୍ରେମ ତ ଆମ ସାହିରେ ବହୁତ ଲୋକ କରୁଛନ୍ତି । ମାତ୍ର ଧନୁର୍ଦ୍ଧର ମଙ୍ଗରାଜଙ୍କ ପରି ଚାଳିଶି ବର୍ଷର ପ୍ରୌଢ଼–ଖ୍ୟାତିନାମା ଓକିଲ–ଗାର୍ଲସ୍କୁଲର ସେକ୍ରେଟେରୀ ହୋଇ ପୁଣି ସେହି ସ୍କୁଲର ଜଣେ ନବାଗତା ଷୋଳ ବର୍ଷର ତରୁଣୀ ଶିକ୍ଷୟିତ୍ରୀଙ୍କ ସଙ୍ଗେ ପ୍ରେମ କରିବା କଥା ଯେ ଶୁଣୁଛି, ସେ ଆଗ୍ରହରେ ଶୁଣୁଛି ଓ ଶୁଣିସାରି ବହେ ଆଶ୍ଚର୍ଯ୍ୟ ହେଉଛି–ଏବଂ ସେହି କଥାକୁ ରଙ୍ଗୀନ କରି ଆଉ ଜଣକୁ ଶୁଣାଉଛି । ଆମ ସାହିରେ ଏ ଘଟଣା ଶୁଣି କେତେକ ଉତ୍ତ୍ୟକ୍ତ ହେଉଛନ୍ତି–କେତେକ ନିନ୍ଦା କରୁଛନ୍ତି, ଆଉ କେତେକ କଥାଟାକୁ ଶୁଣିସାରି ମନ୍ତବ୍ୟ ଦେଉଛନ୍ତି–‘‘ହଉହେ ! ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ବଞ୍ଚି ରହିଲେ ଆଉ କେତେ ନୂଆ ଆଶ୍ଚର୍ଯ୍ୟ କଥା ଶୁଣିବ । ପାଞ୍ଚବର୍ଷ ମଧ୍ୟରେ ଫେର୍‍ ଶୁଣିବ–ସୂର୍ଯ୍ୟ ପଶ୍ଚିମରୁ ଉଦୟ ହେଉଛି ।” ଲୋକେ ତ ଯାହା କୁହାକୋହି ହେଉଛନ୍ତି–ମୁଁ ନିଜେ ମଧ୍ୟ ଆଉ ରାତିରେ ଶୋଇପାରୁନାହିଁ । ମୋ ଗୃହିଣୀ ପ୍ରତି ରାତିରେ ଏଇ ଘଟଣା ସମ୍ବନ୍ଧେ ଅଧିକ ଗୋଟିଏ ଦୁଇଟି ନୂତନ ତଥ୍ୟ ସହ ପୁନଶ୍ଚ ଆମୂଳଚୂଳ ସମଗ୍ର ଘଟଣାଟିକୁ ମୋ କାନପାଖେ ବୟାନ କରୁଛନ୍ତି ।

 

ଧନୁର୍ଦ୍ଧର ବାବୁ ମୋର ବାଲ୍ୟବନ୍ଧୁ । ଦୁହେଁ ପରସ୍ପରକୁ ଖୁବ୍‍ ଭଲପାଉ । ତାଙ୍କ ସମ୍ବନ୍ଧେ ବହୁ ଘଟଣା ମୁଁ ଶୁଣିଛି । ବଡ଼ ଚତୁର ବ୍ୟକ୍ତି । ବଡ଼ ମହତ୍‍ ଆଦର୍ଶର ଲୋକ । ଓକିଲାତିରୁ ପ୍ରଚୁର ଅର୍ଥ ଉପାର୍ଜନ କରନ୍ତି । ବହୁ ସାମାଜିକ ଅନୁଷ୍ଠାନର କର୍ତ୍ତା ସେ । ବହୁ ଅନୁଷ୍ଠାନ ଓ ଅଭାବଗ୍ରସ୍ତ ଲୋକଙ୍କୁ ସେ ବହୁ ଅର୍ଥ ସାହାଯ୍ୟ କରନ୍ତି । ଲୋକଟାର ରସବୋଧ ଅଛି । ହସହସ ମୁହଁ; ଆଖିର ଚାହାଣିରେ ସବୁ ଦୋଷକୁ କ୍ଷମା କରିବାର ଓ ସବୁ ଲୋକଙ୍କୁ ଆପଣାର କରିବାର ସମ୍ମୋହନକର ଚାହାଣି । ସବୁ କଥାକୁ ହସରେ ଉଡ଼ାଇ ଦିଅନ୍ତି । ଦେଖିବାକୁ ବଳିଷ୍ଠ–ସୁପୁରୁଷ । ମାତ୍ର କୌଣସି ପ୍ରକାରର ଭାବପ୍ରବଣତା, ସମ୍ବେଦନଶୀଳତା ବା ମୋହାଶକ୍ତି ତାଙ୍କଠାରେ କେହି କେବେ ଦେଖିନାହିଁ । ଧନୁର୍ଦ୍ଧର ଥିଲେ ଯଥାର୍ଥରେ ମୋହମୁକ୍ତ ନିର୍ଲିପ୍ତ ବ୍ୟକ୍ତି । ତାଙ୍କର ମନୋରମା ଭାର୍ଯ୍ୟା, ପୁତ୍ର, କନ୍ୟା, ଭୃତ୍ୟ, ଅର୍ଥ ଓ ଯଶ ସବୁ ଥିଲା । ମାତ୍ର ଧନୁର୍ଦ୍ଧର ଏସବୁ ଭିତରେ ଥାଇ ମଧ୍ୟ କେଉଁଥିରେ ମିଶୁ ନଥିଲେ । କୌଣସି ପ୍ରକାରର ହୃଦୟ ଦୌର୍ବଲ୍ୟ ତାଙ୍କୁ ବିଚଳିତ କରୁନଥିଲା । ଜନ୍ମରେ ସେ ଉଲ୍ଲସିତ ନୁହନ୍ତି କି ମୃତ୍ୟୁରେ ବି ସେ ବ୍ୟସ୍ତ ବିକଳ ହୋଇ ପଡ଼ନ୍ତି ନାହିଁ । ସାମାଜିକ ଜୀବନରେ ସେ ଥିଲେ ଜଣେ ନିଷ୍ଠାପର ଓ ନିର୍ଭରଯୋଗ୍ୟ ବ୍ୟକ୍ତି । ପରର ଉପକାର କରିବାକୁ ସେ ସବୁବେଳେ ଆଗ୍ରହଶୀଳ । ମାତ୍ର ‘‘ପରୋପକାରାୟ ସ୍ୱର୍ଗାୟ” ନୀତିବାକ୍ୟ ପ୍ରତି ଏକ ଭାବପ୍ରବଣ ଆସ୍ଥା ପୋଷଣ କରି ନୁହେଁ । ସେ ସବୁ କଥାକୁ କର୍ତ୍ତବ୍ୟ ବୋଲି ମନେକରନ୍ତି । ଏପରିକି ତାଙ୍କ ସ୍ତ୍ରୀଙ୍କ ସଙ୍ଗେ ପ୍ରେମାଳାପ କରିବାକୁ ଓ ତାଙ୍କ ଟିକିପୁଅର ନରମା ଗାଲରେ ଚୁମା ଦେବାକୁ ବି ସେ କର୍ତ୍ତବ୍ୟ ଦୃଷ୍ଟିରୁ କରନ୍ତି । ଅନ୍ତତଃ ସେ ଏହି କଥା କହନ୍ତି ।

 

ଧନୁର୍ଦ୍ଧର ଭିତରେ ବଡ଼ ଉଦାସୀ । ମାତ୍ର ଉପରେ ତାଙ୍କର ଯୁବକୋଚିତ ରସିକତା, ହାସ ପରିହାସ ଓ ଉଦ୍ଦାମ କର୍ମଚଞ୍ଚଳ ପ୍ରକୃତିଦେଖି ତାଙ୍କ ଭିତରର ଉଦାସୀ ଓ ନିର୍ଲିପ୍ତ ଲୋକଟିକୁ ଚିହ୍ନିବା ସାଧାରଣ ଲୋକ ପକ୍ଷେ କଷ୍ଟକର ହୋଇଥାଏ । ଧନୁର୍ଦ୍ଧର ଯେ କାହିଁକି ଏପରି ନିର୍ଲିପ୍ତ, ଉଦାସୀ ଓ ଅନାସକ୍ତ ହୋଇପଡ଼ିଛନ୍ତି ତା’ର ବହୁ କାରଣ ଅଛି । ଧନୁର୍ଦ୍ଧରଙ୍କ ଜୀବନରେ ବହୁଧରଣର ଘଟଣା ଘଟିଛି–ଯାହା ସର୍ବସାଧାରଣରେ ପ୍ରକାଶ୍ୟ ନୁହେଁ । ମୁଁ ନିଜେ ମଧ୍ୟ ସବୁ କଥା ଭଲଭାବେ ଜାଣିନାହିଁ-। ତେବେ ଏଇ ଧନୁର୍ଦ୍ଧର ବାବୁ ଯେ ପୁଣି ଏ ବୟସରେ ତାଙ୍କର କନ୍ୟା ବୟସର ଗୋଟିଏ ତରୁଣୀ ଶିକ୍ଷୟତ୍ରୀ ସଙ୍ଗେ ପ୍ରେମ କରୁଛନ୍ତି–ଏକଥା ବହୁବାର ଶୁଣି ମୁଁ ମଧ୍ୟ ଟିକେ ବିଚଳିତ ହୋଇପଡ଼ିଛି-। ତାଙ୍କ ଜୀବନରେ ନାନା ବିଚିତ୍ର ଘଟଣାବଳୀ ମଧ୍ୟରୁ ଗୋଟିଏ ଘଟଣା ମୁଁ ଭଲଭାବେ ତାଙ୍କଠାରୁ ଶୁଣିଛି । ଏହା ଗୋଟିଏ ପ୍ରେମ ବ୍ୟାପାର । ଏଇ ଗୋଟିଏ ମାତ୍ର ପ୍ରେମ ଘଟଣା ତାଙ୍କ ଜୀବନରେ ପ୍ରଥମ ଓ ଶେଷ ଏବଂ ଏଇ ଘଟଣାଟି ପରେ ଏ ପ୍ରେମ ଫ୍ରେମ ବ୍ୟାପାରରେ ସେ ବଡ଼ ନିଷ୍ଠୁର ଭାବେ ଅନାସକ୍ତ । ଘଟଣାଟି କହେଁ–

 

ଧନୁର୍ଦ୍ଧର ବାବୁ ଯେତେବେଳେ ନଅବର୍ଷ ବୟସର ବାଳକ, ସେତେବେଳେ ସେ ଖୁବ୍ ଭାବପ୍ରବଣ ଥିଲେ । ଟିକକ କଥାରେ ସେ କାନ୍ଦି ପକାଉଥିଲେ ଏବଂ ତାଙ୍କ ଭିତରେ ଏକ କବିସୁଲଭ କୋମଳ ଓ ରସାଳ ହୃଦୟ ଥିଲା । ଗଳ୍ପ, କବିତା, ନାଟକ ଆଦି ଯେକୌଣସି ବହି ତାଙ୍କ ଆଗରେ ପଡ଼ୁଥିଲା–ସେ ଏକା ନିଃଶ୍ୱାସରେ ସେସବୁ ପଢ଼ି ସାରି ଦେଉଥିଲେ । ସେ ସବୁ ଭଲଭାବରେ ନ ବୁଝି ପାରୁଥିଲେ ବି ତାଙ୍କର ଜନ୍ମଗତ ଗଭୀର ରସବୋଧ ବଳରେ ସେ କିଛି କିଛି ନିଜର ସ୍ୱପ୍ନିଳ ଆବେଶ ଓ ସମ୍ବେଦନଶୀଳତାରୁ ଧରିନେଇ ପାରୁଥିଲେ । ତେବେ ସବୁଠାରୁ ସେ ‘କେଦାରଗୌରୀ’ ଗୀତାଭିନୟଟିକୁ ପଢ଼ିବାକୁ ଖୁବ୍‍ ଭଲପାଉଥିଲେ ଏବଂ ନିଜକୁ ‘କେଦାର’ ସ୍ଥାନରେ ରଖି ସେ କଳ୍ପନା ଓ ସ୍ୱପ୍ନରେ ତାଙ୍କର ମାନସୀ ଗୌରୀଟିକୁ ଖୋଜି ଲାଗିଥିଲେ । ସେଇ ସ୍ୱପ୍ନଚାରିଣୀ ଆଶରୀରୀ ଭାବପ୍ରସୂତା ଅନାଗତା ‘ଗୌରୀ’ଟି ଲାଗି ଧନୁର୍ଦ୍ଧର ବାବୁ ପିଲାଦିନେ ବଡ଼ ବିରହ ବ୍ୟଥା ଭୋଗିଛନ୍ତି, ଶୀତଦିନେ ବଡ଼ିଭୋରରୁ ନିଦ ଭାଙ୍ଗିଯାଏ । ରେଜେଇ ଭିତରେ ଅଧାନିଦ ଓ ଅଧାଚିଆଁ କଣ୍ଠରେ ସେ ଗୀତାଭିନୟର ଗୋଟିଏ ଧାଡ଼ି ବିଳିବିଲେଇ ଉଠନ୍ତି–‘‘ଗୌରୀ-! ଗୌରୀ ! ମୋର ହୃଦୟର ରାଣୀ–ତୁମେ କୁଆଡ଼େ ଗଲ ?” ତାଙ୍କର ନିଦ ଭାଜିବାମାତ୍ରେ ସେ ଅନୁଭବ କରନ୍ତି–ସତେବା ଗୌରୀ ତାଙ୍କ ପାଖେ ଏଇ ରେଜେଇ ଭିତରେ ଶୋଇଥିଲା, ମାତ୍ର ତାଙ୍କ ଅଜାଣତରେ ତାଙ୍କୁ ଛାଡ଼ି କୁଆଡ଼େ ପଳାଇ ଯାଇଛି !! ଧନୁର୍ଦ୍ଧରଙ୍କର ବିଧୁର ବିଳପିତ ହୃଦୟଟି ବେଦନାରେ ଗୁମୁରି ଉଠେ–‘‘ଗୌରୀ ! ମୋର ପ୍ରାଣପ୍ରିୟା ଗୌରୀ ! ତୁମେ କେଉଁଠାରେ ଅଛ ? ଭଲାଥରେ ଦେଖା ଦେଇ ଏ ସନ୍ତପ୍ତ ପ୍ରାଣକୁ ଶୀତଳ କର ।” ରେଜେଇ ଭିତରେ ସକାଳୁଆ ଅନ୍ଧାରଘରେ ଶୋଇରହି ଧନୁର୍ଦ୍ଧର ମନେକରନ୍ତି–ସେ ଘୋର ଜଙ୍ଗଲ ମଧ୍ୟରେ ଗୌରୀକୁ ଖୋଜି ଲାଗିଛନ୍ତି ଏବଂ ହଠାତ୍‍ ଏକ ହିଂସ୍ର ବ୍ୟାଘ୍ରର ଭୟଙ୍କର ଗର୍ଜନ ଶୁଣିପାରୁଛନ୍ତି । ଧନୁର୍ଦ୍ଧର ଭୟରେ ହାତମୁଠା ବନ୍ଦ କରନ୍ତି ଏବଂ ପ୍ରସ୍ତୁତ ହୋଇଯାନ୍ତି ଖଣ୍ଡାରେ ବାଘଟିକୁ ମାରିବେ ବୋଲି । ଏହି ଅବସ୍ଥାରେ ପୁଣିଥରେ ତାଙ୍କୁ ନିଦ ଲାଗିଯାଏ । ଆଉ ସକାଳ ଆଠଟାରେ ସ୍କୁଲକୁ ଯାଇ ସେ ବିଳମ୍ବ ଉପସ୍ଥିତି ଯୋଗୁଁ ମାଷ୍ଟରଙ୍କଠାରୁ ବେଶ୍‍ ବେତପାହାରଗୁଡ଼ିଏ ସହ୍ୟ କରନ୍ତି । ଧନୁର୍ଦ୍ଧର କିନ୍ତୁ ମନେକରନ୍ତି–‘‘ସବୁ କଷ୍ଟ ସିନା ସେଇ ପ୍ରାଣପ୍ରିୟା ଗୌରୀ ଲାଗି !! କିନ୍ତୁ ସେ ଗୌରୀ କାଇଁ ?” ଧନୁର୍ଦ୍ଧର ମନ ଭିତରେ ସେଇ ଅନାଗତା ମାନସୀ ଗୌରୀ ଲାଗି ବିଳାପ କରନ୍ତି, ‘‘ଗୌରୀ–ଗୌରୀ–କାହିଁ ସେହି ଗୌରୀ ?”

 

ଦିନେ କିନ୍ତୁ ଗୌରୀ ସତକୁ ସତ ଧନୁର୍ଦ୍ଧରଙ୍କ ଆଖି ଆଗକୁ ଆସିଲା–ଅବଶ୍ୟ ଶ୍ରୀମତୀ ପ୍ରତିଭା ସୁନ୍ଦରୀ ଦେଈ ରୂପରେ । ନଅ ଦଶ ବର୍ଷର କିଶୋରୀଟିଏ, ପାତଳ ମୁହଁଟି–ସରୁ ସରୁ ଭୂରୁ ଦୁଇଟି–ଲମ୍ବା ନାକଟିଏ । ଅଳ୍ପ ଡେଙ୍ଗୀ ହୋଇ ପାତଳ ଝିଅଟିଏ । ଦୁଧ ଅଳତାରେ ଗାଧୋଇଲା ପରି ଦେହର ରଙ୍ଗ । ସରୁ ଲମ୍ବ ନାକଟିରେ ଗୋଟିଏ ସୁନାର ମାଛି । ମଲ୍ଲୀ ଫୁଲ ପରି ହସି ହସି ଧନୁର୍ଦ୍ଧରଙ୍କୁ ପଚାରିଲା–‘‘ମୋର ସାହିତ୍ୟ ବହି ନାହିଁ । ଆଜି ମତେ ଟିକେ ତମ ବହିରେ ପଢ଼ାଇବ-? ମୋ ବହି ପଅରଦିନ ଆସିବ କଟକରୁ । ଆଜି ତ ମୋ ନାଁ ଲେଖା ହେଲା ।” ଧନୁର୍ଦ୍ଧରଙ୍କ ପାଟିରୁ ବଚନ ବାହାରିଲା ନାହିଁ । ତାଙ୍କର କଣ୍ଠରୁଦ୍ଧ ହୋଇ ଆସିଲା । ଆଖି ଛଳଛଳ ହୋଇଉଠିଲା-। ଆବେଗ ଓ ଉନ୍ମାଦନାରେ ବେଦନାତିଶଯ୍ୟରେ ତାଙ୍କର ମନେହେଲା, ସତେ ବା ତାଙ୍କ ଦେହ ଫୁଲି ଉଠୁଛି । ସେ ଅନୁଭବ କଲେ–ସତେ ବା ବେଶୀ ପବନ ଦିଆ ବେଲୁନ ପରି ସେ ଫୁଲି ଫୁଲି ହାଲୁକା ହୋଇ ଉଡ଼ିଯିବେ !! ସେ ଭାବିଲେ–ସେ ବୋଧେ ଫାଟି ଯିବେ ! କେତେ ସମୟ ଏଇଭଳି କାଟିଲା । ତାଙ୍କର ମନେହେଲା–ଏଇ–ଏଇ ତେବେ ତାଙ୍କର ପ୍ରାଣପ୍ରିୟା ଗୌରୀ-?? ଏତେ ଦିନେ–ଏତେ ଦିନେ ସେ ତାଙ୍କୁ ଦେଖାଦେଇଛି ? ଛଳଛଳ ଆଖିରେ ଧନୁର୍ଦ୍ଧର ହସି ଉଠିଲେ । ବେଦନା ଓ ଆନନ୍ଦର ମିଶ୍ରିତ ଆବେଗରେ ଧନୁର୍ଦ୍ଧର ଝିଅଟିକୁ ହାତ ଧରି ତାଙ୍କର ବସିବା ଜାଗାକୁ ନେଲେ । ଦୁହେଁ ଏକାଠି ଜାକିଜୁକି ବସିଲେ । ସାହିତ୍ୟ ପିରିଅଡ଼ରେ ଧନୁର୍ଦ୍ଧର ଆଗ୍ରହରେ ‘‘ଆଦର୍ଶ ପାଠ” ବହି ମେଲାଇ ପ୍ରତିଭା ଆଖି ଆଗରେ ଡେସ୍କ ଉପରେ ରଖିଲେ । ସେଦିନର ପାଠ୍ୟ ବିଷୟ ଥିଲା ‘‘ବିଲାତି ଆଳୁ” । ନୂଆ ପାଠ ପଢ଼ାଇବା ଆଗରୁ ମାଷ୍ଟ୍ରେ ପୁରୁଣା ପାଠ ପ୍ରଶ୍ନ କଲେ । ତା’ ପୂର୍ବଦିନ ‘‘ଧଳାଭାଲୁ” କଥା ପଢ଼ା ହୋଇଥିଲା । ମାଷ୍ଟ୍ରେ ପଚାରିଲେ–‘‘ଧଳାଭାଲୁ କେଉଁ ଅଞ୍ଚଳରେ ଦେଖାଯାନ୍ତି ?” ପ୍ରଶ୍ନଟା ହେଲା ପ୍ରତିଭାକୁ । ସେ ଜାଣି ନ ଥିଲା । ଧନୁର୍ଦ୍ଧର ତା’ କାନରେ କହିଦେଲେ–ଉତ୍ତରମେରୁ ଅଞ୍ଚଳ । ପ୍ରତିଭା କହିଦେଇ ଆନନ୍ଦରେ ବସିପଡ଼ିଲା ଏବଂ ବଡ଼ ପ୍ରଶଂସାମାନ ଆଖିରେ ଚାହିଁରହି ସେ ତା’ ପାଖକୁ ଲାଗିକରି ବସିଲା । ହଠାତ୍‍ ଧନୁର୍ଦ୍ଧରଙ୍କର ମନେହେଲା–ଏହି ପ୍ରତିଭା ସୁନ୍ଦରୀଟି ସତେ ଅବା ଉତ୍ତରମେରୁର ସେଇ ‘‘ଧଳାଭାଲୁ” । ତା’ର ଗୋରା ତକ୍‍ତକ୍‍ ଦେହ, କଅଁଳ ହାତ ଓ ଜଙ୍ଘ । ଧନୁର୍ଦ୍ଧର ଭାବିଲେ–ଉତ୍ତରମେରୁର ସେଇ ରୁମାଳିଆ ସୁନ୍ଦର ଧଳାଭାଲୁଟିକୁ ସେ ଜାକିଧରି ବସିଛନ୍ତି । ସହଜେ କୁହୁଡ଼ିଆ ଶୀତଦିନ । ପ୍ରତିଭା ସୁନ୍ଦରୀର ଦେହର ଉତ୍ତାପ–ନିଜ ମନର ଉତ୍ତେଜନା ଓ ଉତ୍ତରମେରୁର କଳ୍ପନାର ଧଳାଭାଲୁ–ସବୁ ମିଶି ଧନୁର୍ଦ୍ଧରଙ୍କ ହୃଦୟରେ ଏକ ଅଦ୍ଭୁତ ଆଲୋଡ଼ନ ସୃଷ୍ଟି କଲା । ଘରେ ତା’ର ତୁଳାଦିଆ ନରମ ଓ ଗରମ ରେଜେଇ ଯେତେବେଳେ ବୋଉ ତା’ର ଦେହ ଉପରେ ପକାଇ ଦିଅନ୍ତି, ଧନୁର୍ଦ୍ଧରର ମନେପଡ଼ିଯାଏ, ତୁନ୍ଦ୍ରା ଅଞ୍ଚଳର ସେଇ ଏସ୍କିମୋ ଆଉ ଧଳାଭାଲୁମାନଙ୍କ କଥା–ଯାହା ବିଷୟରେ ସେ ବହିରେ ପଢ଼ିଛି । ଆଜି ପ୍ରତିଭା ସୁନ୍ଦରୀର ନରମ ଗରମ ସ୍ପର୍ଶ ସଙ୍ଗେ ‘‘ଧଳାଭାଲୁ” ପ୍ରସଙ୍ଗ ମିଶି ତା’ର ଅବଚେତନ ମନରେ ଏକ ସୁଖାନୁଭୂତିର ସୂକ୍ଷ୍ମ ଛାପ ରହିଗଲା । ପୁଣି ସେଦିନ ପଢ଼ାଗଲା ‘‘ବିଲାତି ଆଳୁ” ପରି ଗୋଟାଏ ଅତି ନୀରସ ବିଷୟ । କିନ୍ତୁ ଧନୁର୍ଦ୍ଧରଙ୍କୁ ସେଦିନ ତାହା ବଡ଼ ସରସ ବୋଧ ହେଲା । ପାଣି ଭିତରେ ଅନେକ ଦିନ ଧରି ପଥର ପଡ଼ିରହିଲେ ପଥର ଚାରିପଟେ ବି କୋମଳ ଶିଉଳି ଲାଗିଯାଏ । ଧନୁର୍ଦ୍ଧରର ଭାବ ସମୁଦ୍ରରେ ପଡ଼ି ‘ଧଳାଭାଲୁ’ ଓ ‘ବିଲାତି ଆଳୁ’ ପରି ପ୍ରେମ ପକ୍ଷେ ଅବାନ୍ତର ଓ ନୀରସ ବସ୍ତୁ ଦୁଇଟିରେ ବି ରାଗର ଶିଉଳି ଲାଗି ରହିଲା । ସେଇ ଉଇଖିଆ ଡେସ୍କ–ଭଙ୍ଗା କାନ୍ଥ–ବୁଢ଼ା ମାଷ୍ଟ୍ରେ–ଶୀତ ସକାଳ–ଧଳାଭାଲୁ ଓ ବିଲାତି ଆଳୁ ପାଠ ମଧ୍ୟ ପ୍ରତିଭା ସୁନ୍ଦରୀ ସଙ୍ଗେ ମିଶି ଧନୁର୍ଦ୍ଧରଙ୍କ ମନରେ ଏକ ଅପୂର୍ବ ଶିହରଣ ଆଣିଲା । ସେହି ଦିନଟି ଧନୁର୍ଦ୍ଧରଙ୍କ ଜୀବନରେ ଏକ ସ୍ମରଣୀୟ ଦିବସ । ସେହି ଦିନଟିକୁ ଆଜି ମଧ୍ୟ ଧନୁର୍ଦ୍ଧର ଏକ ଅଧାଭୁଲା ସୁନ୍ଦର ସ୍ୱପ୍ନ ଭଳି ମନେରଖିଛନ୍ତି । ଏବେ ବି ନୈନିତାଲ ଆଳୁର ଦମ୍‍ ଖାଇଲା ବେଳେ ମନେପଡ଼େ–‘‘ଆଦର୍ଶ ପାଠ”–‘‘ଶୀତ ସକାଳ”–‘‘ଭଙ୍ଗା କାନ୍ଥ”–‘‘ଖାଲ ଢିପ ଚଟାଣ”–‘‘ବୁଢ଼ା ମାଷ୍ଟ୍ରେ”–‘‘ଉଇଖିଆ ଡେସ୍କ”–‘‘ଧଳାଭାଲୁ”–‘‘ବିଲାତି ଆଳୁ”–ଆଉ ସେଇ ଗୋରା ତକ୍‍ତକ୍‍ ତନୁ ପାତଳୀ ହସକୁଡ଼ୀ ଝିଅଟି–ଶ୍ରୀମତୀ ପ୍ରତିଭା ସୁନ୍ଦରୀ ଦେଈ–ଯାହାର ସରୁ ଲମ୍ବ ନାକଟିରେ ଜୁକୁଜୁକୁ ଗୋଟିଏ ସୁନାର ମାଛି !!

 

ଏବେ ଥରେ ଧନୁର୍ଦ୍ଧର ବାବୁଙ୍କର ଆଠ ବର୍ଷର ଝିଅ ଆସି ତାଙ୍କୁ ପଚାରିଲା–‘‘ବାପା ! ଧଳାଭାଲୁ କ’ଣ ଆମ ଦେଶରେ ନାହାନ୍ତି ?” ଧନୁର୍ଦ୍ଧର ବାବୁ ଚମକି ପଡ଼ିଲେ–‘‘ଧଳାଭାଲୁ ??”

 

ତା’ପରେ ଦୁଇ ମିନିଟ କାଳ ସେ ଗୁମ୍‍ମାରି ବସିପଡ଼ିଲେ । ତାଙ୍କ ମୁଣ୍ଡ ବୁଲାଇ ଦେଲା । ସାନ ଝିଅଟି ଚିତ୍କାର କରି ଉଠିଲା । ସ୍ତ୍ରୀ ଅନଙ୍ଗମଞ୍ଜରୀ ଦୌଡ଼ି ଆସିଲେ । ପାଣି ଛିଞ୍ଚା ହେଲା । ନାକରେ ଅଦାରସ ତେଣ୍ଡା ଗଲା । ଚେତା ପାଇ ଉଠିବସି ସେ ବଡ଼ ଅପ୍ରସ୍ତୁତ ହେଲେ । କେହି କିଛି କାରଣ ବୁଝିପାରିଲେ ନାହିଁ । ସାନ ଝିଅଟି ଆଶ୍ଚର୍ଯ୍ୟ ହୋଇ ତାଙ୍କ କୋଳକୁ ଆସି ପଚାରିଲା–‘‘ବାପା ! ତୁମକୁ କ’ଣ ‘ଧଳାଭାଲୁ’ ଭାରି ଡର ଲାଗେ ?”

 

X X X X

 

ସେଦିନ ଗଲା । ମାସେ ଗଲା । ଧନୁର୍ଦ୍ଧର ପ୍ରତିଭା ସୁନ୍ଦରୀଙ୍କୁ ଖୁବ୍‍ ଭଲପାଇ ବସିଲେ । ଦୁହେଁ ଏକା ସଙ୍ଗେ ବସନ୍ତି । ଏକା ବହିରେ ପଢ଼ନ୍ତି । ଦି’ପହରେ ବଗିଚା ଜଗିବା ପାଳିରେ କେଦାରଗୌରୀ ଗୀତାଭିନୟ ଧରି କେଦାର ଗୌରୀ ପାର୍ଟ ଅଭିନୟ କରନ୍ତି । ଆଉ ବର୍ଷକ ମଧ୍ୟରେ ସେମାନେ ସତ୍ୟ କରିନେଲେ ଯେ ସେମାନେ ପରସ୍ପରକୁ ବାହା ହେବେ । ଯଦି ଉଭୟ ପକ୍ଷର ବାପ ମାଆ ମନାକରନ୍ତି, ତେବେ ସେମାନେ ଦିନେ ରାତିରେ ଲୁଚିକରି ଘରୁ ବାହାରି ଯିବେ, ଘୋର ବନସ୍ତକୁ । ପ୍ରତିଭାଠାରୁ ସମ୍ମତି ପାଇଲା ପରେ ଧନୁର୍ଦ୍ଧରଙ୍କ କଳ୍ପନାରେ ଡେଣା ଲାଗିଗଲା । ନାଃ–ଆଉ ବୃଥା ବିଳମ୍ବରେ ପ୍ରୟୋଜନ କ’ଣ ? କେଉଁଦିନ ରାତିରେ କେତେବେଳେ ସେମାନେ ଘର ଛାଡ଼ିବେ ? କେଉଁ ଜଙ୍ଗଲକୁ ପଳାଇବେ ସେମାନେ ? ସେ କୌଣସି ଜଙ୍ଗଲ ଦେଖି ନ ଥିଲେ-। ତାଙ୍କ ଘରର ଅଳ୍ପ ଦୂରରେ ଗୋଟିଏ ନିଘଞ୍ଚ ଆମ୍ବତୋଟା, ବେତଲଟୀ, କେନ୍ଦୁଗଛ, ବଡ଼ ବଡ଼ ଉଇହୁଙ୍କା, ସାନ ସାନ କଣ୍ଟା ବାଉଁଶ ବୁଦା, କେତୋଟି ଶୃଗାଳ ଆଉ ଗୋଟିଏ ଦୁଇଟି ଗଧିଆଙ୍କର ସେଇଟା ବାସସ୍ଥଳୀ । ଧନୁର୍ଦ୍ଧର ଏହାକୁଇ ମହାଅରଣ୍ୟ ବୋଲି ମନେକରିଥିଲେ ।

 

ଗୌରୀକୁ ସଙ୍ଗରେ ନେଇ ଏହି ଅଗ୍ନାଗ୍ନି ବନସ୍ତକୁ ପଳାଇବା ଲାଗି ତାଙ୍କର ମନ ଅସ୍ଥିର ହୋଇଉଠିଲା । ସେ ଖିଆ ପିଆ ଭୁଲିଗଲେ । ପାଠ ପଢ଼ାରେ ମନ ଲାଗିଲା ନାଇଁ । ସର୍ବଦା ପଳାୟନ ଚିନ୍ତା । ରାତିରେ ତାହା ହିଁ ସ୍ୱପ୍ନ ଦେଖିଲେ ।

 

ଦିନେ ପ୍ରତିଭାକୁ ଡାକି ଧନୁର୍ଦ୍ଧର ବ୍ୟାକୁଳ କଣ୍ଠରେ ପ୍ରସ୍ତାବ ଦେଲେ–‘‘ପ୍ରତିଭା ! ଆଜି ରାତିରେ ଆମେ ବାହାରିବା । ମୁଁ ଆସି ଏଇ ସ୍କୁଲପାଖେ ଅପେକ୍ଷା କରିଥିବି । ତୁ ଆସିବୁତ ?” ପ୍ରତିଭା ହସିଦେଲା । ସେ କହିଲା–‘‘ନା, ମୋତେ ଡର ଲାଗିବ । ତୁମେ ଯଦି ଆମ ବାଡ଼ି ପାଖକୁ ଆସିବ, ତେବେ ମୁଁ ଯିବି ।”

 

ଚଞ୍ଚଳ ପାଦ ପକାଇ ଧନୁର୍ଦ୍ଧର ଘରକୁ ଆସିଲେ । ସଞ୍ଜ ହେଲା । ଅନ୍ଧାର ରାତି । ଚାରିଆଡ଼େ ନିସ୍ତବ୍ଧ । ଧନୁର୍ଦ୍ଧର ଦାଣ୍ଡକୁ ଆସିଲେ । କିଛି ବାଟ ବି ଆଗେଇ ଗଲେ । ଘରର ସବୁ ମାୟା ମମତା ସେ ଛାଡ଼ିଛନ୍ତି । ଛାତି ଦମ୍‍ ଦମ୍‍ ପଡ଼ୁଛି । ଧନୁର୍ଦ୍ଧର ଆଗକୁ ଚାଲିଲେ । ଗୋଟିଏ କାଳିଆ କୁକୁର ଅନ୍ଧାର ଭିତରୁ ସଁ ସଁ ହୋଇ ତାଙ୍କ ଆଡ଼କୁ ମାଡ଼ି ଆସିଲା । ଧନୁର୍ଦ୍ଧର ଭୟରେ ଚିତ୍କାର କରି ପଛକୁ ବୁଲିପଡ଼ି ଘର ଆଡ଼କୁ ଦୌଡ଼ିଲେ । ତାଙ୍କ କକେଇ ଧନୁର ଏଭଳି ଅବସ୍ଥା ଓ ଚିତ୍କାର ଦେଖି ରାଗରେ ତାଙ୍କର କାନଧରି ମାରିଲେ ଦୁଇଟା ବ୍ରହ୍ମଚାପୁଡ଼ା । ‘‘ବଦମାସ ପିଲା–ପାଠ ପଢ଼ାର ନାଁ ଗନ୍ଧ ନାଇଁ–ଅନ୍ଧାରରେ ଦଉଡ଼ିଛି ଖେଳିବାକୁ ।”

 

ଧନୁର୍ଦ୍ଧର କାନ୍ଦି କାନ୍ଦି ଘର ଭିତରେ ପଶିଲେ । ସେଦିନୁ ତାଙ୍କୁ ସମସ୍ତେ ଜଗିଲେ । ସେ ଖାଇସାରି ଶୋଇଲେ । ଶେଯ ଉପରେ ପଡ଼ି ପଡ଼ି ସେ କେବଳ ସେଇ କଥା ଭାବିଲେ । ଆହା–ପ୍ରତିଭା ଆସି କେତେବେଳୁ ତା’ ବାଡ଼ିରେ ଠିଆହୋଇ ଏକାଏକା ତାଙ୍କୁ ଅପେକ୍ଷା କରିଥିବ !! ଏତେ ଉଚ୍ଛୁର ହେଲାଣି–ସେ କ’ଣ ଘରକୁ ଫେରିଯାଇ ନଥିବ ? ଆହା ! ତାକୁ ଯଦି ତା’ ବାପା ଏହି ପିଟି ଥିବେ ! ସେତ କେତେ ବିକଳରେ କାନ୍ଦିକାନ୍ଦି ମୋତେଇ ମନ ଭିତରେ ଗାଳି ଦେଉଥିବ ! ଆହା–ପ୍ରାଣପ୍ରିୟା ମୋ ଲାଗି କେତେ କଷ୍ଟ ସହୁଥିବ !! ଧନୁର୍ଦ୍ଧର ତକିଆରେ ମୁହଁମାଡ଼ି କଇଁକଇଁ ହୋଇ କାନ୍ଦି ଲାଗିଲେ । ତାଙ୍କ ମା’ କହିଲେ–

 

“ଦେ–ତୁନି–ହ ! କକେଇ ତ ଗୋଟେ ମାଇଲେ । ସେତେବେଳେ ଯାଇ ମାରିଥିଲେ । ତୁ ପୁଣି ଏତେବେଳେ ଆଉ କାନ୍ଦୁଛୁ କାହିଁକି ?”

 

ଆହା ! କିଏ ବୁଝିପାରନ୍ତା ଧନୁର୍ଦ୍ଧରଙ୍କ ସେତେବେଳର ମନର ବେଦନା ! ଧନୁର୍ଦ୍ଧରଙ୍କର କାନ୍ଦଣା ??

 

ଧନୁର୍ଦ୍ଧରଙ୍କୁ ନିଦ ହୋଇଗଲା । ଗୋଟାଏ କ’ଣ ପର୍ବ ଯୋଗୁଁ ସ୍କୁଲ ଦୁଇଦିନ ବନ୍ଦଥିଲା । ସ୍କୁଲ ଖୋଲିଲା–ସେଦିନ ସକାଳୁ ଉଠି ସେ ସ୍କୁଲକୁ ଗଲେ । ମାତ୍ର ପ୍ରତିଭା କାଇଁ ? ସ୍କୁଲ ଛୁଟି ହେଲା, ତଥାପି ସେ ଆସିଲା ନାହିଁ । କ’ଣ ହେଲା ତା’ର ? ସେ କ’ଣ ଅଭିମାନରେ ଆସୁନାହିଁ ? ହାୟ–ହାୟ ! ଧନୁର୍ଦ୍ଧର ବ୍ୟସ୍ତ ହୋଇପଡ଼ିଲେ । ଏକଲା ଯାଇ ସେ ବାଲିକୁଦ ଉପରେ କାନ୍ଦିବାକୁ ଲାଗିଲେ । ସେ କ’ଣ ଆଉ ଆସିବ ନାଇଁ ? ହଁହଁ–ମୋର ତ ସବୁ ଦୋଷ । ମୁଁ କଥା ଦେଇ କଥା ରଖିପାରିଲି ନାଇଁ । ସେ ପ୍ରତିଭାକୁ ଭେଟିବା ଲାଗି ତାଙ୍କ ଘରକୁ ଗଲେ । ପ୍ରତିଭାର ବାପା ସ୍ଥାନୀୟ ଡାକ୍ତରଖାନାର ଡାକ୍ତର । ଧନୁର୍ଦ୍ଧର ଅଣନିଶ୍ୱାସୀ ହୋଇ ତାଙ୍କ ଘର ଭିତରକୁ ପଶିଲେ । ମାତ୍ର ଏ କ’ଣ ? ଏମାନେ କିଏ ? ତା’ ବାପା ବୋଉ କାହାନ୍ତି ? ତା’ର ସାନ ଭାଇ ଭଉଣୀ କାହାନ୍ତି ?

 

କେହି ଜଣେ ଚଷମାଦିଆ ଅଚିହ୍ନା ପେଟୁଆ ଲୋକ ପାଟିକରି ଉଠିଲା–“ହେ-ହେ-ହେ ଟୋକା କୁଆଡ଼େ ୟା ଭିତରକୁ ପଶି ଯାଉଚୁ ?” ଧନୁର୍ଦ୍ଧର ଛାନିଆ ହୋଇ ଘର ଭିତରୁ ପଦାକୁ ଆସିଲେ……

 

ଧନୁର୍ଦ୍ଧର ବୁଝିଲେ–ପ୍ରତିଭାର ବାପା ଏ ଡାକ୍ତରଖାନାରୁ ବଦଳି ହୋଇ ଅନ୍ୟ ଜାଗାକୁ ଗଲେଣି । ତାଙ୍କ ଜାଗାରେ ନୂଆ ଡାକ୍ତର ଆସି ତାଙ୍କ ଘରେ ରହିଲେଣି ।

 

ପ୍ରତିଭା ଆଉ ଆସିବ ନାଇଁ ? ଆଉ ସେ ତାକୁ ଦେଖିପାରିବେ ନାହିଁ ?? ନାହିଁ ??? ସେ ଏଡ଼େ ନିଷ୍ଠୁରା ?? ସେ ଗଲାବେଳେ ଟିକେ ଆଗରୁ କହିକରି ଗଲା ନାହିଁ ? ଦୁଃଖ, ଅଭିମାନ, କାରୁଣ୍ୟ ଓ ବ୍ୟର୍ଥତାରେ ଧନୁର୍ଦ୍ଧର ଭାଙ୍ଗିପଡ଼ିଲେ । ଅନେକ ଦିନ ପର୍ଯ୍ୟନ୍ତ ପ୍ରତିଭାକୁ ଝୁରିଝୁରି ନୀରବରେ କେବଳ ସେ ଲୁହ ଢାଳିଛନ୍ତି ।

 

–ଦୁଇ–

 

ସେଇ ଦିନଠାରୁ ଦଶବର୍ଷ ପରେ–

ଧନୁର୍ଦ୍ଧର ବେଶ୍‍ ବଡ଼ ହୋଇ ଗଲେଣି । କଲେଜରେ ପଢ଼ୁଛନ୍ତି । ବଡ଼ଦିନ ଛୁଟିରେ ଘରକୁ ଆସିଥାନ୍ତି । ଶୀତଦିନ, ସକାଳୁ ଉଠି ଧନୁର୍ଦ୍ଧର ନଦୀକୂଳକୁ ବୁଲି ବାହାରିଲେ । କୁହୁଡ଼ିରେ କିଛି ସ୍ପଷ୍ଟ ଦେଖାଯାଉ ନାହିଁ । ବୁଲୁ ବୁଲୁ ତାଙ୍କ ପିଲାଦିନର ପରିଚିତ ସେଇ ପାଠଶାଳା ନିକଟକୁ ଆସିଲେ । ସବୁ ବଦଳିଗଲାଣି । ଭଙ୍ଗାକାନ୍ଥ ପୁଣିଥରେ ଇଟାରେ ତିଆରି ହୋଇଛି । ଟିଣ ଛପର ଘର । କାନ୍ଥରେ ଚୂନ ଧଉଳା ହୋଇଛି । ତାଙ୍କ ସମୟକୁ ମନେପକାଇବା ଲାଗି କୌଣସି ପୁରାତନ ସ୍ମୃତି ମଧ୍ୟ ଆଉ ନାହିଁ । କିନ୍ତୁ ଅଛି ଗୋଟିଏ ଚାକୁଣ୍ଡା ଗଛ । ଧନୁର୍ଦ୍ଧରଙ୍କ ସମୟରେ ଏଇ ଗଛଟି ଲଗା ହୋଇଥିଲା । ପାଣି ବୋହି ବୋହି ହାତରେ ବିଣ୍ଡି ବସିଥିଲା । ସେ ଗଛ ଏକ ବିଶାଳ ଦ୍ରୁମରେ ପରିଣତ ହେଲାଣି । ଧନୁର୍ଦ୍ଧର ସେ ଗଛ ମୂଳକୁ ଗଲେ । ଗଛଟିକୁ ଆଉଁଷିଲେ । ତାକୁ କୁଣ୍ଢାଇଧରି ନିଜ ଗାଲକୁ ସେଠି ଘଷିଲେ । ହାୟ-ହାୟ-କେତେ ଦିନର କଥା–ଗୋଟିଏ ଯୁଗ ପରି ଲାଗୁଛି । ସେପରି ଗୋଟିଏ ସ୍ୱପ୍ନ !!

ହଠାତ୍‍ ପଛଆଡ଼ୁ କାହାର ଶବ୍ଦ ଶୁଣି ଧନୁର୍ଦ୍ଧର ଚମକି ପଡ଼ିଲେ । ଆଗନ୍ତୁକଟି ଡାକ୍ତରଖାନାର ମେହେନ୍ତର ।

“ଆଜ୍ଞା ! ଦେଈ ଡାକୁଛନ୍ତି–ଟିକେ ଆସନ୍ତୁ !”

“ଦେଈ? କିଏ ସେ ଦେଈ ?”

‘‘ଏଇ ଆମ ଡାକ୍ତର ବାବୁଙ୍କର ବଡ଼ ଝିଅ–”

“ଡାକ୍ତର ବାବୁ ? କିଏ ଅବିନାଶ ବାବୁ ? ସେ କ’ଣ ଏଠିକି ପୁଣି ବଦଳି ହୋଇ ଆସିଛନ୍ତି ?”

ହଠାତ୍‍ ଧନୁର୍ଦ୍ଧର ପାଗଳ ପରି ହେଲେ । ତାଙ୍କ ଭିତରେ ଅତୀତର ଭାବ ଫେଣେଇଁ ହୋଇ ଉଠିଲା । ସେ ସବୁ ଭୁଲିଗଲେ । ତାଙ୍କ ବୟସ–ତାଙ୍କ ଉଚ୍ଚତା–ତାଙ୍କ ଦାଢ଼ି–ଆଉ ତାଙ୍କ ଜ୍ଞାନ–ବୁଦ୍ଧି ସବୁ କିଛି– । ଆନନ୍ଦରେ ଉତ୍‍ଫୁଲ୍ଲ ହୋଇ ସେ ଦୌଡ଼ିବାକୁ ଆରମ୍ଭ କରିଦେଲେ । ପ୍ରତିଭା ଆସିଚି–ପ୍ରତିଭା ? ସତେ ସେ ଆସିଚି ? ସେଇ ହସକୁଡ଼ୀ ପାତଳୀ ହୋଇ ଝିଅଟି–ନାକରେ ତା’ର ଜୁଳୁଜୁଳୁ ହୋଇ ସୁନା ମାଛିଟିଏ–ତା’ର ପ୍ରାଣପ୍ରିୟା ଗୌରୀ ! ତା’ର କଳ୍ପନାର ମାନସୀ !! ତା’ର ସ୍ୱପ୍ନର ଅଲିଅଳ ରାଜକୁମାରୀ !!!

ଧନୁର୍ଦ୍ଧର ବାଲିରେ ଧଇଁସଇଁ ହୋଇ ଦୌଡ଼ୁଛନ୍ତି–ଶୀତ ସକାଳର କୁହୁଡ଼ି ଭଲଭାବେ ଛାଡ଼ିନି । ମନେପଡ଼ୁଛି–ମନେପଡ଼ୁଛି–ସାଇବେରିଆର ଧଳାଭାଲୁ–ବିଲାତି ଆଳୁ–ବୁଢ଼ାମାଷ୍ଟ୍ରେ–ଭଙ୍ଗାକାନ୍ଥ–ଉଇଖିଆ ଡେସ୍କ–ଆଉ ଶ୍ରୀମତୀ ପ୍ରତିଭା ସୁନ୍ଦରୀ ଦେଈ । ଧନୁର୍ଦ୍ଧର ନଅ ବର୍ଷର ପିଲାଟିପରି ବାଲି ଉପରେ ଡେଇଁ ଡେଇଁ ଧପାଲିଛନ୍ତି । ଆଖି ଆଗରେ ତାଙ୍କର ନାଚୁଛି–ସେଇ ପାତଳୀ ହସକୁଡ଼ୀ ଗୋରୀ ଝିଅଟି–ନଅ ବର୍ଷର ପ୍ରତିଭା ସୁନ୍ଦରୀ ଦେଈ ହସି ହସି ସେ ଆଗେ ଆଗେ ଦୌଡ଼ୁଛି !

“ମତେ ଛୁଇଁ ପାରିବ ?”

“ମତେ ଧରି ପାରିବ ?”

“ପାରିବ ?”

“ପାରିବ ?”

“ପାରିବ ମତେ ଧରି ?”

ଧନୁର୍ଦ୍ଧର ପ୍ରାଣମୂର୍ଚ୍ଛା ଦଉଡ଼ ଲଗାଇଛନ୍ତି । ହଠାତ୍‍ ଖିଲିଖିଲି ହସରେ ଧନୁର୍ଦ୍ଧର ଚମକିପଡ଼ି ଥକ୍କା ହୋଇ ଠିଆ ହୋଇଗଲେ । ବାଉଳାରେ ସେ ଡାକ୍ତରଘରକୁ ପାରି ହୋଇ ଦଉଡ଼ି ଯାଇଚନ୍ତି ଆଗକୁ । ପଛରୁ ସମ୍ମିଳିତ ନାରୀ କଣ୍ଠରୁ ଉପହସିତ ଆହ୍ୱାନ–

ଆରେ ଏଣେ ଆସ–ଏଣେ ଆସ–ତେଣେ କୁଆଡ଼େ ଦଉଡ଼ିଛ ? କ’ଣ ବ୍ୟାୟାମ କରୁଛ ନା କ’ଣ ?

ଧନୁର୍ଦ୍ଧର ପୁଣି ପଛକୁ ଦଉଡ଼ିଲେ । ଏକା କ୍ଷେପାକେ ମାରିଲେ ଡିଆଁ ଡାକ୍ତରଙ୍କ ଘର ବାରଣ୍ଡା ଉପରକୁ ! ଝିଅମାନେ ଘୁଞ୍ଚିଗଲେ । ସମସ୍ତେ ହଠାତ୍‍ ନୀରବ ହୋଇ ଗମ୍ଭୀର ହୋଇଗଲେ-

“କାଇଁ–କାଇଁ-ପ୍ରତିଭା କାଇଁ ?”

ଧନୁର୍ଦ୍ଧର କ୍ରୀଡ଼ା-ଚପଳ ଆଖିରେ ସବୁ ତରୁଣୀଙ୍କ ମୁହଁକୁ ଅନାଇ ଗଲେ । ଦୁଇଟି ତରୁଣୀ ଅପମାନିତ ହେଲାପରି ଘର ଭିତରକୁ ପଶିଗଲେ । ଘର ଭିତରେ ପଶୁ ପଶୁ ଜଣେ ମନ୍ତବ୍ୟ ଦେଲା–

“ଲୋକଟାର ଚାହାଣିଟା ଅନେକଟା ଗୋଧିର ଚାହାଣି ଭଳି–ନୁହେଁ ଲୋ ଶାନ୍ତି ?”

“ମତେ ଥରେ ଗୋଟିଏ ଏଣ୍ଡୁଅ ଏହିପରି ଚାହିଁଥିଲା” କେହି ଜଣେ ଉତ୍ତର ଦେଲା ।

ଧନୁର୍ଦ୍ଧର ସ୍ତମ୍ଭିତ ହୋଇ ଠିଆ ହୋଇଛନ୍ତି । ପାଟିରୁ ବଚନ ବାହାରୁ ନାଇଁ । ଆଗରେ ତାଙ୍କର ତରୁଣୀଟିଏ ଠିଆ ହୋଇଛି । ଖୁବ୍‍ ଗୋରୀ । ଗାଲ ଦୁଇଟି ଦୁଇ କଡ଼କୁ ଓହଳି ପଡ଼ୁଛି । ଅଣ୍ଡା ଆଉ ପେଟ ବାରି ହେଉ ନାହିଁ । କାନକୁ ଢାଙ୍କି ରହିଛି ଘନକେଶ । ଧନୁର୍ଦ୍ଧରଙ୍କ ଦେହର ଦୁଇ ଗୁଣ ମୋଟ ଏଇ ଝିଅଟିକୁ ଦେଖି ଧନୁର୍ଦ୍ଧର ଆଉ ସିଧା ଠିଆହୋଇ ନ ପାରି କାନ୍ଥକୁ ଆଉଜି ପଡ଼ିଲେ ।

“ଧନୁ ! ତୁମେ ତ କ’ଣ ଯେମିତି ଥିଲ ସେମିତି ଅଛ । ଟିକିଏ ହେଲେ ବଢ଼ିନାହଁ ? ଆସ-ଆସ, ଘର ଭିତରକୁ ଆସ ? ଦୂରରେ ସେଇ ଚାକୁଣ୍ଡା ଗଛ ମୂଳରେ ଠିଆହୋଇ କ’ଣ କରୁଥିଲ ? ସେଠୁ ବି ତୁମକୁ ଚିହ୍ନି ପକାଇଲି । ମେହେନ୍ତରକୁ ପଚାରିଲି–ସେ କିଏ ? ସେ କହିଲା–‘‘ଧନୁର୍ଦ୍ଧର ବାବୁ ।” ତୁମେ ଏମିତି ଦଉଡ଼ୁଥିଲ କାଇଁକି ? ଆଜିଯାଏ ତୁମର ସେଇ ପାଗଲା ସ୍ୱଭାବ ଯାଇନାହିଁ ?”

ହାତ ଧରି ପ୍ରତିଭା ତାକୁ ଘର ଭିତରକୁ ଟାଣିନେଲା । ଧନୁର୍ଦ୍ଧର ପଛେ ପଛେ ଗଲେ । ପ୍ରଥମ ଦେଖାରୁ ଧନୁର୍ଦ୍ଧରଙ୍କର ଅଧେ ସ୍ୱପ୍ନ ଭାଜି ଯାଇଛି । ତା’ କଣ୍ଠର ମୋଟା ଆବାଜ ଶୁଣି ଧନୁର୍ଦ୍ଧରଙ୍କର ଆଉ କିଛି ସ୍ୱପ୍ନ ବି କଟିଗଲା । ତଥାପି ସ୍ୱପ୍ନ ଭାଙ୍ଗି ନାହିଁ ପୂରାପୂରି । ମନରୁ ଭୂତ ଓହ୍ଲାଇ ନାହିଁ । ଆବେଶ କଟି ନାହିଁ ସମ୍ପୂର୍ଣ୍ଣ ଭାବେ । ପ୍ରତିଭା ତାଙ୍କ ହାତ ଧରି ଜୋରରେ ଟାଣି ନେଉଛି । ଧନୁର୍ଦ୍ଧରଙ୍କ ଆଙ୍ଗୁଠି କଟକଟ ଡାକିଲାଣି । ପ୍ରଥମେ ଦୁଆର ବନ୍ଧକୁ ଝୁଣ୍ଟିଲେ । ପ୍ରତିଭା ଟାଣି ନେଉଛି । ଦୁଇଟି ଘର ପାର ହୋଇ ପ୍ରତିଭାର ଶୟନ କକ୍ଷ । ବାରଣ୍ଡାରେ ବୁଢ଼ୀଟିଏ ଠିଆ ହୋଇଛି ।

 

“ବୋଉ ଦେଖିଲୁ–ଧନୁ ଯେଡ଼ିକିଟିଏ ଥିଲା–ସେଡ଼ିକିଟିଏ ହୋଇ ନାହିଁ ? ଜମ୍ମା ବଢ଼ିନି ବୋଉ !”

 

ବୁଢ଼ୀଟି ଉତ୍ତର ଦେଲେ–‘‘ଆଉ, ତୁ ତ ଯାହା ବଢ଼ିଛୁ ଛାଡ଼ ।”

 

ପ୍ରତିଭାର ଶୟନ କକ୍ଷ ! ଧନୁର୍ଦ୍ଧରକୁ ନେଇ ସେ ଖଟ ଉପରେ ବସାଇଲା । ତଳେ ପାନ ଭାଙ୍ଗି ବସିଲା । ଧନୁର୍ଦ୍ଧର ଖଟରୁ ଓହ୍ଲାଇ ଆସି ତଳେ ବସିଲେ । ଏତେବେଳକୁ ତାଙ୍କ ମୁହଁ ଖୋଲିଲା । ‘‘ଆଚ୍ଛା ପ୍ରତିଭା ! ତୁ କେଡ଼େ ମୋଟା ହୋଇଯାଇଛୁ, ନା ? ଆଚ୍ଛା–ତୋର ସବୁ ମନେପଡ଼େ ? ମନେପଡ଼େ ତୋର ଅତୀତ ? ସେଇ ପିଲାଦିନର କଥା ? ସେଇ ବୁଢ଼ା ମାଷ୍ଟ୍ରେ ? ସେଇ ଧଳାଭାଲୁ ? ସେଇ ବିଲାତି ଆଳୁ ? ମନେପଡ଼େ ? ମନେପଡ଼େ ତୋର ?

 

ଧନୁର୍ଦ୍ଧର ପ୍ରତିଭାର ମୋଟା ବାହୁକୁ ଧରି ଦୋହଲେଇ ଦେଲେ । ତାଙ୍କର କଣ୍ଠ ରୁଦ୍ଧ ହୋଇ ଆସିଲା । ପ୍ରତିଭା ସଂକୋଚରେ ତାଙ୍କ ହାତକୁ ଠେଲିଦେଇ ଟିକେ ଦୂରେଇ ଗଲା । ଆଉ ମୁହଁରେ ଶୁଖିଲା ହସ ଫୁଟାଇ କହିଲା–

 

“ଯା’ମ–ପାଗଳଟା । ତୋର ସେଇ ପାଗଳାମୀ ଗଲାନାଇଁ ? ଧଳାଭାଲୁ କ’ଣ ରେ ? ଧଳାଭାଲୁ କ’ଣ ଏଠି ଅଛନ୍ତି ?”

 

ଧନୁର୍ଦ୍ଧର ତା’ର ମୁହଁ ପାଖକୁ ମୁହଁ ନେଇ ଦୃଢ଼ ଅଥଚ ସ୍ୱପ୍ନିଳ କଣ୍ଠରେ କହିଲା–

 

“ଆଚ୍ଛା–ବିଲାତି ଆଳୁ ??”

 

ହସି ହସି ପ୍ରତିଭା ଗଡ଼ିଗଲା ।

 

“ବିଲାତି ଆଳୁ ? ବୋଉକୁ କହିବି ? ଦି’ଟା ଭାଜି ଦେବ ? ଖାଇବୁ ଆଜି ଆମ ଘରେ-? ହଁ ଶୁଣ୍‍ମ ଧନୁ ! ସେ ପାଗଳା କଥା ଛାଡ଼ । ଗୋଟିଏ ସଙ୍ଗୀତ ମାଷ୍ଟର କେଉଁଠୁ ଯୋଗାଡ଼ କରିଦେଲୁ । ଆଚ୍ଛା ମଫସଲକୁ ବାପାଙ୍କର ବଦଳି ହେଲା ଯେ–ଭାୟୋଲିନ୍‍ଟା ସେମିତି ଥୁଆ ହୋଇ ହୋଇ ଉଇ ଖାଇବ । ପିପିଲିରେ ଦୁଇଟା ମାଷ୍ଟର ମୋ ଲାଗି ଖଞ୍ଜା ହୋଇଥିଲେ । ଜଣେ ନାଚ ଶିଖାଉଥିଲା–ଆଉ ଜଣେ ସଙ୍ଗୀତ ଆଉ ଭାୟୋଲିନ୍‍ । ଏଠି ? ଛି ଛି ଏଡ଼େ ମଫସଲ ଜାଗା ଏଇଟା ? ଦେ’ତ ଭାଇ ଗୋଟେ ମାଷ୍ଟର ଯୋଗାଡ଼ କରି !!”

 

ସ୍ୱପ୍ନ କଟି ନାହିଁ । ଧନୁର୍ଦ୍ଧର ତଥାପି କହି ଚାଲିଛନ୍ତି–‘‘ଆଚ୍ଛା ! –ତୋର ବିଲାତି ଆଳୁ କଥା ମନେପଡ଼େ ନାଇଁ ?”

 

ପ୍ରତିଭା ବିରକ୍ତ ହେଲା ।

 

“ଶୁଣ୍‍ମ–ସବୁ କଥାକୁ ତୁ ଏମିତି ପରିହାସ କରୁଚୁ । ହଇରେ ତୋତେ ଗୋଟେ କଥା ପଚାରିବି–କିଛି ଭାବିବୁ ନାଇଁ । ତୁ ଚନ୍ଦ୍ରଶେଖର ପଟ୍ଟନାୟକଙ୍କୁ ଚିହ୍ନିଛୁ ? ତୁମ କଲେଜରେ ଏମ.ଏ ପଢ଼ୁଛନ୍ତି ମ ? ତୋର ତ ଆଇ.ଏ ହେଲା ପରା ? ତାଙ୍କରି ସାଙ୍ଗରେ ମୋର ବାହାଘର ନିର୍ବନ୍ଧ ହୋଇଛି । ଦୁଇମାସ ହେଲା । ତାଙ୍କର ଏକା ଜିଦ୍‍–ମୁଁ ନାଚ ଗୀତ ଶିଖିବି । ହଇରେ ଧନୁ–ତୁ କେଉଁଦିନ କଲେଜକୁ ଫେରୁଚୁ ? ଗଲାଦିନ ମୋ’ଠାରୁ ଖଣ୍ଡେ ଚିଠି ନେଇଯିବୁ ? ଦେଖ–କାହା ଆଗେ କିଛି କହିବୁ ନାହିଁ । ମୁଁ ଦୁଇ ଖଣ୍ଡ ଚିଠି ଦେଲିଣି । ସେ ଲେଖୁଛନ୍ତି ସେ ଜମା ଚିଠି ପାଉନାହାନ୍ତି ବୋଲି । ଡାକରେ ଚିଠି ଦେଲେ ତୁମ କଲେଜ ପିଲାଗୁଡ଼ିକ ଯେଉଁ ବଜାରୀ–କେଉଁଠି ଚିଠି ସବୁ ପଢ଼ି ଗଡ଼ପ୍‍ କରି ଦେଉଛନ୍ତି । ତୁ ଗଲାଦିନ ଆମ ଘରକୁ ଟିକେ ଆସିବୁ ? ଭାଇଟା ପରା କିଛି ଭାବିବୁ ନାଇଁ । ଗଲାଦିନ ମୋ’ଠାରୁ ଚିଠି ଖଣ୍ଡିକ ନିଶ୍ଚୟ ନେଇଯିବୁ । ନବୁ କି ନାଇଁ କହ ମ–ଧନୁ ! କହ ମ !!”

 

ଧନୁର୍ଦ୍ଧରଙ୍କ ମୁଣ୍ଡ ବୁଲାଇ ଦେଲାଣି । ତାଙ୍କର ନିଶା ଛାଡ଼ି ଗଲାଣି । ସେ ଦେଖୁଛନ୍ତି–ବାହାରେ ଟାଣ ଖରା ପଡ଼ିଲାଣି । କୁହୁଡ଼ି ଛାଡ଼ି ଗଲାଣି । ତାଙ୍କ ଆଗରେ ଗୋଟେ ମୋଟୀ ଝିଅ । ତା’ର ଦେହ ମୋଟା–ବୁଦ୍ଧି ମୋଟା–ହୃଦୟଟା ବି ମୋଟା । ସେ ପୁଣି ନାଚେ ଗାଏ–ଆଉ ବଜାଏ ଏବଂ ତାଙ୍କ କଲେଜର ଚନ୍ଦ୍ରଶେଖର ପଟ୍ଟନାୟକଙ୍କୁ ବାହା ହବା ପୂର୍ବରୁ ଚିଠି ଦେବାକୁ ଚାହେଁ–ପୁଣି ଧନୁ ହାତରେ । ସେଠି ଧଳାଭାଲୁ ନାହିଁ–ବିଲାତି ଆଳୁ ନାହିଁ–ବୁଢ଼ା ମାଷ୍ଟ୍ରେ ନାହାନ୍ତି–କିଛି ନାହିଁ ?

 

ଧନୁର୍ଦ୍ଧର ତଳକୁ ମୁହଁ ପୋତି ସେଠୁ ଫେରି ଆସିଲେ । ବାସ୍‍–ସେଇଦିନୁ ସେ ଆଉ ମୁହଁ ଉପରକୁ କରିନାହାନ୍ତି । ଆଉ କେଉଁ ଝିଅକୁ ବି ଚାହିଁ ନାହାନ୍ତି । ପ୍ରେମ ଫ୍ରେମ କଥା ପଡ଼ିଲେ ସେ କହନ୍ତି, ‘‘ପ୍ରେମଟା ନିହାତି ଗୋଟିଏ ପିଲାଳିଆ ଖେଳ–ଗୋଟେ ଅଯଥା ଭାବପ୍ରବଣତା । ବୟସ ହେଲେ ଓ ଦେହରେ ଚର୍ବି ଲାଗିଗଲେ ପ୍ରେମରୋଗ ଛାଡ଼ିଯାଏ । ତା’ଛଡ଼ା କାହାକୁ ବା ପ୍ରେମ କରିବ ?”

 

X X X X

 

ଆଜି ସେହି ଧନୁର୍ଦ୍ଧର ବାବୁ ବୟାଳିଶି ବର୍ଷ ବୟସରେ ତାଙ୍କର କନ୍ୟାପ୍ରତିମ ଝିଅଟିର ପ୍ରେମରେ ପଡ଼ିଛନ୍ତି ଶୁଣି ମୁଁ ତ ପ୍ରଥମେ ଇ ବେଶୀ ଆଶ୍ଚର୍ଯ୍ୟ ହେବାର କଥା ।

 

ଉପରଓଳି କାମରୁ ଫେରି ମୁଁ ଧନୁର୍ଦ୍ଧର ବାବୁଙ୍କ ଘରକୁ ଗଲି । ତାଙ୍କ ଦାଣ୍ଡ ମେଲାରେ ଅପେକ୍ଷା କଲି । ଦଶ ପନ୍ଦର ମିନିଟ ପରେ ଧନୁର୍ଦ୍ଧର ବାବୁ ଆସିଲେ । ସାଙ୍ଗରେ ତାଙ୍କର ସେହି ତରୁଣୀ ଶିକ୍ଷୟିତ୍ରୀଟି । ବାଃ–ବାଃ ! ଚମତ୍କାର ସୁଯୋଗ । ଠିକ୍‍ ବେଳାରେ ପହୁଁଚିଛି; କଥାଟା ପରିଷ୍କାର ବୁଝାପଡ଼ିଯିବ । ଧନୁର୍ଦ୍ଧର ବାବୁ ଘରେ ପଶୁ ପଶୁ ମୋତେ ଦେଖି ଚିତ୍କାର କଲେ–

 

“ଆରେ–ଆରେ–ଏ ଅଦିନିଆ କୁଣିଆ କ’ଣ ଆଜି ଆମ ଘରେ ? ଆଲୋ ଜିଲି ! ମଉସା ଆସିଛନ୍ତିଲୋ–ଚା’ ଆଣ–ପାନ ଆଣ– । ବୁଝିଲ ଧରଣୀ ! ଏଇ ଝିଅଟି କିଏ ଚିହ୍ନିଛ ?”

 

ମୁଁ କହିଲି–‘‘ମଲା–କି କଥା କହୁଚ ? ତାଙ୍କୁ ଚିହ୍ନି ନାଇଁ ? ସେ ଆମ ଗାର୍ଲସ୍କୁଲର ନୂଆ ମିଷ୍ଟ୍ରେସ ଟିକି ?”

 

“ଆରେ ଯାଃ–ଏତିକି ଚିହ୍ନିଚ ମୋଟେ ?”

 

ଧନୁର୍ଦ୍ଧର ବସିପଡ଼ିଲେ । ଝିଅଟି ମଧ୍ୟ ଗମ୍ଭୀର ହୋଇ ବସିପଡ଼ିଲା । ପାତଳୀ ହୋଇ ଗୋରୀ ଝିଅଟି–ବେଶ୍‍ ସୁନ୍ଦର ।

 

“ଲିଲି–ନମସ୍କାର କର । ଏ ମଧ୍ୟ ତୋର ମଉସା ହେବେ । ତୁମର ମନେପଡ଼ୁଛି ଧରଣୀ-! ଧଳାଭାଲୁ ? ବିଲାତି ଆଳୁ ? ଶ୍ରୀମତୀ ପ୍ରତିଭା ସୁନ୍ଦରୀ ଦେଈ ? ତାଙ୍କରି ଝିଅ ଏ–ତାଙ୍କରି ଝିଅ ଏଇ ବର୍ଷ ମାଟ୍ରିକ୍‍ ପାସ୍‍ କରି ଏଠି ଚାକିରି କରିଛି । ବାପ ମରିଗଲେଣି ଦୁଇ ବର୍ଷ ହେବ । ଭଲ ପଢ଼ୁଥିଲା ପିଲାଟି । ପଇସା ଅଭାବ ହେଲା । ପ୍ରତିଭା ମୋ ପାଖକୁ ଲେଖିଲା ଗୋଟିଏ ଲମ୍ବା ଚିଠି, ସବୁ ଦୁଃଖ କଥା ବର୍ଣ୍ଣନା କରି–ଲିଲି ତୁମ ଝିଅପରି । ଶୁଣିଲି ତୁମେ ଗାର୍ଲସ୍କୁଲର ସେକ୍ରେଟେରୀ-। ତା’କୁ ଚାକିରି ଖଣ୍ଡିକ ଦିଅ । ତା’ର ଇଚ୍ଛା ବର୍ଷେକାଳ ଚାକିରି କରି, ଟିଉସନ କରି କିଛି ଟଙ୍କା ହେଲେ ପୁଣି କଲେଜରେ ନାମ ଲେଖାଇବ । ମୁଁ କିନ୍ତୁ କ’ଣ କହୁଛି ଜାଣିଛ ? ମୁଁ କହୁଛି–ପଢ଼ିବ ତ ଯାଅ ପଢ଼–ଚାକିରିଟି ଛାଡ଼ । ଯାହା ଟଙ୍କା ଦରକାର ହେବ ଦେଖାଯିବ । ପ୍ରତିଭା ତ ପିଲାଦିନେ ଠିକ୍‍ ଏମିତି ପାତଳୀ ଥିଲା !! ଅବିକଳ ଏଇମିତି ଥିଲା ଦେଖିବାକୁ । ବୁଝିଲୁ ଲିଲି ! ତୁ ଏଇ ଜୁଲାଇ ମାସରେ କଲେଜରେ ନାମ ଲେଖା । ଟଙ୍କା କଥା ମୁଁ ବୁଝିବି । ନା’ କ’ଣ କହୁଚ ଧରଣୀ-?”

 

ମୁଁ ଆଉ କ’ଣ କହିଥାନ୍ତି ? ମୋର କି ଆଉ ବୁଝିବାକୁ ବାକି ଥିଲା ? ମୁଁ ଖାଲି ଭାବୁଥାଏ–ପ୍ରେମଟା ଗୋଟେ ପ୍ରକୃତରେ ଧଳାଭାଲୁ, ବିଲାତି ଆଳୁ ଆଉ ଧନୁର୍ଦ୍ଧର ମଙ୍ଗରାଜ ବ୍ୟାପାର । ହାୟ ପୁରୁଷ ! ତୁମର ଜୟ ହେଉ । ଜୟ ହେଉ ତୁମର ପ୍ରେମର, ତୁମର ସ୍ମୃତିର, ଆଉ ତୁମର ଭାବପ୍ରବଣତାର !!!

 

କାହିଁ ପ୍ରତିଭା ସୁନ୍ଦରୀ ଦେଈ !

 

କାହିଁ କାଳ ସମୁଦ୍ରରେ ହଜି ଯାଇଥିବା ୩୦ ବର୍ଷ ତଳର ଗୋଟିଏ ସରଳ, ତରଳ ଛୋଟ ଢେଉ !!

 

ଆଉ, କାହିଁ ଷୋଳ ବର୍ଷ ବୟସର ଲିଲି ମର୍ଦ୍ଦରାଜ !!!

񤦬񤦬񤦬

 

ଚପଳା ରାୟର ଇତିକଥା

 

ଏ ଦୁନିଆଁରେ ସବୁ ପ୍ରେମିକ ଗୋଟିଏ କଥାରେ ଏକମତ ଯେ, ସେମାନଙ୍କର ପ୍ରେମିକାଟି ଏକାନ୍ତ ଭାବରେ ସେହିମାନଙ୍କର ଅନୁରକ୍ତ ବା ଅନୁଗତ ହେଉ । ଯଦି ଦୈବାତ୍‍ ଅନ୍ୟ କୌଣସି ପ୍ରେମିକ ପ୍ରତି ସେମାନଙ୍କ ପ୍ରେମିକାଟିର କିଞ୍ଚିତ ଅନୁରକ୍ତି ପ୍ରକାଶ ପାଏ, ତେବେ ତା’ର ପରିଣତି ହୁଏ ଅତି ବିଷମୟ ବା ଦୁଃଖମୟ ।

 

ଶୁଭକାନ୍ତ କିନ୍ତୁ ଏହି ବ୍ୟାପାରଟିରେ ଭିନ୍ନ ମତ ପୋଷଣ କରନ୍ତି । ସେ କହନ୍ତି ଯେଉଁ ନାରୀଟି ଏକାନ୍ତ ଭାବରେ ଆପଣଙ୍କର ଅନୁରକ୍ତା, ସେ ଆପଣଙ୍କର ପ୍ରେମିକ ହୋଇନପାରେ । ସେଭଳି ନାରୀଟିକୁ ବିବାହ କରି ସ୍ୱଛନ୍ଦରେ ଘର କରି ହୁଏ, ପ୍ରେମ କରି ହୁଏ ନାହିଁ । ପ୍ରେମ କରିବା ଲାଗି ଆପଣ ଏଭଳି ନାରୀଟିଏ ବାଛନ୍ତୁ ଯାହା ପଛରେ ଅପଣଙ୍କଭଳି ବହୁ ପୁରୁଷ ଗୋଡ଼ାଇଥିବେ-। ସେ କେତେବେଳେ କାହାକୁ ଧରା ଦେଉଥିବ ପୁଣି କାହାର ଆଲିଙ୍ଗନ ଫାସ ଛିଣ୍ଡାଇ ଦୌଡ଼ୁଥିବ ଆଗକୁ ଅମୁହାଁ ମୁହାଁ । ତା’ ପଛରେ ଧାବମାନ ବହୁ ପୁରୁଷଙ୍କ ସଙ୍ଗେ ଦଉଡ଼ାରେ ପ୍ରତିଦ୍ୱନ୍ଦ୍ୱିତା କରି ଆପଣ ବେଶ୍‍ କିଛି ଉତ୍ତାପ ଆପଣଙ୍କ ଦେହ ଓ ମନ ଭିତରେ ସଞ୍ଚୟ କରିପାରିବେ । ଏହି ଉତ୍ତାପଟି ହେଉଛି ପ୍ରକୃତ ପ୍ରେମର ଉତ୍ତାପ । ଆଉ ପ୍ରକୃତ ପ୍ରେମ ହେଉଛି, ଏହିଭଳି ଏକପ୍ରକାର ଉତପ୍ତ ଅନୁଭୂତି । ଆଉ ପ୍ରକୃତ ପ୍ରେମିକ ହେଉଛି ସେହି, ଯେ ଆପଣଙ୍କ ହୃଦୟରେ ଏହି ଅନୁଭୂତିର ଉତ୍ତାପ ଭରିଦେଇପାରେ ।

 

ଚିରନ୍ତନ ପ୍ରେମ ଉପରେ ମଧ୍ୟ ଶୁଭକାନ୍ତର ବିଶ୍ୱାସ ନାହିଁ । ସେ କହେ ପ୍ରେମରେ ଚିରନ୍ତନ ବୋଲି କିଛିନାହିଁ । ଚନ୍ଦ୍ରଉଦିଆ ବାଣ ଦେଖିଛ? ଫାଇଁକିନା ଜଳେ ଆଉ ଫାଇଁକିନା ଲିଭେ-। ଯେଉଁ ପ୍ରେମ ସବୁବେଳେ ଜଳୁଛି ବୋଲି କହୁଚ–ସେ ଜମା ଜଳେ ନାହିଁ । ସେ କେବଳ କୁହୁଳେ-। ସେଥିରେ ନିଆଁ ନାହିଁ–ଖାଲି ଧୂଆଁ । ମନେକର ସେ ଏକ ଅପନ୍ତରା ଖାଲ ଢିପ ପଡ଼ିଆ–ମାଇଲ ମାଇଲ ଧରି ତା’ର ବିସ୍ତୃତି–ଆଖି ପାଉନାହିଁ । ଜଣକୁ ଲକ୍ଷ୍ୟକରି ପାଇବା ଆଶାରେ ତୁମେ ଦଉଡ଼ିଛ । ତୁମକୁ ପ୍ରତିଦ୍ୱନ୍ଦ୍ୱିତାରେ ହଟାଇ ବିଜୟ ଲାଭ କରିବାକୁ ବହୁ ପ୍ରତିଦ୍ୱନ୍ଦ୍ୱୀ ତୁମ ସଙ୍ଗେ ଦଉଡ଼ିଛନ୍ତି-। ଯାହାକୁ ଆଶାକରି ତୁମେ ଦଉଡ଼ିଛି–ସେ ତୁମ ସମସ୍ତଙ୍କ ମଧ୍ୟରେ କନ୍ଦିକାଟି ଦୌଡ଼ିଛି–ଘୂରି ଘୂରି-। କେତେବେଳେ ତୁମ କଡ଼େ କଡ଼େ–କେତେବେଳେ ତୁମ ପଶ୍ଚାତରେ–କେତେବେଳେ ତୁମର ସମ୍ମୁଖରେ । କେବେ ସେ ଆକାଶରେ ଉଡ଼ୁଛି–କେବେ ବା ଭୂମି ଉପରେ ଗଡ଼ି ଗଡ଼ି ଦଉଡ଼ୁଛି-। ତାକୁ ପାଇବା ଲାଗି ଲକ୍ଷ କୋଳାହଳ–ଲକ୍ଷ ବାଧାବିଘ୍ନ–ଲକ୍ଷ ପ୍ରତିଦ୍ୱନ୍ଦ୍ୱୀଙ୍କର ପ୍ରତିଯୋଗିତା ମଧ୍ୟରେ ହଠାତ୍‍ ତୁମେ ତାକୁ ଧରି ପକାଇଲ । ତା’ପରେ ତୁମ ଚାରିପଟେ ପ୍ରତିଯୋଗୀମାନେ ଏହି ଅପ୍ରତ୍ୟାଶିତ ଘଟଣାରେ ହଠାତ୍‍ ନିର୍ବାକ୍‍ ଭାବେ ଠିଆ ହୋଇଗଲେ । ତା’ପରେ–ତା’ପରେ ଏହି ଲକ୍ଷ କ୍ଷୁଧାକାତର ଆଖିତଳେ–ଲକ୍ଷ ପ୍ରେମ ଲୋଲୁପ ହୃଦୟରେ ଈର୍ଷାର ଅଗ୍ନି ଲଗାଇ ଦେଇ ତୁମେ ତୁମର ପ୍ରମିକାଟିକୁ ଅତି ନିବିଡ଼ ଭାବରେ ଆଲିଙ୍ଗନ କଲ–ତୁମ ଶରୀରର ସମସ୍ତ ଶକ୍ତି ପ୍ରୟୋଗ କରି ମନର ସମସ୍ତ ଆବେଗ ବା ଉନ୍ମାଦନା ସହ ଆତ୍ମାର ସମସ୍ତ ଉତ୍ତାପ ସଞ୍ଚରିତ କରି । କିନ୍ତୁ ବନ୍ଧୁ, ତୁମ ଶରୀରର ସେହି ଶକ୍ତି ସମ୍ପୂର୍ଣ୍ଣ ନିଃଶେଷ ହୋଇଯିବା ପୂର୍ବରୁ–ତୁମ ମନର ସମସ୍ତ ଆବେଗ ଲୋପ ହେବା ପୂର୍ବରୁ–ତୁମ ଆତ୍ମାର ସମସ୍ତ ଉତ୍ତାପ ଶୀତଳ ହେବା ପୂର୍ବରୁ–ମୋଟ ଉପରେ ତୁମ ଆଲିଙ୍ଗନର ସୁଦୃଢ଼ ବନ୍ଧନ କ୍ରମ ଶିଥିଳ ହେବା ପୂର୍ବରୁ ସେହି ପ୍ରେମିକାଟି ତୁମର ଆଲିଙ୍ଗନରୁ ପାଶମୁକ୍ତ ହୋଇ ପୁଣି ସେହି ଅପନ୍ତରା ଭିତରେ ଦୌଡ଼ିବାକୁ ଲାଗିଲେ ଅମୁହାଁମୁହାଁ-। ଆଉ ତାକୁ ପୁଣିଥରେ ଧରିବା ଲାଗି ତା’ପଛେ ପଛେ ଛୁଟି ଚାଲିଲେ ପୁଣି ସେହି ପ୍ରତିଦ୍ୱନ୍ଦ୍ୱୀର ଦଳ-। ମୁହୂର୍ତ୍ତକ ଲାଗି ପାଇ ତୁମେ ତାକୁ ପୁଣି ଛାଡ଼ିଦେଲ । ମୁହୂର୍ତ୍ତକ ଲାଗି ଧରାଦେଇ ସେ ତୁମକୁ ପୁଣି ଛାଡ଼ି ଦେଲା ।

 

ଆହା ବନ୍ଧୁ–ସେହି ମୁହୂର୍ତ୍ତଟି–ସେହି ମୁହୂର୍ତ୍ତଟି–ଅନନ୍ତ ଶୀତଳକାଳ ସମୁଦ୍ରରେ ସେହି ଉତପ୍ତ ମୁହୂର୍ତ୍ତର ଢେଉଟି–ଅନନ୍ତ ନିଷ୍କ୍ରିୟକାଳ ମଧ୍ୟରେ–ସେହି ସକ୍ରିୟ ମୁହୂର୍ତ୍ତଟି–ଅନ୍ଧକାରପୂର୍ଣ୍ଣ ଅନନ୍ତ କାଳ ରାତ୍ରୀ ମଧ୍ୟରେ ସେହି ଉଜ୍ଜ୍ୱଳ ଆଲୋକିତ ମୁହୂର୍ତ୍ତଟି–ପ୍ରେମର ମୁହୂର୍ତ୍ତ । ବନ୍ଧୁ ! ସାର୍ଥକ ପ୍ରେମର ମୁହୂର୍ତ୍ତ । ଆଉ ସେହି ମୁହୂର୍ତ୍ତଟିର ନାୟିକା ହିଁ ତୁମର ସାର୍ଥକ ପ୍ରେମିକା । ମୁହୂର୍ତ୍ତକର ବିଜୟରେ ତୁମେ ଆତ୍ମହରା ହୋଇପଡ଼ିଛି । ଆଉ ଏକଥା ବି ତୁମେ ଜାଣ ଯେ, ଆସନ୍ତା ମୁହୂର୍ତ୍ତରେ ତୁମେ ତୁମର ଏହି ବିଜିତ ସାମ୍ରାଜ୍ୟଟିକୁ ହରାଇ ବସିବ–ଆଉ ହରାଇ ବସିବ ବୋଲି ହିଁ ତୁମର ସେହି ମୁହୂର୍ତ୍ତଟିର ଆଲିଙ୍ଗନ ଏତେ ଦୃଢ଼–ଏତେ ଉତ୍ତପ୍ତ–ଆଉ ଏତେ ପ୍ରାଣବାନ୍‍–ନୈଷ୍ଠିକ । କାରଣ ଯେଉଁଠି ହରାଇବାର ଭୟନାହିଁ–ସେଠି ଟାଣି ରଖିବାର ଦୃଢ଼ତା ବି ନାହିଁ । ଏଭଳି ଜୀବନରେ ଲକ୍ଷ କୋଟି ମୁହୂର୍ତ୍ତର ବିଜୟରେ ଯେ ବିଜୟୀ ଆଉ ପରାଜୟରେ ଯେ ପରାହତ–ମୁଁ ତାକୁ ହିଁ କହିବି ସେ ପ୍ରେମିକ । ବରଂ ପ୍ରେମ ରାଜ୍ୟରେ ଚିରନ୍ତନ ବିଜୟର କ୍ଳାନ୍ତି ଅପେକ୍ଷା ମୁଁ ମୁହୂର୍ତ୍ତକର ପରାଜୟ–ପରଉତ୍ସାହ–ପ୍ରବଣ–ସଂଗ୍ରାମ ଶିଳତାକୁହିଁ ବେଶୀ କାମନା କରେ ।

 

X X X X

 

ଶୁଭକାନ୍ତ ମୋର ବନ୍ଧୁ । ମାତ୍ର ସେ ମୋର ଉପରିସ୍ଥ କର୍ମଚାରୀ । ପିଲାଦିନେ ଏକା ସାଙ୍ଗରେ ପାଠ ପଢ଼ୁଥିଲୁ । ସେହିଦିନୁଁ ଆମେ ପରସ୍ପରର ଘନିଷ୍ଠ ବନ୍ଧୁ । ଲୋକଟା ବୁଦ୍ଧିମାନ, ପ୍ରଗତିଶୀଳ, ସ୍ନେହୀ ଆଉ ଅନେକାଂଶରେ ଭାବପ୍ରବଣ । ଆଫିସିକ ବା ଆନୁଷ୍ଠାନିକ ବ୍ୟାପାରରେ ତା’ର ତୀକ୍ଷ୍‍ଣ ବୁଦ୍ଧି ହିଁ ତା’ର କ୍ରିୟାକଳାପକୁ ନିୟନ୍ତ୍ରିତ କରେ । ତେଣୁ ଭଲ, ଦକ୍ଷ, ଚିନ୍ତାଶୀଳ ଓ ପୋଖତ ଅଫିସର ରୂପେ ତା’ର ଖ୍ୟାତି ଥିଲା ପ୍ରଚୁର । କିନ୍ତୁ ସେ ଯେ କେତେ ଭାବପ୍ରବଣ, ହୃଦୟବାନ ଓ କରୁଣାକୋମଳ ତା’ ଅନ୍ୟମାନଙ୍କ ଅପେକ୍ଷା ମୁଁ ଜାଣେ ବେଶୀ । ସନ୍ଧ୍ୟାବେଳେ ଅଧିକାଂଶ ଦିନ ନଦୀ କୂଳକୁ ନତୁବା ପାର୍କ ଭିତରକୁ ଏକତ୍ର ବୁଲିଯାଉ ଏବଂ ସେ ତା’ର ଜୀବନର ଆବେଗ ଚାଳିତ କାହାଣୀ ସବୁ କି ସୁନ୍ଦର ନାଟକୀୟ ଭଙ୍ଗୀରେ ମୋ ନିକଟରେ ପ୍ରକାଶ କରେ ! ଅବଶ୍ୟ ସେସବୁ କାହାଣୀଗୁଡ଼ିକ ତାଙ୍କର ବହୁତ ଦିନ ତଳର ଅଭିଜ୍ଞାତା । ପ୍ରାୟ କଲେଜରେ ପଢ଼ିବା ବେଳର ବା ନୂଆ ଚାକିରି କରିବା ବେଳର କାହାଣୀ । ଶୁଭକାନ୍ତର ବିଶ୍ୱାସ ତିରିଶ ବର୍ଷ ବୟସ ପୂର୍ବରୁ ଯେ ପ୍ରେମ ନକରିଛି–ସେ ଆଉ ପ୍ରେମ କରିପାରିବ ନାହିଁ । ତିରିଶ ପରେ ଯେଉଁ ପୁରୁଷ ନାରୀବନ୍ଧୁ ଖୋଜେ ସେ କେବଳ କାମନା ଚରିତାର୍ଥ କରିବା ଲାଗି ଖୋଜେ । ଉତ୍ତର-ତିରିଶିର ପ୍ରଣୟ ପୁରୁଷ ପକ୍ଷରେ କାମନା ଚରିତାର୍ଥତା । ସେଥିରେ ନାହିଁ ପୁରୁଷୋଚିତ ଆବେଗ ବା ଉନ୍ମାଦନା–ଅଛି କେବଳ ହିସାବୀ ବୁଦ୍ଧିରେ ଭୋଗ କରିବାର କୁତ୍ସିତ ବାସନା ।

 

ଶୁଭକାନ୍ତର ସ୍ତ୍ରୀ ବିନୋଦିନୀ ଦେବୀଙ୍କ କଥା ଏଠି କହି ନ ରଖିଲେ ଅସୁବିଧା ପଡ଼ିପାରେ । ବିନୋଦିନୀ ଦେବୀ ଅତି ଚମତ୍କାର ଭଦ୍ର ମହିଳା । ସୁନ୍ଦରୀ, ଶିକ୍ଷିତା, କର୍ମପ୍ରବୀଣା ଆଉ ଆଦର୍ଶ ଗୃହିଣୀ ହିସାବରେ ସେ ଆମ କଲୋନୀର ସମସ୍ତଙ୍କର ସମ୍ମାନର ପାତ୍ରୀ । ଶୁଭକାନ୍ତଙ୍କର ଗୃହସ୍ଥଳୀକୁ କମନୀୟ, ମଧୁମୟ ଓ ଶୃଙ୍ଖଳିତ କରିବାରେ ବିନୋଦିନୀ ଯଥାର୍ଥରେ ଆଦର୍ଶ ହିନ୍ଦୁ ଗୃହିଣୀ । ଶୁଭକାନ୍ତ ଘର ସଙ୍ଗେ ମୋ ଘରର ଚଳପ୍ରଚଳରେ କୌଣସି ସାମାଜିକ କଟକଣା ନାହିଁ । ବିନୋଦିନୀଙ୍କ ସଙ୍ଗେ ମୁଁ ଖୁବ୍‍ ନିକଟ ସମ୍ପର୍କରେ ଆସିଛି । କାୟ, ମନ ଓ ବାକ୍ୟ କୌଣସିଟିରେ ମୁଁ ଏହି ଆଦର୍ଶ ନାରୀଟିର ସ୍ଖଳନ ବା ଦୋଷ କେବେହେଲେ ଦେଖି ନାହିଁ । ଶୁଭକାନ୍ତ ମଧ୍ୟ ବିନୋଦିନୀଙ୍କୁ ଖୁବ୍‍ ସ୍ନେହ ତ କରେ, ସମ୍ମାନ ବି ଦେଖାଏ । ତିନୋଟି ସନ୍ତାନର ଜନନୀ ଏହି ବିନୋଦିନୀଙ୍କୁ ନେଇ ଶୁଭକାନ୍ତ ବେଶ୍‍ ଗର୍ବ କରେ, ଆଉ ମୋ ମନରେ ତା’ର ସ୍ତ୍ରୀ ପ୍ରତି ସଂଭ୍ରମବୋଧ ଜାଗ୍ରତ କରିବା ସଙ୍ଗେ ସଙ୍ଗେ କିଛି ପରିମାଣରେ ନିର୍ଦ୍ଦୋଷ ଈର୍ଷା ମଧ୍ୟ ସଞ୍ଚାରିତ କରାଏ । ବିନୋଦିନୀ ମଧ୍ୟ ସବୁ ପ୍ରକାରେ ସ୍ୱାମୀଙ୍କୁ ଭଲପା’ନ୍ତି–ଯଦିଓ କାନ୍ତ ହିସାବରେ ଶୁଭକାନ୍ତ ଯଥାର୍ଥରେ ଶୁଭକାନ୍ତ ନୁହେଁ । ନାରୀ ସମ୍ପର୍କୀୟ ବ୍ୟାପାରରେ ମଧ୍ୟେ ମଧ୍ୟେ ଶୁଭକାନ୍ତ କିଛି କିଛି ବଦନାମ ମଧ୍ୟ ଅର୍ଜନ କରୁଥିଲେ । ବିନୋଦିନୀ ସ୍ୱାମୀଙ୍କର ଏହି ସବୁ ବଦନାମରେ ଭିତରେ ଭିତରେ ଯେ ଖୁବ୍‍ ବିଚଳିତ ହୋଇ ଉଠୁଥିଲେ–ଏକଥା ଯଦିଓ ତାଙ୍କର ଭଦ୍ର, ନମ୍ର ଓ ସଂଯତ ବ୍ୟବହାର ମଧ୍ୟରୁ ଜାଣିବା କଷ୍ଟକର, ତଥାପି ତାଙ୍କର ମୁଖମଣ୍ଡଳରୁ ମୁଁ ନିଜେ ଏକଥା ବେଶ୍‍ ଶୀଘ୍ର ବୁଝିପାରୁଥିଲି । ବନ୍ଧୁମାନେ ଶୁଭକାନ୍ତକୁ ନେଇ ଥଟ୍ଟା କରନ୍ତି–ଆଉ ବନ୍ଧୁପତ୍ନୀମାନେ ବିନୋଦିନୀଙ୍କ ଆଗରେ ଶୁଭକାନ୍ତର ବଦନାମ ବୟାନ କରନ୍ତି । ବିନୋଦିନୀଙ୍କର ଦୁଃଖ ମୁଁ ବେଶ୍‍ ସହାନୁଭୂତିର ସହିତ ବୁଝିପାରେ ଏବଂ ଶୁଭକାନ୍ତକୁ ଭବିଷ୍ୟତରେ ଏସବୁ ବିଷୟରେ ସାବଧାନ ହେବାକୁ ସତର୍କ କରେ । ମାତ୍ର ଶୁଭକାନ୍ତ କ’ଣ କହେ ଜାଣନ୍ତି ? ସେ କହେ–“ବୁଝିଲ ବନ୍ଧୁ ! ସେ ମୋର ଦୁର୍ଭାଗ୍ୟ । ଏ ସଂସାରରେ ଚୋରୀ କରନ୍ତି ଦଳେ–ମାତ୍ର ଅପବାଦ ମୁଣ୍ଡାଏ ଜଣେ । ଯେଉଁମାନେ ଏଭଳି ଅପବାଦ ମୋ ନାମରେ ଉଠାନ୍ତି, ସେମାନେ ଖାଇ ଚୋର–ଆଉ ମୁଁ ନ ଖାଇ ମଧ୍ୟ ଚୋର । ଏସବୁ ବ୍ୟାପାରରେ କାର୍ଯ୍ୟ ଅପେକ୍ଷା ମୁଁ କଥା କହେ ବେଶୀ । ତେଣୁ ମୋର ଏ ଦୁର୍ନାମ ।”

 

ମୁଁ କହେ–‘‘ନିଆଁ ନ ଥାଇ କ’ଣ ଧୂଆଁ ବାହାରେ ?”

 

“ହଁ–ଧୂଆଁ କେବଳ ନିଆଁରୁ ବାହାରେ ନାହିଁ–ବରଫରୁ ମଧ୍ୟ ବାହାରେ । ମାତ୍ର ସେ ଯାହା ହେଉ–ଅନେକ ସମୟରେ ନିଆଁ ଅପେକ୍ଷା ଧୂଆଁଟାଇ ଅଧିକ ସତ୍ୟ ରୂପେ ପ୍ରକଟିତ ହୁଏ । ଲୋକେ ନିଆଁ ଦେଖନ୍ତି ନାହିଁ–ଧୂଆଁକୁ ହିଁ ଦେଖି କେବଳ ନିଆଁର ଅସ୍ତିତ୍ୱକୁ ଅନୁମାନ କରି ବିଶ୍ୱାସ କରନ୍ତି ।”

 

ମୁଁ କହେ–‘‘ଧୂଆଁ କ’ଣ ସମ୍ପୂର୍ଣ୍ଣ ମିଥ୍ୟା, ଶୁଭକାନ୍ତ !”

 

“ନା–କିନ୍ତୁ ଧୂଆଁର ସତ୍ୟକୁ ନିଆଁର ସତ୍ୟ ସଙ୍ଗେ ସମାନ କଲେ ତ ଚଳିବ ନାହିଁ ?”

 

ମୁଁ କହେ–“ଶୁଭକାନ୍ତ–ଧୂଆଁର ସତ୍ୟଟା ନିଆଁର ସତ୍ୟ ସଙ୍ଗେ ସମାନ ନୁହଁ–ମାତ୍ର ତା’ଠାରୁ ପୃଥକ୍‍ କି ?”

 

ଶୁଭକାନ୍ତ ଗମ୍ଭୀର ହୋଇଯାଏ । କିନ୍ତୁ ଥରେ ବଡ଼ ଆକସ୍ମିକ କାଣ୍ଡ ଘଟିଲା । ଯାହା ଫଳରେ କି ଶୁଭକାନ୍ତର ମାନସମ୍ମାନ ସହ ତା’ର ଚାକିରି ଉପରେ ମଧ୍ୟ ବିପଦ ଘନେଇ ଆସିଲା । ସେ ହେଉଛି–ଆମର ଲେଡ଼ି ହେଲ୍‍ଥ୍‍ ଭିଜିଟର ଚପଳା ରାୟ ସମ୍ପର୍କରେ ।

 

ଅବସ୍ଥା ଯେପରି ହେଲାଣି–ଶୁଭକାନ୍ତଙ୍କୁ କୋର୍ଟରେ ଆସାମୀ ରୂପେ ଠିଆ ହେବାକୁ ପଡ଼ିପାରେ । ଚାରିଆଡ଼େ ଏ ବିଷୟରେ ତନାଘନା ଆଲୋଚନା, ଫୁସ୍‍ଫାସ୍‍ ଚାଲିଛି । ପିଲାମାନଙ୍କୁ ଗ୍ରାମରେ ଛାଡ଼ିବାକୁ ମୁଁ ପନ୍ଦର ଦିନ ଛୁଟି ନେଇ ଗ୍ରାମକୁ ଯାଇଥିଲି । ଗ୍ରାମରୁ ଆସି ଏ କାଣ୍ଡ ଦେଖି ମୁଁ ଏକବାର ଅବାକ୍‍ ହୋଇ ଉଠିଲି । ଆମ କଲୋନୀରେ ଏ ବ୍ୟାପାର ନେଇ ଏକ ବିଷାଦର କଳାମେଘ ସବୁରି ମୁହଁରେ ଢଙ୍କା ହୋଇଯାଇଛି । ଚାରିଆଡ଼େ ଏକ ଗଭୀର ଉତ୍ତେଜନା ଘେରି ରହିଛି । ମାତ୍ର ଉତ୍ତେଜନାର ପ୍ରକାଶରେ ସମସ୍ତେ ଏତେ ସଂଯତ ହୋଇପଡ଼ିଛନ୍ତି ଯେ, ଯାହା ଫଳରେ କି ଅବସ୍ଥା ଆଉରି ଗୁରୁତର ଭାବେ ଘନ ହୋଇ ଉଠୁଛି । ସନ୍ଧ୍ୟା ପୂର୍ବରୁ ମୁଁ ଶୁଭକାନ୍ତ ଘରକୁ ଗଲି । କିନ୍ତୁ ଏ କ’ଣ ? ଶୁଭକାନ୍ତ ଘରେ ଯେପରି ମୃତ୍ୟୁର ଛାୟା ଘୂରି ବୁଲୁଛି । ପିଲାଙ୍କର ସେ କୋଳାହଳ ନାହିଁ । ବିନୋଦିନୀ କାନ୍ଥକୁ ଆଉଜି ତଳେ ଗୋଡ଼ ଲମ୍ବାଇ ବସି ଆକାଶକୁ ଚାହିଁରହିଛନ୍ତି । ଆଉ ଶୁଭକାନ୍ତ ଶୋଇବାଘରେ ଖଟ ଉପରେ ଶୋଇରହି ଛାତକୁ ଚାହିଁରହିଛି ଉଦ୍ଦେଶ୍ୟହୀନ ଭାବରେ । ମୋତେ ଦେଖି ମଧ୍ୟ କାହାର କିଛି ପରିବର୍ତ୍ତନ ହେଲାନାହିଁ । ସମସ୍ତେ ଯେପରି ପଥର ପାଲଟି ଯାଇଛନ୍ତି । ସାହସ କରି ଶୁଭକାନ୍ତର ବିଛଣା ପାଖକୁ ଗଲି । ମୋତେ ଦେଖି ସେ ହସିଦେଲା । ମୁଁ କିନ୍ତୁ ସେ ହସରେ ଆହୁରି ବିଚଳିତ ହୋଇପଡ଼ିଲି । ‘‘ଶୁଭକାନ୍ତ ! କ’ଣ ଏ କଥା ? ଘଟଣାଟା ଏତେଦୂର କେବେ ଆଗେଇ ଗଲା ? ବର୍ତ୍ତମାନ ଉପାୟ କ’ଣ ??”

 

“କ’ଣ କରିବାକୁ ହେବ ଏ ପରିସ୍ଥିତିରୁ ଉଦ୍ଧାର ପାଇବା ଲାଗି ?”

 

ଶୁଭକାନ୍ତ ବିଛଣାରୁ ଉଠିଲା । ଟିକେ ଗୁମ୍‍ ହୋଇ ରହି ସେ ବାହାରକୁ ଆସିବାକୁ ମୋତେ ଇଙ୍ଗିତ ଦେଲା । ତା’ପରେ କାମିଜି ଗଳାଇ ସେ ଘରୁ ପଦାକୁ ବାହାରିଗଲା । କିଛି ଉଦ୍ଦେଶ୍ୟ ନ ବୁଝି ମୁଁ ତା’ ପଛେ ପଛେ ଗଲି । ଆମେ କ୍ରମେ ସହରର ସୀମା ଛାଡ଼ି ନଦୀକୂଳକୁ ଗଲୁ । ନଦୀକୂଳରେ ଗୋଟିଏ ସାନ ପାର୍କ ଭିତରକୁ ପଶି ପାର୍କର ଗୋଟିଏ ବେଞ୍ଚ ଉପରେ ବସିଲୁ-। ମୁଁ ଶୁଭକାନ୍ତକୁ ଚାହିଁଲି । ଗମ୍ଭୀର କଣ୍ଠରେ ସେ ମୋତେ ପଚାରିଲା–

 

“ସବୁକଥା ଶୁଣିଚ ତ ? ସେମାନେ ମୋତେ ଦାୟୀ କରୁଚନ୍ତି ।”

 

“କିନ୍ତୁ ଏଥିରୁ ଖସିବାର ଉପାୟ କ’ଣ ଶୁଭକାନ୍ତ ?”

 

“ସେ କଥା ପରେ ବିଚାର କରିବା–ତୁମେ କ’ଣ ଭାବୁଚ ମୁଁ ପ୍ରକୃତରେ ଏ ଘଟଣାରେ ଦାୟୀ ?”

 

ମୁଁ ବା କି ଉତ୍ତର ଦିଅନ୍ତି ? ଶୁଭକାନ୍ତକୁ ମୁଁ ଚିହ୍ନେ । ଚପଳା ରାୟକୁ ବି ମୁଁ ଚିହ୍ନେ । ଚପଳା ରାୟ ଗୋଟିଏ ପିତୃମାତୃହୀନା ଶରଣାର୍ଥୀ ବାଳିକା । ଆଇ.ଏ. ପର୍ଯ୍ୟନ୍ତ ପଢ଼ିଥିଲା । ତା’ପରେ ଓଡ଼ିଶାରେ ଗୋଟିଏ ଟ୍ରେନିଂ ପାଇଁ ସେ ତିନି ବର୍ଷ ହେଲା ଏଠାରେ ଲେଡ଼ି ହେଲ୍‍ଥ୍‍ ଭିଜିଟର ରୂପେ ଚାକିରି କରେ । ଏକୁଟିଆ ଗୋଟିଏ ଘରେ ଥାଏ । ଯେଉଁ ଦିନୁଁ ସେ ଏଠାକୁ ଆସିଲାଣି–ସେଦିନୁ ତାକୁ ନେଇ କେତେ ଘଟଣା ଯେ ଘଟି ନ ଯାଇଛି । ସେଇ ଦୟିତ୍ୱହୀନା ପ୍ରଗଳ୍‍ଭା ଡାହାଣୀର ମୋହନୀୟ ଫାଶରେ ପଡ଼ି, ଏଠାରେ କିଏ ଭଲା ଛଟପଟ ନ ହେଇଛି ? କାହାର ସୁନା ଘରକୁ ଭଲା ସେ ଚୂନା କରିନାହିଁ ? ତା’ ଯୋଗୁଁ ସମସ୍ତଙ୍କର ନାମରେ ଅପବାଦ–ସମସ୍ତଙ୍କର ଗୃହଶାନ୍ତି ନଷ୍ଟ । ତା’ଲାଗି ସମସ୍ତେ ବ୍ୟତିବ୍ୟସ୍ତ ହୋଇଛନ୍ତି । କିନ୍ତୁ ସେଇଟା ଏଡ଼େ ସୟତାନୀ–କାହାଲାଗି ତା’ର ଅନ୍ତର କାନ୍ଦେ ନାହିଁ । କାହାଲାଗି ତା’ର ପ୍ରେମରେ ନିଷ୍ଠା ନାହିଁ–ଆନ୍ତରିକତା ନାହିଁ । ସେ କେବଳ ଖେଳେ । କିନ୍ତୁ ବଡ଼ ନିଷ୍ଠୁର ସେ ଖେଳ । ଡାହାଣୀ ପରି ସେ ସୁକୁମାର ପୁରୁଷଙ୍କୁ ନେଇ ଖେଳେ, ଆଉ ସେମାନଙ୍କର ରକ୍ତ ଶୋଷି ଚୋପା କରି ଫିଙ୍ଗିଦିଏ । ସବୁବେଳେ ଘୋଡ଼ୀ ଭଳି ହିଁ ହିଁ ହୋଇ ହସୁଥିବ–ଡେଉଁଥିବ । ଏଡ଼େ ଲଘୁ !! ଏଡ଼େ–ଚଞ୍ଚଳ ! ଏଡ଼େ ଚପଳା ସେ ଚପଳା ରାୟ ! ଆଗେ ତା’ର ନାମ ଶୁଣିଲେ, ହିଁ, ମୁଁ ଛେପ ପକାଏ । ସାମାଜିକତାର ଦ୍ୱାହି ଦେଇ ସେ ସମାଜ ମଧ୍ୟରେ ଭଦ୍ରଭାବରେ ବେଶ୍ୟା ବୃତ୍ତି ଚଳାଉଥିଲା । କିନ୍ତୁ ଆଜି, ଆଜି କାହିଁକି ଏହି ଆକସ୍ମିକ ଦୁର୍ଘଟଣାରେ ମୁଁ ଏସବୁକଥା ମନକୁ, ଆଣିପାରିଲି ନାହିଁ । ଶୁଭକାନ୍ତର ପ୍ରଶ୍ନରେ ମୁଁ କେବଳ ଏତିକି କହିଲି–

 

“ଶୁଭକାନ୍ତ ! ତୁମକୁ ଚପଳା ରାୟ ସଙ୍ଗେ ସମ୍ପର୍କିତ କରି ଯେଉଁ ଦୁର୍ଘଟଣା ଆଜି ଘଟିଛି–ତା’ର ବହୁ ପୂର୍ବରୁ ମାନେ ପ୍ରାୟ ବର୍ଷକ ତଳୁ ତୁମ ନାମରେ ଏହିଭଳି ଜନରବ ଯେ ଜମିଆସୁଥିଲା–ଏକଥା କ’ଣ ତୁମେ ଜାଣିନାହଁ ? ମୁଁ ତ କେତେଥର ସେଥିଲାଗି ତୁମେକୁ ସତର୍କ କରିଛି ! ଚପଳା ରାୟ ଗଣିକା–ତା’ ସଙ୍ଗେ ମିଶି ତୁମେ ପ୍ରେମ ପାଇବ ନାହିଁ–ପାଇବ ଅପବାଦ । କିନ୍ତୁ ତୁମେ କ’ଣ ମୋର କଥା ଶୁଣିଲ ? ତୁମର ଯେ ଯୁକ୍ତି ! ଛାଡ଼–ବର୍ତ୍ତମାନ ଉପାୟ କ’ଣ କହ ? ତୁମେ କ’ଣ ଏ ଘଟଣାରେ ପ୍ରକୃତରେ ଦାୟୀ ?”

 

ଶୁଭକାନ୍ତ କିଛିକ୍ଷଣ ନୀରବ ହେଲା । ସନ୍ଧ୍ୟା ଆକାଶରେ ଗୋଟିଏ ଦୁଇଟି ତାରା ଜଳୁ ଜୁଳୁ ହେଲେଣି । ଶରତ କାଳର ଆକାଶ–ସପ୍ତମୀ ଅଷ୍ଟମୀର ଚନ୍ଦ୍ର ଶରତର ଲଘୁ ଶୁଭ୍ର ମେଘର ଅବଗୁଣ୍ଠନ ମଧ୍ୟରେ ଆତ୍ମଗୋପନ କରିଛି । ପାକ ଭିତରେ ସେ ଓ ମୁଁ । ସୁକର୍ତ୍ତିତ କାମିନୀ ଗଛଗୁଡ଼ିକ ନିସ୍ପନ୍ଦ ଭାବରେ ଠିଆହୋଇ ରହିଛନ୍ତି । ପାର୍କର ଆରପଟେ ନଦୀର ବିସ୍ତୃତ ବାଲୁକାଶଯ୍ୟା ଉପରେ ଶୀର୍ଣ୍ଣ ନଦୀଧାରଟି ସତେବା ଶୋଇ ରହିଛି ! ପ୍ରାୟ ଦୁଇ ତିନି ଦିନ ତଳେ ଭୀଷଣ ବର୍ଷା ଓ ତୋଫାନ ହୋଇଥିଲା । ତା’ର ଚିହ୍ନ ରହିଯାଇଛି ନଦୀ କୂଳର ବୃକ୍ଷଗୁଡ଼ିକ ଉପରେ ଓ ପାର୍କର ଲତାଗୁଡ଼ିକ ଉପରେ । ପବନ ନାହିଁ–ସମଗ୍ର ପ୍ରକୃତି ଯେପରି କିଛି ଶୁଣିବା ଲାଗି ଉଦ୍‍ଗ୍ରୀବ ଆଉ ଗମ୍ଭୀର !

 

ମୋର ବାହୁକୁ ଧରି ଶୁଭକାନ୍ତ କହିଲା–

 

“ସମସ୍ତଙ୍କ ପରି ତୁମର ବି ବୋଧେ ଧାରଣା ହୋଇଥିଲା ଯେ–ଚପଳା ରାୟ ମୋତେ ଫାନ୍ଦ ପକାଇ ବନ୍ଦୀ କରୁଥିଲା ଆଉ ସବୁ ବୋକା ପୁରୁଷଙ୍କ ଭଳି ମୁଁ ତା’ର ମୋହନୀୟ ଫାଶ ଭିତରକୁ ଡେଇଁ ପଡ଼ିଥିଲି–ନାହିଁ ? ସେ ଏଠାକୁ ତିନିବର୍ଷ ହେଲା ଆସିଲାଣି । ଇତି ମଧ୍ୟରେ ତାକୁ ନେଇ ବହୁ ଲୋକଙ୍କ ନାମରେ ଅପବାଦ ତୁମେ ଶୁଣିଚ ମୁଁ ବି ଶୁଣିଚି । ଆଜି କିନ୍ତୁ ସବୁ ଅପବାଦର ଚୂଡ଼ାନ୍ତ ହୋଇଗଲା ଆଉ ସବୁ ଅପବାଦର ନିଷ୍ପତ୍ତି ବି ହୋଇଯିବ–ନାହିଁ ?

 

“ଆଜି ସେମାନେ ମୋତେ ଦାୟୀ କରୁଛନ୍ତି; ମୁଁ ଜାଣେ ସେମାନେ ମୋର କିଛି କରିପାରିବେ ନାହିଁ । ସବୁ କଥା ନିଶ୍ଚୟ ଶେଷରେ ପରିଷ୍କାର ହୋଇଯିବ । ମାତ୍ର ସବୁ କଥା ପରିଷ୍କାର କରିବା ଲାଗି ଯଦି ପରିସ୍ଥିତି ଅନୁକୂଳ ନ ହୁଏ, ତେବେ ବାସ୍ତବରେ ମୋର କିଛି କ୍ଷତି ନ ହେଲେ ବି–ସାଧାରଣଙ୍କ ଧାରଣାରେ ମୁଁ ଦୋଷୀ ହୋଇ ରହିଯିବି ଚିରଦିନ । ତେଣୁ ଆଗ ତୁମକୁ ମୋର ଚପଳା ରାୟ ସମ୍ପର୍କରେ ଆସିବାର ଅଭିଜ୍ଞାତା କହୁଚି, ଶୁଣ–ତା’ପରେ ଏହି ତିନି ଚାରିଦିନ ମଧ୍ୟରେ ଯାହା ଘଟିଲା ସେ କଥାରେ ମୋର ଦାୟିତ୍ୱ କେତେ–ତାହା ତୁମେ ନିଜେ ବୁଝିବ । ମୁଁ ବି କହିବି ।”

 

“ତୁମେତ ଜାଣ–ଚପଳା ରାୟ କେତେ ପୁରୁଷଙ୍କ ସଙ୍ଗେ ମିଶେ ! ଫରେଷ୍ଟ ଅଫିସର ତାକୁ ଜିପରେ ଧରି ଶିକାର କରିବାକୁ ଯା’ନ୍ତି ଜଙ୍ଗଲ ଭିତରକୁ । ସେକେଣ୍ଡ ଅଫିସରଙ୍କର ସେ ଦିନିକିଆ ଟୁର୍‍ର ସାଥୀ । ଡାକ୍ତର ମହାନ୍ତି ଦୂରକୁ ରୋଗୀ ଦେଖିବାକୁ ଗଲେ ଚପଳାକୁ ମଟରରେ ନ ବସାଇଲେ ଯାଆନ୍ତି ନାହିଁ । ବିପତ୍ନୀକ ଅବସର ପ୍ରାପ୍ତ ଏ.ଡ଼ି.ଏମ.ଙ୍କର ତ ସେ ଧରମ ଝିଅ । ପ୍ରଫେସର ମିଶ୍ର ସୁଦ୍ଧା ଦିନେ ଦିନେ ତାକୁ ସଙ୍ଖୁଳିବାକୁ ଆସି ତା’ ଘରେ ଚାହା ଖାଇ ଯାନ୍ତି । ଏତ ଗଲା ଉପର ମହଲର କଥା । ତଳ ମହଲରେ ବି ଚପଳା ସଙ୍ଗେ ସମସ୍ତେ ମିଶନ୍ତି । ସମସ୍ତେ ଜାଣନ୍ତି ପ୍ରେମ କରିବା ଲାଗି ଚପଳା ରାୟ ଏକ ଶସ୍ତା ଝିଅ । ଆଉ ଚପଳା ମଧ୍ୟ ଜାତି ଧର୍ମ ନିର୍ବିଶେଷରେ–ଉଚ୍ଚନୀଚ୍ଚ ଶ୍ରେଣୀ ନିର୍ବିଶେଷରେ ଓ ବୟସ ନିର୍ବିଶେଷରେ ସମସ୍ତଙ୍କ ସଙ୍ଗେ ମିଶେ; ସବୁରି ସଙ୍ଗେ ଥଟ୍ଟାହୁଏ; ସମସ୍ତଙ୍କ ସଙ୍ଗେ ହେଁ ହେଁ ଫେଁଫେଁ ହୁଏ । କଲେଜର ଫାଷ୍ଟ ଇୟର ଛାତ୍ର ରଞ୍ଜନଠାରୁ ଆରମ୍ଭ କରି ନାଟୁ କମ୍ପାଉଣ୍ଡର ପର୍ଯ୍ୟନ୍ତ–ଆଉ ଗ୍ରାମସେବକ ଜନାର୍ଦ୍ଦନ ବାବୁଙ୍କଠାରୁ ଆରମ୍ଭ କରି–ଆମ ଶ୍ରେଣୀର ଉଚ୍ଚପଦସ୍ଥ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଚପଳା ରାୟ ପଛରେ ଲାଗିଥାଆନ୍ତି । ସୁବିଧା ପାଇଲେ କିଏ ତା’ର ବେଣୀ ଖୋଲିଦିଏ–କିଏ ତା’ର ଖୋସାରେ ଫୁଲ ଖୋସିଦିଏ–କିଏ ବା ତା’ ହାତରେ ହାତ ମିଳାଇ ଟିକିଏ ପ୍ରେମ ଚାପ ଦେଇ ନିଜର ଆବେଗ ପ୍ରକାଶ କରିଥାଏ ।”

 

“ଚପଳା ରାୟକୁ ସମସ୍ତେ ଚିହ୍ନନ୍ତି–ସମସ୍ତେ ଜାଣନ୍ତି । ମାତ୍ର ଚପଳାର ସେଥିଲାଗି ଅବଶୋଷ ନାହିଁ । କିଛି ଚିନ୍ତା ନାହିଁ । ସବୁ କଥାରେ ସେ ହିଁ ହିଁ ହୋଇ ହସିଦିଏ, ବାସ୍‍–ତା’ ହୃଦୟର ସମସ୍ତ ପ୍ରତିକ୍ରିୟାକୁ ବୋଧେ ସେ ଏହି ହିଁ ହିଁ ହସ ଭିତରେ ଇ ଉଡ଼ାଇ ଦିଏ ।”

 

“ପ୍ରାୟ ଦେଢ଼ ବର୍ଷ କାଳ ମୁଁ ତାକୁ ଲକ୍ଷ୍ୟକଲି । ସେଇ ଦେଢ଼ ବର୍ଷ କାଳ ଭିତରେ ବିଭିନ୍ନ ପରିସ୍ଥିତି ମଧ୍ୟରେ ସେ ମୋର ସମ୍ମୁଖୀନ ହୋଇଛି । ମାତ୍ର ମୁଁ ତା’ ସଙ୍ଗେ ଖୁବ୍‍ ଗମ୍ଭୀର ଓ ସଂଯତ ଭାବେ ବ୍ୟବହାର କରିଛି । ସେ ମଧ୍ୟ ମୋର ଏ ଗାମ୍ଭୀର୍ଯ୍ୟର ସମ୍ମାନ ରକ୍ଷା କରୁଥିଲା । ଆଉ ସାଧାରଣ ଭାବରେ ସେ ମୋତେ ବେଶ୍‍ କିଛି ଭୟ ମଧ୍ୟ କରୁଥିଲା । ବିଭିନ୍ନ କାର୍ଯ୍ୟରେ ସେ ଆମ ଘରକୁ ଯାଇଛି–ପିଲାମାନଙ୍କ ସ୍ୱାସ୍ଥ୍ୟ ଦେଖିବା ଲାଗି–କିମ୍ବା ମୋ ସ୍ତ୍ରୀଙ୍କ ସଙ୍ଗେ ଆଳାପ କରିବାକୁ । ମୋ ସ୍ତ୍ରୀ କିନ୍ତୁ ଚପଳାକୁ ଆଦୌ ସହ୍ୟକରି ପାରନ୍ତି ନାହିଁ । କେବଳ ଭଦ୍ରତା ଖାତିରିରେ ସେ ତା’ ସଙ୍ଗେ ବ୍ୟବହାର କରନ୍ତି ସିନା ! ମୁଁ କାର୍ଯ୍ୟ କ୍ଷେତ୍ରରୁ ଘରକୁ ଫେରିଲେ, ଚପଳା ବିରୁଦ୍ଧରେ ବହୁ ଅଭିଯୋଗ ବିନୋଦିନୀଙ୍କଠାରୁ ଶୁଣେ । ଚପଳାର ବଦ୍‍ ସ୍ଵଭାବ–ଘୋଡ଼ୀ ଭଳି ସବୁବେଳେ ହିଁ ହିଁ ହୋଇ ହସିବ–ବାଚାଳଙ୍କ ପରି କଥା ଗପିବ ଅନ୍ୟର ମାନସିକ ଅବସ୍ଥା ପ୍ରତି ଦୃଷ୍ଟି ନ ଦେଇ–ଭଦ୍ରଲୋକଙ୍କ ନାମରେ କୁତ୍ସାରଟନା କରିବ–ଇତ୍ୟାଦି, ଇତ୍ୟାଦି ଅଭିଯୋଗ ଶୁଣି ଶୁଣି ମୁଁ ବ୍ୟସ୍ତ ହୋଇପଡ଼େ । ଏଣେ ପୁଣି ସବୁରିଠାରୁ ତା’ର କଳଙ୍କିତ ଚରିତ୍ର ବିଷୟରେ ଶୁଣି ଶୁଣି ମୁଁ ତା’ପ୍ରତି ଏକପ୍ରକାର ବିରକ୍ତ ହୋଇ ଉଠୁଥିଲି । ଅଫିସରେ, ଘରେ, ବାହାରେ, ଚାରିଆଡ଼େ ଚପଳା ରାୟର ଖରାପ ସ୍ଵଭାବ କଥା ଶୁଣି ଶୁଣି ମୁଁ ଦିନେ ହଠାତ୍‍ ଲକ୍ଷ୍ୟକଲି–ମୋର ଅଜାଣତରେ ମୋ ଭିତରେ ମୁଁ କିପରି ଚପଳା ପ୍ରତି ଟିକେ ଆସକ୍ତ ହୋଇପଡ଼ୁଛି !!

 

“ତା’ପ୍ରତି ମୋର ବିରକ୍ତିର ତଳେ ତଳେ କେଉଁଠି କିପରି ଟିକିଏ ଅନୁରକ୍ତି ଯେ କ୍ରମେ ଘନେଇଁ ଆସୁଛି–ଏକଥା ମୁଁ ହଠାତ୍‍ ଦିନେ ଆବିଷ୍କାର କଲି । ମୋ ମନରେ ବି ଚପଳାର ସାନ୍ନିଧ୍ୟ ଲାଗି ଲୋଭ ଜାଗ୍ରତ ହୋଇଉଠିଲା ।

 

ସୁଯୋଗ ବି ଘଟିଲା ଦିନେ । ଗତବର୍ଷ ଶୀତକାଳର ଏକ ଅଳସ ଅପରାହ୍ନ । ସନ୍ଧ୍ୟା ସମାଗତ ପ୍ରାୟ । ଅଫିସ ଛୁଟି ହୋଇଗଲାଣି । ମୋ ଅଫିସରେ ମୁଁ ବତୀ ଟିପି କାର୍ଯ୍ୟ କରୁଛି । ଦେହଟା ଖୁବ୍‍ ମାନ୍ଦା ଲାଗିଲା । ଫ୍ଲାସ୍‍କରୁ କିଛି ଗରମ କଫି ଢାଳି ଖାଉଛି–ହଠାତ୍‍ ଦେଖିଲି ଦ୍ଵାରଦେଶରେ ପରଦାଧରି ଜଣେ କିଏ ଉଙ୍କି ମାରୁଛି । ପିଅନକୁ ଛୁଟି କରି ଦେଇଥିଲି–ଆଉ କିଏ ହୋଇପାରେ ? ଡାକିଲି–

 

‘ଭିତରକୁ ଆସ–କିଏ ?’

 

ସେ ଚପଳା ରାୟ । ଟେବୁଲ ପାଖେ ନମସ୍କାର ଜଣାଇ ସେ ଠିଆ ହେଲା । ଏହି ଅପ୍ରସ୍ତୁତ ମୁହୂର୍ତ୍ତରେ ହଠାତ୍‍ ମୋର ମନେହେଲା ସେ ଯେପରି କାମନାର ଗୋଟିଏ ଉଗ୍ର ଜୀବନ୍ତ ପ୍ରତିମୂର୍ତ୍ତି ! ତା’ର ପଛପଟେ ବେକ ଉପରେ ସୁନ୍ଦର ଘନ କେଶଗୁଚ୍ଛ ଏକ ଶ୍ଳଥ ଏବଂ ଲଘୁ ଭଙ୍ଗୀରେ ଫୁଲେଇ ହୋଇ ବନ୍ଧା ହୋଇଛି । ଓଠର ଲିପ୍‍ଷ୍ଟିକ ଭିତରେ ଯେପରି ଭୋଗ କାମନାର ପ୍ରମତ୍ତ ବିଲୋଳବିହ୍ଵଳତା ପାଚି ଲାଲ ପଡ଼ିଯାଇଛି । ଆଉ ଏହି ନିର୍ଜନ ପରିବେଶ ମଧ୍ୟରେ ତା’ର ଆଖି ଦୁଇଟି ସତେ ବା ନେଇ ଆସିଛି କାମନା ତୃପ୍ତିର ସାଦର ନିମନ୍ତ୍ରଣ ! ମୋର ଦେହର ନିଆଁ ମୋର ଆଖି ଭିତରେ ଜଳି ଉଠିଲା । ବହୁବାର ଶୁଣିଛି, ଏଇ ଚପଳା ରାୟ ବିଷୟରେ–ସେ କୁଆଡ଼େ ଖୁବ୍‍ କାମପ୍ରବଣା ! ତାକୁ ଯେକୌଣସି ମୁହୂର୍ତ୍ତରେ ଯେକୌଣସି ବ୍ୟକ୍ତି, ଯେକୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ । ସେଥିଲାଗି କୌଣସି ଯୋଜନା ବା ପ୍ରସ୍ତୁତି ବା କଳାର ଆୟୋଜନ ନାହିଁ । ଚପଳା ରାୟକୁ ପୂର୍ବରୁ ଏଭଳି ନିର୍ଜନ ପରିବେଶରେ ଏକାକିନୀ କେବେ ପାଇନାହିଁ । ଆଜି ସେ ବଳେ ବଳେ ଆସିଛି ଏହିଭଳି ପରିସ୍ଥିତି ଭିତରକୁ–କ’ଣ ଆଉ ତା’ର ଉଦ୍ଦେଶ୍ୟ ଥାଇପାରେ ?

 

ଆଉ ଗୋଟେ କଥା ବନ୍ଧୁ–ତୁମେ ବୋଧେ ଜାଣିନ ! ଗଣିକାକୁ ଭୋଗ କରିବାର କାମନା ପ୍ରାୟ ସବୁ ପୁରୁଷଙ୍କ ଭିତରେ ଅଛି । ଯାହା ଉପରେ ସମସ୍ତେ ନିଜର ଅଧିକାରର ମୋହର ମାରିଦେଇ ଯାଆନ୍ତି–ତା’ ଉପରେ ନିଜର ଗୋଟାଏ ମୋହର ଛାପି ନ ଦେଲେ ମନରେ ତୃପ୍ତି ଆସେ ନାହିଁ । ଯାହା ସର୍ବସାଧାରଣର ସମ୍ପତ୍ତି–ସେଠାରେ ନିଜର ଦାବି ସାବ୍ୟସ୍ତ ନ କଲା ପର୍ଯ୍ୟନ୍ତ–ଅର୍ଥାତ୍‍ ସେହି ସ୍ଥଳରେ ନିଜକୁ ସାଧାରଣ ମଧ୍ୟରେ ଜଣେ ବୋଲି ପ୍ରମାଣ ନ କଲା ପର୍ଯ୍ୟନ୍ତ ମଣିଷ ମନରେ ଶାନ୍ତି ଆସେ ନାହିଁ । ଯେଉଁ ତୀର୍ଥରେ ସମସ୍ତେ ପୁଣ୍ୟ ଅର୍ଜନ କରନ୍ତି–ସେଇ ତୀର୍ଥରେ ନିଜେ ବୁଡ଼ପକାଇ ନିଜର ପୁଣ୍ୟଭାଗ ନିଜେ ଲୁଣ୍ଠନ ନ କଲା ପର୍ଯ୍ୟନ୍ତ ମନୁଷ୍ୟର ସାମାଜିକ ମନୋବୃତ୍ତିର ଆଶ୍ୱସ୍ତି ଆସେନାହିଁ । ପୁଣ୍ୟକୁଣ୍ଡ ଭଳି ପାପ କୁଣ୍ଡର ମଧ୍ୟ ଆକର୍ଷଣ କମ୍‍ ନୁହେଁ– ଯଦି ସେ କୁଣ୍ଡରୁ ତୁମ ଭଳି ବହୁଲୋକ ପାପ ବାରି ପାନ କରନ୍ତି ! ଶୋଷ ହେଉ ନ ହେଉ, ଛତର କୁଣ୍ଡରୁ ଛତର ପାଣି ପିଇବା ଲାଗି ବହୁଲୋକ ଲୋଭାନ୍ୱିତ ହୋଇ ପଡ଼ନ୍ତି । ଏଇଟା ବୋଧେ ମନୁଷ୍ୟର ସାମାଜିକ ମନୋବୃତ୍ତିର ଅତି କୁତ୍ସିତ ଦିଗ; କିନ୍ତୁ ଏହା ହିଁ ସତ୍ୟ ।

 

ଚପଳା ରାୟ ବହୁ ଭୋଗ୍ୟା...ବହୁ ବଲ୍ଲଭା...ବହୁ ବ୍ୟକ୍ତିଙ୍କର ଅଧିକାର–ମୋହରରେ ତା’ର ଦେହ ଲାଞ୍ଛିତ ଓ ମନ କଳୁଷିତ । ମୁଁ ଆଜି ସେଇ ସର୍ବସାଧାରଣ ସମ୍ପତ୍ତିରେ ମୋର ଭାଗ ମଧ୍ୟ ଚିହ୍ନିତ କରିବାକୁ ଚାହେଁ । ତା’ ନହେଲେ ମୁଁ ସର୍ବସାଧାରଣରେ ଜଣେ ହୋଇପାରିବି ନାହିଁ ।

 

‘କ’ଣ ଚାହଁ ?’

 

‘ସାର୍‍–ଟିକେ କାମ ଅଛି ।’

 

ଚପଳା ଲାଗି ମୋର ଭିତରର ଚପଳ ଉଦ୍ଦେଶ୍ୟ ମୋର ଜିହ୍ଵାର ଚପଳତାରେ ପ୍ରକାଶ ପାଇଲା । ମୁଁ କାଣ୍ଡଜ୍ଞାନଶୂନ୍ୟ ହୋଇ କହିଲି–

 

‘କାମ ନା କାମନା ?’

 

ଚପଳା ରାୟ ମୋର କଥା ଶୁଣି ନିରୁଦ୍ବେଗ ଭାବରେ ମୋତେ ଚାହିଁଲା । ତା’ର ଆଖିର ଚାହାଣିରେ ଯେପରି ନିଜକୁ ସମର୍ପଣ କରିଦେବାର କାମନା ଫୁଟି ଉଠିଛି ! ଅଧରର ସ୍ମିତ ମଧ୍ୟରେ ଯେପରି ସେହି ସ୍ୱୀକୃତିଟା ହିଁ କ୍ରମଶଃ ସ୍ପଷ୍ଟ ହୋଇ ଉଠୁଛି । ସେ ଅଳ୍ପ ହସି–ପୁଣି ଓଠରୁ ଫାଳେ ଉପର ଦାନ୍ତରେ କାମୁଡ଼ିଲା ଏବଂ ଗୋଟିଏ ଆଙ୍ଗୁଠିର ନଖକୁ ଦାନ୍ତରେ ଛିଣ୍ଡାଇ ଛିଣ୍ଡାଇ ମୋ ଆଡ଼କୁ ତୀର୍ଯ୍ୟକ ଦୃଷ୍ଟି ନିକ୍ଷେପ କରି ବେଶ୍‍ ଗୋଟିଏ କାମାର୍ତ୍ତିନୀ ବ୍ରୀଡ଼ା ଦେଖାଇ କହିଲା–

 

‘ସାର୍‍’–

 

ମୁଁ କହିଲି–‘ହାଁ ଏଣିକି ଆସ–ଏକଡ଼କୁ–ହାଁ–ବାସ୍‍ ।’

 

ସେ ମୋ କଡ଼କୁ ଲାଗି ଆସିଲା । ମୁଁ ତା’ର କଟିଦେଶରେ ମୋର ହାତକୁ ଜଡ଼ାଇ ତାକୁ ବେଶ୍‍ ଗୋଟାଏ ଉତ୍ତପ୍ତ ଚାପ ଦେଲି । ସେ ସମ୍ମୋହିତ ହେଲାପରି ମୋର ଅର୍ଦ୍ଧଆଲିଙ୍ଗନ ମଧ୍ୟରେ ଠିଆହୋଇ ରହିଲା । ତା’ପରେ ମୁଁ ନିଜେ ଠିଆହୋଇ ତାକୁ ଚୁମ୍ବନ ଦେଲି ।

 

ମାତ୍ର ସେ ଖାଲି ହସିଲା–ହିଁ–ହିଁ–ହିଁ–ହିଁ–ହିଁ–ହିଁ–ହିଁ–ହିଁ–ହିଁ ।

 

ବାପ୍‍-ରେ–ସେ ଏକପ୍ରକାର ଭୟଙ୍କର ହିଷ୍ଟୋରିକ ହସି !!

 

କିନ୍ତୁ ବନ୍ଧୁ–ସେହି ଘଟଣାଟି ପରେ ଆଉ ଯେତେଥର ସେହି ଘଟଣାଟିର ପୁନରାବୃତ୍ତି ହୋଇଛି, ସବୁଥର ଘୋଡ଼ୀ ଭଳି ସେ କେବଳ ଏହିପରି ‘ହିଁ–ହିଁ–ହିଁ’ ହସି ମୋତେ ଶୁଣାଇଛି । ପ୍ରଥମେ ପ୍ରଥମେ ନିଜର ଆବେଗରେ ମୁଁ ଅନ୍ଧ ଥିଲି । ନିଜର ପ୍ରଚଣ୍ଡ କାମନାର ନିଆଁ ଭିତରେ ମୁଁ ତାତିକରି ଥିଲି । କେବଳ ନିଜେ ଭୋଗ କରିବାର ଆତୁରତାରେ ମୁଁ ନିଜେ ଥିଲି ମୂଢ଼ ।

 

ମାତ୍ର କ୍ରମେ ଦେହରୁ ମୋର ଯେତେବେଳେ ଏହି ତାତି ଖସି ଆସିଲା, ଆଉ ମନରୁ ଲିଭି ଆସିଲା କାମନାରେ ନିଆଁ ସେତେବେଳେ ଏହି ବ୍ୟାପାରରେ ମୁଁ ସଜାଗ ହେଲି । ମୋର ମନ ଭିତରେ ପ୍ରଶ୍ନ ଉଠିଲା–ମୋର ଏତେ ନିବିଡ଼ ଆଲିଙ୍ଗନର–ଏତେ କାମନାତପ୍ତ ଉଷ୍ମ ଚୁମ୍ବନର କି ପ୍ରତିଦାନ ଦିଏ ଏଇ ଚପଳା ରାୟ ????

 

ଥଣ୍ଡା ବନ୍ଧୁ ଥଣ୍ଡା–ବରଫ ପରି ଥଣ୍ଡା–ମଲା ମଣିଷର ଦେହପରି ଥଣ୍ଡା–ହେମାଳ । ଯେତେବେଳେ ମୋର ଓଠରୁ କମି ଆସିଲା ଉଷ୍ମତା–ମୁଁ ଅନୁଭବ କଲି ଚପଳା ରାୟର ଥଣ୍ଡା ଓଠ । ଆଉ ତା’ର ସଂସ୍ପର୍ଶରେ ଆସି ମୋର ଓଠ କ୍ରମଶଃ ବରଫ ପାଲଟି ଯାଉଛି ।

 

ମୁଁ ଅନୁଭବ କଲି–ଚପଳା ରାୟର ନିର୍ବେଦ ନିଷ୍କ୍ରିୟ ଦେହ–ଯାହା ମଲା ମଣିଷର ଦେହଭଳି ହିମ ଶୀତଳ, ଆଉ ଯାହାର ସଂସ୍ପର୍ଶରେ ଆସି ମୋର ଦେହ କ୍ରମଶଃ ତା’ର ସ୍ୱାଭାବିକ ଉତ୍ତାପ ହରାଇ ବସୁଛି ।

 

ଇଏ କ’ଣ ? ଦିନେ ଚପଳା ରାୟର ଓଠରେ ଚୁମା ଦେଇ ମୁହଁ ଉଠାଇ ନେଉ ନେଉ ମୁଁ ଦେଖିଲି–ସେ ଚୁମ୍ବନରେ ଆଉ ଶବ୍ଦ ନାହିଁ ! ଆଉ ଶବ୍ଦ ଆସୁଛି ବରଂ ଚପଳା ରାୟର କଣ୍ଠରୁ–

 

ସେଇ–‘ହିଁ–ହିଁ–ହିଁ–, ହିଁହିଁହିଁ–,

 

ପ୍ରେମ ହେଉ ବା କାମ ହେଉ ତାକୁ ଏକା ଏକା କେବଳ ଗୋଟିଏ ପଟୁ ଭୋଗ କରି ହୁଏ ନାହିଁ ବନ୍ଧୁ ! ମୁଁ କିନ୍ତୁ କ୍ରମେ ବୁଝିଲି–ଚପଳା ରାୟର ନିଜର ଭୋଗ ସ୍ପୃହା ନାହିଁ ।

 

ସେ କେବଳ ପ୍ରତିମାଟି ଭଳି ଅନ୍ୟର ବାହୁ ବେଷ୍ଟନୀରେ ଢଳିପଡ଼େ । ମୁଁ ବେଶ୍‍ ଜାଣିଛି–କୌଣସି ଦିନ କେବେହେଲେ ବି ସେ ତା’ ଆଡ଼ୁ ଏସବୁ ବ୍ୟାପାରରେ କୌଣସି ପ୍ରତିକ୍ରିୟା ଦେଖାଇ ନାହିଁ । ଆଶ୍ଚର୍ଯ୍ୟ ଭାଇ–ଏଭଳି ଉତ୍ତାପବିବର୍ଜିତା ନାରୀ କେବଳ ଏହି ଯୁଗରେ ହିଁ ସମ୍ଭବ-। ସେ ନିଜେ କାମନାର ପ୍ରତିମୂର୍ତ୍ତି । ଅଥଚ ତା’ର ନିଜର କାମନା ନାହିଁ । ଅନ୍ୟଠାରେ ସେ କାମନା ଜାଗ୍ରତ କରେ–ମାତ୍ର କିଏ ତା’ଠାରେ କାମନା ଜାଗ୍ରତ କରିପାରିଛି ? ସେ ହେଉଛି ଜଳ–ଅନ୍ୟକୁ ତୃଷାର୍ତ୍ତ କରାଏ–ମାତ୍ର ନିଜର ତା’ର କୌଣସି ତୃଷା ନାହିଁ ।

 

ପ୍ରକୃତରେ ଭାଇ, ଚପଳା ରାୟ ହେଉଛି ଜଳବତ୍‍ ତରଳ ନାୟିକା । ତା’ର ଗତି ଅଛି–ହୋଇପାରେ ସେ ଗତି ନିମ୍ନଗତି । କାହାର ଉତ୍ତାପର ସେ ଉତ୍ତପ୍ତ ହୁଏ ନାହିଁ । କାହା କାମନାର ପ୍ରତିବିମ୍ବ ତା’ ଭିତରେ ସ୍ଥାୟୀ ହୋଇ ସ୍ପଷ୍ଟ ହୋଇ ରହିପାରେ ନାହିଁ । ସେ କେବଳ ଉଚ୍ଚରୁ ନିମ୍ନକୁ ବହିଯାଏ । ମଝିରେ ଅଧବାଟରେ ଅଟକି ରହି କିଛି ସମୟ ଭାବିବାକୁ ସେ ଇଛା କରିନାହିଁ । ଅନୁଭବ କରିବାର ଆବଶ୍ୟକତା ଅନୁଭବ କରିନାହିଁ ।

 

“ତା’ପ୍ରତି କ୍ରମେ ମୋର ବୈରାଗ୍ୟ ଆସିଲା । ଛି ! ଛି !!! ଚପଳା ରାୟ ସଙ୍ଗେ ସମ୍ପର୍କ–କାଠ କୁଣ୍ଢେଇ ସଙ୍ଗେ ସମ୍ପର୍କ–ପ୍ରଭେଦ କେଉଁଠି ? କ୍ରମେ ତାକୁ ଆଲିଙ୍ଗନ କରିବାରେ ମୋର ମନରୁ ସମସ୍ତ ଆବେଗ ଲୋପ ପାଇଲା ଓ ବହୁ ବନ୍ଧନରେ ଆସିଲା ଶୈଥିଲ୍ୟ ।

 

ଏ ବୈରାଗ୍ୟ କିନ୍ତୁ ଘୃଣାରୁ ନୁହେଁ ବନ୍ଧୁ । ଚପଳା ରାୟ ପ୍ରତି ଘୃଣା ବଦଳରେ ବରଂ ମୋର ମନରେ ଆସିଲା ଏକପ୍ରକାର କରୁଣା–ସହାନୁଭୂତି । ଆହା ବିଚାରୀ ଚପଳା ରାୟ ! ଦୁନିଆଁ ବିଷୟରେ କ’ଣ ସେ ବୁଝୁଛି ? ସବୁରି ମନ ରଖି, ସବୁରି ହାତ ପାଆନ୍ତାରେ ଧରାଦେଇ, ବଦଳରେ କ’ଣ ବିଚାରୀ ସେ ପାଇଛି ? ଲାଞ୍ଛନା, ଘୃଣା, ଅପବାଦ । ଚପଳା ସଙ୍ଗେ କାମଲାଳସାସିକ୍ତ ସମ୍ପର୍କ ରଖିଛନ୍ତି ଯେଉଁମାନେ–ସେମାନେ କି କେବେ ଦିନେ ଚପଳାର ଏହି ନିଷ୍କାମ, ଚପଳ, ନିର୍ଲିପ୍ତ ଉନ୍ମାନସିକତା ଲକ୍ଷ୍ୟ କରିପାରିଲେ ? ଚପଳାକୁ କାମନା-ତପ୍ତ ନିବିଡ଼ ଆଲିଙ୍ଗନ ମଧ୍ୟରେ ଧରି, କେହି କି ଦିନେ ବୁଝିଲା ଯେ ଚପଳା ରାୟର ଏହି ଧରାଦେବା ଏକପ୍ରକାର ବାଲସୁଲଭ ବଦାନ୍ୟତା-! ଏକପ୍ରକାର ଉଦ୍ଦେଶ୍ୟହୀନ ଖେଳ ! ବରଂ ସମସ୍ତେ କହନ୍ତି–ଚପଳା ରାୟ ଖୁବ୍‍ କାମପ୍ରବଣା । ତା’ଠାରେ ‘‘କାମ” ଅଛି–ମାତ୍ର ତା’ର ପ୍ରବଣତା କାଇଁ ?

 

କିନ୍ତୁ ହାୟ ବିଚାରୀ ଚପଳା ରାୟ ! ସେ କେବେ ବୁଝିବ ଯେ ତାକୁ କେହି ବୁଝୁନାହାନ୍ତି ! ସେ କେବେ ବୁଝିବ ଯେ, ଚିରଦିନ ତା’ର ଏହି ଚପଳତା ରହିବ ନାହିଁ ! ଏହିଭଳି ପିଲାମି କରୁ କରୁ ଦିନେ ହୁଏତ ସେ ଚମକିପଡ଼ି ଦେଖିବ–ତା’ର ଆଖି ତଳେ କାଳିଚା ଦାଗ–ଆଖି କଣରେ ବହି ଯାଇଥିବା ସମୟର ରେଖାଲିପି–ଅଧରରେ ଗତ ବସନ୍ତର ମ୍ଳାନ ଗୋଧୂଳି–ଆହା ! ସେତେବେଳେ ସେ ଆତୁର ହୋଇ କାହାର ପକ୍ଷତଳେ ଆଶ୍ରା ଖୋଜିବ ? କିଏ ତାକୁ ଆଶ୍ରୟ ଦେବ ସେତେବେଳେ ? ଚପଳା ବୁଝୁ ନାହିଁ । ଅସମୟରେ ପିଲାମି ଦେଖାଇ ସେ ତାର ନାରୀତ୍ୱର ଅପଚୟ କରୁଛି । ଏହି ଅପବ୍ୟୟ ଯେତେବେଳେ ତାକୁ ସର୍ବଶ୍ୱାନ୍ତ କରିବ ସେତେବେଳେ କାହାର ଭଣ୍ଡାର ପାଖରେ ସେ ହାତପାତି ଭିକ୍ଷା ମାଗି ବସିବ ?

 

ଚପଳା କି ବୁଝିବ ନାହିଁ ଯେ, ଏ ସଂସାରରେ କେହି କାହାକୁ ବୁଝନ୍ତି ନାହିଁ ? ଚପଳା ବର୍ତ୍ତମାନ ବୁଝୁନାହିଁ । କିନ୍ତୁ ଯଦି ସେ ବୁଝିବ !! ଯେବେ ସେ ବୁଝିବ !!!

 

ହାୟ–ହାୟ କେବେ ଯେ ସେ ବୁଝିବ ??

 

ଏଇ–ଏଇ ସହାନୁଭୂତି ହିଁ ପରିଣତ ହେଲା କ୍ରମେ ଏକପ୍ରକାର ନିର୍ଲିପ୍ତ ଓ ନିଷ୍କାମ ଭଲପାଇବାରେ ।

 

ଚପଳା ରାୟ ପ୍ରତି ମୋର ହୃଦୟର ଏହି ବିଚାରପ୍ରବଣ ସହାନୁଭୂତି କିନ୍ତୁ ସେ ନିଜେ ବୋଧେ ବୁଝୁ ନଥିଲା । କିପରି ବା ବୁଝିବ ? ସେ ବହୁ ପୁରୁଷଙ୍କ ସଙ୍ଗେ ମିଶିଛି । କିନ୍ତୁ କେଉଁ ପୁରୁଷକୁ ମନ ଦେଇନାହିଁ–ବା କେଉଁ ପୁରୁଷର ମନ ପାଇନାହିଁ । ସେ କିପରି ବୁଝିପାରିବ ପୁରୁଷର ମନ ? ସେ ଦେଖିଛି–ପୁରୁଷ କେତେବେଳେ ବାଘ ଭଳି କୁଦାମାରେ–ଲାଞ୍ଜ ପିଟେ–ପଞ୍ଝା ଘଷେ–ହେଁଟାଳ ଛାଡ଼େ । କେତେବେଳେ ପୁଣି ଲାଞ୍ଜ ହଲାଏ କୁଁ କୁଁ ହୋଇ–ନାସୁର ପାସୁର ବୁଲା କୁକୁର ଛୁଆଟି ପରି ଗୋଡ଼ରେ ଘଷି ହୁଏ–ଗୋଇଠା ଖାଏ–ପାଦ ଚାଟେ ।

 

ଚପଳା ରାୟଠାରୁ କ୍ରମେ ମୁଁ ଦୂରେଇ ରହିବାକୁ ଚେଷ୍ଟାକଲି । ତା’ଲାଗି ଆଉ ମୋର ଦୈହିକ ଆକର୍ଷଣ କିଛି ନ ଥିଲା । ଯାହା ବା ଆଗରୁ ଥିଲା–ସେ ବି ଯଦି ଆକର୍ଷଣ ହୋଇଥାନ୍ତା ପ୍ରକୃତରେ–ତେବେ ତା’ର ହେଲେ କିଛି ଗୋଟାଏ ଦୁର୍ବଳ ସ୍ମୃତି ରହିଯାଇଥାନ୍ତା । ଯେକୌଣସି ଗାଢ଼ ଆକର୍ଷଣ ପଛେ ପଛେ–(ସେ ଦେହର ହେଉ, ମନର ହେଉ ବା ଆତ୍ମାର ହେଉ) ବଞ୍ଚିରହେ ଏକ ଦୁର୍ବଳ ସ୍ମୃତି । କିନ୍ତୁ ଚପଳା ରାୟ ପ୍ରତି ମୋର ଦୈହିକ ଆକର୍ଷଣ ତା’ର ଦୈହିକ ଜଡ଼ତାରେ ଲୋପ ପାଇ ଯାଇଥିଲା । ଆଉ ତ କିଛି ନ ଥିଲା–ତେଣୁ ତା’ଠାରୁ ମୁଁ ଯେମିତି କ୍ରମେ ଦୂରେଇ ଗଲି–ତା’ ବିଷୟରେ ବି ସେହିପରି ମନରେ ଆଉ କିଛି ଭାବିଲି ନାହିଁ ।

 

ଆଉ ଗୋଟେ କଥା ଜାଣିଛ ବନ୍ଧୁ ! ପୁରୁଷ ଆଖିରେ ନାରୀ ଏକ ରହସ୍ୟମୟୀ ପ୍ରକୃତି–ଏକ ପ୍ରହେଳିକାପୂର୍ଣ୍ଣ କର୍ମ; ଆଉ ନାରୀ ଆଖିରେ ପୁରୁଷ ଏକ ସମ୍ମାନାସ୍ପଦ ଭୀତିପୂର୍ଣ୍ଣ ଶକ୍ତିଶାଳୀ କର୍ତ୍ତୃତ୍ୱ । ନାରୀ ପ୍ରତି ପୁରୁଷ ପ୍ରେମପ୍ରବଣ । ମାତ୍ର ପୁରୁଷ ପ୍ରତି ନାରୀ ଭୟପ୍ରବଣା । ନାରୀ ପ୍ରେମିକାର ଆସନରୁ ଖସିପଡ଼େ ଯେତେବେଳେ ସେ ତା’ର ରହସ୍ୟ ହରାଏ । ଆଉ ପୁରୁଷ ବି ପ୍ରେମିକର ଆସନରୁ ଖସିପଡ଼େ, ଯେତେବେଳେ ସେ ତା’ର ସମ୍ମାନ ହରାଏ–କର୍ତ୍ତୃତ୍ୱ ହରାଏ । ଚପଳା ରାୟ ପାଖରେ ସବୁ ପୁରୁଷ ସେମାନଙ୍କର ସମ୍ମାନ ହରାଇଛନ୍ତି । ତେଣୁ କୌଣସି ପୁରୁଷ ତା’ର ପ୍ରେମିକ ହୋଇପାରିନାହାନ୍ତି । ଚପଳା ରାୟ ସମସ୍ତଙ୍କ ପାଖରେ ନିଜର ରହସ୍ୟ ହରାଇଛି । ହାୟ ହାୟ–ସେଇଥି ଲାଗି ଚପଳା ରାୟ ବହୁବଲ୍ଲଭା–ମାତ୍ର କାହାର ଜଣଙ୍କର ବି ସେ ପ୍ରେମିକା ହୋଇପାରିଲା ନାହିଁ ।

 

ଛାଡ଼–ଛାଡ଼ ବନ୍ଧୁ । ଚପଳା ରାୟ ବିଷୟରେ ଆଉଥରେ କାହା ସଙ୍ଗେ କଥାବାର୍ତ୍ତା ହେବି–ଏକଥା ମୁଁ ଆଶା କରିନଥିଲି । କ୍ରମେ କ୍ରମେ ତା’ପ୍ରତି ମୋର ବ୍ୟବହାର ବେଶ୍‍ ସଂଯତ ହୋଇ ଆସିଲା । କିନ୍ତୁ କାହିଁକି କେଜାଣି–ଚପଳା ରାୟ ଏଣିକି ବେଶୀ ବେଶୀ ମୋ ପାଖରେ ଅସଂଯତ ହେଲା । ତା’ର ବିଶୃଙ୍ଖଳ ବ୍ୟବହାରରେ ମୁଁ କ୍ରମେ ମୋର ସମ୍ମାନହାନିର ଆଶଙ୍କା କଲି । ମୋ’ପ୍ରତି ତା’ର ଭୟ ତୁଟି ଗଲା । ଅନ୍ୟମାନଙ୍କ ଆଗରେ ସେ ମୋର ପୂର୍ବ ଦୁର୍ବଳତାର ସୁଯୋଗ ନେଇ ଏଭଳି ଆଚରଣ ଦେଖାଇଲା–ଯାହା ଫଳରେ ମୋର ମୁଣ୍ଡ ତଳକୁ ହେଲା । ମୋ ସ୍ତ୍ରୀ ମଧ୍ୟ ଏହି ବ୍ୟାପାରରେ ଖୁବ୍‍ ଉତ୍ତ୍ୟକ୍ତ ହୋଇ ଉଠିଲେ । ସେହି ସମୟରେ ଚାରିଆଡ଼େ ତାକୁ ନେଇ ମୋ ନାମରେ ଲୋକେ ବଦନାମ ବି ଆରମ୍ଭ କେରିଦେଲେ । ମୁଁ ନିଜେ ବି ଏ ସମୟରେ ଟିକେ ଉତ୍‍କ୍ଷିପ୍ତ ହୋଇପଡ଼ିଥିଲି । ମାତ୍ର କ’ଣ ବା ଆଉ କରିପାରନ୍ତି !! ଚପଳାର ଏପ୍ରକାର ବ୍ୟବହାରରେ ମୁଁ ପୀଡ଼ିତ ହେଲି–ସେତିକି ବିସ୍ମିତ ବି ହେଲି । ଏ କ’ଣ ? ଚପଳା କ’ଣ ପ୍ରତିଶୋଧ ଚାହେଁ ? ସେ କ’ଣ ବହୁ ପୁରୁଷଦତ୍ତ ଅପମାନର ପ୍ରତିଶୋଧ ନେଉଛି ବହୁ ପୁରୁଷର ପ୍ରତିନିଧି ରୂପେ ମୋ’ଠାରେ-? ଚପଳା ରାୟର ଦୌରାତ୍ମ୍ୟରୁ ମୁକ୍ତି ଲାଗି ମୁଁ ବ୍ୟାକୁଳ ହୋଇପଡ଼ିଲି ।

 

ଏହିଭଳି ଅବସ୍ଥାରେ କିଛିଦିନ କଟିଗଲା । ତା’ପରେ ଏହି ଦୁଇ ଦିନ ତଳର କଥା–ଯୋଉଥିଲାଗି ଏଭଳି ଭୟଙ୍କର ପରିସ୍ଥିତିର ସୃଷ୍ଟି ହୋଇଛି । ତୁମେ ତ ଘରକୁ ଚାଲିଗଲ ପିଲାପିଲିଙ୍କୁ ଛାଡ଼ି ଆସିବା ଲାଗି । ଏଇ ରବିବାର ଦିନ କଥା । ହଠାତ୍‍ ଦିନ ଦୁଇଟା ବେଳୁ ଝଡ଼ ବର୍ଷା ଆରମ୍ଭ ହେଲା । ଘରେ ରହି ଅଳସ ସମୟକୁ ଉପନ୍ୟାସ ପଢ଼ି କଟାଉଥିଲି–ଖଟ ଉପରେ ତକିଆକୁ ଆଉଜି ବସି ବହି ପଢ଼ୁଛି । ମୋର ପିଲାମାନେ ଓ ବିନୋଦିନୀ ଡାକ୍ତର ସେନାପତିଙ୍କ ଘରକୁ ବୁଲି ଯାଇଥାନ୍ତି । ବର୍ଷା ଯୋଗୁଁ ଆଉ ଫେରି ପାରି ନାହାନ୍ତି । ହଠାତ୍‍ ଖୁବ୍‍ ଜୋରରେ ବର୍ଷା ଆରମ୍ଭ ହୋଇ ଆକାଶବ୍ୟାପୀ କଳାମେଘ ଘୋଟିଗଲା । ବର୍ଷା ସଙ୍ଗେ ପବନ ବି ଜୋରରେ ପିଟୁଛି-। ବର୍ଷା ପାଗର ଗୋଟେ ଏମିତି ଗୁଣ ଅଛି ବନ୍ଧୁ, ଯାହାକି ମନ ଭିତରେ ଏକ ଅଯଥା କାରୁଣ୍ୟ ସୃଷ୍ଟି କରେ । ସେ ଏକପ୍ରକାର ଅତିନ୍ଦ୍ରୀୟ ଜଗତର ଉଦାସ ଭାବ । ଜୀବନର ସମୟ ତିକ୍ତ ମଧୁର, ଭ୍ରମ ପ୍ରମାଦ, ଯାହା କିଛି ହଜିଯାଇଛି ମନ ଗହୀରର ଅପନ୍ତରାରେ–ସବୁ ଯେପରି ମନ ଭିତରେ ଚେଇଁଉଠେ ବର୍ଷା ବାୟୁର ସ୍ପର୍ଶ ପାଇ । ବହିଟିକୁ ବନ୍ଦ କରି ତକିଆ ଉପରେ ଭରା ଦେଇ ମୁଁ ଝରକା ବାହାରକୁ ଚାହିଁରହିଲି । ବହୁ ଦୂରରୁ ତାଳ ବଣରୁ ନାଚି ବର୍ଷା ଆସୁଛି–ତୁହାକୁ ତୁହା–ଅସରାକୁ ଅସରା– । ଦେବଦାରୁ ଗଛ ଉପରୁ ଶୁଭୁଛି ତା’ର ନୃତ୍ୟ ନିପୁଣ ପଦ-ଯୁଗଳର ମଞ୍ଜିର ଧ୍ୱନି । ଉଦାସ ମନ କ୍ରମେ ଉଦାର ହୋଇ ଉଠୁଛି । ମନେହେଉଛି–ଏ ଦୁନିଆରେ ସତେ ବା ଶତ୍ରୁ କେହି ନାହାନ୍ତି । କେହି ପର ନୁହନ୍ତି । ସବୁ ଅନ୍ୟାୟକୁ–ସବୁ ଅବିଚାରକୁ–ସବୁ ପାପକୁ ମୁଁ ସତେ ବା କ୍ଷମା କରିଦେଇପାରେ ଏହି ବର୍ଷଣମୁଖର ଅପରାହ୍ନରେ । ବର୍ଷାର ସଙ୍ଗୀତ ମଧ୍ୟଦେଇ ମୁଁ ସତେ ବା ସମଗ୍ର ପୃଥିବୀର ଉଦାସୀନ ହୃଦୟର କରୁଣ ସଙ୍ଗୀତର ମୂର୍ଚ୍ଛନା କାନ ପାରି ଶୁଣି ପାରୁଛି । ସେ ଏକପ୍ରକାର ବିଧୁର ବେଦନା–ବିହ୍ୱଳ ଅନୁଭୂତି ।

 

ହଠାତ୍‍ ଭିଜା ପୋଷାକର ଫଡ଼ ଫଡ଼ ଶବ୍ଦରେ ମୋର ଧ୍ୟାନ ଭାଙ୍ଗିଗଲା । ବିନୋଦିନୀ ଆସିଲା ବୋଧେ । କିନ୍ତୁ ଏ କିଏ ?

 

ଝଡ଼ପରି–ଦମକାଏ ବତାସ ଭଳି–ମୋ କୋଠରୀ ଭିତରକୁ ପଶି ଆସିଲା ଚପଳା ରାୟ-। ମୁଁ ଚମକି ପଡ଼ିଲି । ଏପରି ବେଶରେ–ଏ ପୁଣି କାହିଁକି ? ଚପଳା ରାୟ ବିଷୟରେ ସମ୍ପୂର୍ଣ୍ଣ ସଚେତନ ହେଲା ପୂର୍ବର–ସେ ମୋ ହାତରେ ଖଣ୍ଡିଏ ଲଫାପା ଗୁଞ୍ଜିଦେଇ ପୁଣି ଝଡ଼ଭଳି ମୋ ଘରୁ ବାହାରି ଯାଇ ବାହାର ଝଡ଼ ଭିତରେ ମିଶିଗଲା । ମୁଁ ଡାକ ଛାଡ଼ିଛି–‘ଚପଳା-ଚପଳା-ଶୁଣ !’ ଆରେ ଶୁଣିଯାଅ । ‘‘କିନ୍ତୁ ମେଘରେ ବିଜୁଳି ଭଳି ସେ ଦେଖା ଦେଲା । ଆଉ ଉଭେଇ ଗଲା । ଲଫାପା ଚିଠିଟା ପଢ଼ିଲି । ଇସ୍‍ –ମୋର ଲୋମ ଟାଙ୍କୁରି ଉଠୁଛି–ମୋର ମୁଣ୍ଡ ବୁଲାଇ ଦେଉଛି–ନିଅ, ଚିଠିଟା ମୁଁ ପକେଟରେ ରଖିଛି । ତୁମେ ନିଜେ ପଢ଼– ।’’

 

...ଏତିକି କହି ଶୁଭକାନ୍ତ ଖୁବ୍‍ କ୍ଳାନ୍ତ ହୋଇପଡ଼ିଲା । ଆଉ ସିମେଣ୍ଟ ବେଞ୍ଚ ଉପରେ ଗୋଡ଼ ହାତ ଲମ୍ବାଇ ପ୍ରାୟ ଶୋଇବା ଭଳି ପଡ଼ିରହିଲା, ଆଉ ଖୁବ୍‍ ଗଭୀର ନିଃଶ୍ୱାସ ଛାଡ଼ିବାକୁ ଲାଗିଲା । ମୁଁ ଚିଠିଟାକୁ ଥରଥର ହାତରେ ମେଲା କଲି–

 

ମାନନୀୟେଷୁ–

 

ଜୀବନରେ କେଉଁଟା ଭୁଲ୍‍ ଓ କେଉଁଟା ଠିକ୍‍ କିଛି ଜାଣେ ନାହିଁ । ବର୍ତ୍ତମାନ ବି ବୁଝିପାରୁନାହିଁ । କାରଣ ମୋ ଜୀବନର ବିକାଶ ସ୍ୱାଭାବିକ ପରିସ୍ଥିତି ମଧ୍ୟରେ ହୋଇନାହିଁ । ମୋର ଜନ୍ମଟା ବି ଠିକ୍‍ ବାଟରେ ହୋଇଛି ନା ଭୁଲ୍‍ ବାଟରେ ହୋଇଛି–ଏ ବିଷୟରେ ବି ମୋର ବାପା ଓ ମାଆଙ୍କ ଭିତରେ ମନୋମାଳିନ୍ୟ ଥିଲା । ପିଲାଦିନୁଁ ବାପାଙ୍କ ଦ୍ୱାରା ମୁଁ ଅବହେଳିତା ।

 

କାରଣ ତାଙ୍କର ଦୃଢ଼ ଧାରଣା ଥିଲା ଯେ, ମୋର ଜନ୍ମ ଏକ କୁତ୍ସିତ ଅନ୍ୟାୟ ବା ପାପ ଭିତରୁ । ମୋର ଅନ୍ୟାନ୍ୟ ଭାଇ ଭଉଣୀମାନେ ମଧ୍ୟ ମୂଳରୁ ମୋତେ ସେହି ଦୃଷ୍ଟିରୁ ଘୃଣା କରି ଆସୁଥିଲେ । xxବାଲ୍ୟ ଓ କୈଶୋର ଜୀବନରେ କାହାଠାରୁ ସ୍ନେହ ସହାନୁଭୂତି ପାଇ ନାହିଁ । ବାପା ଓ ମାଆଙ୍କ ମଧ୍ୟରେ ପ୍ରତିଦିନ ବାଦ ବିବାଦ । ବାପା ଶେଷ ବୟସକୁ ପ୍ରାୟ ପାଗଳ ପରି ହୋଇଯାଇଥିଲେ । ନିଜର କିଛି ଦୋଷ ନ ଥାଇ ମୁଁ ସର୍ବଦା ଘରେ ଦୋଷୀଟିଏ ପ୍ରାୟ ଚାଲୁଥିଲି ।

 

ସମସ୍ତେ ମତେ ଘୃଣା କରୁଥିଲେ । କିନ୍ତୁ ସେହି ଘୃଣାଟା ବରଂ ମୋ ପକ୍ଷରେ ଭଲ ଥିଲା-। କାରଣ, ମୋର ଯୌବନର ପ୍ରଥମ ଉନ୍ମେଷ ଦିନଠାରୁ ଆଜି ପର୍ଯ୍ୟନ୍ତ ମୋର ଏହି ଘୃଣ୍ୟ ଜୀବନକୁ ଘୃଣା ନକରି ସ୍ନେହ ବା ସହାନୁଭୂତି ଦେଖାଇବାକୁ ଆସିଛନ୍ତି ଯେଉଁମାନେ ସେମାନେ ତାଙ୍କର ସ୍ନେହଦ୍ୱାରା ବରଂ ମୋତେ ବେଶୀ ଘୃଣିତ କରିଯାଇଛନ୍ତି । ମୋର ସ୍କୁଲ କ୍ୟାରିଅରରେ–ଓଃ ! ମୋର ମାମୁ ପୁଅ ଭାଇ ବହୁ ନିର୍ଜନ ରାତି XX ଇସ୍‍ –ଔଷଧଦ୍ୱାରା ଗର୍ଭପାତ ହେଲାପରେ ମୁଁ ବର୍ଷେକାଳ ଅସୁସ୍ଥ ରହିଲି XXX ସେହି ସମୟରେ ଘରେ ମୁଁ ବହୁ ଅତ୍ୟାଚାର ସହ୍ୟ କରିଛି । XXX ଆଉ ସହ୍ୟକରି ନ ପାରି ଦିନେ ସ୍କୁଲକୁ ଯାଇ–ସେଠାରୁ ଆଉ ମୁଁ ଘରକୁ ଫେରିଲି ନାହିଁ XX ମୋର ଜଣେ ଦୂରସମ୍ପର୍କୀୟ ଭିଣୋଇ ବଦାନ୍ୟତା ଦେଖାଇ ମୋତେ ଖୁବ୍‍ ସାହାଯ୍ୟ କଲେ । ତାଙ୍କର ଆର୍ଥିକ ସାହାଯ୍ୟକୁ ସମ୍ବଳ କରି ମୁଁ ଗୋଟିଏ ଗାର୍ଲସ୍କୁଲର ହଷ୍ଟେଲରେ ରହି ଅଳ୍ପଦିନପରେ ମାଟ୍ରିକ୍‍ ପାସ୍‍କଲି । ସେତେବେଳେ ମୁଁ କିଛିଦିନ ବେଶ୍‍ ନିର୍ଦ୍ୱନ୍ଦ୍ୱରେ ରହିଲି ଏବଂ ଦୁଇବର୍ଷ ପରେ ଆଇ.ଏ. ପରୀକ୍ଷା ଦେଲି । ପରୀକ୍ଷା ଦେଇସାରି ମୁଁ ଆଉ ଆମ ନିଜ ଘରକୁ ଗଲିନାହିଁ । କାହିଁକି ବା ଯାଆନ୍ତି ? ସେମାନେ ବି ଆଉ ମୋତେ ଡାକିଲେ ନାହିଁ । ଯଦିଓ ସେମାନେ ଜାଣିଥିଲେ ମୁଁ ଏହିଭଳି ଅବସ୍ଥାରେ ଅଛି । ଅଗତ୍ୟା ମୋତେ କିଛିଦିନ ସେହି ଦୂରସମ୍ପର୍କୀୟ ଭିଣୋଇଙ୍କ ଘରେ ରହିବାକୁ ପଡ଼ିଲା । ତାଙ୍କ ପିଲାମାନଙ୍କୁ ପଢ଼ାଏ, ତାଙ୍କର ରୋଷେଇବାସ ମଧ୍ୟ କରେ । ସେହି ଭିଣୋଇଙ୍କ ପ୍ରତି–ତାଙ୍କର ବଦାନ୍ୟତା ଯୋଗୁଁ ମୁଁ ଖୁବ୍‍ କୃତଜ୍ଞ ହୋଇପଡ଼ିଥିଲି । ମୋର ହୃଦୟ ସର୍ବଦା ବ୍ୟାକୁଳ ହୁଏ–ଆହା ! କିପରି ଏ ଋଣ ଶୁଝିପାରିବି ? କିନ୍ତୁ ମୋତେ ବେଶୀଦିନ ଏଭଳି ଋଣଦାୟଗ୍ରସ୍ତ ହୋଇ ରହିବାକୁ ପଡ଼ି ନ ଥିଲା XXX ହାୟ–ହାୟ ! ତାଙ୍କର ସମସ୍ତ ଅନୁରୋଧ ମୁଁ ବିନା ସଙ୍କୋଚରେ ରକ୍ଷା କରିଛି…ସେଦିନ ରାତି–ଢୁଢୁ ମେଘ ବର୍ଷୁଛି–ମୁଁ ଯେତେବେଳେ ମୋର ସେହି ଦୂରସମ୍ପର୍କୀୟ ଭିଣୋଇଙ୍କୁ କହିଲି ଯେ ତାଙ୍କର ବଦାନ୍ୟତାର ଫଳ ଫଳଛି ମୋର ଗର୍ଭ ଭିତରେ ଓଃ–ସେ କି ରାତି ! ସେ କି ବ୍ୟସ୍ତ ହୋଇପଡ଼ିଲେ !! ତାଙ୍କ ସ୍ତ୍ରୀଙ୍କର ନିର୍ମମ ପ୍ରହାର–ମୋ ପିଠିରେ ଏବେ ବି ତା’ର ଚିହ୍ନ ଅଛି ! ସେମାନେ ମୋତେ ଔଷଧଦ୍ଵାରା ପୁଣି ଗର୍ଭନଷ୍ଟ କରିବାକୁ କହିଲେ । ଓଃ–ମୋର ମନେପଡ଼ୁଛି–କେତେ ଅନୁନୟ ! କେତେ ବିନୟ ! ମୋତେ ସହଜରେ ମାଆ ହେବାର ବ୍ୟବସ୍ଥା କରିଦେଇଥିଲେ–ମୁଁ ସ୍ଥିର କରିଥିଲି ସେ ଘରେ ଆଜୀବନ ଦାସୀହୋଇ ରହିଥାଆନ୍ତି । କିନ୍ତୁ ନାଃ–ମୋତେ ସେମାନେ ଔଷଧ ଖୁଆଇଲେ XXX...କିଛିଦିନ ପରେ ସେଠାରୁ ଚାଲିଆସି ଗୋଟିଏ ସରକାରୀ ବୃତ୍ତି ପାଇ ଟ୍ରେନିଂ ପରେ ବଲାଙ୍ଗୀରରେ ସାତ ଆଠ ମାସ ରହିବା ପରେ ଏଠାକୁ ବଦଳି ହୋଇ ଆସିଲି । XXX ଆର୍ଥିକ ଦୃଷ୍ଟିରୁ ଅବସ୍ଥା ମୋର ଅବଶ୍ୟ ଭଲ ହେଲା-। ମାତ୍ର ମୁଁ କାହିଁକି କେଜାଣି ଖୁବ୍‍ ଲଘୁ–ଖୁବ୍‍ ହାଲୁକା ହୋଇପଡ଼ିଲି । XX ଜୀବନ ହେଲା ମୋ ପକ୍ଷରେ କେବଳ ଲଘୁ ଭାବରେ କାଳକ୍ଷେପଣ । XXX

 

ମୁଁ ଜାଣେ, ବର୍ତ୍ତମାନ ସମସ୍ତଙ୍କ ଆଖିରେ ମୁଁ କ’ଣ ! ମୋର ଏହି ଳଘୁତାର ସୁଯୋଗ ସମସ୍ତେ ନିଅନ୍ତି । ଯେଉଁମାନେ ନିଅନ୍ତି–ସେହିମାନେ ଇ କିନ୍ତୁ ମୋର ଚରିତ୍ର ଉପରେ ବଦନାମ କରନ୍ତି । କିନ୍ତୁ ସେଥିଲାଗି ମଧ୍ୟ ମୋର କିଛି ଦୁଃଖ ନାହିଁ । କାରଣ ମୁଁ ବର୍ତ୍ତମାନ ବୁଝୁଛି, ମୋର ଜନ୍ମ ଯେଉଁ ପାନକରୁ–ସେହି ପଙ୍କରେଇ ହିଁ ମୋତେ ଆଜୀବନ ବଞ୍ଚିବାକୁ ପଡ଼ିବ ଏବଂ ସେହି ପଙ୍କରେଇ ମୋର ଜୀବନାବସାନ ହେବ XXX

 

ଡାକ୍ତର ସେନାପତି–ଆପଣଙ୍କର ବନ୍ଧୁ XXX ମୁଁ ଆସିବା ଦିନୁ ସମସ୍ତଙ୍କ ଅପେକ୍ଷା ସେ ଏ ବ୍ୟାପାରରେ ମୋ ସଙ୍ଗେ ବହୁବାଟ ଅଗ୍ରସର ହେଲେ । ମୂଳରୁ ସେ ମୋ’ପ୍ରତି ଖୁବ୍‍ ସହାନୁଭୂତିଶୀଳ ଥିଲେ–ମୁଁ ତାଙ୍କୁ ମୂଳରୁ ବିଶ୍ୱାସ କରିଥିଲି । ସେ ତ ଖୁବ୍‍ କମ୍‍ କଥା କହନ୍ତି–ତାଙ୍କର ଗାମ୍ଭୀର୍ଯ୍ୟ ଉପରେ ମୋର ଆସ୍ଥା ଥିଲା । ମୁହଁ ଫିଟାଇ ପରିଷ୍କାର ଭାବେ ଯଦିଓ ସେ କହି ନ ଥିଲେ ତଥାପି ସେ ମୋତେ ବିବାହ କରିବେ ବୋଲି ମୁଁ ଆଶା ପୋଷଣ କରିଥିଲି । ସେ କଥା ସେ ଭଲରୂପେ ଜାଣିଥିଲେ । ଜାଣି ନ ଥିଲେ ସେ ମୋ ସଙ୍ଗେ ଏତେଦୂର ଅଗ୍ରସର ହୋଇଥାନ୍ତେ କିପରି ?

 

ଫଳରେ ତୃତୀୟ ବାର ମୁଁ... । ଦୁଇମାସ ପରେ ଯେତେବେଳେ ପରିଷ୍କାର ଜାଣିପାରିଲି ସେତେବେଳେ ତାଙ୍କୁ ଏକଥା କହିଲି । ସେ ପ୍ରଥମେ ଖୁବ୍‍ ବିରକ୍ତ ହୋଇ ଉଠିଲେ । ଧମକ ଦେଲେ–ତୁମେ ଏକଥା ଚାରିଆଡ଼େ ଡେଙ୍ଗୁରା ପିଟିଲେ ବି କେହି ବିଶ୍ୱାସ କରିବେ ନାହିଁ । ହଜାରେ ଲୋକଙ୍କ ସଙ୍ଗେ ତୁମେ ମିଶୁଚ; ମୋତେ ଇ ନିର୍ଦ୍ଦିଷ୍ଟଭାବେ ଚିହ୍ନାଇ ଦେବାକୁ ତୁମେ ସାହସ କରୁଚ କିପରି ? ହଜାରେ ଘାଟରେ ତୁମେ ପାଣି ପିଉଚ ସବୁରି ଘାଟରୁ ପଙ୍କ ଆଣି ତୁମେ ମୋ ଉପରେ ଲଦି ଦେବାକୁ ବସିଛ XX ଡାକ୍ତର ସେନାପତି ଖୁବ୍‍ ଉତ୍‍କ୍ଷିପ୍ତ ହୋଇ ଉଠିଲେ । ମୁଁ କହିଲି–“ଆପଣ ଅବିବାହିତ; ଆପଣଙ୍କର ଦୁର୍ନାମ ହେବାର ଆଶଙ୍କା ନାହିଁ–ପିଲା ଜନ୍ମ ହେବା ପୂର୍ବରୁ ଆମେ ଅନ୍ତତଃ କୋଟରେ କଣ୍ଟ୍ରାକ୍ଟ ମ୍ୟାରେଜ କରିଦେଇ ପାରିବା । XXX ଡାକ୍ତର ସେନାପତି ଆହୁରି ରାଗି ଉଠିଲେ–“ଏ ଦୁର୍ବୁଦ୍ଧି ତୁମକୁ ଦେଲା କିଏ ? ଏଭଳି ନିର୍ଲ୍ଲଜ ପ୍ରସ୍ତାବ ଲାଗି ତୁମେ ସାହସ କରୁଚ କିପରି ? XX ମୋଟ ଉପରେ ସେ ଯେ ଏହି ପାପର ସଞ୍ଚାର ଲାଗି ଦାୟୀ, ଏକଥା ସେ ସ୍ୱୀକାରଇ କଲେନାହିଁ–ମୁଁ ନିରୁପାୟ ଭାବେ ତାଙ୍କ ପାଦ ଧରି ଚିତ୍କାର କଲି–ଡାକ୍ତର–ମୋର ମାତୃତ୍ୱକୁ ବୈଧ ବୋଲି ସ୍ୱୀକାର କରି ତୁମ ପିତୃତ୍ୱର ସମ୍ମାନ ରଖ । ଜୀବନବ୍ୟାପୀ ମୁଁ ତୁମର ଏକାନ୍ତ ହୋଇ ସେବା କରିବି । XXX ସେ ମୋଟେ ରାଜି ହେଲେ ନାହିଁ । XXX ଶେଷରେ ପଅରିଦିନ ସେ ମୋତେ ଗର୍ଭପାତ କରିବାକୁ ଔଷଧ ଦେଇଛନ୍ତି–ଏତିକି କରି ସେ ଏ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହାଁନ୍ତି– XXX କିନ୍ତୁ ଆପଣଇ କହନ୍ତୁ ସାର୍‍–ଥର ଥର କରି କେତେଥର ମୁଁ ପୁରୁଷର ଏହି ମୂଲ୍ୟବାନ ପ୍ରତିଶ୍ରୁତି ସବୁ ଭଙ୍ଗ କରିପାରିବି ? ରାକ୍ଷସୀ ଭଳି ମୁଁ ଦୁଇଥର ଏହିଭଳି ନୃଶଂସ କାର୍ଯ୍ୟ କରିସାରିଛି । ମୁଁ ଆଉ ପାରିବି ନାହିଁ...ନାଃ ! ସାର୍‍ ମୋତେ କ୍ଷମା କରନ୍ତୁ । ଡାକ୍ତର ମୋତେ ଔଷଧ ଦେଇ ନିଶ୍ଚିନ୍ତ । ଦୁଃଖରେ, କ୍ଷୋଭରେ, ଲଜ୍ଜାରେ, ଅପମାନରେ ମୋର ମୁଣ୍ଡ ଆଉ ଠିକ୍‍ ନାହିଁ । ଯଦି ମୋତେ ଡାକ୍ତର କଥା ମାନି ଔଷଧ ବ୍ୟବହାର କରିବାକୁ ପଡ଼େ–ଏକଥା ବି ସାର୍‍ ନିଶ୍ଚିତ ଯେ, ଯେହେତୁ ଡାକ୍ତର ଏହି ଗର୍ଭସ୍ଥ ସନ୍ତାନର ପିତୃତ୍ୱ ସ୍ୱୀକାର କରିବାକୁ ନାରାଜ, ସେ ସନ୍ତାନ ଆଉ ଧରାପୃଷ୍ଠରେ ବଞ୍ଚିରହୁ ଏକଥା ମୁଁ ଚାହେଁନାହିଁ । ପିତାର ସ୍ୱୀକୃତି ନ ଥାଇ ଏ ସଂସାରରେ ଜନ୍ମହୋଇ ବଞ୍ଚିବାର ଅଭିଶାପ ମୁଁ ନିଜେ ଭୋଗିଛି–ଭୋଗୁଛି । ଏଭଳି ଭୋଗିବାକୁ ମୁଁ ଆଉ ମୋର ରକ୍ତର ସନ୍ତାନଟିକୁ ପୃଥିବୀ ପୃଷ୍ଠକୁ ନିମନ୍ତ୍ରଣ କରିପାରିବି ନାହିଁ । ସେ ବରଂ ଅକାଳରେ ସେଇ ଅନ୍ଧକାର ଭ୍ରୂଣ ମଧ୍ୟରେ ପଚି ସଢ଼ି ଯାଉ...ଉଃ–ମୁଁ ଆଉ ଭାବିପାରୁନାହିଁ ସାର୍‍ !! କୁହନ୍ତୁ ସାର୍‍ ! ମୁଁ କ’ଣ ଏ ଘଟଣା ସମ୍ଭବ ହେବା ପରେ ଆଉ ସୁସ୍ଥ ମସ୍ତିଷ୍କରେ ବଞ୍ଚିପାରିବି ବୋଲି ଆପଣ ଭାବୁଛନ୍ତି ? ନା ସାର୍‍–ନା । ମୁଁ ଜାଣେ ସାର୍‍–ଆପଣ ମୋତେ କୌଣସି ପ୍ରକାର ସାହାଯ୍ୟ କରିପାରିବେ ନାହିଁ । ମୋ ପକ୍ଷରେ କ’ଣ କର୍ତ୍ତବ୍ୟ ସେ କଥା ମୁଁ ସ୍ଥିରକରି ସାରିଛି । ମୁଁ ଜାଣେ–ମୁଁ କ’ଣ କରିବି ! ...ଆପଣଙ୍କ ଆଗେ ସବୁକଥା ଖୋଲି କହିବା ଲାଗି ମୁଁ କାହିଁକି ଆଜି ହଠାତ୍‍ ବ୍ୟାକୁଳ ହୋଇ ଉଠିଲି ? କୁହନ୍ତୁ ନା ସାର୍‍–ଆଉ କାହା ପାଖେ ମୋର ଏହି ଦୁଃଖ ମୁଁ ଖୋଲି କହିପାରନ୍ତି ? ଆପଣଙ୍କୁ ମୁହଁରେ ଖୋଲି କହିବାକୁ ଭାବିଥିଲି । କିନ୍ତୁ ନା ସାର୍‍–ସେ ସାହସ ଓ ମନର ସେ ବଳ ଆଉ ମୋର ନାହିଁ । କ’ଣ ମୁଁ ଅନୁଭବ କରୁଛି–ସେ କଥା ବି ମୁଁ ଲେଖି ପାରୁନାହିଁ ଭଲକରି । ମୋର ମୁଣ୍ଡ ଠିକ୍‍ ନାହିଁ–କିନ୍ତୁ ମୁଁ କ’ଣ କରିବି ? କିଏ ମୋତେ କହିବ ଏହାପରେ ମୁଁ କଅଣ କରିବି ବୋଲି ? XX ନାଃ ଆଉ କିଛି ଲେଖି ପାରୁନାହିଁ XXX କିନ୍ତୁ ଶେଷରେ ଏତିକି ଅନୁରୋଧ ମୋର ଆପଣଙ୍କ ପାଖରେ ଯେ–ଏହି ଚିଠି ଯେପରି ଡାକ୍ତର ସେନାପତିଙ୍କ ବିରୁଦ୍ଧରେ ଯାଇ ତାଙ୍କର କିଛି କ୍ଷତି ନ କରେ...ମୁଁ ତାଙ୍କୁ ଭଲପାଏ ସାର୍‍–ସତ କହୁଛି ମୁଁ ତାଙ୍କୁ ଭଲପାଏ...ଏ ଘଟଣାରେ ତାଙ୍କର ବା ଦୋଷ କ’ଣ ? ସେ ମୋ’ଠାରୁ ବୟସରେ କମ୍‍–ଖୁବ୍‍ ସୁକୁମାର ସେ...ମୋର ସ୍ୱାର୍ଥ ଦୃଷ୍ଟିରୁ ମୁଁ ତାଙ୍କୁ ମୋ ଆଡ଼କୁ ଆକୃଷ୍ଟ କରିଥିଲି......ପିଲାଲୋକ ସେ–ଖେଳୁ ଖେଳୁ ଏତେ ଦୂରକୁ କଥା ଯାଇପାରେ ବୋଲି ସେ କ’ଣ ଭାବିଥିଲେ ? ଏ ବିଷୟରେ ମୋର ବେଶୀ ଭାବିବାର ଉଚିତ ଥିଲା । ସେ କାହିଁକି ମୋତେ ବିବାହ କରି ତାଙ୍କର ଭବିଷ୍ୟତକୁ ଧ୍ଵଂସ କରିଥାନ୍ତେ ?

 

ଏହି ସଂକ୍ରାନ୍ତରେ ତାଙ୍କର ସମ୍ପର୍କ ମୁଁ କାହା ଆଗେ ଖୋଲିକରି କହିନଥାନ୍ତି । ତାଙ୍କୁ ଦାୟୀ କରି ଦୋଷୀରୂପେ ସାବ୍ୟସ୍ତ କରିବି ବୋଲି ମଧ୍ୟ ଏ ଚିଠି ମୁଁ ଆପଣଙ୍କ ପାଖକୁ ଲେଖୁନାହିଁ । ତାଙ୍କୁ ମୁଁ ଭଲପାଇଛି ସାର୍‍ ! ପ୍ରକୃତରେ ଭଲପାଇଛି–ଏହି କଥା କେବଳ ଜଣାଇବା ଲାଗି ମୁଁ ଆପଣଙ୍କ ପାଖକୁ ଏ ଚିଠି ଲେଖୁଛି । ମୋର ଆଉ କିଛି କହିବାର ନାହିଁ ।

 

ବିଦାୟ–

 

ଆପଣଙ୍କର

ଚପଳା ରାୟ ।

 

X X X X

 

ଚିଠିଟି ପଢ଼ିସାରି ମୁଁ କେତେ ମିନିଟ ନିସ୍ତବ୍ଧ ହୋଇ ସିମେଣ୍ଟ ଚେୟାର ଉପରେ ବସି ପଡ଼ିଲି । ଏହି ଚିଠିଟି ଶୁଭକାନ୍ତ ପାଖକୁ ଲେଖିସାରି ଚପଳା ରାୟ କ’ଣ କଲା–ତା’ ତ ମୁଁ ଜାଣିଛି । ମାତ୍ର ତଥାପି ମୁଁ ସମଗ୍ର ଘଟଣାର କ୍ରମ ଜାଣିବାକୁ ପଚାରିଲି–

 

“ଶୁଭକାନ୍ତ ! ଚପଳାର ଏଇ ଚିଠିଟି ପଢ଼ିସାରି ତୁମେ କ’ଣ କଲ ତା’ପରେ ? ତା’ପରେ କ’ଣ କିପରି ଘଟିଲା ?”

 

ଶୁଭକାନ୍ତ ଗୋଟିଏ ଲମ୍ବା ନିଃଶ୍ୱାସ ଛାଡ଼ି ପୁଣି ଆରମ୍ଭ କଲା–

 

ଚିଠିଟି ପଢ଼ିସାରି ମୁଁ କିଛି ସମୟ ଖଟ ଉପରେ ନିସ୍ତବ୍ଧ ହୋଇ ପଡ଼ିରହିଲି । କ’ଣ କରିବା ମୋର ଉଚିତ–ଠିକ୍‍ କରିପାରିଲି ନାହିଁ । ବାହାରେ ସେହିଭଳି ବର୍ଷା ଚାଲିଛି–ଅଳ୍ପ ଛାଡ଼ି ଯାଉଛି । ପୁଣି ଆସୁଛି ତୁହାକୁ ତୁହା । ହଠାତ୍‍ ମୋ ସ୍ତ୍ରୀ ବିନୋଦିନୀ ପହଞ୍ଚିଲେ, ମୁଁ ପଚାରିଲି–

 

‘‘ବିନ ! ଏ ବର୍ଷାରେ ଓଦାହୋଇ ଆସିଲ ପିଲାମାନେ କାହାନ୍ତି ?’’

 

ସେ ଶାଢ଼ି ବଦଳାଉ ବଦଳାଉ କହିଲେ–

 

“ସେମାନେ ହରମୋହନ ବାବୁଙ୍କ ଘରେ ଅଛନ୍ତି । ବର୍ଷା ଛାଡ଼ିଲେ ଆସିବେ । ଇସ୍‍ –ଯୋଉ ବର୍ଷା !! ତୁମକୁ ଛାଡ଼ି ଏକା ରହିପାରିଲି ନାହିଁ । କେମିତି ଗୋଟେ ଭାରି ଉଦାସ ଉଦାସ ବୋଧ ହେଲା । ପିଲାଙ୍କୁ ଛାଡ଼ି ପଳାଇ ଆସିଲା ।”

 

ଏତିକି କହି ବିନୋଦିନୀ, ମୋର ଖଟ ଉପରକୁ ଉଠି ଆସିଲେ । ...ଅବଶ୍ୟ କିଛି ସମୟ ଲାଗି ବିନୋଦିନୀଙ୍କୁ ପାଇ ମୁଁ ବାହାରର ବର୍ଷାକୁ ଭୁଲିଗଲି । କାରଣ କିଛି ସମୟ ଲାଗି ହେଉ ପଛେ, ବିନୋଦିନୀ ହିଁ ମୋତେ ସମଗ୍ର ପ୍ରକୃତି ରୂପରେ ଦେଖାଦେଲେ । XXX ତା’ପରେ–କିଛି ସମୟ ଲାଗି ବିନୋଦିନୀ ସମଗ୍ର ବିଶ୍ଵ ପ୍ରକୃତିକୁ ମୋ ମନରୁ ହଟାଇ ଦେବାର ବିଜୟ-ଜନିତ ତୃପ୍ତିରେ କ୍ଳାନ୍ତ ହୋଇ ଶୋଇ ରହିଲେ ନୀରବରେ । ବିଜୟର ଉଲ୍ଲାସ ତାଙ୍କ ମନରୁ କଟି ନାହିଁ । ମୁଁ କିନ୍ତୁ ପରେ ପରେ ବିନୋଦିନୀର ସୀମା ଭିତରୁ ପୁଣି ଖସିଯାଇ ବିଶ୍ଵ ପ୍ରକୃତିରେ ଘୂରି ବୁଲିଲିଣି–ପୁଣି ଶୁଣିଲିଣି ବୃଷ୍ଟିମୁଖର ଆକାଶର କରୁଣ ଅଶ୍ରୁପାତର ନୀରବ ଧ୍ଵନି–ଏକଥା ବିନୋଦିନୀଙ୍କୁ ଜଣା ନାହିଁ । (ଏହି ସାଧାରଣ ଭୁଲ୍‍ଟି ବୋଧେ ସବୁ ନାରୀ କରନ୍ତି ।) କ୍ରମେ ମୋର ମନ ବିନୋଦିନୀଙ୍କର ଆଗମନପୂର୍ବ-ପ୍ରଭାବର ସୂତ୍ରକୁ ଧରି ପୁଣି ଉଦାସବିଧୁର ହୋଇଉଠିଲା । ଚପଳାର ଚିଠି ମନରେ ଯେଉଁ ପ୍ରଭାବ ପକାଇଥିଲା–ତାହା ଯେପରି ପୁଣି ଥରେ ମନକୁ ଦୁଇ ଗୁଣରେ ପୀଡ଼ିତ କଲା । ବିନୋଦିନୀ ଆଖିବୁଜି ନିଃଶ୍ୱାସ ଛାଡ଼ୁଛନ୍ତି–ଶାନ୍ତିର ନିଃଶ୍ୱାସ–ତୃପ୍ତିର ନିଃଶ୍ୱାସ–ବିଜୟର ନିଃଶ୍ୱାସ ଆଉ ଶେଷରେ ଚିନ୍ତାହୀନତାର ନିଃଶ୍ୱାସ । ଆକାଶରେ ଘଡ଼ଘଡ଼ି–ବିଜୁଳି–ସାଇଁ ସାଇଁ ବର୍ଷା–ତୁହାକୁ ତୁହା–କିଏ ସେ କାନ୍ଦୁଛି ? ଏହି ବର୍ଷାର ବତାସ କାହାର ପ୍ରତିକାରହୀନ ଦୁଃଖର ଗଭୀର ହିଂସ୍ର ଅଭିଶାପ ବହନ କରି ନିଃଶ୍ୱାସିତ ହୋଇ ଉଠୁଛି ? ଏହି ଘନ ନିବିଡ଼ ବର୍ଷାଧାରା କାହାର ଘନ ନିବିଡ଼ ନୟନ ପକ୍ଷ୍ମର ସେତୁ ବନ୍ଧନକୁ ଭଗ୍ନ କରି ବହି ଆସୁଛି ? ଏହି ଘଡ଼ଘଡ଼ି କାହା ହୃଦୟର ଆକୁଳ ଆଲୋଡ଼ନ ଭିତରେ ଶବ୍ଦାୟିତ ହୋଇପଡ଼ୁଛି ? ଏହି ବିଜୁଳି କେଉଁ ଚିନ୍ତାନ୍ୱିତାର ଚିତା ବହ୍ନିର ଲେଲିହାନ ଜିହ୍ଵା ବିସ୍ତାର କରି ତା’ର ଧ୍ଵଂସର ପଥକୁ ଆଲୋକିତ କରି ଦେଉଛି ? କିଏ ସେ ? କିଏ ସିଏ ? କିଏ ସିଏ କାନ୍ଦୁଛି ? ପ୍ରତିକାରହୀନ ତା’ର ଦୁଃଖ, ଜାଣେ-। କିନ୍ତୁ କିଏ ସେ କାନ୍ଦୁଛି ? ହାୟ–ହାୟ–କାହିଁକି ବା ଆଉ ସେ କାନ୍ଦୁଛି ??

 

ହଠାତ୍‍ ବିନୋଦିନୀ ମୋ ଉପରେ ଭରାଦେଇ ଉଠି ବସିଲେ । ମୋର ଧ୍ୟାନ ଭାଙ୍ଗିଗଲା-। ସମ୍ବିତ୍‍ ଫେରି ଆସିଲା । ବିନୋଦିନୀଙ୍କ କେଶପାଶ ଆଲୁଳାୟିତ କଟି ଦେଶର ଶାଢ଼ି ଅସଂବୃତ୍ତ–ଆଳସ୍ୟ ମଧ୍ୟରେ ନିଜକୁ ସଜାଡ଼ୁ ସଜାଡ଼ୁ ସେ କହିଲେ–

 

“ହଇଏ–ଚପଳା କଥା ଶୁଣିଚ ? ଆଜି ହରମୋହନ ବାବୁଙ୍କ ସ୍ତ୍ରୀ କହୁଥିଲେ ଯେ ତା’ର କୁଆଡ଼େ ତିନିମାସ ହେବ– । ଠିକ୍‍ ହୋଇଛି । ସେ ଯାହା ହେଉଥିଲା ନା–ଠିକ୍‍ ହୋଇଛି–ଏଥର ଠିକ୍‍ ଜବତ ହୋଇଯିବ ଯେ–”

 

ହଠାତ୍‍ ଖୁବ୍‍ ଜୋରରେ ବିଜୁଳି ମାରି ଉଠିଲା । ଆଉ ଲାଗ୍‍ ଲାଗ୍‍ ବିଜୁଳି ସଙ୍ଗେ ଘଡ଼ଘଡ଼ି ମାରି ଚାଲିଲା । ଏ ଯେପରି ଉଦ୍ଦାମ ଗତି ଚପଳା ରାୟର ଦୁର୍ଭାଗ୍ୟର ଯୁଦ୍ଧ ଘୋଷଣା–ରଣ ଦୁନ୍ଦୁଭି !

 

ବିନୋଦିନୀ ପୁଣି କହିଲେ–

 

“ଡାଆଣୀକି ଠିକ୍‍ ହୋଇଛି–ମୁଁ ତ ମନେମନେ ସେଇଆ ହିଁ ଖୋଜୁଥିଲି ।”

 

ମୋର ମୁଣ୍ଡକୁ ପିତ୍ତ ଚଢ଼ିଗଲା । ମୁଁ ବିନୋଦିନୀଙ୍କ ଗଳା ଚିପିଧରି ପାଟିକରି କହିଲି–

 

‘ଓଃ–ରାକ୍ଷସୀ ! ବିନୋଦିନୀ !’

 

ଆକାଶରେ ଘନ ଘନ ବିଜୁଳି ଆଉ ଘଡ଼ଘଡ଼ି–ଫାଇଁଫାଇଁ ବତାସ–ଘରର କାଚ ଝରକାଗୁଡ଼ାକ ଘଡ଼ଘଡ଼ି ଶବ୍ଦରେ ଝଣଝଣ କରିଉଠିଲେ–ଦମକା ବତାସରେ ସୟତାନର ଗର୍ଜନ ଭାସି ଆସୁଛି । ବିନୋଦିନୀ ଚିତ୍କାର କରିଉଠିଲେ, ‘‘ଓଃ ମରିଗଲି–ମରିଗଲି–ଓଃ ଓଃ–ଛାଡ଼ି ଦିଅ–ମତେ ଛାଡ଼ିଦିଅ ।”

 

କ୍ରୋଧରେ ଫାଟି ପଡ଼ି ବିନୋଦିନୀଙ୍କୁ ଖଟ ଉପରକୁ ଛିଞ୍ଚାଡ଼ି ଠେଲି ଦେଲି । ଖଟ ଉପରେ ପଡ଼ିଗଲେ ।

 

“ଇସ୍‍ କେଡ଼େ କୁତ୍ସିତ ତୁମେ–ତୁମେ ଇ ନିଜେ ବେଶ୍ୟା । କୁଳବଧୂର ପୋଷାକ ଭିତରେ ତୁମର ଲୁଚି ରହିଛି, କୁଳଟାର ଜଘନ୍ୟ ମନୋବୃତ୍ତି । ନାରୀ ହୋଇ ତୁମେ ନାରୀତ୍ୱର ଅବମାନନା କାମନା କରୁଛ ? ମାଆ ହୋଇ ତୁମେ ମାତୃତ୍ୱର ଅସମ୍ମାନ ଦେଖିବାକୁ ବସିଛ ? ସମାଜରେ ଚପଳା ରାୟର ଜୀବନକୁ କଳଙ୍କିତ ହେବାର ଦେଖି ତୁମେ ତୁମ ଚରିତ୍ରର ଉଜ୍ଜ୍ଵଳତା ରକ୍ଷା କରିପାରିବ ! ଏଭଳି କୁତ୍ସିତ ଚିନ୍ତା ତୁମ ମୁଣ୍ଡ ଭିତରକୁ ପଶିଲା କିପରି ? ଇସ୍‍ –ଛି–ଛି–”

 

ବିନୋଦିନୀଙ୍କୁ ଗାଳିଦେଇ ମୁଁ ଘର ଭିତରୁ ପଦାକୁ ବାହାରି ଆସିଲି । ଘୃଣାରେ ମୋର ଦେହ ଥରି ଉଠୁଛି–ମୁଣ୍ଡ ଗରମ ହୋଇ ଉଠୁଛି । ବିନୋଦିନୀଙ୍କୁ ମୁଁ ଖୁବ୍‍ ଭଲପାଉଥିଲି–ଖୁବ୍‍ ସମ୍ମାନ କରୁଥିଲି । ମାତ୍ର ଆଜି ଯେପରି ଚପଳା ରାୟର ପ୍ରଭାବ ହିଁ ମୋତେ ତାଙ୍କୁ ଘୃଣା କରିବାକୁ ସଙ୍କେତ ଦେଲା । ସତେ ଅବା ଏକ ଅସତର୍କ ମୁହୂର୍ତ୍ତରେ ବିନୋଦିନୀଙ୍କ ଭଦ୍ର ଆଚ୍ଛାଦନ ଭିତରୁ ହଠାତ୍‍ ତାଙ୍କର କ୍ଷୁଦ୍ରତା ମୋର ଆଖିରେ ପଡ଼ିଗଲା ।

 

ଆକାଶରୁ ସେହିଭଳି ବର୍ଷା ଗଳୁଛି–ବିଜୁଳି ମାରୁଛି ଆଉ ଘଡ଼ଘଡ଼ି ଶବ୍ଦରେ ଚାରି ଦିଗ ଥରି ଉଠୁଛି । ବର୍ଷା ସଙ୍ଗେ ତୁହାକୁ ତୁହା ତୋଫାନ–ସଞ୍ଜ ହେବାକୁ ଅଳ୍ପ ସମୟ ବାକି ଅଛି । ଅନ୍ଧାର ହୋଇ ଆସିଲାଣି–ଗଛଗୁଡ଼ାକ ତୋଫାନ ସଙ୍ଗେ ପ୍ରାଣପଣେ ସଂଗ୍ରାମ ଚଳାଇଛନ୍ତି । ଏ ଯେପରି ପ୍ରଳୟର ସୂଚନା !! ଚପଳା ରାୟ ପ୍ରତି ମନ ସହାନୁଭୂତିରେ ଭରି ଉଠିଲା । ହାୟ–ହାୟ ଚପଳା ରାୟ ! କିଏ ଭଲା ତୁମକୁ ଶ୍ରଦ୍ଧା କରେ ? ଏ ପୃଥିବୀରେ କିଏ ଭଲା ତୁମ ପ୍ରତି ସହାନୁଭୂତିଶୀଳ ।

 

ସେହି ବର୍ଷାରେ ଭିଜିଭିଜି ବାହାରି ପଡ଼ିଲି । ଆକାଶର ବର୍ଷା ମୋର ଦେହକୁ ଓଦା କରୁଛି–ଆଉ ତା’ ସଙ୍ଗେ ସଙ୍ଗେ ମନଟା ବି ଆର୍ଦ୍ର ହୋଇ ଉଠୁଛି । ଚପଳା ପ୍ରତି ମନଟା ଅତି ମାତ୍ରାରେ କରୁଣ ହୋଇଉଠିଲା । ଇଚ୍ଛା ହେଲା–ଚପଳା ଘରକୁ ସେଇ ମୁହୂର୍ତ୍ତରେ ଯାଇ ତାକୁ ଆଲିଙ୍ଗନ କରି କହିବି–‘‘ଚପଳା ! ମୁଁ ତୁମକୁ ଭୁଲ ବୁଝିଥିଲି । ମୁଁ ତୁମକୁ ଶ୍ରଦ୍ଧା କରେ । ଏ ପୃଥିବୀରେ ମୁଁ ତୁମକୁ ସବୁଠାରୁ ବେଶୀ ଶ୍ରଦ୍ଧା କରେ ।”

 

ଲମ୍ବ ଲମ୍ବ ପାଦ ପକାଇ ମୁଁ ତା’ର ଘର ଆଡ଼େ ଚାଲିଲି । ଓଦା ହେଉଛି ବୋଲି ଖିଆଲ ନାହିଁ । ଏକପ୍ରକାର ଭାବପ୍ରବଣ ହୋଇ ଦୌଡ଼ୁଛି । ସାଇଁ ସାଇଁ ପବନ ମୋର ଦୁଇ ପଟରେ ବହି ଯାଉଛି–ଚାଇଁ ଚାଇଁ ମାରୁଛି ବିଜୁଳି–ଢୁ ଢୁ ହୋଇ ଗର୍ଜୁଛି ଆକାଶର ମେଘ–ସମଗ୍ର ପ୍ରକୃତି ଯେପରି ଆଜି ଚପଳା ରାୟକୁ ଧ୍ୱଂସ କରିବାକୁ ବ୍ୟସ୍ତ–ଆଉ ମୁଁ ବ୍ୟସ୍ତ ସମସ୍ତ ବିପର୍ଯ୍ୟୟ ହାତରୁ, ସମସ୍ତ ଦୁର୍ଦ୍ଦଶା ଓ ଲାଞ୍ଛନା ଭିତରୁ, ସମଗ୍ର ପ୍ରକୃତି ସଙ୍ଗେ ସଂଗ୍ରାମ କରି ମୁଁ ଆଜି ଚପଳା ରାୟକୁ ନିଶ୍ଚୟ ଉଦ୍ଧାର କରିବି ।

 

X X X X

 

କିନ୍ତୁ ଏ କ’ଣ ? ଚପଳା ଘର ଦୁଆରେ ଏତେ ଲୋକ–ଏତେ କୋଳାହଳ କାହିଁକି ? ଏଇ ଯେ ଡାକ୍ତର ସେନାପତି !! ସେ ହଠାତ୍‍ ମୋର ହାତ ଧରି ସେଠୁ ଝିଙ୍କି ନେଇ ତାଙ୍କ ବାରଣ୍ଡାକୁ ଟାଣି ନେଲେ । ଚପଳାର ଘର ସିଧା ଠିକ୍‍ ତାଙ୍କ ଘର । ମୁଁ ଉଦ୍‍ଗ୍ରୀବ ହୋଇ ପଚାରିଲି–

 

“ଘଟଣା କ’ଣ ଡାକ୍ତର ?”

 

ଡାକ୍ତର ସେନାପତି ମୋ କାନରେ ଚୁପ୍‍ ଚୁପ୍‍ କହିଲେ–‘‘ଆତ୍ମହତ୍ୟା–ଚପଳା ରାୟ ଆତ୍ମହତ୍ୟା କରିଛି ।”

 

ଆତ୍ମହତ୍ୟା ?

 

ଆତ୍ମହତ୍ୟା ??

 

ଆତ୍ମହତ୍ୟା ???

 

ଆକାଶର ବିଜୁଳି ମୋ ଛାତିରେ ଚାଉଁକିନା ମାରିଦେଲା । ଡାକ୍ତରର ଟାଇଟାକୁ ଭିଡ଼ି ଧରି ଖୁବ୍‍ ଉତ୍‍କ୍ଷିପ୍ତ ଭାବେ ପାଗଳ ଭଳି ଚିତ୍କାର କଲି–

 

‘‘ନା–ନା ଡାକ୍ତର–ଅସମ୍ଭବ–ଚପଳା ରାୟ ଆତ୍ମହତ୍ୟା କରି ନାହିଁ–ତୁମେ–ତୁମେଇ ତାକୁ ମାରିଛ–ତୁମେ–ତୁମେ–ତୁମେ–ଡାକ୍ତର–ଇଉ ବ୍ରୁଟ୍‍–ଇଉ ସ୍କାଉଣ୍ଡ୍ରେଲ–

 

ଡାକ୍ତରଙ୍କ ବେକକୁ ଖୁବ୍‍ ଜୋରରେ ଚିପି ଧରିଲି । ସେ ମଧ୍ୟ ମୋର ବେକକୁ ଚିପିଧରି ଚିତ୍କାର କଲେ–

 

‘‘ପୋଲିସ–ପୋଲିସ’’

 

ହଠାତ୍‍ ଘଡ଼ଘଡ଼ି ମାରିବାର ପ୍ରଚଣ୍ଡ ଶବ୍ଦରେ ମୁଁ ଚମକିପଡ଼ି ତଳେ ପଡ଼ିଗଲି । ଚପଳାର ବାରଣ୍ଡାରେ ଜମା ହୋଇଥିବା ଲୋକମାନେ ମୋ ପାଖକୁ ଦଉଡ଼ି ଆସିଲେ । ମୋର ଚେତା ବୁଡ଼ିଗଲା ।

 

X X X X

 

ବାସ୍‍–ସେଦିନ ମୋର ଏହି ଆବେଗ ଚାଳିତ କ୍ରିୟା ଯୋଗୁ ହିଁ ସମସ୍ତେ ଚପଳା ରାୟର ମୃତ୍ୟୁ ଲାଗି ମୋତେ ଇ ମନେମନେ ସନ୍ଦେହ କରି ଦାୟୀ କରନ୍ତି । ଚପଳା ନିଶ୍ଚୟ ଆତ୍ମହତ୍ୟା କରିଛି । ମାତ୍ର ତା’ର ଆତ୍ମହତ୍ୟା ଲାଗି କିଏ ଦାୟୀ କି ନୁହେଁ–ସେ କଥା ସେ କେଉଁଠି ଲିଖିତ ଆକାରରେ ରଖିଯାଇ ନାହିଁ । ତା’ର ଶବ ବ୍ୟବଚ୍ଛେଦ ହେଲାପରେ ଡାକ୍ତରମାନେ ରିପୋର୍ଟ ଦେଲେ ଯେ, ତା’ ପେଟରେ ତିନିମାସର ଭ୍ରୂଣଥିଲା । ପୋଲିସ ଏ ଘଟଣାର ଅନୁସନ୍ଧାନ ଚଳାଇଛି ଏବଂ ସମସ୍ତେ ମତେ ହିଁ ଏଥିରେ ବୃଥା ସନ୍ଦେହ କରିଛନ୍ତି । ପୋଲିସର ମଧ୍ୟ ମୋ ଉପରେ ଆଖି ଅଛି । ମାତ୍ର ମୋର ଏଥିରେ କ’ଣ ହେବ ? ତା’ଛଡ଼ା ନିହାତି ଆବଶ୍ୟକ ପଡ଼ିଲେ–ଚପଳା ରାୟର ସେଇ ଚିଠିଟା ମୋ ପାଖରେ ଅଛି !! ମୁଁ ମଧ୍ୟ ସେ ଚିଠିଟା ସହଜରେ ପ୍ରକାଶ କରୁନାହିଁ । ତାହାର ଆବଶ୍ୟକତା ମଧ୍ୟ ନ ପଡ଼ିପାରେ !!

 

ଶୁଭକାନ୍ତର କଥା ଶୁଣି ମୁଁ ଖୁସି ହେଲି ଯେ–ବିଚାରା ଶୁଭକାନ୍ତର କିଛି ହେବ ନାହିଁ । ମାତ୍ର ଚପଳା ରାୟ !!

 

ହାୟ ହାୟ ଚପଳା ରାୟ !!

 

ହାୟ ବିଚାରୀ ଚପଳା ରାୟ !

 

ଆଉ–ହାୟ ବିଚାରା ଶୁଭକାନ୍ତ !!

񤦬񤦬񤦬

 

Unknown

ଭୂତକୋଠି

 

ସତରେ ସେଟା ଭୂତକୋଠି କି ନୁହେଁ–ସେ ପର୍ଯ୍ୟନ୍ତ ମୁଁ ଜାଣିନଥିଲି । ଭୂତକୋଠି ବିଷୟରେ ଗପ ମୁଁ ପିଲାଦିନୁ ଶୁଣିଚି । ଆଉ ଏ ବୟସରେ ବି ଭୂତକୋଠି ବିଷୟରେ ମୋଟାମୋଟି ଧାରଣା ହଉଚି ଜନପଦର ଅନତିଦୂରରେ ବହୁକାଳରୁ ପରିତ୍ୟକ୍ତ ଗୋଟାଏ ଅର୍ଦ୍ଧ ଜୀର୍ଣ୍ଣ ବିଶାଳ ପ୍ରାସାଦ । ତା’ର ଚତୁଃପାର୍ଶ୍ୱରେ ଏକ ସୁଉଚ୍ଚ ପ୍ରାଚୀର ମଧ୍ୟରେ ଭଗ୍ନଇଷ୍ଟକର ସ୍ତୂପ ଆଉ ତତ୍‍ସଂଲଗ୍ନ ଶୁଷ୍କ ପତ୍ରାଚ୍ଛାଦିତ କେଇଟି କ୍ଷୁଦ୍ର କବର । ଆଉ ପ୍ରାଚୀରର କଡ଼େ କଡ଼େ କେତେଗୁଡ଼ିଏ ଘଞ୍ଚ କୋଚିଲା, ଦେବଦାରୁ ଆଉ ଚାକୁଣ୍ଡ ଗଛ । ଚତୁର୍ଦ୍ଦିଗରେ ନିବିଡ଼ ଅନ୍ଧକାର । ‘‘ଉରଗ ଆଉ କଞ୍ଚୁକବେଷ୍ଟିତ ରାତ୍ର ଦିବସ ଭୟଙ୍କର” ଏକ ଅବରୁଦ୍ଧ ବାତାବରଣରେ ପ୍ରେତଲୋକର ଆର୍ତ୍ତଚିତ୍କାର କିମ୍ବା ହାସ୍ୟ ନୃତ୍ୟର ତାଣ୍ଡବ । ଚେମେଣି, ଘରଚଟା, ପାରାବତ ଆଉ ପେଚକମାନଙ୍କ ସହ ଅର୍ଦ୍ଧନିଶୀଥରେ ହୁଁ ହାଁ ଚଢ଼େଇର ବିକଟ କୂଜନ ପୁଣି ଜ୍ୟୋତ୍ସ୍ନା ରାତ୍ରିରେ ସେଇ ଦେବଦାରୁ ଆଉ ବଟବୃକ୍ଷର ଘଞ୍ଚ ଛାୟାନ୍ଧକାର ମଧ୍ୟରେ ଦୁଇ ବା ତତୋଽଧିକ ଧୂସର ଶୃଗାଳଙ୍କର ନିର୍ଭୟରେ ବଟଫଳ ଭକ୍ଷଣ ।ଏହିଭଳି ଏକ ଭୟଙ୍କର ଗୃହରେ ଭୌତିକ କ୍ରିୟାକଳାପରେ ଅବିଶ୍ୱାସୀ ଜଣେ ଆମେରିକାନ୍‍ ସାହାବ ଆସି ହୁଏତ କେବେ ରହିଚି । ରାତିରେ ପେଟ୍ରୋମାକ୍ସ ଜାଳି ବନ୍ଧୁକ ଓ ଶିକାର ଟର୍ଚ୍ଚ ରଖି ଏକାକୀ ଶୟନ କରିଚି । ମାତ୍ର ଠିକ୍‍ ରାତି ଦୁଇଟା ତିନିଟାରେ ହଠାତ୍‍ ଲାଇଟ ଲିଭିଯାଏ ଏବଂ କୋଠା ଉପରେ ଦୁମ୍‍ ଦାମ୍‍ ଶବ୍ଦ ଶୁଭେ । ତା’ପରେ ହଠାତ୍‍ କେବଳ ଗୋଟେ ଲୋମଶ ନୀଳ ହାତ ଛାତ ଉପରୁ ସାହାବର ଛାତି ଉପରକୁ ଲମ୍ବି ଆସେ । ସଙ୍ଗେ ସଙ୍ଗେ ଅସଂଖ୍ୟ ଲୋମଶ ନୀଳ ହାତ ସାହାବର ଛାତି ଆଡ଼କୁ ମୁନିଆ ନଖ ଦେଖାଇ ଲମ୍ବି ଆସନ୍ତି । ସାହାବ ସାହସ ଧରି ବନ୍ଧୁକ ଫୁଟାଇବାକୁ ବସେ । କିନ୍ତୁ ଗୁଳିଭରା ବନ୍ଧୁକରୁ ଜମା ଗୁଳି ଖସେନାହିଁ । ତା’ପରେ ସାହାବର ଏଇ ବ୍ୟର୍ଥତାକୁ ଉପହାସ କରି କିଏ ଜଣେ ଅଶରୀରୀ ଅଟ୍ଟହାସ୍ୟ କରେ–ହାଃ ହାଃ ହାଃ, ଏବଂ ଏଇ ଅଟ୍ଟହାସ୍ୟ ସଙ୍ଗେ ତାଳରଖି ଅସଂଖ୍ୟ ଆଶରୀରୀ କଣ୍ଠରୁ ସମସ୍ଵରରେ ନିଃସୃତ ହୁଏ–ହାଃ ହାଃ ହାଃ, ହାଃ ହାଃ ହାଃ, ହାଃ ହାଃ ହାଃ । ସକାଳୁ ଲୋକେ ଦେଖନ୍ତି–ସାହାବଟି ଏତିକି ପର୍ଯ୍ୟନ୍ତ ତା’ର ଡାଏରିରେ ଲେଖି ରଖିଚି ଏବଂ ବନ୍ଧୁକଟି ହାତରେ ଉପରକୁ ଟେକିଧରି ରକ୍ତବାନ୍ତି କରି ମରିଯାଇଛି ।

 

ଭୂତକୋଠି ସମ୍ଵନ୍ଧରେ ପ୍ରାୟ ଏହିପରି କେତେଗୁଡ଼ିଏ ଲୋମହର୍ଷଣକାରୀ ବର୍ଣ୍ଣନା ମୋର ସଂସ୍କାରରେ ମୋର ପୂର୍ବପୁରୁଷ ମିଶାଇ ଦେଇଛନ୍ତି ଏବଂ ହତଭାଗ୍ୟ ବଂଶରକ୍ଷକ ସନ୍ତାନମାନଙ୍କ ରକ୍ତରେ ବି ଏଇ ସଂସ୍କାର ମୁଁ ସଂକ୍ରାମିତ କରିସାରିଛି ।

 

କିନ୍ତୁ ଐତିହାସିକ ରମେଶ ପଟ୍ଟନାୟକ ଯେଉଁ କୋଠିକି ଦେଖିଲେ ଇ ଲାଲ ପଡ଼ିଯାଏ–ଏବଂ ତା’ର ଏଇ କୋଠାଦର୍ଶନର ବିକାର ଦେଖି ମୁଁ ଯେଉଁ ସବୁ କାରଣ ମୋ ବୁଦ୍ଧି ଖରଚ କରି ବାହାର କରେ, ତା’ ମଧ୍ୟରେ ସେ ପର୍ଯ୍ୟନ୍ତ ମୋର ପ୍ରଧାନ ଧାରଣା ଥିଲା ଯେ, ସେଇ କୋଠାଟି ବୋଧେ ଗୋଟେ ଭୂତକୋଠି ଏବଂ ଐତିହାସିକ ରମେଶ ପଟ୍ଟନାୟକ ଏକ ଐତିହାସିକ ପାଗଳାମି ଯୋଗୁଁ ତା’ ଜୀବନରେ ଭୂତକୋଠି ଗଳ୍ପ ବର୍ଣ୍ଣିତ ସେଇ ସାହାବ ପରି ଏଇ କୋଠିରେ ଚେଙ୍ଖେ ପାଇଛି ।

 

ମାତ୍ର ଏ କୋଠିଟା ସଙ୍ଗେ ମୋ ବର୍ଣ୍ଣିତ ଭୂତକୋଠିର ବିନ୍ଦୁ ବିସର୍ଗ ସାମ୍ୟ ତ ନାଇଁ ନିଶ୍ଚୟ–ତା’ଛଡ଼ା ଏ କୋଠାର ବର୍ଣ୍ଣନା ଭୂତକୋଠିର ବର୍ଣ୍ଣନା ସଙ୍ଗେ ମିଳାଇ ଦେଖିଲେ ବରଂ ବିରୋଧାଭାଷ ଭଳି ମନେ ହେବ ।

 

ମୁଁ ବର୍ତ୍ତମାନ ଏଇ ଯେଉଁ କୋଠାଟି ବିଷୟରେ କହୁଛି–ସହରର ଠିକ୍‍ ମଝିରେ ତା’ର ଅବସ୍ଥିତି । ଆଉ ସହରର ସବୁ କୋଠାଠାରୁ ସୁନ୍ଦର ତା’ର ଗଠନ–ତା’ର ରଙ୍ଗ–ତା’ର ମନୋରମ ଉଦ୍ୟାନ–ତା’ର ଚନ୍ଦ୍ରଶାଳା–ବାତାୟନ ଆଉ ବସନ୍ତର ଆଗମନରେ କ୍ଷୁଦ୍ର କଲମି ଆମ୍ବଗଛର ପେନ୍ଥା ବଉଳ ଭିତରେ କୋକିଳର କୁହୁତାନ– । ମାତ୍ର ସବୁଠାରୁ ଆକର୍ଷଣୀୟ ହେଉଛନ୍ତି ତା’ର ଅଧିବାସୀ । କୋଠାଟି ଦୁଇ ଭାଗରେ ବିଭକ୍ତ । ତଳ ମହଲା ଆଉ ଉପର ମହଲା । ତଳ ମହଲାଟି ଖାଲି ପଡ଼ିଥାଏ । କିନ୍ତୁ ଉପର ମହଲାଟି ପ୍ରାୟ କଳମୁଖରିତ । ଜଳବାୟୁ ପରିବର୍ତ୍ତନ ପାଇଁ ବିଭିନ୍ନ ଋତୁରେ ବିଭିନ୍ନ ସ୍ଥାନରୁ ଯେଉଁ ନର ପକ୍ଷୀ ପାକ୍ଷିଣୀଗୁଡ଼ିକ ଏଇ ସହରକୁ ସ୍ୱସ୍ଵ ନୀଡ଼ ତେଜି ଉଡ଼ିଆସନ୍ତି, ସେହିମାନେ ଇ ସେମାନଙ୍କ ବିଚିତ୍ର ବେଶ, ବିଚିତ୍ର ବାକ୍ୟ ଆଉ ବିଚିତ୍ର ଗତିବିଧିରେ କୋଠାର ଉପର ମହଲାଟିକୁ ନିତ୍ୟ ବିଚିତ୍ର ଭାବ ଆଉ ରସରେ ସଂଜୀବିତ କରି ରଖିଥାନ୍ତି । ସେମାନଙ୍କର ଆଳାପ–ସେମାନଙ୍କର ପ୍ରଳାପ ସଂଳାପ ଆଉ କଲବରରେ କୋଠାଟି ଯେ ଆଗନ୍ତୁକମାନଙ୍କ ପକ୍ଷେ ଆକର୍ଷଣୀୟ ଏଥିରେ ଦ୍ୱିରୁକ୍ତି ନାଇଁ ।

 

କିନ୍ତୁ ଏତେ ସମ୍ଭାର ଥାଇ ବି କୋଠାଟି ଐତିହାସିକ ରମେଶ ପଟ୍ଟନାୟକ ମନରେ କାହିଁକି ଯେ, ଏତେ ଭୀତିପ୍ରଦ ବିରକ୍ତି ଆଣିଚି–ତା’ ଆମମାନଙ୍କ ପକ୍ଷେ ବୁଝିବା ମୁସ୍କିଲ ଥିଲା । ପ୍ରତିଦିନ ବନ୍ଧୁ ମେଳରେ ବୁଲି ଗଲାବେଳେ, ମୁଁ ସେଇ ନୀଳବର୍ଣ୍ଣ କୋଠାଟି ଆଡ଼କୁ ବଡ଼ ଲୋଭାନ୍ୱିତ ଆଖିରେ ଚାହିଁ ମନ୍ତବ୍ୟ ଦିଏ ‘‘ବାଃ ସୁନ୍ଦର ହେଇଚି କୋଠାଟି ।’’

 

“ସୁନ୍ଦର”

 

“ପ୍ରକୃତରେ ଚମତ୍କାର ।"

 

ସମସ୍ତେ ମୋତେ ସମର୍ଥନ କରି ମନ୍ତବ୍ୟ ଦିଅନ୍ତି । ମାତ୍ର ରମେଶ ପଟ୍ଟନାୟକ ହଠାତ୍‍ ବିକୃତ ଭାବରେ ନାକ ଛିଞ୍ଚାଡ଼ି ଛେପ ପକାଏ–

“ଛେନାଗୁଡ଼ ହେଇଚି କୋଠାଟା । ଏ ବାଟେ ଆସିବା କି ଅମଙ୍ଗଳ ! ଯେତେସବୁ କଦର୍ଯ୍ୟ–ଯେତେସବୁ–

ବା୍‍ସ–ଏତିକି କହି ସେ ହଠାତ୍‍ ଲାଲ ପଡ଼ିଯାଏ ।

ଶ୍ରମିକ ସଂଘର ସେକ୍ରେଟେରୀ ବିପିନ ମହାରଣା ଅକାରଣ ବ୍ୟସ୍ତ ହୋଇ ପ୍ରତିବାଦ କରନ୍ତି–

“କାହିଁକି ? କୋଠାଟାର ଗଠନ କ’ଣ ଅସୁନ୍ଦର ?’’

“କିମ୍ବା ତା’ର ପରିପାର୍ଶ୍ୱଟା ?” ଶିକ୍ଷକ ଗୋପାଳ ମିଶ୍ର ଯୋଗ କରନ୍ତି । ‘‘କାଇଁ ତା’ର ନିତ୍ୟନୂତନ ବିଚିତ୍ର ଅଧିବାସୀ ସବୁ ?” କବି ସତ୍ୟାନନ୍ଦ ଯୋଗ କରନ୍ତି । ଆଉ ରମେଶକୁ ରଖେ କିଏ ?

“ନିଆଁ ପାଉଁଶ ହେଇଚି ସେ କୋଠାଟାରେ । ଉଃ କଦର୍ଯ୍ୟ–କଦର୍ଯ୍ୟ–ଭୟଙ୍କର– । ଇସ୍‍ ସୟତାନର ଆଖଡ଼ା ଘର ସେଇଟା–ବଦମାସ–ପାଜି–ସୟତାନ–” ରମେଶ ତଳ ଓଠକୁ ଦାନ୍ତରେ କାମୁଡ଼ି ପକାଏ । ସତେ ବା ଏକ ତୀବ୍ର ଭାବାବେଗରେ ସକ୍ରିୟ ବହିଃପ୍ରକାଶକୁ ସମ୍ଭାଳି ନେବାପାଇଁ ସେ ନିଜକୁ ପ୍ରସ୍ତୁତ କରୁଚି ! ମନସ୍ତତ୍ତ୍ୱବିତ୍‍ ଶଶିଭୂଷଣ କିନ୍ତୁ ରାମେଶର ଗତିବିଧିକୁ ଲକ୍ଷ୍ୟ କରନ୍ତି-। ସାଧାରଣ ଜୀବନର ବ୍ୟବହାରରେ ଐତିହାସିକ ରମେଶ ପଟ୍ଟନାୟକ ବେଶ୍‍ ସାମାଜିକ ବ୍ୟକ୍ତି । ଐତିହାସିକ କନ୍ଦଳ ବ୍ୟତୀତ ରମେଶ ସାମାଜିକ ଆଲୋଚନା, ସମାଲୋଚନା ଓ ମନ୍ତବ୍ୟ ଆଦିରେ ଆଦୌ ଅବାଧ୍ୟ ନୁହଁ । କିନ୍ତୁ ପ୍ରତିଦିନ ଏଇ କୋଠାଟାର ପ୍ରଶଂସାମୂଳକ ଆଲୋଚନାରେ ରମେଶର ବ୍ୟବହାର ଏତେ ବୀତଶ୍ରଦ୍ଧ ଓ ଉଦ୍ବେଗଜ୍ଜନକ କାହିଁକି ? କାହିଁକି ?

ଆମେ ସମସ୍ତେ ସମପ୍ରାଣରେ ଆଶ୍ଚର୍ଯ୍ୟ ହେଉ ।

ଦିନେ–

ଗୋପାଳବାବୁ ପ୍ରସ୍ତାବ କଲେ–‘‘ଆସ ସେ କୋଠାଟାଆଡ଼େ ଘେରାଏ ବୁଲିଯିବା ।” ଆମେସବୁ ନୀରବରେ ମନ୍ତ୍ରମୁଗ୍ଧ ମେଷପଲପରି ତାଙ୍କର ପଶ୍ଚାଦ୍ଧାବନ କଲୁ । ରମେଶ କିନ୍ତୁ ରାଗରେ ନିଆଁ ହୋଇଗଲା ।

“କାହିଁକି ? କାହିଁକି ? କାହିଁକି ଯିବ ? ଚୁପ୍‍ ରୁହ–ନା–ପାଦେ ବି ନୁହଁ ସେ ଆଡ଼କୁ । ନା, ନା, ଜମା ନୁହେଁ–କାଇଁକି ?’’ “କିନ୍ତୁ କାଇଁକି ନୁହଁ ?” ମୁଁ ରାଗରେ ଚିଡ଼ି ଉଠିଲି । ‘‘ଆଚ୍ଛା ଲୋକଟାଏ ! କୋଠଟା ୟାକୁ ଖାଇ ଯାଉଛି !!!

କାଇଁକି ଯିବୁ ନାଇଁ ? ଅଲବତ୍‍ ଯିବୁ–ଚାଲ ଗୋପାଳବାବୁ–ଚାଲ– ।’’

ବାସ୍‍–ସମସ୍ତେ ପୁଣି ଅଗ୍ରଗତି କଲେ । ମାତ୍ର ରମେଶ ସମସ୍ତଙ୍କ ଆଗକୁ ଆସି ହାତ ମେଲାଇ ଓଗାଳିଲା । ‘‘ନା–ତୁମେମାନେ ଯାଇପାରିବ ନାହଁ–ମୁଁ ଦେବିନି–ମୁଁ ଯିବାକୁ ଦେବିନି–ନା–ଜମା ନୁହଁ ।’’

 

“ଆରେ ପାଜି ! କାଇଁକି ଆମେ ଯିବୁନି ? ଭୂତ କୋଉଠାର ।” ମୁଁ ଭାରି ଚିଡ଼ିଗଲି । ‘‘ଭୂତ–ଭୂତ–ଉଃ–ପାଜି–ସୈତାନ–ଯେତେ ସବୁ କଦର୍ଯ୍ୟ–ଭୟଙ୍କର–ଇସ୍‍–” ରମେଶ ଅଧିକ ନାଲି ପଡ଼ିଯାଇ ଓଠରେ ଦାନ୍ତ କାମୁଡ଼ିଲା ।

 

କବି ସତ୍ୟାନନ୍ଦ ଖୁବ୍‍ ଉତ୍ସୁକ ଗଳାରେ ଶିଶୁସୁଲଭ ଉତ୍କଣ୍ଠା ଆଉ ଆବେଗରେ ପଚାରିଲା–‘‘ରମେଶ ! ତୁମେ ଜାଣ ଏ କୋଠାର ଇତିବୃତ୍ତି କିଛି ?’’

 

“ଇସ୍‍–ସୈତାନ–ସୈତାନ–ଯେତେ ସବୁ ଭୂତଙ୍କର ଆଖଡ଼ା–ଯେତେ ସବୁ ପାଜି–ଇସ୍‍ ଯେତେ ସବୁ କଦର୍ଯ୍ୟ–’’

 

ରମେଶ ଖାଲି ଥରିବାକୁ ଲାଗିଲା । ତା’ର ଆଖି ଛଳ ଛଳ । ତା’ର କଣ୍ଠ ଗଦ୍‍ଗଦ୍‍–ତା’ର ବୋଧେ ମନହେଲା–ଆମେ ତାକୁ ଏଇ ଭୂତକୋଠିକୁ ବର୍ତ୍ତମାନ ଜବରଦସ୍ତି ତା’ର ଇଚ୍ଛା ବିରୁଦ୍ଧରେ ତା’ର ଭାବାବେଗକୁ ବେଖାତିର କରି ଟାଣି ନେଉଚୁ ।

 

ମୋର ମନ ନରମି ଆସିଲା । ମୁଁ ତା’ର ଅତି ନିକଟକୁ ଯାଇ ତାକୁ ଆଲିଙ୍ଗନ କରି ଅତି କୋମଳ ଓ ଆଶ୍ଵାସନା ବାଣୀରେ ଭାବ ଗଦ୍‍ଗଦ୍‍ କଣ୍ଠରେ କହିଲି–

 

“ରମେଶ–ରମେଶ ପଟ୍ଟନାୟକ–ଜାଗ୍ରତ ହୁଅ । ତୁମେ ଜଣେ ବିଖ୍ୟାତ ଐତିହାସିକ–ଜଣେ ବିଜ୍ଞ ବୟସ୍କ ଓ ମଧୁର ଦାମ୍ପତ୍ୟ ଜୀବନର ଏକ ସୁଖୀ ସୂତ୍ରଧାର– । ତୁମର ପ୍ରିୟତମା ସ୍ତ୍ରୀ–ଚାରୋଟି ମନୋଜ୍ଞ ସନ୍ତାନ ଆଉ ଧନ ଜନ ଗୋପଲକ୍ଷ୍ମୀ....ଦେଖ, ତୁମ ପକ୍ଷରେ ଏପରି ଭାବାଳୁତା–ଏପରି ଚପଳତା–ଏତାଦୃଶ ଅଯଥା ଭୟ ଆଉ ଶେଷରେ ସାମାନ୍ୟ ଗୋଟାଏ କୋଠାଘର ପ୍ରତି ତୁମର ଏତେ ପରିମାଣରେ ଉଗ୍ରଈର୍ଷା ବା ଆଶଙ୍କା ଆଦୌ ଶୋଭନୀୟ ନୁହଁ । ରମେଶ ପଟ୍ଟନାୟକ–ଉଠ, ଜାଗ୍ରତ ହୁଅ–ଆସ, ଏଇ ସୁରମ୍ୟ ଅଟ୍ଟାଳିକାଟିର ସମ୍ମୁଖୀନ ହୋଇ.....”

 

ପାଗଳଙ୍କ ଭଳି ରମେଶ ମୋତେ ଜାବୁଡ଼ି ଧରିଲା । ତା’ ଦେହରୁ ବୋଧେ ସବୁ ରକ୍ତ ପଦାକୁ ଲୋମକୂପ ଦେଇ ବାହାରି ଆସିଚି । ସେ ଆହୁରି ଜୋରରେ ଥରିବାକୁ ଲାଗିଲା । ତା’ର ଆଖି ଭିତରୁ ରକ୍ତ ପିଚିକି ଆସିଲାଭଳି ମନେହେଲା ଆଉ ଦୁଇଟା ଯାକ ଆଖି ତା’ର ଖୁବ୍‍ ଚଉଡ଼ା ହୋଇଗଲା । ତା’ପରେ ଖୁବ୍‍ ପାଟିକରି ସେ ଜୋରରେ ସେଇ ରାସ୍ତା ଉପରେ ଏକ କ୍ରୋଧୋନ୍ମତ୍ତ ଅବୋଧ ଶିଶୁପରି କ୍ରନ୍ଦନ କରିବାକୁ ଲାଗିଲା । ଆମେସବୁ ତା’ର ଚାରିପଟେ ଘେରିଗଲୁ ।

 

“ରମେଶ !”

 

“ରମେଶ ବାବୁ !!’’

 

“ରମେଶ ଭାୟା !!!’’

 

“ଆରେ ଭାଇ ରମେଶ ଏ ପ୍ରୌଢ଼ ବୟସରେ–ନା ନା–କିଛି ଚିନ୍ତା ନାଇଁ–ହାଁ ନ ହେଲା ବା–ଛାଡ଼ ହେ–ଆରେ ମାର ଗୁଲି ସେ କୋଠା ଘରକୁ–ତୋର ବନ୍ଧୁତ୍ୱ ତୁଳନାରେ ସେ କୋଠା ଘରଟାକୁ ଯିବା କ’ଣ ଆମର ଏମିତି ଗୋଟେ ଅନତିକ୍ରମ ଆକାଙ୍‍କ୍ଷା ! ହଁ ନ ହେଲା ବା–କିନ୍ତୁ କ’ଣ ସେ କୋଠା ଘରଟିର ଇତିହାସ ? କି ତୀବ୍ର ଭୀଷଣ ଅନୁଭୂତି ଆଣିଚି ସେ କୋଠା ଘରଟା ତୋ ଜୀବନରେ ? କହ ଭାଇ କହ–ଛି–କାନ୍ଦୁଛୁ ଗୋଟାଏ କଅଣରେ ରମେଶ ଏ ବୁଢ଼ା ବୟସରେ ଏମିତି ? ଆରେ ଯାଃ–ଓ ହୋ–କହନା–ଆରେ କହ–ଛିଇ ଛିଇ–ଫେର୍‍ କାନ୍ଦୁଛୁ–କହ ଭାଇ–କ’ଣ ଘଟନାଟା ! ଆରେ ମାର ଗୁଲି ସେ କୋଠା ଘରଟାକୁ–କହନା–ଇସ୍‍, ରମେଶ କହ–ଓ ହୋ... ।’’

 

ଅନେକ ସମୟ ପରେ–

 

ରମେଶର କୋହ ବନ୍ଦ ହୋଇ ଆସିଲା । ତା’ର ଥରିବା ବନ୍ଦ ହୋଇ ଆସିଲା । କିନ୍ତୁ ରହି ରହି ସେ କହିଲା–

 

“ତୁମ୍ଭେମାନେ ବୁଝିପାରି ନାହଁ । ପାରିବ କି ନାଇଁ କେଜାଣି ? କିନ୍ତୁ ବିଶ୍ୱାସ କର–ଆଜିକୁ ଅଠର ବର୍ଷ ତଳେ ମୋର ବିବାହର ଠିକ୍‍ ଦୁଇ ଦିନ ପୂର୍ବରୁ–ଗୋଟେ ଭୂତ ଗୋଟେ ସୟତାନ–ଗୋଟେ ପାଜି ସୟତାନ–(ରମେଶ ଦାନ୍ତ ଚୋବାଇଲା । ହାତ ମୁଠା କଲା ।) ଗୋଟେ ସଇତାନ ମୋ ସ୍ତ୍ରୀ ପାଖକୁ ଚିଠି ଦେଇଥିଲା ଯଦି ଦିନ ଦୁଇଟାରେ ମୋ ସ୍ତ୍ରୀ ଏଇ କୋଠାର ତଳ ମହଲାର ଗୋଟେ କୋଠରୀକୁ ସେଦିନ ଆସନ୍ତେ–ତେବେ ସେଇ ସଇତାନ, ସେଇ ପାଜି ସଇତାନ–(ରମେଶର ହାତ ଫେର୍‍ ମୁଠା ହେଲା–ସେ ଶୂନ୍ୟକୁ ବିଧା ମାରିଲା–ଦାନ୍ତ ରଗଡ଼ିଲା) ସେଇ ପାଜି ସଇତାନ ମୋ ସ୍ତ୍ରୀ ସଙ୍ଗେ ସହବାସ କରିଥାନ୍ତା । ଉଃ–ଉଃ–ଯେତେ ସବୁ ପାଜି–ବଦମାସ ଭୂତ ସୈତାନଙ୍କ–ଆଖଡ଼ା–ଓଃ ଓଃ ।’’

 

ରମେଶ ପଟଟନାୟକ ତଳେ ପଡ଼ି ଅଚେତା ହୋଇଗଲା । ଆମେ ଅବଶ୍ୟ ପାଣି ଆଣି ଓ ବିଞ୍ଚି ତାକୁ ସେଦିନ ସେଇ ରାସ୍ତା ଉପରେ ଚେତାକଲୁ ।

 

ମାତ୍ର ମୁଁ ଠିକ୍‍ ଜାଣିଚି–ପିଲାଦିନର ସେଇ ସବୁ ଭୂତଗୁଡ଼ାକ ପରି ଏଇଟା ବି ଐତିହାସିକ ପ୍ରୌଢ଼ ରମେଶ ପଟ୍ଟନାୟକଙ୍କର ଗୋଟେ ମନର ଭୂତ ।

 

ଆଉ ମୁଁ ଏପର୍ଯ୍ୟନ୍ତ ବି ଠିକ୍‍ ବୁଝିପାରିନି–ସେଇ କୋଠାଟା ବି ସତରେ ଭୂତକୋଠି କି ନାଇଁ ।

񤦬񤦬񤦬

 

ଛାୟା ଓ ମାୟା

 

ବାଲ୍ୟକାଳରୁ ବିଧବାମାନଙ୍କ ପ୍ରତି ମୋର ପ୍ରଚଣ୍ଡ ଘୃଣା ଥିଲା । ଘୃଣାଟା ଅବଶ୍ୟ କୁସଂସ୍କାରଗତ । ମାତ୍ର କେବଳ କୁସଂସ୍କାରଗତ ନୁହେଁ । ମୋର ଧାରଣା ଥିଲା ଯେ ଯେଉଁ ସ୍ତ୍ରୀଲୋକଗୁଡ଼ାକ ଅସତୀ, ଦୋଚାରୁଣୀ, ଆଉ ପାପିନୀ, ସେହିମାନେ ହିଁ କେବଳ ଅଳ୍ପଦିନ ମଧ୍ୟରେ ସ୍ୱାମୀକୁ ହରାଇ ବିଧବା ହୁଅନ୍ତି । ଏହିଭଳି ବିଧବା ସ୍ତ୍ରୀଲୋକମାନଙ୍କୁ ମୁଁ ବାଲ୍ୟକାଳରୁ ଅଲକ୍ଷଣୀ ବୋଲି ଘୃଣା କରୁଥିଲି । ସେମାନଙ୍କର ସିନ୍ଦୁର–ବିରହିତ ସୀମନ୍ତ ଓ କପାଳ, ଚୂଡ଼ୀହୀନ ମଣିବନ୍ଧ, ଆଉ ପୁରୁଷ ପିନ୍ଧା ଧଳା ଲୁଗା ଦେଖିଲେ ମୋ ମନରେ କୁତ୍ସିତ ପ୍ରତିକ୍ରିୟା ହେଉଥିଲା । ସବୁଠାରୁ ମୋତେ ଖରାପ ଲାଗୁଥିଲା, ସେମାନଙ୍କର ଡାହାଣୀ ଆଖିର ଚାହାଁଣୀ–କେମିତି ସେମାନେ ଚାହାଁନ୍ତି-!! ଥରେ ଗୋଟିଏ ବିଧବା ଯୁବତୀ ମୋ ଭାତ ଥାଳି ପାଖେ ବଢ଼ା ହୋଇଥିବା ଭାକୁର ମାଛଟିର ମୁଣ୍ଡଟିକୁ ଏପରି ଭାବରେ ଚାହିଁଥିଲା ଯେ ସେଇ ଚାହାଁଣୀ ଏପର୍ଯ୍ୟନ୍ତ ମୋର ମନେ ଅଛି-। ଆଘ୍ରାଣଦ୍ୱାରା କୁଆଡ଼େ ଅର୍ଦ୍ଧ ଭୋଜନ ହୋଇଥାଏ । ମାତ୍ର ସେହି ବିଧବାଟି ମାତ୍ର ମିନିଟିକ ଚାହାଁଣୀ ମଧ୍ୟରେ ସେହି ଭାକୁର ମୁଣ୍ଡଟିର ଅର୍ଦ୍ଧେକରୁ ଅଧିକ ସ୍ୱାଦ ବୋଧେ ଭୋଗ କରି ସାରିଥିଲା-। ବସ୍ତୁତଃ ଭାକୁର ମୁଣ୍ଡଟିକୁ ମୁଁ ଉଦରସ୍ଥ କଲି । ମାତ୍ର ସେହି ବିଧବା ଯୁବତୀଟିର ଡାହାଣୀ ଆଖିର କ୍ଷୁଧିତ ଚାହାଁଣୀ ମୋ ପେଟ ଭିତରେ ପଶି ସତେ ବା ମୋ ପେଟକୁ ଗୁରାଣ୍ଡିଲା ! ମନ୍ଥନ କଲା-! ସେହି ଭୟଙ୍କର ଚାହାଁଣୀକୁ ମୁଁ ଭୁଲି ପାରି ନାହିଁ ।

 

ଆଉଥରେ–ମୋତେ ଯେତେବେଳେ ୧୮–୧୯ ବର୍ଷ ବୟସ ଆମ ଗ୍ରାମର ଗୋଟିଏ ଯୁବତୀ ବିଧବା ଆମ ଘରକୁ ସେତେବେଳେ ବାରମ୍ବାର ଯିବା ଆସିବା କରୁଥିଲା । ମୋ ମାଆ ତାକୁ ଗାଳି ଗୁଲଜ କରି ବାରଣ କରିବା ସତ୍ତ୍ୱେ ବି ସେ ଲୁଚି ଲୁଚି ଆମ ଘରେ ବସି ଘେରାଏ ବୁଲିପଡ଼ି ଯାଉଥିଲା । ଆମ ଘରେ ମୋର ବଡ଼ ଭାଇମାନେ ସେତେବେଳେ ଅବିବାହିତ ଥିଲେ । ତେଣୁ ମାଆର ବଡ଼ ଭୟ ଥିଲା ଯେ କାଳେ ସେଇ ରାଣ୍ଡଟି ତା’ର ପିଲାଙ୍କୁ ପ୍ରଲୁବ୍‍ଧ କରି ଖରାପ କରିଦେବ ! ଦିନେ ସେ ଏହିପରି ଲୁଚି ଲୁଚି ଆସୁଥିବା ସମୟରେ ହଠାତ୍ ଆମ ଘରର ଏକ ନିର୍ଜ୍ଜନ ବାରଣ୍ଡାରେ ଆମେ ପରସ୍ପର ବିପରୀତ ଦିଗରୁ ଧକକା ଖାଇଲୁ । ତା’ର ଥିଲା ଅନୁପମ ସ୍ୱାସ୍ଥ୍ୟ ଓ ଯୌବନ । ଧକକା ଖାଇ ସେ ପଛପଟକୁ ପଡ଼ିଗଲା ଭଳି ହେଲା । ମାତ୍ର ମୁଁ ତାକୁ ସଙ୍ଗେ ସଙ୍ଗେ ଧରି ପକାଇଲି । ମୋର ଦୁଇ ପାପୁଲି ଦ୍ୱାରା ମୁଁ ତା’ର କାଟିକୁ ଛନ୍ଦି ଦେଇଥିଲି । ପଛଆଡ଼କୁ ଅଳ୍ପ ଝୁଙ୍କି ରହି ମାତ୍ର ଦଶଟି ସେକେଣ୍ଡ ମଧ୍ୟରେ ସେ ମୋର ମୁହଁକୁ ଏପରି ଭାବରେ ଚାହିଁରହିଲା ଯେ, ସତେ ବା ସେ ମୋତେ ତା’ର ଆଖି ବାଟେ ଶୋଷିଗଲା । ମୋର ସୁପରିପୁଷ୍ଟ ସ୍ୱାସ୍ଥ୍ୟ ଓ ଯୌବନ ସତେ ବା ତା’ର ଆଖିରେ ଆହୁରି କ୍ଷୁଧା ଜାଗ୍ରତ କରିଦେଲା । ତା’ପରେ ସେ ମୋର ସୁବିସ୍ତୃତ ଡାହାଣ ପାଖ ଛାତିର ମାଂସପେଶୀକୁ ଜୋରରେ ମୁଠାଇ ଧରି ଝିଙ୍କି ଦେଲା, ଆଉ ତା’ର ଅନ୍ୟ ହାତରେ ମୋର ବାହୁର ମାଂସପେଶୀକୁ ଜୋରରେ ଚିମୁଟିଲା ଭଳି ଚିପି ଧରିଲା । ମୁଁ ଛାଡ଼ି ଦେଲି-। ସେ ପଳାଇଗଲା ।

 

ସେହିଦିନ ରାତିରେ ମୁଁ ଗୋଟିଏ ସ୍ଵପ୍ନ ଦେଖିଲି । ମୁଁ ଜଳଛତ୍ର ଖୋଲିଛି । ସେ ମୋତେ ଆସି ପାଣି ମାଗିଲା । ହାତ ଆଞ୍ଜୁଳି କରି ସେ ପାଣି ପିଉଛି ଆଉ ମୁଁ ତା’ର ଆଞ୍ଜୁଳିରେ ପାଣି ଢାଳୁଛି । ହଠାତ୍ ସେ ମୋର ହାତଟାକୁ କାମୁଡ଼ି ଧରି ଛିଣ୍ଡାଇ ନେଇ ପଳାଇ ଗଲା । ମୋର ନିଦ ଭାଙ୍ଗିଗଲା । ଏହି ଦୁଃସ୍ୱପ୍ନ ଦେଖି ବଡ଼ ବ୍ୟସ୍ତ ମନରେ ମୁଁ ମୋର ମାଆକୁ କହିଲି । ମୋ ମାଆ ମୋତେ ସଙ୍ଗେ ସଙ୍ଗେ ଗୋରୁ ଗୁହାଳକୁ ନେଇ ବାଛୁରୀ ଲାଞ୍ଜରେ ମୋତେ ଝାଡ଼ି ଦେଲା । ଆଉ କାନ୍ଦୁଣୁ ମାନ୍ଦୁଣୁ ହୋଇ ମୁଣ୍ଡିଆ ମାରିଲା–

 

“ସେଇ ଡାହାଣୀ ରାଣ୍ଡର ଆଖି ତ ମୋ ପୁଅ ଉପରେ ପଡ଼ିଲାଣି ଲୋ–ହେ–ମା କୁତାମଚଣ୍ଡୀ ! ସେ ଡାହାଣୀ ଆଖି ଫୁଟି ଯାଉ–ରାଣ୍ଡ ଛତର ଖାଇ ଘାଇତାକୁ ଖାଇଲା । ତା’ ପେଟରେ ନିଆଁ ଲାଗୁ ଡାହାଣୀ ।"

 

ମୋ ମାଆର ଆଶଙ୍କା ଓ ବିଶ୍ୱାସକୁ ଦୃଢ଼ୀଭୁତ କରାଇବାକୁ ଦୈବାତ ଏଇ ଘଟଣାଟି ପରେ ପରେ ଦୁଇ ତିନି ଦିନ ଜ୍ୱର ବି ହୋଇଗଲା ।

 

ଏ ସବୁ ଛାଡ଼ନ୍ତୁ । କିନ୍ତୁ ମୁଁ ସେଇ କ୍ଷୁଧିତ ଚାହାଁଣୀକୁ ଭୁଲି ପାରି ନାହିଁ । ସେ ଚାହାଁଣୀରେ ଏକ ଅଶାନ୍ତ ଅତୃପ୍ତ ଆତ୍ମାର କାମନା କ୍ଷୁବ୍ଧ ଭୟଙ୍କର ଆକାଂକ୍ଷା ପ୍ରକାଶ ପାଏ । ବାଲ୍ୟକାଳରେ ଏଇ ଚାହାଁଣୀକୁ ମୁଁ ଘୃଣା କରୁଥିଲି । କାରଣ ଏ ଚାହାଁଣୀର ଅର୍ଥ ମୁଁ ଠିକ୍ ବୁଝି ନ ଥିଲି । ଭୟ ବି କରୁଥିଲି କାରଣ ଏ ଚାହାଣୀର ଲକ୍ଷ୍ୟ ହେବାକୁ ସେତେବେଳେ ମୋର ଯଥେଷ୍ଟ ଶକ୍ତି ନ ଥିଲା । ତା’ ମାନେ ଏଇ କ୍ଷୁଧିତ ଦୃଷ୍ଟିକୁ ଶାନ୍ତ କରିବା ଲାଗି ମୋର ଯଥୋଚିତ ସାମର୍ଥ୍ୟ ନ ଥିଲା ।

 

କିନ୍ତୁ କ୍ରମେ ଏ ଚାହାଣୀର ଅର୍ଥ ମୁଁ ବୁଝିଲି । ମୋର ବୟସ ବଢ଼ିବା ସଙ୍ଗେ ବୋଧ ଶକ୍ତି ବି ବଢ଼ିଲାଓ ଶକ୍ତି ସାମର୍ଥ୍ୟ ବି ବୃଦ୍ଧି ପାଇଲା । ତେଣୁ ପିଲାଦିନେ ଯାହାକୁ ଘୃଣା ଓ ଭୟ କରୁଥିଲି ବଡ଼ ଦିନେ ତାକୁ ଦୟା କଲି–ଆଉ ଭଲପାଇଲି । କାରଣ ଯେ ବୁଝି ପାରେ, ସେ ଦୟା କରେ । ଆଉ ଯେ ଶକ୍ତିମାନ ସେ ଭଲପାଏ । (ମୋର ବିଶ୍ୱାସ ଅନ୍ତତଃ ଏହା ହିଁ ଥିଲା) ମୋର ଶକ୍ତିଶାଳୀ ଓ ଚପଳ ଚତୁର ଯୌବନ ଯଥାକାଳରେ ମତେ ଏହି ଗୁଣରେ କୁଶଳ କଲା । ଫଳରେ ମୋର ଯୌବନ କେତେବାର ଏଇ କ୍ଷୁଧିତ କାମନାର ଚାହାଣୀକୁ କ୍ଷଣକାଳ ପାଇଁ ଶାନ୍ତ କରି ନିଜେ ଅଶାନ୍ତ ହୋଇ ଉଠିଛି ଓ କେତେବାର ଏଇ ଭଳି ଅତୃପ୍ତ ଆତ୍ମାକୁ କ୍ଷଣିକ ତୃପ୍ତି ଦେଇ ନିଜର ଆତ୍ମାକୁ ଚିରକାଳ ଲାଗି ପୀଡ଼ିତ କରି ରଖିଛି–ସେ କଥା ଭାବିଲେ ଆଜି ଏହି ପ୍ରୌଢ଼ ଚିତ୍ତରେ ମୋର ସେ କାଳର ସେହି ମହତ ଯୌବନ ଲାଗି ଗଭୀର ସମ୍ମାନ ଓ ସହାନୁଭୂତି ଜାଗି ଉଠେ । ହାୟ ! ମୋର ସେ କାଳର ବଳଦୃପ୍ତ, ତେଜଦୀପ୍ତ, ମହିମାମୟ, ବିଶାଳଚିତ୍ତ ଯୌବନ ! ଆଶ୍ରିତକୁ ଆଶ୍ରୟ ଦେବା ଲାଗି କି ଉଦାର ଆଉ ବିଶାଳ ତୁମର ଆଲିଙ୍ଗନ ଦୁର୍ଗ ! ଶରଣାର୍ଥୀକୁ ଶରଣ ଦେବା ଲାଗି କି ଚଞ୍ଚଳ ଆଉ ଅକୁଣ୍ଠ ତୁମର ନିଷ୍ପତ୍ତି ! ପ୍ରାର୍ଥୀର ପ୍ରାର୍ଥନା ପୂରଣ ଲାଗି କି ବିପୁଳ ଆଉ କାର୍ପଣ୍ୟହୀନ ତୁମର ଦାନ !

 

ମାତ୍ର ହେ ଲକ୍ଷ–କାମନାର କଳ୍ପତରୁ–ଚିନ୍ତାମଣି–ଯୌବନ ! ତୁମେ ଉଦାର, ତୁମେ ମହନୀୟ, ତୁମେ ବଳଶାଳୀ–ତୁମେ ମହିମାମୟ । କିନ୍ତୁ ତୁମେ ଭ୍ରାନ୍ତ–ତୁମେ ଅବୋଧ–ତୁମେ ପ୍ରମତ୍ତ–ଆଉ ଉନ୍ମତ୍ତ । ନିଜର ତେଜରେ ତୁମେ ନିଜେ ଅନ୍ଧ । ନିଜର ଶକ୍ତିରେ ତୁମେ ନିଜେ ଦୁର୍ବଳ-। ନିଜର ମାଧୁର୍ଯ୍ୟରେ ତୁମେ ନିଜେ ମୁଢ଼ । ନିଜର ବୁଦ୍ଧିରେ ତୁମେ ନିଜେ ମୂର୍ଖ । ନିଜର ଧନରେ ତୁମେ ନିଜେ ଦରିଦ୍ର ଆଉ ଶେଷରେ ନିଜର ଦାନାରେ ତୁମେ ନିଜେ କେତେ ଦୟନୀୟ-!

 

ଆଜି ତୁମର ସେଇ ମହତ ଭ୍ରାନ୍ତି ଗୁଡ଼ିକ ମଧ୍ୟରୁ ଗୋଟିଏ ଭ୍ରାନ୍ତିର କଥା କହୁଛି–

 

ମୋର ବୟସ ସେତେବେଳେ ତିରିଶରୁ ଅଳ୍ପ କମ । କିନ୍ତୁ ତା’ର ବହୁ ପୂର୍ବରୁ ନାରୀମାନଙ୍କ ସମ୍ପର୍କରେ ମୁଁ ଆସିସାରିଥିଲି । (ଯଦିଓ ଏପର୍ଯ୍ୟନ୍ତ ମଧ୍ୟ କୌଣସି ନାରୀ ମତେ ବିବାହ କରିବାକୁ ସମ୍ମତ ହୋଇ ନାହିଁ) । ଯେଉଁ କେତୋଟି ନାରୀଙ୍କର କାମନା ଅଗ୍ନିରେ ଘୃତାହୂତି ଦେଇ ପ୍ରଣୟ ବେଦୀରେ ମୁଁ ମୋର ପୌରୋହିତ୍ୟ ଲାଗି ଗର୍ବ କରି ବସୁଥିଲି–ଯେଉଁ କେତୋଟି କାମିନୀର କ୍ଷୁଧାକୁ ଖାଦ୍ୟ ଯୋଗାଇ ମୁଁ ମୋର ଦାନୀ ପାନରେ ମୁଢ଼ ହୋଇ ରହିଥିଲି, ସେମାନେ ଆଜି କିଏ କୁଆଡ଼େ ଅଛନ୍ତି–ତାଙ୍କର ଠିକଣା ବି ମୋତେ ଜଣାନାହିଁ । ସେମାନଙ୍କର କଥା ବି ଆଉ ମୋର ମନେ ପଡ଼େ ନାଇଁ । କିନ୍ତୁ ସେଇ ଦରିଦ୍ର, କ୍ଷୁଧିତା କାମିନୀଗୁଡ଼ିକ ମୋର ଆଉ ଯାହା ସବୁ କ୍ଷତି କରିଛନ୍ତି–ତା'ତ ମୁଁ ଭୋଗୁଛି–ମାତ୍ର ସବୁଠାରୁ ବେଶୀ କ୍ଷତି କରିଛନ୍ତି–ସେମାନେ ମୋତେ ସେମାନଙ୍କୁ ବୁଝିବାକୁ ସୁଯୋଗ ନ ଦେଇ । ମୁଁ କ୍ଷୁଧିତକୁ ଅକଳନ ଦାନ ଦେଇଛି କିନ୍ତୁ ସେମାନଙ୍କ କ୍ଷୁଧା ବୁଝିନାହିଁ । ତେଣୁ ଆଜି ମୁଁ ଦାନ ଦେଇ ଦେଇ ଦେବାଳିଆ–ମାତ୍ର ମୋର ସେ ଦାନ ବିଫଳ ହୋଈଛି । ମୁଁ ସେମାନଙ୍କ କ୍ଷୁଧାକୁ ନ ବୁଝିବା ଲାଗି ସେମାନେ ଦାୟୀ–ମୁଁ ବି ଦାୟୀ । ମୋର ଦୋଷ ହେଉଛି–କ୍ଷୁଧା ନ ବୁଝି ଦାନ ଦେବାର ଆଗ୍ରହାତିଶଯ୍ୟ ଓ ଆବେଗ ପ୍ରବଣତା । ସେମାନଙ୍କର ଦୋଷ ହେଉଛି–ସେମାନେ କେବଳ ମୋର ଦାନ ଖାଇ ଚାଲି ଯାଇଛନ୍ତି । ସେମାନେ ମୋର ଧନକୁ ଇ ଚିହ୍ନିଛନ୍ତି । କିନ୍ତୁ ଏହି ଉଦାର ଦାନଶୀଳ ଧନୀଟିର ଯେ ଗୋଟିଏ ମନ ଅଛି ଏବଂ ତା’ର ଧାନ ଅପେକ୍ଷା ଟାଣ ମନଟି ଯେ ଆହୁରି ଆକର୍ଷଣୀୟ–ଆହୁରି ଭୋଗ୍ୟ–ସେ କଥା ସେଇ କ୍ଷୁଧାତୁରା କାଙ୍ଗାଳିନୀ କାମିନୀଗୁଡ଼ିକ ବୁଝି ନାହାନ୍ତି । ସେମାନେ ବୁଝିବାକୁ ବି ଚେଷ୍ଟା କରି ନାହାନ୍ତି ଯେ ଏହି ଦାନୀଟିର ଧାନ ଅପେକ୍ଷା ମନଟି ହିଁ ସେମାନଙ୍କ କ୍ଷୁଧା ବା ବେଦନାକୁ ବେଶୀ ବୁଝିଥାନ୍ତା-। କିନ୍ତୁ ହାୟ ! ସେମାନଙ୍କର ବା ଆଉ ଭୁଲ୍‍ କ’ଣ ? ସେମାନେ କ୍ଷୁଧାର ଶାନ୍ତି ଲାଗି ଆସିଥିଲେ–କ୍ଷୁଧାର ପରିଚୟ ଦେବା ଲାଗି ନୁହଁ ।

 

କିନ୍ତୁ କ୍ଷୁଧାର ପରିଚୟ ଦେବା ଲାଗି ଗୋଟିଏ ନାରୀ ଦିନେ ମୋର ଯୌବନକୁ ନିମନ୍ତ୍ରଣ କଲା । ସେ ଗୋଟିଏ ଉଚ୍ଚ ଶିକ୍ଷିତା ଯୁବତୀ–ବିଧବା । ସମ୍ପର୍କରେ ମୋର ଭିଣୋଇର ଦୂରସମ୍ପର୍କୀୟା ଭଉଣୀ ହେବ । ସେ ସହରର ଝିଅ–ଆଧୁନିକା । ଗୋଟିଏ ବର୍ଷ ସ୍ୱାମୀ ସୁଖ ଭୋଗ କରି ସେ ହଠାତ୍ ବିଧବା ହେଲା । ସେତେବେଳେ ମୋ ଠାରୁ ବି ସେ ବୟସରେ ଅଳ୍ପ କିଛି ବଡ଼ ଥିଲା । ତା’ର ବୈଧବ୍ୟ ବେଦନା ତା’ର ଅଙ୍ଗରୁ ଅପହରଣ କରିଥିଲା ଲାବଣ୍ୟ ମାତ୍ର ଛାଡ଼ି ଯାଇଥିଲା ସୌନ୍ଦର୍ଯ୍ୟ । ଲିଭାଇ ଦେଇଥିଲା ତା’ର ସ୍ୱାସ୍ଥ୍ୟର ତେଜ ମାତ୍ର ରଖି ଯାଇଥିଲା ତା’ର ଆୟତନ । ତା’ର ଆଖି ଆଉ ଅଧରର ଅବଶିଷ୍ଟ ରେଖାଗୁଡ଼ିକ ସତେ ବା ତା’ର ବୈଧବ୍ୟ ପୂର୍ବ ଜୀବନର କ୍ରୀଡ଼ାଚପଳ ଭଙ୍ଗିମାଗୁଡ଼ିକର ସ୍ମୃତିଲିପି ! ତା’ର ପଦଯୂଗଳର ଗତିରେ ଯେଉଁ 'ଛନ୍ଦ' ଫୁଟୁ ଥିଲା–ତାହା ସୂଚାଇ ଦେଉ ଥିଲା ଯେ, ଏକଦା ସେ ଥିଲା ଅପୂର୍ବ ଲୋଳଯୌବନା, ଲାସ୍ୟମୟୀ ସୁନ୍ଦରୀ । ଆଉ ତା’ର କଣ୍ଠ ? ସେଥିରେ ହୁଏତ ସଙ୍ଗୀତ ମରି ଯାଇ ଥିଲା ମାତ୍ର ରହି ଯାଇଥିଲା ତା’ର ଅନୁରଣନର ମୁର୍ଚ୍ଛନା ।

 

ସର୍ବଶେଷରେ ତା’ର ନାଁଟି–ଆଃ–ଭାରି ସୁନ୍ଦର ନାଁଟିଏ–ଇନ୍ଦୁରେଖା । ଏହି ଇନ୍ଦୁରେଖା ଲାଗି କେବଳ ମୁଁ ବୈଶାଖ ଆଉ ଜ୍ୟେଷ୍ଠ ଦୁଇଟି ମାସ କଟାଇ ଦେଲି ସହରରେ ମୋର ଭିଣୋଇ ଘରେ । ତାରିଲାଗି–କେବଳ ତାରିଲାଗି–ତାରି ସାନ୍ନିଧ୍ୟ ଲାଗି–ତାରି ପ୍ରେମ ଲାଗି–ନା–ନା ତାରି ଲୋଭରେ.......

 

ସେଇ ପ୍ରଥମ ଦିନଟିର କଥା କହୁଛି । ଗୋଟିଏ ଉତ୍ତପ୍ତ ଦ୍ୱିପ୍ରହର । ମୁଁ ଗୋଟିଏ ନିର୍ଜ୍ଜନ ଘରେ ଖଟ ଉପରେ ଶୋଇଛି–ଭଲ ହୋଇ ନିଦ ଲାଗି ନାହିଁ–ଅସମ୍ଭବ ଗରମ । ଅଧା ନିଦ ଭିତରେ ମୁଁ ଏହି ବୈଶାଖୀ ଦ୍ୱିପ୍ରହରର ଅସହ୍ୟ ଗରମଟାକୁ ବି ଅନୁଭବ କରୁଛି । ହଠାତ୍ ମୋର କଣ୍ଠ, କାଖ ଆଉ ପେଟରେ ମୁଁ ଶୀତଳ ମଳୟ ସ୍ପର୍ଶ ଅନୁଭବ କଲି । ପତଳା ନିଦ ଭାଜିଗଲା । ମୁଁ ଆରାମରେ ଆସ୍ତେ ଆଖି ମେଲାକରି କ’ଣ ଦେଖିଲି ?

 

ସେଇ ମୋର ବାଲ୍ୟକାଳର ବିଧବା ନାରୀଟିର କ୍ଷୁଧିତ ଚାହାଣୀ । ମୋ ପାଖରେ ଇନ୍ଦୁ ବସି ରହି ବିଞ୍ଚଣାରେ ବିଞ୍ଛୁଛି ଆଉ ମୋର ମୁହଁକୁ ସେହିଭଳି କ୍ଷୁଧିତ ଆଖିରେ ଅନାଇ ରହିଛି । କିନ୍ତୁ ମୁଁ କ’ଣ ଆଉ ଛୁଆ ହୋଇଛି ଯେ ଡରିବି ? ଏହି ଆଖି ଭଳି କେତେ କ୍ଷୁଧିତ ଆଖିରେ ମୁଁ ଶାନ୍ତିର ପ୍ରଲେପ ଲଗେଇ ଦେଇ ସାରିଛି । ମୁଁ ମୁଗଧ ହେଲି–ଉନ୍ମାଦିତ ହେଲି । ଯଉବନ–ଧନ–ମଦ–ମତ୍ତ–ମନ ମୋର ଚଞ୍ଚଳ ହୋଇଉଠିଲା–ବ୍ୟଗ୍ର ହୋଇଉଠିଲା । ସମ୍ମୁଖରେ କାଙ୍ଗାଳିନୀ ଭିକ୍ଷାର୍ଥୀନୀ କାମନାର ପାତ୍ର ଧରି–କ୍ଷୁଧା କାତର ଆଖିରେ ଚାହିଁ ରହିଛି । ହେ, ସଦାଶୟ, ଉଦାରଚିତ୍ତ, ଦୟାଶୀଳ ଯଉବନର ବଣିକ ! ଶୀଘ୍ର ତୁମର ଅଫୁରନ୍ତ ଯଉବନ ଭଣ୍ଡାର ତା’ର ଶୁନ୍ୟ ପାତ୍ରରେ ଢାଳି ଦିଅ–ଉଜାଡ଼ି ଦିଅ !

 

ମାତ୍ର ଭିତରର ଚାଞ୍ଚଲ୍ୟକୁ ସଂଯତ କରି ମୁଁ ଖୁବ୍ ଧୀର ଭାବରେ ପଡ଼ି ରହି ଆସ୍ତେ ଆଖି ମେଲାକଲି । ମୋର ମୁଗଧ ଅରୁଣ ଦୃଷ୍ଟି ମଧ୍ୟରେ ତା’ର ଚାହାଣୀ ମିଳାଇଗଲା । ନିଃଶବ୍ଦରେ ଟିକେ ସ୍ମିତ ହାସ୍ୟ କରି, ମୁଁ ପୁଣି ଆଖି ବୁଜିଲି–ପୁଣି ଆଖି ମେଲାକଲି । ତା’ର ଆଖିର ସେ ତୀକ୍ଷଣତା, ସେ ଉଗ୍ରତା ଉଭାଇ ଯାଇଛି । ବରଂ ତା’ ପରିବର୍ତ୍ତେ ଆସିଛି ଏକପ୍ରକାର ସ୍ନିଗ୍ଧତା, ପ୍ରସନ୍ନତା ଓ ଧୀରତା । ମୁଁ ବୁଝିଲି ମୋର ଚାହାଣୀଠାରୁ ତା’ର ଚାହାଣୀ ପ୍ରତିଶ୍ରୁତି ପାଇଛି ଆଉ ବିଶ୍ୱାସ ମଧ୍ୟ କରିଛି । ତା’ର ଚକ୍ଷୁତାରକା ଦୁଇଟି, ବିଶ୍ଵାସରେ ଉଜ୍ଜ୍ୱଳ ଓ ଶାନ୍ତ ।

 

ହସି ହସି ସେ ପାଟି ଖୋଲିଲା । (କି ସୁନ୍ଦର ସେ କଣ୍ଠ !!)

 

“ମୁଁ କେତେ ବିଞ୍ଚିଲିଣି !!”

 

"ସତେ !!!”

 

“ଜମ୍ମା ଜାଣିପାରି ନାହିଁ ?"

 

“ବାଃ ! ଜାଣିପାରିଲି ନାଇଁ–ଆଉ ନିଦ ଭାଙ୍ଗିଲା କେମିତି ?’’

 

“ମୁଁ କିନ୍ତୁ ତୁମକୁ ନିଦରେ ଶୁଆଇ ପକାଇବାକୁ ବିଞ୍ଚୁଥିଲି ।’’

 

“ମତେ କ୍ଷମା କର ରେଖା–’’

 

(ହଠାତ୍ ଚମକିପଡ଼ି ସେ ମୋର ପାପୁଲିକୁ ଜୋରରେ ମୁଠାଇ ଧରି ପୁଣି ଛାଡ଼ି ଦେଲା-।)

 

ମୁଁ ପୁଣି କହିଲି–

 

“ମୋତେ କ୍ଷମାକର ରେଖା–ମୁଁ ବଡ଼ ଦୁଷ୍ଟ ପିଲା । ମୋତେ ଶୁଆଇ ପକାଇବାକୁ ମୋର ମାଆ ନାନାବାୟା ଗୀତ ବୋଲିଲେ ମୁଁ ବରଂ ବେଶୀ ଖୁଜ୍‍ବୁଜ୍‍ ହୁଏ–ବେଶୀ ଗୋଳମାଳ କରେ ।"

 

“ଯାହା ମାଆ ପାରେନାହିଁ–ସେ କଥା କ’ଣ ଆଉ କିଏ ପାରିବ ନାହିଁ ?’’

 

“ହଁ–ପାରିବ– । ଯାହା ମାଆ ପାରିନାହିଁ–ସେ କଥା ମାଈପ ପାରେ–ନ ହେଲେ ଡାହାଣୀ ପାରେ । କିନ୍ତୁ ତୁମେ ଏ ଦୁଇଟି ମଧ୍ୟରେ ନିଜକୁ କ’ଣ ବୋଲି ଭାବୁଚ ?”

 

“ଯାଃ ! ତୁମେ ବଡ଼ ଅଶ୍ଳୀଳ । ଏ ଦୁଇଟା ଯାକ ଶବ୍ଦ ମୋ ପକ୍ଷରେ କେତେ ଅଶ୍ଳୀଳ ତୁମେ ଜାଣିପାରୁଛ ତ ? ମୁଁ ଆଶା କରୁ ନଥିଲି–ଏତେ ଶୀଘ୍ର ତୁମେ ହଠାତ୍ ଏତେ ଅଶ୍ଳୀଳ ହୋଇ ଉଠିବ ବୋଲି–"

 

“ଆହା–ରାଗି ଯାଉଛ କାହିଁକି ? ଏଥିରେ ଅଶ୍ଳୀଳତା ଆଉ କୋଉଠି ରହିଲା ? ମୋର କହିବା କଥା ହେଉଚି–ମୋତେ ଶୁଆଇ ପକାଇବାକୁ ଯାଇ ତୁମେ ବରଂ ମୋତେ ଉଠାଇ ଦେଲ–ଆଉ ମତେ ଶୀତଳ କରିବାକୁ ଯାଇ, ମୋତେ ବରଂ ତମେ ବେଶୀ ଗରମ କରି ଦେଲ ।"

 

ଏତିକି କହି ମୁଁ ଟିକେ ହସି ଦେଲି । ଆଉ କ’ଣ କହିବାକୁ ଯାଉଛି, ସେ ମୋର ପାଟିକୁ ତା’ର ପାପୁଲିରେ ବୁଜିଧରି ମୋ ଆଡ଼କୁ ଅଳ୍ପ ଝୁଙ୍କି ଆସି ମୋର ଗାଲ ତୋଡ଼ି ଦେଲା ଆଉ ହସ କାନ୍ଦ ମିଶା ଗଳାରେ ନାକରେ କହିଲା ପରି କହିଲା–

 

“ଚୁପ କର–ଚୁପ କର କହୁଛି–ଇସ୍ କ’ଣ ସବୁ କହୁଚ ? କି କଦର୍ଯ୍ୟ ବ୍ୟଞ୍ଜନା ତୁମ କଥା ଭିତରେ ? ଛି–ଛି–ଇସ୍ ! ଏମିତି ଲୋକ ନା ତୁମେ ?”

 

ସେ ଉଠିଗଲା । ମୁଁ ତା’ର ହାତଟିକୁ ଚଟକିନା ଧରି ପକାଇ କହିଲି–

 

“ନା–ନା–ମତେ ବିଶ୍ୱାସ କର । ଖୁବ୍ ଭଲ ଲୋକ ମୁଁ । ଆଚ୍ଛା–ଆଚ୍ଛା–ଯାଉଛ ଯଦି ଯାଅ ମାତ୍ର ଫେର୍‍ ଆସିବ । ମୋ ରାଣ–ଦେଖ୍‍ ରାଣ ପକାଉଛି । ଆଉ ସେମିତି କଥା କହିବି ନାହିଁ–କଥା ଏତିକିରେ ସରିଗଲା । ଏଣିକି କାର୍ଯ୍ୟାରମ୍ଭ । ତୁମକୁ ମୋରାଣ–ନିଶ୍ଚୟ ଆସିବ ।”

 

ହସି ହସି ସେ ମୋର ଗାଲ ପୁଣିଥରେ ତୋଡ଼ି ଦେଲା ଆଉ ଗୋଟିଏ ମାତ୍ର ଶବ୍ଦ କହି ସେ ଘର ଭିତରୁ ପଦାକୁ ବାହାରିଗଲା । ସେ ଶବ୍ଦଟି ହେଉଛି ‘‘ବଜାରୀ ।’’

 

ସବୁ ପ୍ରଣୟର ଆରମ୍ଭ ଭଳି ଏହାର ଆରମ୍ଭରୁ ହିଁ ମୁଁ ତା’ର ପରିଣତି ବିଷୟରେ ନିଶ୍ଚିନ୍ତ ଥିଲି । କ୍ରମେ ତା’ ସଙ୍ଗେ ମୋର ଘନିଷ୍ଠତା ମଧ୍ୟ ବଢ଼ି ଉଠିଲା । ମୁଁ କିନ୍ତୁ ସେହି ସୁଦିନଟିକୁ ଅପେକ୍ଷା କରୁଥିଲି, ଯେଉଁ ଦିନ କି ମୁଁ ମୋର ସମସ୍ତ ଦାନ ତା’ର ପଦତଳେ ଉତ୍ସର୍ଗ କରି ତା’ର କ୍ଷୁଧାକୁ ଶାନ୍ତ କରିବି ଓ ନିଜେ ତୃପ୍ତ ହେବି । ଯେତେ ଯେଉଁଠି ଏହିଭଳି ପ୍ରଣୟ ବ୍ୟାପାରରେ ମୁଁ ଜଡ଼ିତ ହୋଇଛି–ତା’ର ଆରମ୍ଭ ଦିନ ଓ ତା’ର ପରିଣତି ଦିନ, ଏହି ଦୁଇଟି ଦିନ ହିଁ ମୋତେ ଆନଦ ଦେଇଛି । ବାକି ମଧ୍ୟବର୍ତ୍ତୀ ଦିନଗୁଡ଼ିକ ମୁଁ ପ୍ରାୟ ଛଟପଟ ହୁଏ । ମୋର ସେତେବେଳେ ଧାରଣା ଥିଲା–' ଯାହା କିଛି ଆରମ୍ଭ ହେଲା, ତାକୁ ଶୀଘ୍ର ଚରମ ପରିଣତିକୁ ନେଇଆସ । ବୃଥା ବିଳମ୍ବ କରି ସମୟ ନଷ୍ଟ କର ନାହିଁ । ବିଳମ୍ବରେ କେବଳ ସମୟ ନଷ୍ଟ ହୁଏ ନାହିଁ–ଆବେଗଟା ବି ନଷ୍ଟ ହୋଇଯାଏ । ଉତ୍ତେଜନାର ଚମକ ବେଶୀ ଦିନ ରହେ ନାହିଁ । ଭୋକରେ ଯେତେବେଳେ ପେଟ ଜଳୁଛି–ସେତିକିବେଳେ ଚଞ୍ଚଳ ଖିଆ ସାରିଦିଅ । ନ ହେଲେ ଭୋକ ମରିଯିବ–ଆଉ ଖାଇ ହେବ ନାହିଁ । ଲୁହ ଯେତେବେଳେ ତାତିକରି ଲାଲ ଟକଟକ ହୋଇଛି, ସେତିକିବେଳେ ତାକୁ ପାଣିରେ ବୁଡ଼ାଅ । ସେ ପାଣି ପିଇବ । ଶୀତଳ ଲୁହା କି ପାଣି ପିଏ ? ବିଳମ୍ବ ସବୁ ଶୀତଳ କରିଦିଏ ।’’

 

ଦ୍ରୁତ ଚରମ ପରିଣତି ଲାଗି ମୁଁ ଚେଷ୍ଟାରେ ଲାଗିଗଲି । ମୋର ସେବାରେ ସେ ପ୍ରାଣପଣେ ଲାଗି ପଡ଼ିଥାଏ । ମୋର ଖାଇବାଠାରୁ ଶୋଇବା ପର୍ଯ୍ୟନ୍ତ ସବୁ କଥା ସେଇ ବୁଝେ । ମୁଁ ଶୋଇଲେ ମୋର ଗୋଡ଼ ଚିପିଦିଏ । ଆରାମରେ ଶୋଇବି ବୋଲି ମୋ ମୁଣ୍ଡ ବାଳକୁ ତା’ର ଲମ୍ବ କୋମଳ ଆଙ୍ଗୁଳିଗୁଡ଼ିକ ଦ୍ୱାରା ସାଉଁଳେ–ସଲ ସଲ କରେ ।

କ୍ରମେ ଆମେ ଦୁହେଁ ପରସ୍ପରର ଦେହକୁ ଖୁବ୍ ସହଜ ଭାବରେ ଗ୍ରହଣ କରି ନେଲୁ । ମୁଁ ତା’ର କୋଳରେ ମୁଣ୍ଡ ରଖି ଘୁମାଏ । ସେ ବି ମୋର ଆଲିଙ୍ଗନ ଭିତରେ ଆଖି ବୁଜି ନିଶ୍ଚିନ୍ତରେ ଆଶ୍ରୟ ସୁଖ ଭୋଗ କରେ । ମୁଁ ତା’ର ଅଧରରୁ ମଧୁ ଆସ୍ୱାଦନ କରେ । ସେ ମୋର ବକ୍ଷ ଉପରେ ଶୋଇ ଦେହରୁ ଉତ୍ତାପ ନିଏ ଆଉ ଉତ୍ତାପ ଦିଏ । ମୋର ଛାତି ଉପରେ ମୁହଁ ରଖି, ପ୍ରାୟ ଅଧେ ମୋ ଉପରେ ଶୋଇ ରହି ଆଖି ବୁଜି ସେ ମୋର ଦେହକୁ ଅନୁଭବ କରେ । ମୋର ମନେ ହୁଏ–ସେ ସେହି ସବୁ ବାହ୍ୟିକ ଉପଚାରରେ ବେଶ୍ ତୃପ୍ତ ହେଉଛି । ମୁଁ ଚାହେଁ ପରିଣତି–ଚରମ କ୍ଷିପ୍ର ପରିଣତି । ତା’ପରେ ଯାଇ ଶ୍ରାନ୍ତି–ଆଉ ସେଇ ଶ୍ରାନ୍ତିଟାଇ ଚରମ ଶାନ୍ତି । ସେଥିରେ ଜ୍ୱାଳା କମେ–ଆରାମରେ ନିଦ ହୁଏ । କିନ୍ତୁ ଏ ଖାଲି ଦୁକୁଦୁକୁ ଜଳିବା–ଦରସିଝା ହୋଇ କଇଁଥା ହେବା । ମୁଁ ଦେବାକୁ ଚାହେଁ ଦାନ । ମୁଁ ହାତ ଟେକିଛି ଉପରକୁ–ତୁମେ ହାତ ପତାଅ, ଚଞ୍ଚଳ ପତାଅ । ନ ହେଲେ ହାତ ମୋର ଘୋଳି ହୋଇ ପଡ଼ିବ । ଅବଶରେ ଶେଷକୁ ମୁଁ ଆଉ ହାତ ବି ଟେକି ପାରିବି ନାହିଁ ।

ଇନ୍ଦୁ କିନ୍ତୁ ଆଉ କିଛି ଚାହୁଁ ନ ଥିଲା । ମୁଁ ତା’ର ଦେହର ଅଧିକାଂଶ ଅଙ୍ଗକୁ ଅନୁଭବ କରୁଥିଲି । ସେ ଆପତ୍ତି କରୁ ନ ଥିଲା । ମୋର ଦେହ ତ ମୁଁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି ଦେଇଥିଲି ତା’ର ଚରଣ ତଳେ । କିନ୍ତୁ ସେଇ ଶେଷ କଥାଟି କହିଲେଇ ସେ ମୋତେ ଠେଲି ଦେଇ ଚାଲିଯାଏ । ମୋ ପାଖରୁ ନୀରବରେ ଉଠିଯାଏ । ମୁଁ ଉତ୍ତପ୍ତ ହୋଇ ଡହଳ ବିକଳ ହୁଏ । ପ୍ରଥମେ ପ୍ରଥମେ ମୁଁ ଏ ସବୁ ସହି ଯାଉଥିଲି । କିନ୍ତୁ କ୍ରମେ ଏ ସବୁ ମୋର ଅସହ୍ୟ ହେଲା । ଏଇଟା କି ଭଳି ସ୍ତ୍ରୀଲୋକ ! ଏହା ଦେହରୁ କ’ଣ ମାରି ଗଲାଣି ସମସ୍ତ କ୍ଷୁଧା–ସମସ୍ତ ଆବେଗ ?? ଏ ନିର୍ବେଦ ଦେହର ନା ମନର ? ତେବେ ଏ କ’ଣ ଅଭିନୟ ? କିନ୍ତୁ କି ଲାଭ ତା’ର ଏଇ ଅଭିନୟ କରିବାରେ ? ତା’ ଦେହରୁ ସମସ୍ତ ନିଆଁ ଲିଭିଗଲାଣି ? ତା’ର ଆଲିଙ୍ଗନରେ ଆଉ ଚୁମ୍ବନରେ ତଥାପି ଯେଉଁ ଟିକକ ଉତ୍ତାପର ଆଭାସ ମୁଁ ପାଏ–ସେଟା ପୁଣି କାହାର ? ତା’ ଦେହର ନା ମନର ? ତା’ର ଦେହ କ’ଣ କେବଳ ପାଉଁଶ–ଆଉ ସେହି ପାଉଁଶ ତଳେ ଜୁକୁଜୁକୁ ହୋଇ ଜଳୁଚି ତା’ର ମନର ନିଆଁ ? ଦେହର ଉପଚାରରେ ଦେହର କ୍ଷୁଧା ଜାଗି ଉଠେ । ମାତ୍ର ଏ ଯେ କେବଳ ଉପଚାରରେଇ ତୃପ୍ତ ! ସେ ଯେ କ୍ଷୁଧିତା–ସନ୍ଦେହ ନାହିଁ । ମାତ୍ର କିଭଳି ତା’ର କ୍ଷୁଧାର ସ୍ୱରୂପ ??

ସେଦିନ ଦ୍ୱିପହରରେ ସେ ମୋର ଗୋଡ଼ ଚିପି ଦେଉଥିଲା ବେଳେ ମୁଁ ଆଉ ନିଜକୁ ସଂଯତ ରଖି ପାରିଲି ନାହିଁ । ମୋ ଭିତରେ କାମନାର ନିଆଁ ଜଳି ଉଠିଲା । ମୋର ଶିରା ପ୍ରଶିରାଗୁଡ଼ିକ ତାତି ଉଠିଲା । ମୁଁ ହଠାତ୍ ତାକୁ ବଳାତ୍କାରରେ ଭିଡ଼ି ଧରି ମୋ ଆଡ଼କୁ ଆଉଜାଇ ଆଣିଲି ଏବଂ ସଙ୍ଗେ ସଙ୍ଗେ ସେଇ ଶେଷ କଥାଟି ମାଗୁଣି କରି ବସିଲି–

‘‘ତୁମ ଗୋଡ଼ ଧରୁଛି–ମୋତେ ଆଉ ଏଥରକ ମନା କର ନାହିଁ–ମୁଁ ପାଗଳ ହୋଇଯିବି.....”

ସଙ୍ଗେ ସଙ୍ଗେ ଜୋର କରି ସେ ନିଜକୁ ମୋଠାରୁ ସ୍ୱାଭାବିକ ଅବସ୍ଥାକୁ ଛଡ଼ାଇ ନେଲା ଆଉ ମୋର ଗୋଡ଼ ଦୁଇଟାକୁ ଧରି ତା’ ମୁଣ୍ଡରେ ଲଗାଇ ଅତି ଅନୁନୟ କରି କହିଲା–

“ଛି–ଛି–ମୋ ରାଣ–ତୁମ ଗୋଡ଼ ତଳେ ପଡ଼ୁଛି–ନା–ନା–ଛି–ଛି–ଇସ୍ ! ତୁମେ କେଡ଼େ ଅବୋଧ !! ଓଃ–ନାଇଁ–ନାଇଁ–ଛି–ଛି–! ବିଞ୍ଚି ଦେଉଛି–ସୁନା ପିଲାଟି ପରି ଶୋଇପଡ଼ ମୋର ଧନ-!"

 

ବିଫଳ ମନରେ ମୁଁ ନିଶ୍ଚେଷ୍ଟ ହୋଇ ବିଛଣାରେ ପଡ଼ିରହିଲି । ସଁ ସଁ ହୋଇ ନିଃଶ୍ୱାସ ଛାଡ଼ୁଛି । ପାଟି ମେଲା ହୋଇଯାଇଛି–ସମଗ୍ର ଦେହ ମଧ୍ୟରେ ଜ୍ଵାଳା । ସେ ପୁଣି ମୋର ଗୋଡ଼ ପାଖକୁ ଯାଇ ମୋର ଗୋଡ଼ ମୋଡ଼ି ବସିଲା ଆଉ ସହଜ ଭାବରେ କହିଲା–

 

‘‘ଏଇମିତି ଠିକ୍ ଏଇମିତି ସେ ପିଲାଙ୍କ ପରି ହୁଅନ୍ତି ଯେ, କ’ଣ ସହଜରେ ବୁଝିବେ ? ଭାରି ଜିଦଖୋର ।”ମୁଁ ଚମକି ପଡ଼ିଲି । ପଚାରିଲି–

 

“ସେ କିଏ ? କାହା କଥା କହୁଚ ?”

 

ସେ ପୁଣି ନୀରବ ହୋଇଗଲା–ଗମ୍ଭୀର ହୋଇଉଠିଲା । କେତେକ ମୁହୂର୍ତ୍ତ ମଧ୍ୟରେ ତା’ର ଆଖି ଛଳଛଳ ହୋଇଉଠିଲା । ମୁଁ ଚମକି ପଡ଼ିଲି । ବୁଝି ପାରିଲି ରେଖାର ‘ସେ’ କିଏ ? ନିଜର କ୍ରିୟାରେ, ନିଜର ଚିନ୍ତାରେ ମୁଁ ସଜାଗ ହୋଇ ଉଠିଲି । ଯେଉଁ ଦୀପଟି ଦିନେ ତା’ର ଆଖି ଆଗରେ ବାହାରେ ମିଞ୍ଜି ମିଞ୍ଜି ହୋଇ ଜଳୁଥିଲା ସେ ଦୀପ ଆଜି ବାହାରେ ଲିଭି ଯାଇଛି ସତ୍ୟ କିନ୍ତୁ ବାହାରେ ଲିଭିଯାଇ ସତେ ବା ଆଜି ସେ ଦୀପ ଶହେ ଗୁଣ ତେଜରେ ଦାଉ ଦାଉ ହୋଇ ଜଳୁଛି ତା’ର ଅନ୍ତର ଭିତରେ !! ସେ ଦୀପ ସ୍ମୃତିର ଶିଖା ତା’ର ଅନିର୍ବାଣ । ସେହି ଦୀପର ଅସହ୍ୟ ତେଜ ମୋ ପାଦରେ ହଠାତ୍ ଚାଉଁକିନା ଲାଗିଲା । ମୁଁ ତା’ କୋଳରୁ ମୋର ଗୋଡ଼ କାଢ଼ି ଆଣିଲି । ସଙ୍ଗେ ସଙ୍ଗେ ସେ ପୁଣି ଭାବପରିବର୍ତ୍ତନ କରି ମୋ ଉପରକୁ ଆଉଜି ଆସିଲା ।

 

“ଛି–ଛି–ଏତେ ଚଞ୍ଚଳ ଏମିତି ରାଗିଗଲ ? ମୋ ଧନ–ମୋ ସୁନା, ଦିଅ–ବଢ଼ାଅନା ଗୋଡ଼ । ମୋଡ଼ି ଦିଏ–ଶୋଇପଡ଼ ଚଞ୍ଚଳ–"

 

ସେଇ ଦୀପର ତେଜ ପୁଣିଥରେ ମୋର ପାଦରେ ଚାଉଁକିନା ଲାଗିଲା । ମୁଁ ବିରକ୍ତିରେ ନିଆଁ ଲାଗିବା ଭଳି ଚଟ୍‍କିନା ଗୋଡ଼ଟା ଟାଣି ଆଣିଲି ଆଉ ମୋର ଗୋଡ଼ଟା ମୋ ଅଜାଣତରେ ଗୋଇଠା ଭଳି ତା’ର ମୁହଁରେ ବାଜିଲା ।

 

କିଛି ସମୟ ମୋ ଆଡ଼କୁ ଦୃଢ଼ ଭାବରେ ଚାହିଁ ରହି ସେ ମୋ ପାଖରୁ ଉଠିଗଲା ।

 

ସେ ଚାଲିଗଲା ।

 

ମୋ ମନରେ ଆଶଙ୍କା ସୃଷ୍ଟି କରି ସେ ଚାଲିଗଲା । ଆଉ କ’ଣ ସେ ଆସିବ ନାହିଁ । ସେ କ’ଣ ମୋତେ ଘୃଣା କରି ଚାଲିଗଲା ? ଘୃଣା ? ମୁଁ ତା’ର ଘୃଣାର ପାତ୍ର ହେଲି ଶେଷରେ ? ମୋ ଜୀବନରେ ଏ ଘଟଣା ଗୋଟେ ବ୍ୟତିକ୍ରମ !! ଏହିଭଳି ଯେତେ ବ୍ୟାପାର ମୋ ଜୀବନରେ ଘଟିଛି–ସବୁଥିରେ ମୁଁ ତାର ଆରମ୍ଭରୁଇ ପରିଣତି ସମ୍ବନ୍ଧରେ ନିଶ୍ଚିନ୍ତ ହୋଇ ଉଠେ । ଶେଷରେ ସଫଳତା ହୁଏ ମୋର କରଗତ । କିନ୍ତୁ–ଏଇ ଆଧୁନିକା ଉଚ୍ଚଶିକ୍ଷିତା ବିଧବା ଇନ୍ଦୁରେଖା !! ଶେଷରେ ମୋତେ ଘୃଣା କରି ଗଲା ? ମୋର ଗଣନା ବା ବିଚାରରେ ତେବେ କ’ଣ କୋଉଠି ଭୁଲ୍‍ ରହି ଯାଇଛି ???

 

X X X X

 

ସେ ଦିନଟି ଏହି ଭଳି କଟିଲା । ଆଉ ଇନ୍ଦୁ ସେଦିନ ମୋ ପାଖକୁ ଆସିନାହିଁ । ଗମ୍ଭୀର ଭାବରେ ସେ ତା’ ଦୈନଦିନ କାର୍ଯ୍ୟ କରି ଚାଲିଛି । ତା’ ପାଖ ଦେଇ ମୁଁ ବହୁବାର ଯିବା ଆସିବା କଲି ମାତ୍ର ସେ ମୋ ଆଡ଼କୁ ଚାହିଁଲା ବି ନାହିଁ । ଅଲକ୍ଷ୍ୟରେ ତା’ର ମୁହଁକୁ ଚାହିଁଲି ମାତ୍ର ସେ ମୁହଁରେ ଘୃଣା ନାହିଁ; ବରଂ ସେ ମୁହଁଟି ଆହୁରି ବିଷାଦ–ଗମ୍ଭୀର ହୋଇ ଉଠି ଆହୁରି ସୁନ୍ଦର ଦିଶୁଛି-। ଇନ୍ଦୁକୁ କ’ଣ ତେବେ ମୁଁ ଭୁଲ୍‍ ବୁଝିଲି ??

 

ସେଦିନ ରାତିରେ ବି ଇନ୍ଦୁ ମତେ ଖାଇବାକୁ ଦେବାକୁ ଆସିଲା ନାହିଁ । ମୋତେ ଦେଖା ବି ଦେଲାନାହିଁ । ମୋ ଭଉଣୀ ମୋତେ ଖାଇବାକୁ ଡାକିଲା । ମାତ୍ର ଖାଇବାକୁ ମୋର ଇଚ୍ଛା ହେଲା ନାହିଁ । ମୁଁ କାହିଁକି ମନ ଭିତରେ ଖୁବ୍ ଦବିଗଲି । ଏକ ପ୍ରକାର ପରାଜିତ ଭାବି ମତେ ଗ୍ରାସ କଲା । ଆଜି ପର୍ଯ୍ୟନ୍ତ ମୋ ହାତ ଟେକା ଦାନକୁ କେହି ଭିକ୍ଷାର୍ଥୀନୀ ପ୍ରତ୍ୟାଖ୍ୟାନ କରିନାହିଁ । କିନ୍ତୁ କି ସ୍ପର୍ଦ୍ଧା ଏଇ ଇନ୍ଦୁରେଖାର ! କେତେ ସହଜରେ ସେ ମୋର ସମସ୍ତ ପୁରୁଷାକାର ଓ ଅହମିକାକୁ ପଦାଘାତ କଲା ! ! ସେଦିନ ରାତିରେ ମୁଁ କିଛି ଖାଇଲିନାହିଁ । ପେଟ ଖରାପ ଅଛି ବୋଲି କହି, ସେଦିନ ଉପବାସ ରହିଲି ।

 

ତା’ ଆରଦିନ ସକାଳେ ମୋର ଭଉଣୀ ଆସି ମୋତେ ପଚାରିଲା–

 

“ତୁ ଇନ୍ଦୁକୁ କ’ଣ କହିଲୁ ଯେ ସେ କାଲି ରାତିରୁ ଖାଇନାହିଁ–ଖାଲି କାନ୍ଦୁଛି ?”

 

ମୁଁ କିଛି ଉତ୍ତର ଦେଲି ନାହିଁ । ରେଖା କିନ୍ତୁ କାଲିଠାରୁ ଖାଇନାହିଁ କାହିଁକି ? ଆଉ କାନ୍ଦୁଛି ବା କାହିଁକି ? ମୋତେ ତ ବରଂ କାନ୍ଦିବାର କଥା; କାଇଁକି ନା ପରାଜୟ ତ ମୋର । ତେବେ କ’ଣ ଇନ୍ଦୁ ମୋର ସେଇ କୁତ୍ସିତ ପ୍ରସ୍ତାବରେ ଖୁବ୍ ବେଶୀ ଅପମାନିତ ବୋଧ କରିଛି ? ମନ ଭିତରେ ମୋର ନାନାଦି ଆନ୍ଦୋଳନ । ମୁଁ ତାକୁ ଡାକିଲି । ମୋର ମନ ବି ତରଳିଗଲା ।

 

ସେ ଆସିଲା । ମୋର ଖଟ ଖୁରା ଧରି ତଳକୁ ମୁହଁ ପୋତି ସେ ଠିଆ ହେଲା । କ’ଣ କହିବି, ସେ କଥା ଆଗରୁ ସ୍ଥିର କରି ନ ଥିଲି ତେଣୁ କିଛି ସମୟ ଦୁହେଁଯାକ ନୀରବ ରହିଲୁ । ଶେଷରେ କଥା ଆରମ୍ଭ କରି ମୁଁ କହିଲି–

 

“ରେଖା ! ତୁମେ କାଲି ରାତିଠାରୁ ଖାଇନାହଁ । କି ଦୁଃଖର କଥା ଏ କହ ତ !”

 

ସେ କିଛି ଉତ୍ତର ଦେଲା ନାହିଁ । କେବଳ ତଳକୁ ମୁହଁ ପୋତି ଠିଆହୋଇ ରହିଲା । ପୂର୍ବର ସମସ୍ତ ଆଶଙ୍କା ମୋର ଉଭାଇ ଗଲା । ଏହି ନମନୀୟ ଓ କମନୀୟ ଦୃଶ୍ୟ ବରଂ ମୋ ମନରେ ଅଧିକ ପ୍ରତ୍ୟୟ ଜାଗ୍ରତ କରାଇଦେଲା । ମୁଁ ତା’ର ଚିବୁକଟି ଧରି ସ୍ନେହ–କାରୁଣ୍ୟ କଣ୍ଠରେ କହିଲି–

 

“ମୋ ରାଣ ରେଖା–ମତେ କ୍ଷମାକର । ତୁମେ ଜାଣିନା–ମୁଁ ତୁମକୁ କେତେ ଭଲପାଏ-!! ମୋ ରାଣ–ରେଖା ମୋ ରାଣ–ଦେଖି ଚାହଁ ତ–ଚାହିଁଲ ଦେଖି ମୋ ମୁହଁକୁ–ଇସ୍ କି ଶୁଖିଲା ଦିଶୁଚ ତୁମେ ଆଜି !!”

 

କ’ଣ ହେଲା ତା’ର କେଜାଣି–ଝଡ଼ପରି ସେ ମୋର ଛାତିରେ ଲୋଟି ପଡ଼ିଲା ଆଉ ସେ କି କାନ୍ଦଣା ! ! ସେ କି ଶୋକ ! ! ସେ କି ଆବେଗ–ଚଞ୍ଚଳ ଉଚ୍ଛ୍ୱାସ !! ମୁଁ ତାକୁ ମୋର ଦୃଢ଼ ଆଲିଙ୍ଗନ ଭିତରେ ଆଶ୍ରୟ ଦେଇ ତା’ର ମୁଣ୍ଡକୁ ଧୀରେ ଧୀରେ ଆଉଁସିଲି । କେଜାଣି କାହିଁକି ଏଇ ଆଶ୍ରୟଚ୍ୟୁତା, ସ୍ନେହକାତରା, ଆଶାହତା ବିଧବା ଯୁବତୀଟି ମୋ ମନ ସହାନୁଭୂତିରେ ତରଳିଗଲା-। ମୋ ଆଖିରୁ ଧାରା ଶ୍ରାବଣ ପରି ଝରଝର ଲୁହ ଝରିଲା ଆଉ ସେହି ଲୁହର ବନ୍ୟାରେ ମୋ ସ୍ନାୟୁ ଭିତରୁ ସମସ୍ତ କାମନା ବାସନାର ଅଗ୍ନି ହଠାତ୍ ଲିଭିଗଲା । ଉତ୍ତପ୍ତ କାମନା ପରିବର୍ତ୍ତେ ଏକ ଅହେତୁକ କାରୁଣ୍ୟ ଶୀତଳ ସ୍ନିଗଧ ପ୍ରେମାନୁଭୂତିରେ ମୁଁ ରୋମାଞ୍ଚିତ ହୋଇ ଉଠିଲି । କୌଣସି ନାରୀଠାରୁ ମୁଁ ଏହି ଶୀତଳ ମଧୁର ଅନୁଭୂତି ପାଇନାହିଁ । ଅନ୍ୟମାନେ ଅନ୍ୟ ମୁହୂର୍ତ୍ତରେ ମତେ ତତାଇ ଦେଇଛନ୍ତି । ଦେଇଛନ୍ତି । ଫଳରେ ମୋ ଭିତରେ ହିଂସ୍ର କାମନା ମାତି ଉଠୁଛି-। କିନ୍ତୁ ରେଖାର ସ୍ପର୍ଶ ଆଜି ସତେବା ମତେ ସମ୍ପୂର୍ଣ୍ଣ ଏକ ନୂତନ ଅନୁଭୂତିରେ ଅନୁପ୍ରାଣିତ କଲା-। ପ୍ରେମର ଉତ୍ତପ୍ତତା ସୁଖକର ମାତ୍ର ପ୍ରେମର ଏ ଶୀତଳତା ପୁଣି ଏଡ଼େ ଶାନ୍ତିଦାୟକ ! ଏଡ଼େ ତୃପ୍ତିକର !!

 

ତା’ର ଘନ କେଶ ରାଶିର ତରଙ୍ଗ ମଧ୍ୟରେ ମୋର ଆଖିର ଲୁହ ଭରିଗଲା । ସେ ଜାଣିଲା ଯେ ମୁଁ କାନ୍ଦୁଛି । ଧୀରେ ମୁହଁ ଟେକି ସେ ମୋ ମୁହଁକୁ ଚାହିଁଲା । ତା’ର ଆଖିରେ ଅଶୁର ଭଙ୍ଗା କଣ୍ଠରେ ସେ ପଚାରିଲା–

 

“ତମେ କାନ୍ଦୁଚ ??”

 

“ତମେ ଯେ କାନ୍ଦୁଚ ରେଖା !!!”

 

ମୋର କଥା ଶୁଣି ସେ ପୁଣି ଉଚ୍ଛ୍ୱସିତ ହୋଇ କାନ୍ଦି ଉଠିଲା । ତା’ର ଛୋଟ ମୁହଁଟିକୁ ମୋର ଛାତିରେ ଜୋରରେ ଚାପିରଖି ସେ କୋହରେ ଫାଟି ପଡ଼ିଲା । ତାକୁ ନିଃଶ୍ୱାସର ଝଡ଼, ଆଉ ଲୁହର ବର୍ଷାରେ ମୋର ଛାତି ଭାଙ୍ଗି ପଡ଼ିଲା–ଆଉ ଭାସିଗଲା ।

 

ମୁଁ ତା’ର ଆଖିରୁ ଲୁହ ପୋଛିଦେଲି ଆଉ ତା’ର ମୁଣ୍ଡକୁ ସାଉଁଳୁ ସାଉଁଳୁ ଖୁବ୍ ଧୀର ଗଳାରେ ଅପରାଧୀ ଭଳି କହିଲି–

 

“ମୋତେ କ୍ଷମା କରିବ ନାହିଁ ରେଖା ? ମୋର ସେଇ ପ୍ରସ୍ତାବ ଯଦି ତୁମକୁ ଏତେ କଷ୍ଟ ଦେଇଛି–ତେବେ ସେଇ କୁତ୍ସିତ ପ୍ରସ୍ତାବଟାକୁ ଭୁଲିଯାଅ ଆଉ ମତେ–ମତେ ବି ଭୁଲିଯାଅ ରେଖା–ଶେଷରେ ମତେ ବି–ହଁ–ହଁ–“

 

ଆଉ କହି ପାରିଲି ନାହିଁ । ମୋର ଆଖିରେ ପୁଣି ଲୋତକର ପ୍ଲାବନ ଓ କଣ୍ଠ ଗଦଗଦ-

 

“ମୋତେ ଭୁଲିଯାଅ ରେଖା ! ମୁଁ ତୁମର ବିଶ୍ୱାସ ହରାଇଛି । ଆଉ ମୁଁ ତୁମକୁ କଷ୍ଟ ଦେବାଲାଗି ଏଠି ରହିବି ନାହିଁ । କାଲି ସକାଳେ ମୁଁ ଏଠୁ ଚାଲିଯିବି–ଚାଲିଯିବି–ଚିରଦିନ ଲାଗି ଚାଲିଯିବି–ମୋତେ ଖାଲି ତୁମେ କ୍ଷମାକର । ଏତିକି କେବଳ ମୁଁ ଯିବା ବେଳେ ତୁମଠାରୁ ଶୁଣିବାକୁ ଚାହୁଁଛି ।”

 

ଚକିତ ହରିଣୀ ଭଳି ସେ ମୋ କୋଳରୁ ଉଠି ବସିଲା । ମୋର ସମ୍ମୁଖରେ ଠିଆହୋଇ ମୋର ଦୁଇ କାନ୍ଧରେ ହାତ ରଖି ସେ ଉଚ୍ଛ୍ୱସିତ ହୋଇ କହି ଉଠିଲା–

 

“ସେତିକି–ସେତିକି କୁହନାହିଁ ମୋ ଧନ । ମୁଁ ଜାଣେ–ତୁମେ ଦିନେ ଯିବ । ସବୁଦିନେ ତ ତୁମେ ଏଠି ରହନ୍ତ ନାହିଁ ? ମୁଁ ଅଲକ୍ଷଣୀ କ’ଣ ତୁମକୁ ସବୁଦିନେ ଧରି ରଖି ପାରିବି ? କିନ୍ତୁ କୁହନାହିଁ ସେ କଥା ତୁଣ୍ଡରେ । ଯିବା ପୂର୍ବରୁ ମୋତେ ଜଣାଇ କରି ଯିବ ନାହିଁ । ମୋ ଅଜାଣତରେ ଦିନେ ହଠାତ୍ ଚାଲିଯିବ । ମୁଁ ଭାବିବି–ଆଜି ଯେ ଯାଇଛି–ସେ ହୁଏତ କାଲି ପୁଣି ଫେରି ଆସିବ–ହୋଇପାରେ ଅନ୍ୟ ରୂପରେ । କିନ୍ତୁ ଯିବ ତ ତୁମେ ନିଶ୍ଚୟ–କିନ୍ତୁ ସୁନା ମୋର–ମତେ ମନେ ରଖିବ ନାହିଁ ?”

 

“କିନ୍ତୁ ଆଉ ଏତେ କଥା କାହିଁକି ରେଖା ? ମୁଁ ତ ତୁମ ମନରେ ଏତେ ଦିନଧରି କେବଳ କଷ୍ଟ ହିଁ ଦେଲି ।”

 

“ସୁଖ କ’ଣ କମ ଦେଇଛି ?”

 

“କି ସୁଖ ଆଉ ଦେଲି ? ଯେଉଁ ସୁଖ ଦାନ କରିବି ବୋଲି ହାତ ଟେକିଲି–ସେ ତ ତୁମକୁ ଏତେ କଷ୍ଟ ଦେଲା !”

 

“ମୁଁ ତ ସେ ସୁଖ ଚାହୁଁ ନ ଥିଲି । ମୁଁ ଯାହା ଚାହୁଁଥିଲି, ତା’ ତମେ ମତେ ଦେଇଛ–ମୁଁ ପାଇଛି–ପ୍ରଚୁର ପାଇଛି ।”

 

“ତୁମେ କଅଣ ଚାହୁଁଥିଲ ?”

 

“ପ୍ରତିଶ୍ରୁତି ।”

 

“କିନ୍ତୁ କାହାର ପ୍ରତିଶ୍ରୁତି ରେଖା ?”

 

“ଦାନର ନୁହଁ ନିଶ୍ଚୟ–ଦାନୀର । ତୁମେ କ’ଣ ଭାବିଛ,–ମୋର ଦେହର ଆଉ ସେ କ୍ଷୁଧା ଅଛି ? ଥିଲା ନିଶ୍ଚୟ । କିନ୍ତୁ କେତେଦିନ ବା ରହନ୍ତା ? ସେ କ୍ଷୁଧା ମରିଯାଇଛି । କ୍ଷୁଧା ଅଛି ମୋର ମନରେ । ତୁମେ ତାକୁ ତୃପ୍ତ କରିଛ । ତୁମର ‘ରେଖା’ ଡାକରେ ମୁଁ ସେଇ ଦୂର ଅତୀତର ଅର୍ଦ୍ଧବିସ୍ମୃତ ମଧୁରଧ୍ଵନିଟିର ପ୍ରତିଧ୍ଵନି ଶୁଣିଛି । ସେହି କଣ୍ଠ–ଅବିକଳ ସେହି କଣ୍ଠ–ସେହି ଧ୍ଵନି । ଉଚ୍ଚଶିକ୍ଷା ପାଇଥିଲେ ମଧ୍ୟ ମୋର ନିଜର ଇଚ୍ଛାରେ ମୁଁ ପତିବରଣ କରି ନ ଏଥିଲି । ମାତ୍ର ବର୍ଷକ ମଧ୍ୟରେ ମୁଁ ତାଙ୍କ ମୁହଁକୁ ବି ଦିନେ ଭଲ କରି ଅନାଇଁ ଦେଖିନାହିଁ । ମାତ୍ର ସେ କଣ୍ଠଟି ମୋର ପରିଷ୍କାର ମନେଅଛି । ସେଇ ଯୋଉଦିନ ଆମର ପହିଲି ମିଳନ ବାସର ପ୍ରଦୀପଟିକୁ ତେଜି ଦେଇ ମୋତେ ଛାତିକୁ ଆଉଜାଇ ସେ ଡାକିଲେ–‘ରେଖା !!' ଓଃ–କି ସୁନ୍ଦର–କି ମଧୁର ! ଏଇ ପଦକ ଡାକ ଭିତରେ ମୁଁ ସତେ ବା ତାଙ୍କ ହୃଦୟକୁ ବୁଝିପାରିଲି । ଏଇ ‘ରେଖା’ ଡାକଟି ସତେ ବା ତାଙ୍କର ନୂତନ ଆବିଷ୍କାର । କେହି ମତେ ସେ ନାମରେ ଡାକି ନାହାଁନ୍ତି । ସମସ୍ତ ତ ଡାକନ୍ତି ‘ଇନ୍ଦୁ' ବୋଲି । ପ୍ରେମ କ’ଣ ଆଗରୁ ଜାଣି ନ ଥିଲି । ସେଦିନ ଏଇ ‘ରେଖା’ ଡାକରେ ସତେ ବା ପ୍ରେମର ଗଭୀର ପ୍ରତିଶ୍ରୁତି ସେ ମତେ ଦେଲେ । ସେଦିନ ନୂଆକରି ଜାଣିଲି ପ୍ରେମ କ’ଣ–ପ୍ରଣୟ କ’ଣ ! ଆଉ ଗୋଟିଏ ମାତ୍ର ଶବ୍ଦର ଉଚ୍ଚାରଣରେ ବି କିପରି ସେ ସମ୍ପୂର୍ଣ୍ଣ ପ୍ରକାଶିତ ହୋଇପଡ଼େ !!

 

ତା’ପରେ–ତା’ପରେ–। ଆଉ ଦିନେ ସେ ଦିନର ସେହି କାଳ ସଞ୍ଜ–ତାଙ୍କ ପାଦ ତଳେ ବସି ତଳକୁ ମୁହଁ ପୋତି ପାଦ ଆଉଁସୁଥାଏ । ଆଖିରୁ ଗଳଗଳ ହୋଇ ଲୁହ ଗଳୁଥାଏ । ମଝିରେ ମଝିରେ ତାଙ୍କ ମୁହଁକୁ ଚାହେଁ–ଦେଖିହୁଏ ନାହିଁ–ଆଖିର ଲୁହ ବାଧା ଦିଏ । ଜାଳୁଜାଳୁଆ ହୋଇ ଯାହା ଦେଖୁଥାଏ, ସେଥିରେ ବରଂ କୋହ ଉଠୁଥାଏ ବେଶୀ । ସେତେବେଳକାର ମୁହଁକୁ କି ଚାହିଁହୁଏ !! ତା’ପରେ–ତା’ପରେ ହଠାତ୍ ମୋର ମୁଣ୍ଡ ଉପରେ ବଜ୍ର ପଡ଼ିଲା । ମୁଁ କିଛି ଜାଣିପାରିଲି ନାହିଁ । ମୋର ଚେତା ବୁଡ଼ିଗଲା । ସେ ରାତିରେ ମୋର ଆଉ ଚେତା ଆସିନାହିଁ । ତା' ଆରଦିନ ସକାଳେ ଚେତା ପାଇ ଦେଖେ ତ ସେ ଆଉ ନାହାଁନ୍ତି–ସେ ଆଉ ନାହାଁନ୍ତି–ସେ ଆଉ ନାହାଁନ୍ତି ।”

 

କଇଁକଇଁ ସେ କାନ୍ଦି ଉଠିଲା । ତା’ପରେ କିଛି କ୍ଷଣ ନିସ୍ତବ୍‍ଧତା । ସେ ପୁଣି ଆରମ୍ଭ କଲା–.....

 

“ତା’ପରେ–ତା’ପରେ–ସେ ମୁହଁଟିକୁ ମୁଁ ଭୁଲିଗଲି । କିନ୍ତୁ କେତେ ଖୋଜିଛି !! କେତେ ଲୋକଙ୍କ ମୁହଁକୁ ଲୋଭରେ ଚାହିଁ ରହିଛି–କାଳେ କିଛି ସାଦୃଶ୍ୟ ଥିବ ! ସେହି ସୁନ୍ଦର ମୁହଁଟିକୁ ମନେ ପକାଇବା ଲାଗି ମୁଁ ଯେତେ ଲୋକଙ୍କ ମୁହଁକୁ ଚାହିଁଛି ସେମାନେ ମୋତେ ଭୁଲ୍‍ ବୁଝିଛନ୍ତି । ମୋର ଅନ୍ୱେଷଣ–ତତ୍ପର ଚାହାଣୀରୁ ସେମାନେ ଭୁଲରେ ଧରି ନେଇଛନ୍ତି ମୋର କାମନାର କ୍ଷୁଧା-। ଫଳରେ ସେମାନେ ମୋର କ୍ଷୁଧା ନିବାରଣ ଲାଗି ଆହାର ଦାନ କରିବାକୁ ମୋର ନିକଟକୁ ଧାଇଁ ଆସିଛନ୍ତି । କିନ୍ତୁ ସେମାନେ ଭ୍ରାନ୍ତ । ନିଜର ଦାନଶୀଳତାର ମତ୍ତତାରେ ସେମାନେ ମୋର କ୍ଷୁଧାର ସ୍ଵରୂପଟିକୁ ବୁଝିବାକୁ ଚେଷ୍ଟା ନ କରି ତା’ର ନିବୃତ୍ତି ଲାଗି ଚଞ୍ଚଳ ହୋଇ ଉଠିଛନ୍ତି । କ୍ଷୁଧିତ ଲାଗି ଯାହାର ସମବେଦନା ନାହିଁ, ସେ କ’ଣ କ୍ଷୁଧା ବୁଝିପାରେ ? ଯେ କ୍ଷୁଧା ନ ବୁଝି ଦାନ ଦିଏ, ସେ କ’ଣ ଦାନୀ ? ସେ ଯେ ଦାନୀର ଅହଙ୍କାର । ସେମାନେ ମୋ ପାଖରେ ନିରାଶ ହୋଇଛନ୍ତି–ଆଉ ମୁଁ ବି ସେମାନଙ୍କ ପାଖରେ ନିରାଶ ହୋଇଛି ।”

 

“କିନ୍ତୁ ମୁଁ କ’ଣ ତୁମର ସେ ଆଶା ପୁରଣ କରିପାରିଛି ? ମୁଁ ତ ବି ଅନ୍ୟମାନଙ୍କ ପରି ଭ୍ରାନ୍ତ, ରେଖା ।”

 

“ଆହା–କି ସୁନ୍ଦର ସେ ଡାକ ! ଆଉଥରେ ଡାକ ତ ମୋ ଧନ ! ଆଉଥରେ ଡାକ ତ ‘ରେଖା’ ବୋଲି ! ତୁମେ ମୋତେ ଆଜିକାଲି ଭାରି କମ୍‍ ଡାକୁଛ । ଡାକନା–ଡାକ ତ ଆଉଥରେ ‘ରେଖା’ ବୋଲି । ଆଉ କି କାଲିଠାରୁ ଏ ଡାକ ଶୁଣିବି ? ମୋ ଧନ ! ଡାକ ତ ଟିକିଏ–”

 

ମୋର ମୁଣ୍ଡ ଗୋଳମାଳ ହୋଇ ଆସୁଥିଲା । ମୁଁ କିନ୍ତୁ ତା’ର ପାପୁଲିକୁ ମୋର ମୁଠା ଭିତରକୁ ଆଣି ଧୀର ନମ୍ର ଗଳାରେ ଡାକିଲି–“ରେଖା.....”

 

“ଆଃ–କି ସୁନ୍ଦର ! କି ସୁନ୍ଦର !!”

 

ସତେ ଅବା ସେ ଏଇ ଧ୍ଵନିଟିକୁ କାନବାଟେ ପିଇଗଲା ! ତା’ପରେ ପୁଣି ସେ ପ୍ରକୃତିସ୍ଥ ହୋଇ ପଚାରିଲା–

 

“ହଁ–କ’ଣ ପଚାରୁଥିଲ ମୋ ସୁନା ?”

 

“ମୁଁ ବି ତ ତୁମର ଆଶାପୂରଣ କରିପାରିନାହିଁ । ମୁଁ ବି ତ ଅନ୍ୟମାନଙ୍କପରି ଭ୍ରାନ୍ତ–କ୍ଷିପ୍ତ–”

 

“କିଏ ? ତୁମେ ?”

 

ଆବେଗରେ ସେ ମୋର ମୁଣ୍ଡକୁ ନୁଆଁଇ ଚୁମା ଦେଲା । ଲାଗ ଲାଗ ବହୁ ଥର ଚୁମା ଦେଲା ।

 

“କିଏ କହିଲା–ତୁମେ ଭ୍ରାନ୍ତ ବୋଲି ? ଭ୍ରାନ୍ତ ତୁମେ ନୁହଁ–ଭ୍ରାନ୍ତ ତୁମର ଯୌବନ । ଯୌବନ ଅପେକ୍ଷା ରଖେ ନାହିଁ–ତୁମେ କିନ୍ତୁ ଅପେକ୍ଷା କରିଛ । ଯୌବନ ଅନୁମତି ମାଗେ ନାହିଁ–ତୁମେ କିନ୍ତୁ ଏଇ କାଙ୍ଗାଳିନୀର ବି ଅନୁମତି ଲୋଡ଼ିଛ । ଯୌବନ ନିଜର ଅହଙ୍କାରରେ ବୁଡ଼ିରହି ଅପରକୁ ଦେଖେ ନାହିଁ–ଦେଖିଲେ ବି ଚିହ୍ନେ ନାହିଁ । ତୁମେ କିନ୍ତୁ ମୋତେ ଚିହ୍ନିଲ । ଅନ୍ୟମାନେ ତାଙ୍କର ଯୌବନକୁଇ ଦାନ କରିବାକୁ ବ୍ୟଗ୍ର ହୋଇ ପଡ଼ୁଥିଲେ । ତୁମେ କିନ୍ତୁ ମତେ ତୁମକୁଇ ଦାନ କରି ସାରିଛ । ନୁହେଁ ? ସତ କହିଲା ଦେଖି–ନୁହେଁ ?”

 

“ଆଶ୍ଚର୍ଯ୍ୟ କଥା, ରେଖା–କିପରି ଜାଣିଲ ମୋର ମନ ଭିତରର ଗୋପନ ଅଭିଳାଷ, ଯାହା ମୋ ପାଖରେ ବି ଏଯାବତ ସ୍ପଷ୍ଟ ହୋଇ ନାହିଁ ?” ମୁଁ ଅଭିଭୂତ ହେଲା ଭଳି କହିଲି–

 

“ହଁ ରେଖା–ମୋର ଇଚ୍ଛା ମୁଁ ତୁମକୁ ପୁଣିଥରେ ବିବାହ–”

 

“ସେଇଆ ତ ମୁଁ କହୁଛି । ମୋର ଦୁଃଖରେ ତୁମର ଯୌବନ କାନ୍ଦିନାହିଁ–ତୁମେ ଖାଲି କାନ୍ଦିଛ । ଭିକ୍ଷୁକର ଦୁଃଖରେ ଧନ ତ କାନ୍ଦେ ନାହିଁ ! ! କିନ୍ତୁ ଧନୀ ଯଦି ନ କାନ୍ଦିଲା, ସେ କି ଧନୀ-? ମୁଁ ଚାହିଁଥିଲି ଧନୀକୁ । ତୁମେ ମୋର ସେଇ ଧନୀ–କିନ୍ତୁ ୟା ବୋଲି ତୁମେ ମୋତେ ଆଉ ବିବାହ କରିବ କେମିତି ? ଗୋଟିଏ ଆକାଶରେ ଦୁଇଟି ସୂର୍ଯ୍ୟର ଆବିର୍ଭାବ ଅସମ୍ଭବ । ସୂର୍ଯ୍ୟ ଅସ୍ତଗଲେ ଚନ୍ଦ୍ର ଦିଏ ଆଲୋକ । ତୁମେ ମୋର ଚନ୍ଦ୍ର । ପ୍ରଚଣ୍ଡ ସୂର୍ଯ୍ୟାଲୋକର ଏକ ଶୀତଳ ସ୍ମୃତି ଧରି ତୁମେ ମୋର ହୃଦୟ ଆକାଶରେ ଉଦିତ ହୁଅ ମୋର ଚାନ୍ଦ । ଏ କାଳ ରାତିର ତିମିରକୁ ତୁମର ଅମୃତ କିରଣରେ ହରଣ କର । ତୁମେ ଯାଅ । ଆଉ ଏ ଜୀବନରେ ହୁଏତ ଦେଖା ହୋଇନପାରେ, ଆଉ ଆମ ଭିତରେ ଦେଖା ନ ହେବାଟାଇ ଉଚିତ । ସୂର୍ଯ୍ୟ ଅସ୍ତଗଲେ ପଦ୍ମିନୀ ଆଉ ଆଖି ମେଲେ ନାହିଁ । କିନ୍ତୁ ଏତିକି ଆଶାରେ ସେ ବଞ୍ଚିରହେ–ତା’ର ଅନ୍ଧଆଖିର ଚାରିପଟେ ଉଦୀୟମାନ ସୁଧାକରର ଜୋତ୍ସ୍ନାଲୋକ । ସେ ଆଲୋକ ପୁଣି ସୂର୍ଯ୍ୟଙ୍କର ଛାୟାର ! ଚନ୍ଦ୍ରକୁ ଦେଖୁ ନ ଦେଖୁ–ପାଉ ନ ପାଉ–ଚନ୍ଦ୍ରଠାରୁ ଅନ୍ତତଃ ଆଲୋକର ଏଇ ପ୍ରତିଶ୍ରୁତି ସେ ପାଏ । ପାଏ ବୋଲି ତୃପ୍ତ ହୁଏ–ଶାନ୍ତ ହୁଏ । ତୁମର ପ୍ରେମ ମୋର ହୃଦୟରେ ସେଇ ପ୍ରତିଶ୍ରୁତି ଦେଇ ସାରିଛି । ସେତିକି ମୋର ସାନ୍ତ୍ୱନା–ସେତିକି ମୋର ସମ୍ବଳ–ସେତିକି ମୋର କାମ୍ୟ ।”

 

ଅଭିଭୂତ ହୋଇ ରେଖାର ଅର୍ଥପୂର୍ଣ୍ଣ ବାଚାଳତା ଶୁଣୁଶୁଣୁ ସେ ମୋତେ ଆଉ ପ୍ରକାରେ ଦିଶିଲା । ଏ କ’ଣ ସେଇ ‘ରେଖା’ ?? ବେଦନାର କ’ଣ ପ୍ରଗଲ୍‍ଭତା ଅଛି ? ଶୁକ୍ଳାମ୍ବରା–ବେଦନବିଧୁରା––ସ୍ନେହକାତରା–ଭାବାତୁରା ଏଇ ବିଧବାଟି, କ’ଣ ଉନ୍ନତ୍ତ, ଯୌବନର ଭୋଗ–ପ୍ରବଣ–ଲାଳସା ଲାଗି ମୂର୍ତ୍ତୀମତୀ ଶିକ୍ଷା ? ବେଦନା ସହାନୁଭୂତିହୀନ ଦାନମତ୍ତ ବଳୀରାଜାର ଅହଙ୍କାରକୁ ବାମନରୂପୀ ବିଷ୍ଣୁ ଚୂର୍ଣ୍ଣ କଲାପରି, ରେଖା ମୋର ଅବଶିଷ୍ଟ ଅଭିମାନକୁ ପଦଦଳିତ କରି ଯେଉଁ ଦାନ ମୋ ଠାରେ ଭିକ୍ଷା କଲା–ସେ ମୋର ମୁଣ୍ଡକୁ ଆହୁରି ଭାରାକ୍ରାନ୍ତ କଲା । ଏହି ପ୍ରଚଣ୍ଡ “ସତୀତ୍ୱ” ସମ୍ମୁଖରେ ମୁଁ ମଥାନତ କରି ରହିଲି । ମୋର ମନେହେଲା, ଅନ୍ୟମାନ ହୁଏତ ସତୀ ମାତ୍ର ରେଖା ନିଜେ ‘‘ସତୀତ୍ୱ” । ମୁଁ କିଛିକ୍ଷଣ ନିସ୍ତବ୍‍ଧ ରହିଲି । ମାତ୍ର ମୋର ଗୋଟିଏ ସନ୍ଦେହ ଘୁଞ୍ଚାଇବା ଲାଗି ମୁଁ ପୁଣି ପାଟି ଖୋଲିଲି–

 

“କିନ୍ତୁ ରେଖା–ବେଦନା କ’ଣ ପ୍ରଗଲ୍‍ଭ? ସାଗର ତ ଗମ୍ଭୀର ।”

 

“ସାଗର ଗମ୍ଭୀର ସତ୍ୟ । କିନ୍ତୁ ସୂର୍ଯ୍ୟାଲୋକରେ । ଚନ୍ଦ୍ରଦର୍ଶନରେ ସାଗରର ଚାଞ୍ଚଲ୍ୟ ଆସେ ନାହିଁ ? ସୂର୍ଯ୍ୟାଲୋକ ସମସ୍ତଙ୍କୁ ପ୍ରକାଶ କରେ–କିନ୍ତୁ ଚନ୍ଦ୍ରାଲୋକରେ ସମସ୍ତେ ନିଜନିଜକୁ ପ୍ରକାଶ କରିବାକୁ ବ୍ୟଗ୍ର ହୋଇ ପଡ଼ନ୍ତି । ତେଣୁ ସାଗର ଚନ୍ଦ୍ର ଦର୍ଶନରେ ଚଞ୍ଚଳ ଓ ଉର୍ମିଳ । ତୁମେ ମୋର ଚନ୍ଦ୍ର । ତୁମ ଆଗରେ ମୁଁ ନିଜକୁ ପ୍ରକାଶ କରିଛି । ନିଜେ ନିଜକୁ ପ୍ରକାଶ କଲେ ଚାଞ୍ଚଲ୍ୟ ଆସିବାଟା ଅତି ସ୍ୱାଭାବିକ । ନିଜକୁ ପ୍ରକାଶ କରିବାରେ ଆବେଗଟା ତ ଚଞ୍ଚଳ ।” ମୋର ମନ ସବୁମତେ ଏହି ନାରୀଟି ପାଖରେ ପରାସ୍ତ ହେଲା । ପରାଜିତର ଅଭିମାନ ନେଇ ମୁଁ ପଚାରିଲି–

 

“ମୋର କ’ଣ ନିଜସ୍ଵ ଆଲୋକ ନାହିଁ ରେଖା ? ମୁଁ କେବଳ ଅନ୍ୟ ଜଣଙ୍କର ଛାୟା ?”

 

ସେ ମୋତେ ଚଟାପଟ ତା’ ଆଡ଼କୁ ଆଉଜାଇ ନେଇ ଚୁମା ଦେଇ କହିଲା–

 

“ତୁମେ କେବଳ କାହାର ଛାୟା ନୁହଁ, ମୋର ଧନ–ତୁମେ ମୋର ମାୟା !!! ତୁମେ ମୋର ମାୟା !!!

 

ସେ ଫେର୍‍ ମୋତେ ଚୁମାଦେଲା । ଯେମିତି ଏତିକିରେ ପୋଛିଦେଲା, ସେ ମୋ ମନର ସମସ୍ତ ଗ୍ଲାନି ଆଉ ଅଭିମାନ ! ମୁଁ ଯେପରି ଗୋଟିଏ ଅଭିମାନୀ ଶିଶୁ ! ତା’ପରେ ମୋର ହାତଧରି ସେ ମୋତେ ଟାଣି ଘୋଷାରି ନେଇଗଲା ଛାତ ଉପରକୁ ।

 

“ଆସ–ଆସ । କାଲି ଚାଲିଯିବ । ଆଜି ଟିକେ ତୁମ କୋଳରେ ମୁଣ୍ଡ ଦେଇ ଶୋଇପଡ଼େ, ଆସ ।”

 

ମନ୍ତ୍ରମୁଗ୍‍ଧ ଭଳି ମୁଁ ତା’ପଛରେ ଟଣା ହୋଇଗଲି । ଛାତ ଉପରେ ସେ ମୋ କୋଳରେ ମୁଣ୍ଡରଖି ଶୋଇଲା ଆଉ ମୋର ବେକରେ ତା’ର ବାହୁଲତା ଜଡ଼ାଇ ସେ ପୁଣି ପଚାରିଲା–

 

“କୁହ ତ ମୋର ମାୟା; ମୋତେ ଭୁଲିଯିବ ନାହିଁ ତ ? ମୋତେ ସବୁ ଦିନେ ଏହିଭଳି ଭଲପାଇବ ତ ? ମନେ ରଖିବ ତ ? ସତ କୁହ–ଧନ ମୋର ସତ କୁହ ।”

 

ମୁଁ ତା’ର ସାନ ମୁହଁଟିକୁ ମୋର ଦୁଇ ଆଞ୍ଜୁଳି ମଧ୍ୟରେ ରଖି ସ୍ମିତ ହାସ୍ୟରେ କହିଲି–

 

“ମାୟାବିନୀ ! ତୁମର ମାୟା କେବଳ ତୁମରି ସୃଷ୍ଟି ଆଉ ତୁମେଇ କେବଳ ସେ ମାୟାର ସଂସାର କରିପାର । ମୁଁ ଜାଣେ, ତୁମେ ଅମୃତର କ୍ଷୁଧାରେ ଆତୁରା । ତୁମର ଏଇ ଅମୃତରେ କ୍ଷୁଧା ଚିରଦିନ ମୋ ପଛରେ ଲାଗି ରହିଲା । ମୋର ଦୋଷ ମୁଁ ତୁମର କ୍ଷୁଧାକୁ ଚିହ୍ନିଲି । ନୁହେଁ ? ତେଣୁ ତୁମର କ୍ଷୁଧିତ ପ୍ରାଣର ଆଶଙ୍କାରେ ମୋତେ ଚିରଦିନ ସଂତ୍ରସ୍ତ ରହିବାକୁ ପଡ଼ିବ–ନୁହେଁ ?”

 

“ହୁଏତ–ହଁ ।”

 

ସେ ତା’ର ଦୁଇ ପାପୁଲିର ଆଙ୍ଗୁଳିଗୁଡ଼ିକ ମୁକୁଳିତ ଭଙ୍ଗୀରେ ରଖି କି ଏକ ଆବେଶ୍ ମଧ୍ୟରେ ଥିବା ଭଳି ଆକାଶକୁ ଚାହିଁ ଏତେକ କହିଲା ।

 

ଆକାଶରେ ଉଜ୍ଜ୍ୱଳ ଚନ୍ଦ୍ର–ଆଉ ସେଇ ଚନ୍ଦ୍ରକୁ ପୁଣି ଘେରି ରହିଛି ଏକ ବୃତ୍ତାକାର ରହସ୍ୟମୟ ଚନ୍ଦ୍ରମଣ୍ଡଳ । ରେଖା ସେଇ ଆଡ଼କୁ ଚାହିଁ ରହିଥିଲା ।

 

... ଶେଷରେ, ମୁଁ ବି ସେଇ ଅପୂର୍ବ ଦୃଶ୍ୟ ଆଡ଼କୁ ମୁଗ୍‍ଧ ବିଭୋର ଆଖିରେ ଚାହିଁ ରହିଲି । –ଏହି ବିରାଟ ରହସ୍ୟକୁ କିଏ ଉଦ୍‍ଘାଟନ କରି ପାରିବ ? କିଏ ବା ପାରିଛି ?

񤦬񤦬񤦬

 

କମଳୀର ପ୍ରେମ

 

ଅଣ୍ଡିରା ବିଲୁଆ ଲାଗ୍‍ଲାଗ୍‍ ଠିକ୍ ତିନିଥର ରଡ଼ି ଛାଡ଼ିଲା । ମହନି ପ୍ରଧାନର ସ୍ତ୍ରୀଟି ଚାଲିଗଲା । ଏନ୍ତୁଡ଼ିଶାଳରେ ସଧବା ମାଇପେ ସବୁ ଭୋ’ କିନା ରଡ଼ି ଛାଡ଼ିଲେ । ୫ ବର୍ଷର ପୁଅ ଶଙ୍କରା ବି କିଛି ନ ବୁଝି କେଡ଼େ ବିକଳରେ କାନ୍ଦି ଉଠିଲା । ମହନି ଖୁଣ୍ଟକୁ ଆଉଜି କେବଳ ବୋକାଙ୍କ ପରି ବସି ରହିଲା–ଦୀର୍ଘଶ୍ୱାସ ପକାଇ । କାନ୍ଦ କାଇଁକି ମାଡ଼ୁନି ତାକୁ । ମାଲଭାଇଏ ଆସିଲେ ଯେଝା କାମ ଯିଏ ଆଦରି ନେଲେ । କୋକେଇ ବନ୍ଧା ହେଲା; ଗଲା ଗଲା; ସବୁ ଗଲା; ସବୁ ସରିଲା । ଧୁ ଧୁ ନିଆଁ–ମହନି ସବୁ ଦେଖିଛି । କାନ୍ଦ ମାଡ଼ୁନି ।” ଆହା ବିଚରାର ସଂସାର ଉଚ୍ଛନ୍ନ ହୋଇଗଲା ।” “ମହନି କ’ଣ ଆଉ ଗୋଟିଏ ଦ୍ୱିତୀୟ ପକ୍ଷ ଦେଖିବ ନାଇଁ ?” ମହନି ସବୁ ଶୁଣିଛି । କାହାକୁ ଉତ୍ତର ଦେଇନି ।

 

କେତେ ଅଭିମତ, ଉପଦେଶ ଭିତରେ ଶୁଦ୍ଧ ଘର କାମ ସରିଗଲା । ବର୍ତ୍ତମାନ ମହନି କ’ଣ କରିବ ? ସପନା ମାମୁଁ ନିରୋଳା ଜାଗାରେ ଫୁସଫୁସ କରି ମହନି କାନରେ କହନ୍ତି–” ଆରେ ମହନି, ମୋ ବୋଲ ମାନ । ଭଗବାନ ନଣ୍ଡା ବକଟକ ଦେଇଛନ୍ତି । ସେଇ ଶଙ୍କରାକୁ ଆଗ ଦେଖିଶୁଣି ମଣିଷ କର । ବାହାଘର କଥାରେ ଆଉ ମାତନା । କନ୍ୟା ମାଈପ–ବାଁ କହିଲେ ଡାହାଣ ବତେଇବ । ଉପର ମୁଣ୍ଡକୁ ତଳକୁ କରିବ । ସେତେବେଳେ ଯାଇ ଚେତା ପଶିବରେ ବାପା । ମୋ କଥା ସେତିକିବେଳେ ମନେ ପଡ଼ିବ । ମୋ କଥା ମାନ, ଆଉ ସେ ମାୟାରେ ପଶନା ।” ଆର ସାହି କମଳ ।

 

ନିଜର ଭଳିଆ ହୋଇ ଯେ କଥା କହେ, ଦୁଇ ଦୁଇ ଥର ବାହା ହେଲାଣି । ସମସ୍ତେ ମରିଯାଇଛନ୍ତି । ଏଥରକ ଯାହାକୁ ଘରକୁ ଆଣିଛି, ଚାରି ଶହ ଟଙ୍କା । ମଣିଷ ନୁହେଁ ଚଣ୍ଡୀ । ପାଟିରେ ବାଇଶ ନାଇଁ । ତିନି ତିନିଥର ମାଡ଼ଖାଇ ମଧ୍ୟ ବଦଖୋଇ ଛାଡ଼ିଲାନି । ଘରକୁ ଘରପରି ମଣିଲାନି । ଘରର ମଣିଷ ଛାଡ଼ି, ପର ମଣିଷଙ୍କ ଯିବା ବାଟକୁ ଅନେଇ ରହିଲା । ମାସକେ ପନ୍ଦର ଥର, ଓପାସ । ରୋଷେଇ ବନ୍ଦ । କାମଦାମରୁ ଫେରି ଆସି ରାତିରେ ମନଖୋଲି ଟିକେ କଥା କହିଲେ, ମଥା ଛିଣ୍ଡେଇବ । ହାତ ପକେଇଲେ ନାତ ମାରିବ । ପ୍ରଥମ ଥର ଯାହା ହାତ ଧରିଥିଲା, ତାଆରିଆଡ଼ୁ ବାଲବଚା ହୋଇ ଖଣ୍ଡିଏ । ଡାଙ୍ଗଡ଼ାଙ୍ଗ ହାତ ଗୋଡ଼ । ତାକୁ ଦେଖିପାରିଲିନି । ମାମୁଁ ଘରେ ସେଥିପାଇଁ ଛାଡ଼ିଦେଇ ଆସିଛି । ଆଉ ସେ ଜଞ୍ଜାଳକୁ ଯାଅନା ତୁ ମହନି, ବଡ଼ ବିଷମ ସେ ପଥ ।”

 

ମହନି ସବୁ ବୁଝେ–କମଳା ଆଡ଼କୁ ଘଡ଼ିଏ ଅନାଏ । ମୁହଁ ଶୁଖିଯାଇଛି । ଆଗର ସେଇ ବେପରୁଆ ଭାବ ଆଉ ନାଇଁ । ଦବିଯାଇଛି–କମଳର ପୁରୁଷ ପଣିଆ ସାରି ଯାଇଛି । xx ଛଅ ସାତ ବରଷର ପୁଅ ଶଙ୍କରା । ବାପ ପିଠିରେ ନାଉ ହୋଇପଡ଼େ । ମହନୀର ଅଫୁରନ୍ତ ବେଦନା ପଦାକୁ ବାହାରି ଆସେ । ଆଖି ଛଳ ଛଳ ହୁଏ ।” ହଉ ଯାଆ:ତୁ କମଳ; ଭଗବାନ ଯାହା କରିବେ-।”

 

ତରତର କରି ଘର ଭିତରକୁ ପଶି ଯାଏ ମହନି । ଚାଳରେ ମୁଣ୍ଡ ବାଜେ । କିଛି କୁଳ କିନାରା ପାଏନା । କ’ଣ କରିବ ? ଆଉଥରେ ବାହା ହବ ?? ସପନା ମାମୁଁ କଥା ମନେ ପଡ଼େ । କମଳ କଥା ମନକୁ ଆସେ । ସତକଥା” ବଡ଼ ବିଷମ ସେ ପଥ ।”

 

ବାସୁଆ ବାରିକ ଖାଡ଼ା ନିଶା ହଳକ ଫୁଲାଇ ପାନ ଭାଙ୍ଗି ବସେ । ଭାରି ହେମତ ଦିଏ-।” ଏଇ ମାଘ ମାସରେ ବାହାଘର ହୋଇଯିବ ମହନି କା । କିଛି ଭାବନା କରନା । ଖାଲି ଟଙ୍କା ଚାରିଶ ମୋ ହାତକୁ ବଢ଼ାଇଦିଅ । ଥିଇରି ହୋଇ ବସ ।” ମହନି ମନରେ ପୁଣି ସାହସ ହୁଏ-। ମାଘ ମାସରେ ସତରେ ବାହା ହବ ସେ ? ମୋଟେ ଚାରିଶ ଟଙ୍କା ?

 

ଲେଖାଯୋଖାରେ ଭଉଣୀ ହେବ କମଳୀ । ତିନି ବର୍ଷ ହେଲା କପାଳ ଫାଟିଲାଣି । ବଅସ ଥେଲା ମାଇପିଟା । କଇଁ ଫୁଲପରି ଦେହର ରଙ୍ଗ । ଦେହ ହାତ ମୋଟା ମୋଟା, ନହରା ଛାତି । ଦେଖିଲେ ନଜର ପଡ଼ିଯିବ । ହସି ହସି କଥା କହେ । ହସରେ ସମସ୍ତଙ୍କୁ କିଣିନେବ । ପରକୁ ଆପଣାର କରିବ । ଯାହା ହାତ ଧରି ଥେଲା–ଭଲ ଥିଲାବାଲା । କିନ୍ତୁ ବୁଢ଼ା ହଡ଼ା–ବାଉନ ଘାଟିରୁ ଆଉ ଉଧୁରିଲା ନାଇଁ । ସେଇ କମଳୀର ଆଖି ପଡ଼ିଲା ମହନି ଉପରେ । ମହନି ଘରକୁ ଏକା । ମାଈପ ମରିଯାଇଛି ତିନିମାସ ହେବ । ମହନି ଉପରେ ଚଡ଼କ ପଡ଼ିଛି ! କମଳୀ ଉପରେ ପଡ଼ି ଚାରି ପାଇଟି ତୁଲେଇନିଏ । ମହନି ପାନ ବରଜରୁ କାମ ସାରି ଆସିଲେ ପଖାଳ କଂସାଏ ବାଢ଼ିଦିଏ–ମହନିର ମନ ବୋଧ । ଅମୃତ ହେଲେ ବି ହାତରେ ବାଢ଼ି ଖାଇବାକୁ ସୁଖ ଲାଗିବନି ଅଥଚ ଆପଣାର ଭଳିଆ କିଏ ଜଣେ ଯାହା ବାଢ଼ିଦେଉ, ପେଟ ପୁରିବ ମନ ପୂରିବ । ସଞ୍ଜବେଳେ ଗହୀରରୁ ଗୋରୁ ଫେରିଲେ, କମଳୀ ବାନ୍ଧିଦିଏ ଗୁହାଳେ । ସକାଳେ ଯୋଗିଆ ଗଉଡ଼” ମହାନିନା ଗୋରୁ ଫିଟାଅ, ହୋ–ଓ–ଓ” ଡାକ ଦେଲେ କମଳୀ ଗୋରୁ ଫିଟାଇ ଦିଏ । ଏଇ ସବୁ କାମ କରିବାକୁ ତାକୁ ଟିକିଏ ହେଲେ ହାଲିଆ ଲାଗେନି । ଶଙ୍କରା ରୋଜିନା ସ୍କୁଲକୁ ଯାଏ । ଶିଶୁ ଶ୍ରେଣୀରେ ପଢ଼ିଛି । ତାକୁ ମୁଠାଏ ଖାଇବାକୁ ଦେବାକୁ–ଓଠ ଧରି ଗେଲ କରିବାକୁ, କମଳୀକୁ ଭାରି ସୁଖ ଲାଗେ । ଦେହରେ ମାଆର ଭାବ ଜାଗି ଉଠେ । ଗେରସ୍ତ ସାଙ୍ଗରେ ପାଞ୍ଚବର୍ଷ କଟାଇଛି କିନ୍ତୁ ମାଆ ହେବାର ସୌଭାଗ୍ୟ ତାକୁ ମିଳିନାଇଁ । କେତେ ପିଲାଙ୍କୁ ଦେଖିଛି ସେ । ତାଆରି ସାଥିରେ ବାହା ହେଇ ସୁମୀର ତିନିଟା ଛୁଆ । ପାର୍ବତୀର ଭଲ ପିଲା ଯୋଡ଼ିଏ ହୋଇଛନ୍ତି । ଯାଆଁଳା ପିଲା–କେଡ଼େ ସୁନ୍ଦର । ମହନିର ପୁଅ–କମଳୀ ଅନ୍ୟମନସ୍କ ହୁଏ । ତା’ର ଛାତି ଶୁଳେଇ ହୁଏ–ମନଟା ବି ଆହୁରି ଜୋରରେ । ଅଜାଣତରେ ଶଙ୍କରାକୁ ଛାତିରେ ଚାପିଧରି ମାତୃତ୍ୱ ତା’ର ପୁଣି ଚମକି ଉଠେ । ଦେଖେ, କୋଳରେ ଶଙ୍କରା–ମହନି ପ୍ରଧାନର ପୁଅ । କମଳୀର ଆଖି ଛଳଛଳ ହୋଇ ଆସେ ।

 

X X X X

 

କମଳୀ ଆଉ ଏଣିକି ମହନି ଘର ଛାଡ଼ି ଯାଇପାରୁନି । କି ମାୟା ଲାଗିଯାଇଛି କେଜାଣି-? ବେଳାଏ ବେଳାଏ ଆସି ସାହାଯ୍ୟ କରିବା ବାହାନାରେ ରାନ୍ଧି ଦେଉଁ ଦେଉଁ ମହନି ଘରେ କମଳୀର ଗୋଡ଼ ଛାଏଁ ଛାଏଁ ବାନ୍ଧି ହୋଇଯାଇଛି, ତା’ର ଅଜାଣତରେ । ମହନିର ବି ବିବାହ ଝୁଙ୍କ୍‍ ଦବିଯାଇଛି । ଆଗପରି ଏତେ ତୀବ୍ର ଭାବରେ ନାଇଁ ।

 

ଗାଁରେ ପାଲା ଲାଗିଲା–କମଳୀ କାଇଁକି ମହନି ପଧାନ ଘରେ ସବୁବେଳେ ପଶିଛି । ମହନି ଘୁଙ୍ଗା । କାହାକୁ କିଛି କହେନି । ଭଲରେ ନ ଥାଏ କି ମନ୍ଦରେ ନ ଥାଏ । ନିଜର ପାନବରଜ–ଯାହା ମାଣେ ଦି’ ମାଣ ଜମି–ଆଉ ହଳିଆ ମାର୍କଣ୍ଡିଆ । ଦିନଯାକ ୟା’ଙ୍କରି ସଙ୍ଗରେ କାରବାର । ରାତିରେ କମଳୀ ବସି ଦୁଃଖ ସୁଖ ହୁଏ–ଶଙ୍କରା କଥା । ସେ କେମିତି ସକାଳେ ଖାଇ କରି ସ୍କୁଲକୁ ଯାଉନି, କେମିତି ଖରାବେଳେ ନ ଶୋଇ ଖେଚଡ଼ ଟୋକାଙ୍କ ସଙ୍ଗେ ବୁଲି କଳାକାଠ ପଡ଼ି ଗଲାଣି । ତଳକୁ ମୁହଁପୋତି ମହନି ପଖାଳ କଂସାରେ ହାତମାଡ଼ି ସବୁ ଶୁଣେ । ମଝିରେ ମଝିରେ ହସେ । ବେଶୀ କଥା କହେନି । କମଳୀ ତୃପ୍ତି ପାଏ । ମାଆର ଅଧିକାରରେ ଓ ଅଭିନୟରେ ତା’ର ଛାତି ଫୁଲିଉଠେ ।

 

ଗାଁ ବାଲା ସହିପାରିଲେନି । ଦୁଃଖ ପଡ଼ିଲେ ଶୁଖିଲା ନକଲି ସହାନୁଭୂତିର ସୀମା ନାଇଁ; ଦୁଃଖରୁ ଉଧୁରିଗଲେ କାହା ଦେହ ସହିବ ନାଇଁ । ଆଖିରେ ଶୁଖୁଆ କଣ୍ଟା ମଡ଼ା ହେବ । ସେଇ କମଳା–ଆପଣାର ଭଳିଆ ହୋଇ ଯେତେ କଥା କହୁଥିଲା ଆଜି ସବୁ ଫେରେ ବଦଳି ଗଲାଣି । ମହନିକୁ କଥା କହେନି । ଆଗରେ ପଡ଼ିଲେ ବାଗରେ ମୁହଁ ଫେରାଇ ନିଏ ।

 

କମଳ କେତେଥର ଚେଷ୍ଟା କରିଛି–ନିଆଳୀ ହାଟରୁ କେତେ ଭଲ ଜିନିଷ ଆଣି ଉପହାର ଦେଇଛି–କେତେ ରସଗୋଲା–କେତେ ମିଠେଇ । କିନ୍ତୁ କମଳୀକୁ ହାତ କରିପାରିନି । ସେଦିନ କେତେ ଦରଦ ଦେଇ ମନର କଥା ସେ ଖୋଲିକରି କହିଥିଲା । କମଳୀର ମନ ନବାକୁ ନିଜ ସ୍ତ୍ରୀର କେତେ ଅବିଗୁଣ ସେ ଗୋଟି ଗୋଟି କରି ବଖାଣିଥିଲା । କାହିଁରେ କିଛି ହେଲାଣି । କମଳୀ ମିଠେଇ ପୁଡ଼ିଆଟିକୁ ଗୋଡ଼ରେ ଫୋପାଡ଼ି ଦେଇ କବାଟ ଲଗେଇ ଦେଇଥିଲା ଆଉ କହିଥିଲା–“ମଲା, ଦାରୀ କରି ପାଇଛୁ କି ମୋତେ !” କମଳ ଆଉ ସେଇ ଦିନଠୁଁ ଯାଇନି–ସାହସ ବି କରିନି । ସେଇ କମଳୀ, ଆଜି ଏମିତି ଓଲଟିପଡ଼ିଲା ? ମହନି ପଧାନଠାରେ ଏତେ ରସ ଅଛି-? କମଳ ଛାତି ବିଦାରି ହୁଏ । ମହନି ସାଥିରେ ମୁହାଁ ମୁହିଁ ହୋଇଗଲେ ଆଜି କାଲି ବାଟକାଟି ଚାଲିଯାଏ କମଳ ।

 

ସପନା ମାମୁଁ–ଷୋଳପଣ ମୁରବି ଢଙ୍ଗ । ଆଜି ମହନିକୁ ଦେଖିଲେ ମୁହଁ ଫଣ ଫଣ କରନ୍ତି । ଆସୁଯାଉଁ ଗୋରୁ ବାଛୁରୀ ନାଁରେ ପଦେ ହେଲେ ଗାଳି ଦିଅନ୍ତି । ମହାନି ଘୁଙ୍ଗା ସବୁ ସାହିଯାଏ । ସପନା ମାମୁଁ–କୋଉ ଭଲଲୋକ ? ବୁଢ଼ାହେବାକୁ ହେଲାଣି କିନ୍ତୁ ମନଟା ବୁଢ଼ା ହୋଇଯାଇନି । ସେଦିନ ସଞ୍ଜବୁଡ଼େ କମଳୀ ସଞ୍ଜ ଦେଇ ଫେରୁଛି । ସପନାମାମୁଁ ଘରକୁ ଏକା–ବିଲେଇ ପିଲାଟିଏ ବି ନାଇଁ–ପନ୍ଦର ବର୍ଷ ହେଲା ସ୍ତ୍ରୀ ମରିଯାଇଛି–ପୁଅଟିଏ ଥିଲା ରୋଗିଣା–ମରିଗଲା । ସେଇଦିନୁ ବୁଢ଼ା ଏକା । କମଳୀକୁ ଡାକିଲା–“କମିକିଲୋ ? ଆଲୋ ମା’ ଶୁଣିଗଲୁ ।” କମଳୀ ଆସିଲା–ବୁଢ଼ା ଆଗେ–ପଛରେ କମଳୀ । ବୁଢ଼ା ଦୁଆର ଲଗେଇ ଦେଲା । କମଳୀ ଚମକି ପଡ଼ିଲା । ରୁମ ତାଙ୍କରି ଉଠିଲା । ଚଟକିନା ବୁଢ଼ା ହାତଟାକୁ ଠେଲି ଦେଇ–ଯାହା ଶୋଧିଲା–କାନରେ ଶୁଣିବନି । ସେଇଦିନୁ ବୁଢ଼ା ବିଗିଡ଼ିଛି । ଏବେ ମହନି ଘରେ କମଳୀ । ସପନା ମାମୁଁ ଦାନ୍ତ କାମୁଡ଼ି ହୁଏ । ଦେଖେଇ ଦେଖେଇ ମହନିକୁ ଶୋଧେ ।

 

କିଏ ଜଣେ ହେଲେ ଭଲ ? ସମସ୍ତେ ଭେଲ । କମଳୀ ସମସ୍ତିଙ୍କି ଚି଼ହେଁ । ସବୁକଥା କମଳୀ କହିଛି ମହନିକୁ–ମହନି ସବୁ ଶୁଣିଛି । ପଖାଳ କଂସାରେ ମୁଁହମାଡ଼ି ହୁଁ ମାରିଛି ଆଉ କିଛି ଜବାବ ଦେଇନି । ମହନି ଘୁଙ୍ଗା–କ’ଣ ଜବାବ ଦେବ ? କମଳୀ ଉଠେ ଆଳୁ ଚକଟି ଦିଏ । ପଖାଳ ଭାତରେ ବସାଦହି ଟିକେ ପକାଇ ଦିଏ । ମହନି କାହାକୁ ଖୋଜିବାର ଭାବ ଦେଖାଏ । କମଳୀ ବୁଝିପାରି ଶଙ୍କରାକୁ ଡାକେ । ମହନି, ଶଙ୍କରା ଖାଇ ବସନ୍ତି । କମଳୀ ପାଖରେ ବସି ଗପସପ ହୁଏ-। ଏ ଦୃଶ୍ୟ ଦେଖି ମହନି ଭାବେ, ତା’ ଘର ତ ପୁଣି ପୁରିଉଠିଲା । ଏଇ ଘରେ କିଛିଦିନ ଧରି ସ୍ତ୍ରୀ ମଲାପରେ ମହନି ନିଜ ହାତରେ ଭାତ ରାନ୍ଧି ଖାଇଥିଲା–ଶଙ୍କରାକୁ ଖୁଆଇ ଥିଲା । ପାଖରେ ଆପଣାର ହେଇ ଜଣେ କିଏ ନ ଥିଲେ । ସେଇ ଅଇଁଠା ହାତରେ ସେ ହାଣ୍ଡିରୁ ପଛରେ ଆଣି ବାଢ଼ି ଖାଇଥିଲା । ଶଙ୍କରା ନିଦରୁ ଉଠି ଭାତ ନ ଖାଇବାକୁ କାନ୍ଦୁଥିଲା, ରଡ଼ିଛାଡ଼ୁଥିଲା । ମହନି ବୁଝାଇ ନୟାନ୍ତ ହୁଏ । ଶଙ୍କରା ଭାତ ଖାଏ ନାହିଁ । କାଳିଆ କୋଚଟ ହୋଇ ପିଲା ବକଟେ । ସଜନା ଖାଡ଼ିପରି ହାତ ଗୋଡ଼ । ଟୁବୁରା ପେଟ–ମଗରା ମନ । ଫୁଙ୍କି ଦେଲେ ଟଳି ପଡ଼ିବ, ଜିଦ ଧରି ମୁଣ୍ଡ ବାଡ଼େଇବ । ମହନି ଶଙ୍କରାର ନଣ୍ଡାମୁଣ୍ଡର ଚଇତନ ଚୁଟିକି ଝିଙ୍କି ଧରି ଦି' ବିଧା ପକାଏ–ଗୋଇଠା ମାରେ–ଶଙ୍କରା କାନ୍ଦେ । ‘‘ବୋଉଲୋ” ବୋଲି ରାହାଧାରୀ ମାଟି ବିଦାରି କାନ୍ଦେ–ଢୁ ଢୁ ମୁଣ୍ଡ ବାଡ଼େଇ କାନ୍ଦେ; ଜିଦି ଛାଡ଼େନା । ମହନିର ଆଖିରୁ ଲୁହ ବୋହିପଡ଼େ ଏ ଦୃଶ୍ୟରେ । ଭାତ କଂସା ଥୋଇ ଦେଇ ଶଙ୍କରାକୁ ବୁଝାଇ ଶୋଇପଡ଼େ । ଆହା ମା’ ଛେଉଣ୍ଡଟି !!

 

ଆଜି କିନ୍ତୁ ସେଦିନ ଚାଲିଯାଇଛି । ଶଙ୍କରା ଆଉ ରୁଷୁନି; ‘‘ବୋଉଲୋ” ବୋଲି ରାହା ଧରୁନି; ଜିଦି ଧରୁନି –ଅଝଟ ହେଉନି । କମଳୀ ହାତରେ ବାଗେଇ ଗଲାଣି–କମଳୀକି ମାନି ଗଲାଣି । ଗଲା ଦିନର କଥା ମହନିକୁ ସପନ ଭଳି ଲାଗେ ।

 

କମଳୀ ଭାବେ–ସେ କ’ଣ ସୁଖରେ ଅଛି । ମନ ତା’ର ଜବାବ ଦିଏ,” ହଁ ଆଗ ଅପେକ୍ଷା ସୁଖରେ ନାଇଁ ଆଉ କଅଣ ।” ଘଇତା ମରିଗଲା, ଅଧାବୁଢ଼ା ଦିଅର ୧୬ ବର୍ଷର ଟୋକୀକି ବାହାହେଲା । ପରା ଘରୁ ଉଧାର ଆଣି କମଳୀ ଥାପିଥିଲା ଯେଉଁ ଗଛଟି, ଗାଁ ବାଲାଙ୍କ ଶିକ୍ଷାରେ ପଡ଼ି, ବାହାତୋଳା ହେଲାରୁ ଶାଖା ମେଲେଇଲା । ବେଶୀ ରସ ଖାଇଲା ସିନା, ତା’ର ନିଆଁଲଗା ଭାଗ୍ୟକୁ କିଛି ଫଳ ବି ଫଳିଲାନି । ପରଙ୍କ ଶିକ୍ଷାରେ ପଡ଼ି ରାଣ୍ଡ କମଳୀ–ଆଣ୍ଠକୁଡ଼ୀ କମଳୀ ସରକାରୀ କାଗଜରେ ସହି କରିଥିଲା । ଶେଷରେ କମଳୀ ଦେଖିଲା, ବିଶ୍ୱାସରେ ବିଷ ମିଶିଛି । ଯାହା ନାମରେ ସମ୍ପତ୍ତି ହୋଇଥିଲା, ସେଇ ପୁଅ–ଗଞ୍ଜାରୁଅ–ଏତେ ଭାରା ସହି ପାରିଲିନି-। ବତାସରେ ଓଲଟି ପଡ଼ିଲା କମଳୀର ଜୀବନ କୁଡ଼ିଆ । ରାତି ଅଧରେ ପୋଷିଆଁ ପୁଅ ଓ ଦୋବେହୀ ଦିଅରଠୁଁ ମାଡ଼ ଖାଇ କମଳୀ ପିଣ୍ଡାରେ ରାତି କାଟିଛି । ଗାଁବାଲା ନିଶାପ କରିଛନ୍ତି-। ଥରକୁ ଥର ମାଡ଼ଖିଆ–ଥରକୁ ଥର ନ୍ୟାୟ ନିଶାପ । କିଛି ଫଳ ହେଇନି । ସେଦିନ କଥା ମନେ ପଡ଼ିଲେ କମଳୀର ଛାତି ବିଦାରି ହୁଏ । ସେହିଦିନଠାରୁ ଆଜି କମଳୀ ସୁଖରେ ନାହିଁ କି ? ହଁ ନିଶ୍ଚୟ ଅଛି ।

 

ମହନି ଭାବେ–କମଳୀ ଭାବେ । ବାଲୁବାଲୁ କରି ବାଳୁତ ଶଙ୍କରା ଦୁହିଁଙ୍କ ମୁହଁକୁ ଅନାଇ ରହେ । ଦୁହେଁ ଭାବନ୍ତି–ମନର କଥା କେତେକ ବାହାରେ ବଚନରେ । ଅନେକ କଥା କିନ୍ତୁ ବାକି ରହି ଯାଏ ଛାତି ଭିତରେ । କଅଣ ସେ କଥା ? କାହିଁକି ସେ କଥା କେହି କାହାକୁ କହିପାରୁନାହାନ୍ତି ? ଟୋକା ଟୋକି ଦିନର ସେ ଚୁଙ୍ଗୁ ଚୁଙ୍ଗୁ ଭାବି ତ ଆଉ ଏଇନେ ନାହିଁ । ତେବେ କ’ଣ ସେ କଥା ?

 

ମହନି ଦେଖେ–ଶଙ୍କରାକୁ ଖୋଇଦଉଚି କମଳୀ ଠିକ୍ ତ ତା’ ମାଆ ଭଳି ଦେଖାଯାଉଛି-। ମହନିର ପେଟ ପୂରିଯାଏ ଏ ଦୃଶ୍ୟରେ ଓଠ ତଳେ ହସ ଫୁଟେ । ଛାତିରେ କିନ୍ତୁ ଭାତ ଅଟକିଯାଏ । କମଳୀ ତ ଶଙ୍କରାର ମାଆ ନୁହେଁ। କମଳୀ ଉପରେ ତା’ର ଅଧିକାର ନାଇଁ କି ଶଙ୍କରାର ଦାବି ନାଇଁ । କମଳୀ ନିଜର ଦୟାରେ ଯାହା ସାହାଯ୍ୟ କରୁଛି । ଦୀର୍ଘ ନିଃଶ୍ୱାସ ପକାଏ ମହନି ।

 

କମଳୀ ଦେଖେ, ବାପ ପୁଅ ଦୁହେଁ ଖାଇ ବସିଛନ୍ତି–ଘର ପୁରି ଉଠୁଛି । ନିଜ ହାତରେ ସବୁ ବାଢ଼ିଦେଇଛି କମଳୀ । ଏମିତି ବାଢ଼ିଦେଉଥିଲା–କାଲିପରି ଲାଗୁଛି କେତେ ଦିନର କଥା–ତାଆରି ବର ନନ୍ଦିଆ ନାହାକକୁ । ପାକୁଆ ପାଟିରେ ବୁଢ଼ା ହସୁଥିଲା । କମଳୀକୁ ଭଲ ଲାଗୁ ନ ଥିଲେ ବି ସେଇଥିରୁ ସେ ଗର୍ବ ପାଉଥିଲା । ସ୍ତ୍ରୀ ହେବାର ଗୌରବ ସେ ସେଇଥିରୁ ପାଉଥିଲା । ମାଆ ହେବାର ବାସନା କିନ୍ତୁ ମେଣ୍ଟି ନ ଥିଲା ତା’ର । ଦୋବେହୀ ବର, ବାଳ ପାଚିଥିଲା–ଧୋଲକା ଚମ–କୋରଡ଼ିଆ ଆଖି–ଉଷୁନା ହାଣ୍ଡିପରି ପେଟ । ମୁହଁଯାକ ଚଡ଼ଚଡ଼ ଥୁଁଟା ଦାଢ଼ି । କମଳୀକୁ ସୁଖ ଲାଗି ନ ଥିଲା । କମଳୀ ନିଜ ଇଚ୍ଛାରେ ଜାଣି ଶୁଣି ଆଣ୍ଠକୁଡ଼ୀ ହୋଇଥିଲା । ଯୌବନର ଗର୍ବରେ ସେ ଫୁଲିକରି ଥିଲା ସେତେବେଳେ । ଅଳଙ୍କାର, ଶାଢ଼ୀ ପାଇବାକୁ କେବଳ ସେ ବୁଢ଼ା ନନ୍ଦିଆ ନାହାକର ସ୍ୱାମୀତ୍ୱରେ ସୁଖୀ ହୋଇଥିଲା–ଘରଣୀର ଅଧିକାର ସେ ଦାବି କରିଥିଲା । ମାତୃତ୍ୱର ବାସନା ତ ଜାଗି ନ ଥିଲା, ଜାଗିଥିଲା ଦେହର ବାସନା । ତା’ର ଏଇ ମୋଟା ମାଉଁସିଆ କଅଁଳିଆ ଦେହପାଇଁ ସେ ଖୋଜୁଥିଲା ଟାଣୁଆ ବାହା, ଓସାରିଆ ଛାତି । ଆଉ ଶେଷରେ କାଉଁରୀକାଠି ଛୁଆଁ, ରାସମଜଗୁଲ, ଫୁର୍‍ଫୁର୍‍ ଉଡ଼ିଲା ମନ ପାଇଁ ସେ ଖୋଜିଥିଲା ରସରସିଆ, ସପନଭୋଳା ଟୋକାଳିଆ ମନ । ମାଆ ହେବାର ଇଚ୍ଛାକୁ ବୟସ ତା’ର ଡାକି ନ ଥିଲା । ସେଇଥିପାଇଁ କଲିକତା ଦେଶରୁ କାଉଁରୀମାଟି ମାଡ଼ି ଆସିଥିଲା ଯେଉଁ ଟୋକା–ଭାରି ବିସିନୀ–ଗାଈ ବଜେଇ ଜାଣେ–ସଫା ଲୁଗା ପିନ୍ଧେ–ଫେର୍‍ ଛାଡ଼େ–ପରଜାପତିଆ ନିଶା ରଖେ–କାନ୍ଧରେ ପାଚଲା ମୁଗେଇ ଗାମୁଛା ପକାଏ–ହସି ହସି ମଜାରେ କଥା କହେ–ନନ୍ଦିଆ ନାହାକକୁ ମଉସା ବୋଲି ଡାକେ–ରୋଜିନା ନାହାକ ଘରେ ଆତଯାତ ହୁଏ–କଲିକତା ବଙ୍ଗାଳୀବାବୁ କଥା ଗପେ–ଯାଦୁଘର କଥା ଭଣେ–ଚିଡ଼ିଆଖାନା କଥା ବଖାଣେ–ସେଇ ନୀଳ ପାଢ଼ୀକି କମଳୀ ଲୋଭେଇ ଗଲା । ତାଆରି ଚଉଡ଼ା ଛାତି ଉପରକୁ କମଳୀ ଆଉଜି ପଡ଼ିଥିଲା–ଏକ ନିର୍ଜନ ମୁହୂର୍ତ୍ତରେ । କିଣା ବିକାର ପ୍ରଶ୍ନ ସେଠି ଉଠୁ ନ ଥିଲା କିନ୍ତୁ ଘେନାଘେନିର ଗହଳ ଭିତରେ, ଦେବା ନେବାର ଚହଳ ଭିତରେ କମଳୀ ଦେଇଥିଲା ଦେହ–ପାଇଥିଲା ଉଷୁମ । ବେଶ୍ ସେଠିକି–ଆଉ ତା’ର ଅଧିକା ଦରକାର କ’ଣ ଥିଲା ? ପୁଣି ଗଡ଼ିଲା ଚକ–ବାର ହାତଠିଁ ପୁଣି ଅଟକି ଗଲା । ନୀଳ ପାଢ଼ୀ ଦାଣ୍ଡରେ ଧରାପଡ଼ିଲା । କମଳ, ଧରମା, କାଙ୍ଗାଳିଆ, ନୀଳ ପାଢ଼ୀଠୁଁ କଥା ନେଲେ । ଗୌରବ ପାଇବାକୁ ସିନା ପଦାରେ ହାଣ୍ଡି ଭାଙ୍ଗିଲା ନୀଳ ପାଢ଼ୀ–ଶେଷରେ କିନ୍ତୁ ସେଇ ଭଙ୍ଗା ଖପରା ନିଜ ଗୋଡ଼ରେ ବାଜି ନିଜେ ନହୁନୁହାଣ ହେଲା । ଗାଁ ବାଲା ତଣ୍ଡିଲେ–ଜୋରିମାନା କଲେ । ନୀଳପାଢ଼ୀ ଚୋର ହେଲା, କମଳୀଠାରୁ ଦୂରରେ ରହିଲା ସେଇ ଦିନୁଁ । ଅଣ୍ଟାରେ ପଣତ ଭିଡ଼ି ଦେଇ କମଳୀ ଛାତି ଦମ୍ଭ କଲା–ଯାଉଁ କ’ଣ ହେଉଛି ହେଇଯାଉ ।

 

ପୁଣି ଦିନେ କମଳୀ ଜାଣିପାରିଲା ନୀଳ ପାଢ଼ୀ ଗାଁର ଆଉ ଜଣକ ସାଥିରେ ଭାବ ରଖିଛି । କମଳୀର ଦେହ ସହିପାରି ନ ଥିଲା । ତା’ର ଛାତି ବିଦାର ହୋଇଥିଲା । ତା’ର କ’ଣ ସମ୍ମାନ ବୋଲି କିଛି ନାହିଁ ? ନିଜର ସବୁ ମାନ ଅପମାନକୁ ସେ ଯାହାପାଖେ ବଳି ଦେଇ ଥିଲା, ଯିଏ ତାର ସତୀତ୍ୱକୁ ବଳାତ୍କାରରେ ଛଡ଼େଇ ନେଇଥିଲା ସେଇ ନୀଳ ପାଢ଼ୀ ଆଜି ତାକୁ ଗୋଡ଼ରେ ଠେଲି ଦେଲା ? ଏ ଅପମାନର କମଳୀ ପ୍ରତିଶୋଧ ଖୋଜିଲା । ବୟସ ଆଗେଇ ଯାଇଥିଲା । ଉଡ଼ନ୍ତା ମନ ବସା ଖୋଜୁଥିଲା । ତେଣୁ କମଳୀ ଜିଦ୍‍ କରି ରହିଲା–ଆଚ୍ଛା କ’ଣ ହେଉଛି ହେଇଯାଉ । ସେ ଟାଣ ହୋଇ ରହିବ ଏଣିକି । ସପନ ନ ଦେଖି ଚେଇଁ ଚେଇଁ ଶୋଇବ । ପୁରୁଷ ଜାତି ଉପରେ ପ୍ରତିଶୋଧ ନେବ । ବନ୍‍ଶୀ ପକେଇବ–ଥୋପ ପାଖକୁ ଟାଣି ହୋଇ ଆସି ଥୋପ ଗିଳିବା ବେଳକୁ–ସେ ଥୋପ ଉଠେଇ ନେବ–ହାଇଁ ପାଇଁ କରି ମାରିବ । କଉତୁକିଆ ପଦ୍ମଫୁଲ ହୋଇ ପୁରୁଷଙ୍କ ଆଖିକି ଭୁଲେଇବ–ଯେତେ ଯେତେ ପାଣିକି ଗୋଡ଼ ବଢ଼େଇବେ–ସେତେ ସେତେ ଘୁଞ୍ଚିଘୁଞ୍ଚି ଯିବ ସେ ପାଣି ଭିତରକୁ–ଏକବାର ଅଥଳ–ଥଳ ଗଣ୍ଡକୁ । ଶେଷରେ ଅଧାକପାଳିଆଗୁଡ଼ାଙ୍କୁ ପାଣିରେ ଉବୁଟୁବୁ କରାଇ ମାରିବ । କମଳୀର ‘ନାରୀତ୍ୱ’ ଗର୍ଜ୍ଜି ଉଠିଲା, ନାରୀର ଯେଉଁ ଅଂଶଟା ପୁରୁଷ ସଙ୍ଗେ ପ୍ରତିଦ୍ୱନ୍ଦିତା କରେ, ସେଇ ଅଂଶଟା କମଳୀର ଥରି ଉଠିଲା–ପୁରୁଷର ବିରୁଦ୍ଧରେ । କମଳୀର ମନ ପଥର ହୋଇଗଲା । ଉପରେ ମଲ୍ଲୀଫୁଲ ପରି ବେଶ୍ ସାଜି ଭିତରେ କିଆଫୁଲ ରଖିଲା । ଆସୁ ମଲ୍ଲୀର ଗନ୍ଧରେ ପାଗଳ ପରି ଛୁଟିଆସୁ ବାଡ଼ିପଡ଼ା ଭଅଁର–କିଆକଣ୍ଟାରେ ଫୋଡ଼ି ହୋଇ ମରିଯିବ । ଆସନ୍ତୁ, କିଏ ଆସିବେ ଆସନ୍ତୁ । ମରଦ, ଟୋକା, ପିଲା, ବୁଢ଼ା–ଯିଏ ଆସିବ ଆସୁ । ବାଡ଼ିପଡ଼ାଙ୍କୁ ଚେଙ୍ଖେଲେଖା ଦେବୀ ଯେ–ତାଚ୍ଛଲ୍ୟ ହସ ହସିଲା କମଳୀ–ଭୟଙ୍କର ବେଖାତିର ହସ ।

 

ଠିକ୍ ତା’ର ପରେ ପରେ କମଳୀ ମୁଣ୍ଡରୁ ସିନ୍ଦୁର ଲିଭିଲା ଚିର କାଳ ପାଇଁ । କିଛି ବିଶେଷ ଦୁଃଖ ହେଲାନି ତା’ର । ଲୋକଦେଖାଣିଆ କାନ୍ଦ କାନ୍ଦିସାରି ସେ ଅଣ୍ଟାରେ ପିନ୍ଧିଲା ଚଉଡ଼ା ଅଣ୍ଟାସୁତା–ବାହୁରେ ପିନ୍ଧିଲା ମୋଟା କଡ଼ା–କାନରେ ନାଇଲା ଫାସିଆ–ବେକରେ ପିନ୍ଧିଲା ସୁନାର ହାର । ଧଳା ଶାଢ଼ୀ ଭିତରେ ଗୋରା ତକତକ ଚେହେରା–ସପନ ରାଇଜର ପରୀ–କୁହୁଡ଼ିଆ ଜହ୍ନ ରାତିରେ କଇଁ– । ଲୋଭେଇ ପଡ଼ିଲେ ଗାଁ ଟୋକା, ପିଲା, ବୁଢ଼ା । ଗୋଟି ଗୋଟି ହୋଇ ଛୁଟି ଆସିଲେ, କମଳ,ଧରମା, ରତନା, ଦୁଆରି, ଅଗାଧୁ, ଲୁଚି ଲୁଚି ଛପିଛପିକା । କିଏ ଲାଞ୍ଚ ଯାଚିଲା–କିଏ ଟଙ୍କା ପଇସା ବା ରସଗୋଲା ମିଠେଇ । ଖୁବ୍ ହୁସିଆର ରହି–ଛାତି ଦମ୍ଭକରି ଚେତ୍‍ରହି, କମଳୀ ହସିଲା–ଅଭିମାନ କଲା, ରୁଷିଲା । କେତେବେଳେ ବା ମିଠାକଥା କହି ମନ ତୋଷିଲା । ସୁନ୍ଦର ରୂପ–ପୁଣି ମିଠାକଥା ରୁଷା–ଆଡ଼ଭଙ୍ଗୀ–ଆଖିଠରା–ଅଧମା–ଗୁଡ଼ାଙ୍କୁ ଅସ୍ଥିର କରି ପକାଇଲା । କିଏ ବାହା ବଢ଼େଇଲା–କିଏ ଓଠ ବଢ଼େଇଲା–କିଏ ବା ଛାତି ଉପରକୁ ହାତ ବଢ଼େଇଲା । ଠିକ୍ ବେଳରେ ଉଚିତ ମୁହୂର୍ତ୍ତରେ–କମଳୀ କାହାର କାନମୋଡ଼ିଲା ତ କାହାକୁ ମାରିଲା । କାହାକୁ ଶୋଧିଲା–ପୁଣି କାହାକୁ ବା ବକିଲା ।

 

ପଶିଲା ପଶିଲା ଗାଲ,–ରାତି ଉଜାଗର ମଇଳା ଆଖି–ଛଡ଼ା ଛଡ଼ା ଫାଙ୍କ ଓଠ ଗୁଡ଼ାକରେ ଅତୃପ୍ତିର ଛାପ ପକାଇ, ଶୁଖିଲା ନିଃଶ୍ୱାସ ମାରି, ଚଉଡ଼ା ଛାତିରେ ହାଡ଼ ଦେଖାଇ ଦେଖାଇ ଫେରିଗଲେ ମାଧବ ଗାଁର ଅଧମା ଭେଣ୍ଡା, ଟୋକା ପିଲାଗୁଡ଼ାକ–ଲୁଚିଲୁଚି–ଛପି ଛପିକା-। କିଏ ଟୋକୀ ଦେଖିଲେ ଆଖିମାରନ୍ତି–ବୋହୁ ଦେଖିଲେ ମୋହ ହୁଅନ୍ତି–କୋହ ଉଠାନ୍ତି, ଝିଅ ଦେଖିଲେ ମୁହଁ ଫିଟାନ୍ତି, ଥଟ୍ଟା କରନ୍ତି–ପୁଣି ଫେରିଲେ ଉପର ମୁହଁକୁ ତଳକୁ କରି, ଧୋଲକା ଚମକୁ ଆହୁରି ଧୋଲକା କରି–ଦାନ୍ତ ରଗଡ଼ି, ଗାଁର ମାମଲତାକାରିଆ ବୁଢ଼ା ସବୁ–ଯିଏ ଭାଗବତ ଘରେ, ଭାଗବତ ଶୁଣନ୍ତି–ଭଜନ କରନ୍ତି–ଡୁହା ଧରନ୍ତି–” କାମିନୀ କାଞ୍ଚନ ନିଶା ତେଜି ଆରେ ମନ; ଆଉ ଯିଏ ପର ବୋହୂକୁ ‘‘ବୋଉ” ବୋଲି ଡାକନ୍ତି–ପରଝିଅକୁ ଧର୍ମ ଝିଅ କରନ୍ତି–ସମସ୍ତେ ଫେରିଲେ, ଡହଳ ବିକଳ ହୋଇ–ପାଇ ପାଇଲେନି–ଅଧାପନ୍ତରିଆ–ଧରି ଧରିଲେନି । ସମୁଦ୍ରରେ ପହଁରି ଶେଷରେ ତଣ୍ଟି ଶୁଖେଇଲେ । କମଳୀର ଓରମାନ ମେଣ୍ଟିଲା–ମନର ଗଲୁ ମଲା ।

 

ସେଦିନ ଚାଲି ଯାଇଛି ।

 

ଫେରେ ଚକ ଓଲଟିଛି । ବଦଳିଛି ସେ ବୟସ । ଆଗର ସେଇ ଛାତିଫୁଲା ଠାଣି ଭାଜି ଯାଇଛି । କମଳୀର ମନ ବଦଳିଛି । ପୂର୍ବର ସେଇ ନାରୀତ୍ୱ ଆଜି ଭିନ୍ନ ରୂପ ଧାରଣ କରିଛି । ଆଜିକାଲି ମହନିକୁ ଖାଇବାକୁ ଦେଲାବେଳେ, କମଳୀ ଯେପରି ତା’ ଭିତରେ ଏକ ତୀବ୍ର ଯନ୍ତ୍ରଣା ଅନୁଭବ କରୁଛି । ଯଦିଓ ଆଗ ଅପେକ୍ଷା ସୁଖରେ ଅଛି–ହସୁଚି, କଥା ଗପୁଛି, ତଥାପି କଅଣ ସେ ବରାବର ସୁଖରେ ଅଛି ?? ଶଙ୍କରା–ନାହିଁ ଅକଟା ସାତବରଷର ଛୁଆ–ବୋଉ ବୋଉ ବୋଲି ଡାକି ଦିଏ ସତ–ସିଏ ଜାଣେନି କିଏ ମା’, କିଏ ମାଉସୀ । କମଳୀ ତାକୁ କୋଳରେ ଧରେ । ବାପଲୋ ଧନଲୋ କହି ଗେଲ କରେ । ତା’ ବୋଉ ଡାକର ଜବାବ ଦିଏ । ସବୁ କରେ, କିନ୍ତୁ କମଳୀର ମନରେ ରହିଯାଏ ଖିଟିକା । ଛାତିର କୋଉ କଣରେ ପରାସ ଲାଗେ । ଶଙ୍କରା ତା’ର ପୁଅ ନୁହେଁ । ଶଙ୍କରା !! ମହନିର ସ୍ତ୍ରୀ ତା'କୁ ଅନ୍ତଫାଡ଼ି ଜନ୍ମ ଦେଇଛି । ମହନୀ ରକତ ଖାଲି ତା’ଠାରେ ବହୁଛି । ନିଜର ରକତ, ନିଜ ଦେହରେ ଛାପ ତ ତା’ଉପରେ ପଡ଼ିନି ! ଶଙ୍କରା ତା’ର ପୁଅ ନୁହଁ । ସେ ଏପର୍ଯ୍ୟନ୍ତ ମାଆ ହେଇ ପାରିନି, ଏଥିପାଇଁ ତାକୁ ବଡ଼ ହୀନମାନ ଲାଗେ ।

 

କାଳିଆ ବିଲେଇ, ଦିଇ ଦିଇଟା ଛୁଆ ଖେଳେଇ ଖେଳେଇ, ରୁମ ଫୁଲା ଲାଙ୍ଗୁଳ ହଲେଇ ହଲେଇ କମଳୀ ଗୋଡ଼ରେ ଘଷିହୁଏ । କମଳୀର ଦେହ ସହେନି । ଦେଖେ ତ ବଡ଼େଇ ! ରୋଗୀଣା ପିଲା ଦି’ଟା ଧରିଛି ବୋଲି ଦିହରେ ଘଷି ହେବ ! ଯୋଉ ତ ଛୁଆ ! ରୁମ ଉପୁଡ଼ି ଯାଇଛି–ଆଖି କଣା–ଆଖି କଣାରେ କଣେ ନେନ୍ଦେରା ! ଛୁଆ ଦେଖେଇ ହଉଛି ! କମଳୀ ଚିଡ଼ିଯାଏ । ଗୋଡ଼ ଛିଞ୍ଚାଡ଼େ । ବିଲେଇ ଛୁଆ ଗୁଡ଼ାକ କରଛାଡ଼ିଆ ହେଇ ପଡ଼ନ୍ତି । କମଳୀ ପୁଣି 'ଆହା' କହେ । ରୋଗୀଣା ଛୁଆଙ୍କୁ ଚୁଚୁ କରି ପାଖକୁ ଡାକେ–ଆଉଁଷେ–ଭାତ ଦିଏ । ଆଖିରୁ ବହେ ଲୁହ, ଲୁହ, ନୁହଁ–ତତଲା ଲହୁ ।

 

ମହନି ଭାବେ–କମଳୀ ଅବଶ୍ୟ ତା’କୁ ପରବୋଲି ଭାବୁନି । ଠିକ୍ ନିଜ ଘର ମଣିଷ ପରି ପେଟ ଭିତରର ଦରଜ ବୁଝେ କମଳୀ । ଶଙ୍କରାକୁ କେବେ କାଖରୁ ଓହ୍ଲେଇନି ସେ । ତଥାପି ମହନିର ମନ ବୋଧ ହୁଏନି । କମଳୀ ତା’ର ଅତି ନିକଟରେ–କିନ୍ତୁ ତା’କୁ ଲାଗେ ସତେ ବା ଖୁବ୍ ଦୂରରେ ! ଏକା ଘରେ କମଳୀ ସହିତ ଦିନ କଟିଚି–ରାତି ବି କଟିଚି । କାହିଁକି କେଜାଣି ମହନିର କମଳୀ ପ୍ରତି ଭୟ ହୁଏ; ଅବିଶ୍ୱାସ ବି ହୁଏ । କମଳୀ ବଣର ବୁଲା ଚଢ଼େଇ । ଖାଇପିଇ ରହିଛି ସତ, କିନ୍ତୁ କାଳେ ସେ ଉଡ଼ି ଚାଲିଯିବ ! କମଳୀ ଉପରେ ତା’ର ଦାବି କ’ଣ ? ନା–ଆଉ ଥରେ ଭଙ୍ଗା ଘରକୁ ଯୋଡ଼ିବାକୁ ଇଚ୍ଛା ହୁଏ ମହନିର ।

 

କମଳୀର ମନ ଅସ୍ଥିର ହୁଏ । ଲୁଚିଲା ମାତୃତ୍ୱକୁ ଅସମ୍ଭାଳ ହୁଏ ଛାତି ଭିତରେ । ସେ ଭାବେ–ଏତେ ଦିନ ହେଲାଣି ସେ ଯେ ଏ ସଂସାରକୁ ଆସିଛି–ଛୋଟ ହେଉ ପଛେ–ଦୁନିଆ ଭିତରେ ସେ ଯେ ବଞ୍ଚିଛି–ତାହାର ପ୍ରମାଣ କ'ଣ ? ଏ ବିରାଟ ସଂସାରର ଗହଳ ଚହଳ ଭିତରେ–ଗଲା ଅଇଲା ଭିତରେ ତା'ର ନିଜର ଆସ୍ଥାନକୁ ପ୍ରମାଣ କରିବା ଲାଗି, କଅଁଳ ଶିଶୁର ସରଳ କୁଆଁ କୁଆଁ ରବ କାଇଁ ? ନାଃ ! କମଳୀ ଛଟପଟ ହୁଏ । ତା’ର ସନ୍ତାନ ଦରକାର । ‘ବୋଉ’ ଡାକ ନ ଶୁଣିଲେ ତା' ପ୍ରାଣ ଆଉ ରହିବନି । ସନ୍ତାନର ଦରକାର କେବଳ । ଯେ କୌଣସି ଉପାୟରେ ସନ୍ତାନ ଚାହି । କମଳୀ ପୁଣି ଚମକି ଉଠେ । ଏଁ? ସେ ଯେ ରାଣ୍ଡ, ଆଣ୍ଠୁକୁଡ଼ୀ ! କମଳୀର ଆଖିରୁ ବାହାରେ ନିଆଁ, ଫୁଲି ଫୁଲି ବଙ୍କା ହୁଏ ଓଠ, ନା, ନା, ସେ ରାଣ୍ଡ ସତ–କିନ୍ତୁ ଆଣ୍ଠୁକୁଡ଼ୀ ସେ ହୋଇପାରିବନି; ରାଣ୍ଡ ହବ ପଛେ । ତେବେ କିଏ ହେବ ତା'ର ଭବିଷ୍ୟ ସନ୍ତାନର ଜନକ ? କମଳା ? ଛି ଛି !! ତେବେ ଆଉ କିଏ ? ସେଇ କମଳାପରି ଆଉ ଜଣେ–ନୀଳ ପାଢ଼ୀ ? ଯିଏ ସ୍ତ୍ରୀ ପୁରୁଷର ଭାବ ନାବକୁ ସପନ ଭଳି ମନେ କରେ ? ଯେ କେବଳ ଧୂଳିଘର କରି ଖୁସିହୁଏ ? ଯିଏ କେବଳ ବୋହୁବୋହୁକା ଖେଳରେ ‘ଗେରସ୍ତ’ ହୋଇପାରେ ? ଏଇ ବିରାଟ ସୃଷ୍ଟିର 'ସ୍ରଷ୍ଟା' ହେବାର ବୋଝକୁ ସହି ପାରିବାରେ ଅକ୍ଷମ ହେଇ ଯେ ପଳାଇ ଯାଏ, ଗୋଟେ ଫୁଲାଫାଙ୍କିଆ ଜୀବନ କଟେଇବାକୁ ? ଯାହା ପାଖରେ ଜୀବନର ଭାର ନାହିଁ ? ଦାୟିତ୍ୱ ନାହିଁ ? ଛିଆ ! ଛିଆ ! ତା’ ବାପ ହବା ମୁହଁରେ ନିଆଁ ଲାଗୁ । ସେ ହେଇପାରେନା ତା'ର ସନ୍ତାନର ବାପ ଆଉ କିଏ ? ମହନି ? କମଳୀ ଛେପ ଢୋକେ । ମୁହଁ ରଙ୍ଗେଇ ଆସେ । ହଁ ଏଇ ଘୁଙ୍ଗା ମହନି ! ପରର ଭଲ ମନ୍ଦରେ ଯେ ନ ଥାଏ । ମାଲିମକଦ୍ଦମା, ନ୍ୟାୟ ନିଶାପ, ଭଜନ କୀର୍ତ୍ତନ ପରି ଲୋକ ଦେଖାଣିଆ କୁଣ୍ଡେଇ ନାଟରୁ ଯେ ଦୁରେଇ ରହେ ! ସେଇ ବୋକା ମହନି ହେବ ତା'ର ସନ୍ତାନର ବାପ । ସେଇ ମଉନୁମୁହାଁ ପୋଡ଼ାମୁହାଁ ମାଇଚିଆ ମହନି ପଧାନ ବାପ ତା’ର ସନ୍ତାନର ବାପ ??? ଚମକି ପଡ଼େ କମଳୀ..........ଚମକି ପଡ଼ିଲା ମହନି । ଅନ୍ଧାରିଆ ଆଟୁଘର ଭିତରେ, ଓଳିଆ ପାଖେ ହେଁସ ପାରି, ଡହଳ ବିକଳ ହେଇ ପଦାକୁ ବାହାରି ଆସିଲା ମହନି–କଅଣ କହୁଛୁ ତୁ କମଳୀ ? ଜାତିଆଣ କଥା–ଏ କ’ଣ ପିଲା ଖେଳ ? ଜାତିଭାଇ ରାଜି ହେଲେ ତ ଫେର୍‍...... ?

 

ଚମକି ପଡ଼ିଲା ଶଙ୍କରା । ଓଳିଆ ସନ୍ଧ୍ୟାରୁ ଚେଁ ଚେଁ ଚୁ ଚୁଚୁନ୍ଦ୍ରା ଗୋଡ଼ାଗୋଡ଼ି ଶବ୍ଦରେ ଚିରି ଚିରି ହେଲା ଶଙ୍କରା ।

 

କମଳୀ ରାଗିଗଲା ।” ସେମିତି ମଇଚିଆ ପରି ହୁଅନି । ସଫା ଜବାବ ଦିଅ । ଫେର ଥରେ ମୋ ସାଥିରେ ଏ ଘରକୁ ଯୋଡ଼ିବ କି ନାଇଁ ?”

 

“ଆଉ ଥରେ ?? ତା’ହେଲେ ତୁ କହୁଚୁ ଆମେ ଦୁହେଁ ଦୁତୀୟ ହେଇ ରହିବା ? ତୁ ରାଜି ଅଛୁ ତା’ହେଲେ ? ନାଇଁ ?” ମହନି କାହିଁ କଥା ପଦକ କହୁ କହୁ ହସି ପକେଇଲା ।

 

ତା’ପରେ ଦୁହେଁଯାକ ତଳକୁ ମୁହଁ ପୋତି କିଛି ସମୟ ଠିଆହୋଇ ରହିଲେ । ଅଧରାତି–ନିଶା ଗର୍ଜ୍ଜୁଛି । ହଠାତ୍ ନୀରବତା ଭାଙ୍ଗି ମହନି କହିଲା–‘‘ବୁଝିଲୁ କମି; ତୁ' ସିନା ଏକଥା ଆଜି ଭାବୁଚୁ ! କିନ୍ତୁ ମୁଁ ଏକଥା ବହୁତ ଆଗରୁ ଭାବି ସାରିଲିଣି । ଏଇ ଶଙ୍କରା ଯୋଗୁଁ–ମାଆଛେଉଣ୍ଡ ପିଲାଟା–କାଳେ କିଏ ତା'କୁ ହନ୍ତସନ୍ତ କରିବ ! ! ଏଇଠି ପାଇଁ ଆଉ ସେ ଦିଗକୁ– ।” କମଳୀ କ’ଣ ବୋଧେ କହିଥାନ୍ତା ମାତ୍ର ଏତିକିବେଳେ ଅନ୍ଧାରିଆ ନିଛାଟିଆ ଶୋଇଲା ଘରୁ, ବିଛଣା ଉପରେ ଶଙ୍କରା ବିଳିବିଳେଇ ଉଠିଲା–ବୋଉଲୋ–ଓ–ଓ–ଓ.....

 

କମଳୀ ଉଠି ଆସିଲା ଶଙ୍କରା ପାଖକୁ । ପିଲା ଲୋକ–ଡରମାଡ଼ୁଛି ଏକୁଟିଆ ଘରେ । ଯାହା ବିଚରା ମାଆ ଛେଉଣ୍ଡ ନିରିମାଖି ପିଲାଟି !!” ଯାଉଛିରେ ଧନ ।” ଶଙ୍କରା ପୁଣିଥରେ ଡାକିଲା–“ବୋଉଲୋ……” କମଳୀ ଢେରଥର ଶଙ୍କରା ପାଟିରୁ ‘ବୋଉ’ ‘ବୋଉ' ଡାକ ଶୁଣିଛି । ମାତ୍ର ଆଜିର ଏଇ 'ବୋଉ' ଡାକରେ ସତେ ବା ସେ ନୂଆକରି କେଉଁ ହଜିଲା ଦିନର କେଉଁ ଏକ ମିଠା ସପନର ସୁଆଦ ପାଇଲା !

 

ଆଉ ଶଙ୍କରା ବି ନିଶ୍ଚୟ କମଳୀର ଆଜି ଏଇ ‘‘ଯାଉଛି ରେ ଧନ ।” ଉତ୍ତରରେ କେଉଁ କାଳର ଏକ ହଜିଲା ମାଧୁର୍ଯ୍ୟର ସୁଆଦ ପାଇଥିବ !

 

କିନ୍ତୁ ମହନି ! ସେ କଅଣ ପାଇଲା ? ହଁ ପାଇଥିବ ନିଶ୍ଚୟ ନିଶ୍ଚୟ ପାଇଥିବ ।

Image